Unknown

 

 

 

 

 

 

 

 

 

 

 

କାଚକଣ୍ଢେଇ

ଅଧ୍ୟାପକ ବିଶ୍ୱରଞ୍ଜନ

 

ସୂଚୀପତ୍ର

 

୧.

ମୁଁ ଅଧ୍ୟାପକ ବିଶ୍ୱରଂଜନ

୨.

ସମୟ, ସମୁଦ୍ର ଓ ସ୍ଵଗଦ୍ୱାର

୩.

କସ୍ତୁରୀ ମୃଗ

୪.

ଶିଖା

୫.

ଶ୍ୱେତପଦ୍ମା ଓ ନୀଳଚନ୍ଦନ

୬.

ଭୟ

୭.

ହୋରି (୧)

୮.

ହୋରି (୨)

୯.

ଅନ୍ଧାର ଓ ସିନ୍ଦୁର

୧୦.

ମାନସୀର ମୃତ୍ୟୁ

୧୧.

ଲୁହର ସଂଳାପ

୧୨.

ନଦୀ ସାଳନ୍ଦୀ : ମାସ ଶ୍ରାବଣ

୧୩.

ଶେଷ ସଂଗୀତ

୧୪.

ଘର

୧୫.

ଜୀବନର ଅନ୍ୟାନାମ

୧୬.

ଗୋଟିଏ କୃଷ୍ଣ ସର୍ପ : ଦୁଇଟି ନୀଳ କଇଁ

୧୭.

ଅସାମାଜିକର ଆତ୍ମଲିପି

୧୮.

ସଂପର୍କ

୧୯.

ମିନିଗପଟିଏ

୨୦.

ଟିକିପାଇ

୨୧.

ଆରଣ୍ୟକ

୨୨.

ପ୍ରତିଛାୟା

୨୩.

ସ୍କୁଲ ଝିଅ

୨୪.

ରଜାଝିଅ କଥା

୨୫.

ଉଡ଼ିଗଲା ଚଢ଼େଇର ଗୀତ

୨୬.

ଋତୁ ପରିକ୍ରମା

୨୭.

ସୂର୍ଯ୍ୟର କଳଙ୍କ

୨୮.

ପୌରୁଷର ପରାଜୟ

୨୯.

ମୁଁ, ମିତା, ଯୀଶୁ ଓ ଜଗନ୍ନାଥ

୩୦.

ସାଗର ସଂଗମ

୩୧.

ଚଂପକଲତା

୩୨.

ବାର୍ତ୍ତା: ଦୁଇଟି ହୃଦୟର

୩୩.

ଚନ୍ଦ୍ର, ସୂର୍ଯ୍ୟ, ତାରା

୩୪.

ଆହତ ପୌରୁଷ

୩୫.

ଚିଠି

୩୬.

ଗୁଜବ

୩୭.

ପ୍ରେମ ଓ ପ୍ରତ୍ୟୟ

୩୮.

କାଚ କଣ୍ଢେଇ

★★★

 

ବୋଉ,

 

‘କାଚ କଣ୍ଢେଇ’—ମୋ ସଂକ୍ଷିପ୍ତ ଜୀବନର ବିଚିତ୍ର ବିବିଧ ଅନୁଭୂତିର ସମାହାର । ବହୁ ବିଦଗ୍ଧ ମୁହୂର୍ତ୍ତର କରୁଣ ଇତିହାସ ।

 

କଳ୍ପନାର ରଂଗ ଓ କଲମର ଶକ୍ତିରେ ରୂପ ଦେଇଥିବା ମୋର ପ୍ରଥମ ମାନସ ସନ୍ତାନ । ଅଶ୍ରୁ ସଜ୍ଜଳ ଆଖିରେ ଏଇଟିକୁ ଆଜି ତୋରି ହାତରେ ଉତ୍ସର୍ଗ କରି ଦେଉଛି ।

 

କିନ୍ତୁ ମୋର ଏ ନିବେଦନକୁ ସତରେ କ’ଣ ଆନନ୍ଦରେ ହାତ ବଢ଼ାଇ ତୁ ଗ୍ରହଣ କରି ନେଉଛୁ ? କାହିଁ ତୋର ସେଇ ହାତ ଦୁଇଟି ? ସେଇ ସୁନ୍ଦର ଉଜ୍ଜ୍ୱଳ ହାତ—ଯାହାକୁ ମୁଁ ଭଲ ପାଇଛି । ପୁଣି ଭୟ କରିଛି । ଦୁଃଖ ଯନ୍ତ୍ରଣା ଓ ରୋଗରେ ପଡ଼ି ଅସ୍ଥିର ହେଲାବେଳେ ଯେଉଁ ହାତର କୋମଳ ସ୍ପର୍ଶରେ ମୁଁ ଭଲ ଯାଇଛି ରୋଗ, ଶୋକ ଜନିତ ଯନ୍ତ୍ରଣା—ପୁଣି ମୋର ଗତିବିଧି, ଚାଲିଚଳନ ଓ ବ୍ୟବହାରରେ ସାମାନ୍ୟତମ ତ୍ରୁଟି ଆବିଷ୍କାର କରିବା ମାତ୍ରେ ଯେଉଁ ହାତ ମୋ ପାଇଁ ନିଷ୍ଠୁର ଓ ନିର୍ମ୍ମମ ହୋଇଛି । ମେତେ ଶାସନ କରିଛି । ଉଦ୍ଦେଶ୍ୟ—ମଣିଷ ଭଳି ମଣିଷଟିଏ ହୋଇ ଏ ଦୁନିଆରେ ମୁଁ ଠିଆ ହେବି । ପାଞ୍ଚଜଣରେ ଜଣେ ବୋଲି ଗଣା ହେବି । ମୁହୂର୍ତ୍ତ ମୁହୂର୍ତ୍ତ ହୋଇ ଅନେକ ବର୍ଷର ମୁହୂର୍ତ୍ତ ୟା’ଭିତରେ ବିତିଗଲାଣି । ବାରବର୍ଷରୁ ବେଶୀ ହେବ । ଗୋଟାଏ ଯୁଗର କଥା । ମୁଁ ବଡ଼, ହୋଇଛି । ବିଶ୍ୱବିଦ୍ୟାଳସ୍ତର ସର୍ବୋଚ୍ଚ ସୋପାନ ସଫଳତାର ସହ ଅତିକ୍ରମ କରି ଶିକ୍ଷାଗତ ଯୋଗ୍ୟତା ହାସଲ କରିଛି । ବହୁ କର୍ମଠଯୁବକ ଯୁବତୀଙ୍କୁ ଶିକ୍ଷାଦାନ କରି ଆସୁଛି ଗତ କେଇବର୍ଷ ହେଲା । କିନ୍ତୁ ତୋ ସ୍ୱପ୍ନର ମଣିଷଭଳି ମଣିଟିଏ ହୋଇ ପାରିଛି କି ନାହିଁ—ସେକଥା କେମିତି କହିବି ? ତୁ ଥିଲେ କହିଥାନ୍ତୁ ଏବଂ ନ ହୋଇ ପାରିଥିଲେ ତୋରି ହାତର ଯାଦୁକରୀ ଶକ୍ତିବଳରେ ମୋତେ ପୁଣି ମଣିଷ କରି ଗଢ଼ିବାରେ ଲାଗିପଡ଼ିଥାନ୍ତୁ ।

 

ବୋଉ ! ତୋର ସ୍ୱପ୍ନ ଥିଲା ମୁଁ ଅଧ୍ୟାପକ ହେବି । ବକ୍ତା ହେବି, ଲେଖକ, ଔପନ୍ୟାସିକ ହେବ । ସମାଜରେ ଶିକ୍ଷକ, ଲେଖକ—ଏଇମାନେ ଥିଲେ ତୋ ଦୃଷ୍ଟିରେ ପୁଜ୍ୟ, ନମସ୍ୟ । କିନ୍ତୁ କେତେଜଣ ମା’ ସେମାନଙ୍କର ପୁଅ ଲାଗି ଆଜିକାଲି ଏ ସ୍ୱପ୍ନ ଦେଖୁଛନ୍ତି—ପୁଅ ସେମାନଙ୍କର ଶିକ୍ଷକ ହେବ ! ଲେଖକ ହେବ ! ସମାଜର ଦୀନ, ଦୁଃସ୍ଥ, ଅସହାୟ ମଣିଷଟିଏ ହୋଇ ଠିଆ ହେବ-!!

 

ତୁ ଯଦି ଆଜି ବଞ୍ଚିଥାନ୍ତୁ, ତେବେ ଦେଖିଥାନ୍ତୁ ଆଜିର ଦୁନିଆରେ ତୋ ସ୍ୱପ୍ନ କେମିତି ଏକ୍‍ବାରେ ମୂଲ୍ୟହୀନ ହୋଇ ପଡ଼ିଛି । ପୁଅ ପାଇଁ ତୋର ଏ ପ୍ରକାର ସ୍ୱପ୍ନ ଓ ଅଭିଳାଷର କଥା ଶୁଣିଥିଲେ ଅନ୍ୟମାନେ ହସିଥାନ୍ତେ—ବ୍ୟଙ୍ଗ, ବିଦ୍ରୂପ କରିଥାନ୍ତେ ସେମାନେ ଚାହାନ୍ତି, ପୁଅ ତାଙ୍କର ବଡ଼ ଲୋକ ହେଉ—କଳେ ବଳେ କୌଶଳେ ପ୍ରଭୂତ ଅର୍ଥ ଉପାର୍ଜନ କରୁ—ତା’ କୋଠାର ଛାତ ଅକାଶକୁ ସ୍ପର୍ଶ କରୁ । ନିଜର ଜ୍ଞାନ ଓ ଶିକ୍ଷାଗତ ଯୋଗ୍ୟତା ବଳରେ କେହି ଯଦି ଅର୍ଥ, କ୍ଷମତା, ପ୍ରତିପତ୍ତିର ଅଧିକାରୀ ନ ହୋଇ ପାରିଲା, ତେବେ ସେମାନଙ୍କ ଦୃଷ୍ଟିରେ ସେ ଶିକ୍ଷାର କି ମୂଲ୍ୟ ବା ଅଛି ? ଅର୍ଥ କ୍ଷମତାର ଲାଳସା ଆଜି ମଣିଷକୁ ଅନ୍ଧ କରିଦେଇଛି । ଅତି ଆଶ୍ଚର୍ଯ୍ୟଜନକ ଭାବରେ ବଡ଼ଲୋକର ସଂଜ୍ଞା ଆଜି ବଦଳି ଯାଇଛି । ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରିତ କରୁଥିବା ନୀତି ଭ୍ରଷ୍ଟ ନେତା ଓ ମନ୍ତ୍ରୀ ଆଜିର ସମାଜରେ ‘ବଡ଼ ଲୋକ’ । ମଣିଷର ଖାଦ୍ୟକୁ ବିଷାକ୍ତ କରି ଅର୍ଥ ଉପାର୍ଜନ କରୁଥିବା ବ୍ୟବସାୟୀ ଆଜିର ସମାଜରେ ସମ୍ମାନିତ, ମାନ୍ୟ ଗଣ୍ୟ—’ବଡ଼ ଲୋକ’ । ଶିକ୍ଷକ, ଲେଖକ ଓ ବୁଦ୍ଧିଜୀବୀ ସମାଜରେ ଦୟା କରୁଣା ଓ ସହାନୁଭୂତିର ପାତ୍ର । ମଣିଷର ବୁଦ୍ଧି, ବିବେକ ଓ ବିଚାରବୋଧ ଆଜି ତାକୁ ଅର୍ଥର ଅଧିକାରୀ ଓ କ୍ଷମତାର ଆସନରେ ଅଧିଷ୍ଠିତ କରେଇବାରେ ନିୟୋଜିତ । ତା ନହେଲେ ଆଜିର ସମାଜ ଲାଗି ସେ ହେବ ଅଚଳ ଅଥର୍ବ, ଅସହାୟ ମଣିଷ । ଜୀବନ–ସଂଗ୍ରାମର ଏକ ପରାସ୍ତ ଆହତ ସୈନିକ ।

 

ତେଣୁ ଆଜିର ସମାଜ ଲାଗି ତୋର ସ୍ୱପ୍ନ ଥିଲା ସଂପୂର୍ଣ୍ଣ ବ୍ୟତିକ୍ରମ, କିନ୍ତୁ ସେଇ ସ୍ୱପ୍ନକୁ–ସଫଳ କରିବା ଲାଗି ଆନ୍ତରିକତାର ସହ ମୁଁ ଉଦ୍ୟମ କରି ଆସିଛି । ମୋରି ଏ ଉଦ୍ୟମ ପ୍ରତି ମୋ ବନ୍ଧୁମାନଙ୍କର ଅଶ୍ରଦ୍ଧା, ଅସହଯୋଗ ଓ ପ୍ରତିକୂଳ ମନୋଭାବ ମୋତେ ବେଳେ ବେଳେ ବିବ୍ରତ ଓ ବିଚଳିତ କରିଛି । ଦ୍ୱନ୍ଦରେ ପକାଇଛି । ତଥାପି ମୁଁ ଭିନ୍ନ ପଥର ଆଶ୍ରୟ ନେଇ ନାହିଁ-। ଏଇତ—ମାତ୍ର କିଛିଦିନ ପୂର୍ବରୁ ସେଣ୍ଟ୍ରାଲ ସର୍ଭିସ୍ ପାଇଁ ଇଣ୍ଟରଭିଉକୁ ଡାକରା ଆସିଥିଲା । ଲିଖିତ ପରୀକ୍ଷାଦେଇ ସେଥିରେ କୃତକାର୍ଯ୍ୟ ହୋଇଥିଲି । ସେଇଥିପାଇଁ ଇଣ୍ଟରଭିଉ କଲ୍ । ସେଥିରେ ସଫଳ ହୋଇଥିଲେ ମୋଟା ଅଙ୍କର ଦରମା, ଗାଡ଼ିଘର ପିଅନ, ଚପରାଶି—ସ୍ଥିତି ମୋର ବଦଳି ଯାଇଥାନ୍ତା । ରୂପ ମୋର ବଦଳି ଯାଇଥାନ୍ତା । କିନ୍ତୁ ହଠାତ୍ ଇଣ୍ଟରଭିଉକୁ ନ ଯିବାର ନିଷ୍ପତ୍ତି ନେଲି-। ତୋ ସ୍ୱପ୍ନକୁ ସଫଳ କରିବାର ଆକାଙ୍‍କ୍ଷା ମୋର ଅବଚେତନ ମନରେ ପ୍ରତିକ୍ରିୟା ସୃଷ୍ଟି କଲା ବୋଧହୁଏ । ବନ୍ଧୁମାନଙ୍କଠାରୁ ନିର୍ବୋଧ ଓ ପାଗଳର ଆଖ୍ୟା ପାଇଲି । କେହି କେହି କହିଲେ–ଭୀରୁ, କାପୁରୁଷ, ସମସ୍ତଙ୍କର ସେଇ ଗୋଟିଏ ପ୍ରଶ୍ନ—ଚାକିରି ପ୍ରତି ଆସକ୍ତି ଓ ଆଗ୍ରହ ନ ଥିଲା ଯଦି, ତେବେ ତୁମର ସମୟ ଓ ଶକ୍ତି ବ୍ୟୟ କରି ପରୀକ୍ଷାରେ ବସୁଥିଲ କାହିଁକି ? ସବୁ ପ୍ରଶ୍ନର ଉତ୍ତର ସମସ୍ତଙ୍କୁ ଦେଇ ହୁଏ ନା । ତେଣୁ ଏ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ମଧ୍ୟ ମୁଁ କାହାକୁ ଦେଇ ପାରି ନାହିଁ । ଆଇ. ଏ. ଏସ୍. ଇତ୍ୟାଦି ପରୀକ୍ଷା ଦେବା ଓ ଏଥିରେ ସଫଳ ହେବା ମୋ ପାଇଁ ଥିଲା ଏକ ଚାଲେଞ୍ଜ—ଏକ ଆହ୍ୱାନ । ସ୍ନେହ, ମମତା, ପ୍ରୀତି ଓ ପ୍ରଣୟର ମନ୍ଦିର ତୋଳି ଯେଉଁ ଦେବୀ ହଠାତ୍ ମୋ ପାଇଁ ଉଭା ହୋଇଥିଲା, ସେ ଦେବୀର ଏହା ଥିଲା ଅନୁରୋଧ ବା ନିର୍ଦ୍ଦେଶ । କିନ୍ତୁ ପରୀକ୍ଷା ଦେଇ ସାରିବା ପରେ ସଫଳତା ଅର୍ଜନ କରିବାର ବହୁ ପୂର୍ବରୁ ଦେଖିଲି ଯେ, ମୋ ପାଇଁ ସେ ମନ୍ଦିର ନାହିଁ, କି ସେ ଦେବୀ ନାହିଁ । ଅଦୃଶ୍ୟ ହୋଇଛି ମନ୍ଦିର ଓ ଅନ୍ତର୍ହିତ ହୋଇଛି ଦେବୀ । ବିସ୍ମିତ ହେଲି, ବ୍ୟଥିତ ହେଲି, ତଥାପି ସେଇ ଦେବୀ କଣ୍ଠରୁ ଶୂନ୍ୟବାଣୀ ହେଲା–ଇଣ୍ଟରଭିଉକୁ ଯାଅ । ଯାଅ, ସଫଳ ହୁଅ । ବଡ଼ ହୁଅ । ଏହାହିଁ ମୋର ଇଚ୍ଛା ।” ମାତ୍ର ମୋଟା ଅଙ୍କର ଦରମା, ଗାଡ଼ିଘର ନେଇ ମିଛ ବଡ଼ଲୋକି ଦେଖାଇବାର ସ୍ଵପ୍ନ ଓ ମୋହ ମୋର ସେତେବେଳକୁ ଭାଙ୍ଗି ଯାଇଥିଲା । ତେଣୁ ଦେବୀ ଇଚ୍ଛା ପୂରଣ କରିବାର ଆବଶ୍ୟକତା ମୋ ପାଇଁ ଆଉ ନ ଥିଲା । ତେଣିକି ମୋତେ ଯିଏ ଯାହା ବୁଝିବାର ବୁଝନ୍ତୁ—ସିଏ ଯାହା କହିବାର କୁହନ୍ତୁ ପଛକେ ।

 

କିନ୍ତୁ ଏତିକି ଦୃଢ଼ ବିଶ୍ୱାସ ମୋର ଅଛି ଯେ ଅଧ୍ୟାପନକୁ ଜୀବିକା ଭାବରେ ଗ୍ରହଣ କରିଛି ବୋଲି ଭବିଷ୍ୟତରେ ମୋର ସେଥିଲାଗି କେବେ ଅନୁଶୋଚନା ରହିବ ନାହିଁ କି ବର୍ତ୍ତମାନ ବି ସେଥିପାଇଁ ମୁଁ ଅନୁତପ୍ତ ନୁହେଁ । ଶିକ୍ଷାୟତନର ଅଗଣିତ କର୍ମଚଞ୍ଚଳ ହର୍ଷୋତ୍‌ଫୁଲ୍ଲ ଯୁବକ ଯୁବତୀଙ୍କ ମେଳରେ ନିଜକୁ ହଜାଇ ଦେବାର ଯେଉଁ ଆନନ୍ଦ, ସେ ଆନନ୍ଦ ଅନ୍ୟ କେଉଁଠି ଅଛି ବା ପାଇବି ବୋଲି ମୁଁ କେବେ କଳ୍ପନା କରି ନାହିଁ ।

 

ବୋଉ ! ଏ ବହିଟି ଆଜି ପ୍ରକାଶିତ ହେଲା ବେଳେ ଗୋଟିଏ ଭାବନା ବାରମ୍ବାର ମୋ ମନକୁ ଅସ୍ଥିର କରୁଛି—ତୁ ଆଜି ଥାଆନ୍ତୁ କି ? କେତେ ଖୁସି ହୋଇ ନ ଥାନ୍ତୁ ସତରେ ! ସପ୍ତମ, ଅଷ୍ଟମ ଶ୍ରେଣୀରେ ପଢ଼ିଲା ବେଳେ, ମୁଁ ଯେତେବେଳେ କବିତା ଲେଖା ଆରମ୍ଭ କରିଥିଲି—ଲେଖି ସାରିବା ମାତ୍ରେ ଆନନ୍ଦର ଆବେଗରେ ଅଧୀର ହୋଇ ତୋରି ଆଗରେ ପ୍ରଥମେ ପଢ଼ି ଶୁଣାଉଥିଲି-। ତୁ ଶୁଣୁଥିଲୁ—ଭୁଲ୍ ସଂଶୋଧନ କରି ଦେଉଥିଲୁ । ପୁଣି ଆହୁରି ଭଲ ଲେଖିବା ପାଇଁ ଉତ୍ସାହ ଓ ପ୍ରେରଣା ଦେଉଥିଲ୍, ତୁ ଲେଖିକା ନ ଥିଲୁ କିମ୍ବା ଶିକ୍ଷାଗତ କୌଣସି ଡିଗ୍ରୀ ହାସଲ କରି ନ ଥିଲୁ । ହାଇସ୍କୁଲର ମାଟି ମାଡ଼ି ଥିଲୁକି ନାହିଁ ସନ୍ଦେହ । ଅଥଚ ତୋର ଭାବନା, ଚିନ୍ତାଧାରା ଓ ଜ୍ଞାନର ସୀମାରେଖା ଦିଗନ୍ତ ସ୍ପର୍ଶ କରିଥିଲା । ତୋ ଚିଠିର ଭାଷା ଓ ଭାବ (ବାପାଙ୍କ ପାଖକୁ ଯାହା ସବୁ ଲେଖିଥିଲୁ) ଦେଖିଲେ, ମୁଁ ବିସ୍ମିତ ହୁଏ । ସେ ସବୁ ପଢ଼ିଲେ ମନେ ହୁଏ—ସାଧାରଣ ଚିଠି ନୁହେଁ, କୌଣସି ଗଳ୍ପ ଉପନ୍ୟାସର ଚ୍ଛିନ୍ନ ପତ୍ର ଯେମିତି ମୁଁ ପାଠ କରୁଛି । ଗୃହିଣୀ ଜୀବନର କର୍ମ ଜଞ୍ଜାଳ ଭିତରୁ ଟିକିଏ ଅବସର ପାଇଲେ ତାକୁ ପରଚର୍ଚ୍ଚାରେ ବ୍ୟୟ ନ କରି, ପୋଥି, ପୁରାଣ, କାବ୍ୟ, ଉପନ୍ୟାସର ପୃଷ୍ଠାଭିତରେ ନିଜକୁ ହଜାଇ ଦେଉଥିଲୁ । ପତ୍ରପତ୍ରିକା ପୁସ୍ତକ ଥିଲା ତୋ ଅବସର ସମୟର ସହଚର ଓ ସାଂସାରିକ ଦୁଃଖ ଯନ୍ତ୍ରଣାକୁ ଭୁଲି ଯିବାର ଏକମାତ୍ର ଅବଲମ୍ବନ । ପିଲାଟିଦିନୁ ବହି, ପତ୍ରପତ୍ରିକା ପଠନ ପ୍ରତି ଆଗ୍ରହ ଜନ୍ମାଇ ତୁଇ ତ ମୋ ମନରେ ସାହିତ୍ୟ ସାଧନାର ନିଶା ଧରେଇ ଦେଇଥିଲୁ ।

 

ବୋଉ ! କବି ମେହେରଙ୍କର ତପସ୍ୱିନୀ କାବ୍ୟ ଥିଲା ତୋର ଜୀବନ କାବ୍ୟ । ମନେ ପଡ଼େ ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ତୁ କେମିତି ଅତି ଆବେଗରେ ଅଶ୍ରୁ ସଜଳ ଆଖିରେ ପଢ଼ୁଥିଲୁ ସେଇ କାବ୍ୟ । ସତୀ ସୀତାଙ୍କ ହୃଦୟର ବ୍ୟଥା ଓ ବେଦନା ତୋ ଆଖି ଅଶ୍ରୁ ହୋଇ ବହି ଯାଉଥିଲା—ଆଉ ମୁଁ କେବଳ ବସି ରହି ତୋରିଠାରେ ତପସ୍ୱିନୀ ସୀତାଙ୍କ ଚରିତ୍ରର ମହନୀୟତା ଆବିଷ୍କାର କରୁଥିଲି । ଦେଖୁଥିଲି ସ୍ୱାମୀଠାରୁ ବହୁ ଦୂରରେ ରହି ଶାଶୁଶ୍ୱଶୁରଙ୍କର ସେବାରେ ଓ ତୋ ଦାମ୍ପତ୍ୟ ଜୀବନର ତପସ୍ୟାର ଫଳ, ରକ୍ତ ମାଂସର ସ୍ୱାକ୍ଷର ଚାରୋଟି ପୁଅଝିଅଙ୍କୁ ମଣିଷ କରି ଗଢ଼ିବାରେ ତୁ କେମିତି ତୋର ସମସ୍ତ ସୁଖକୁ ଜଳାଞ୍ଜଳି ଦେଇଥିଲୁ ହସିହସି । ମନରେ ସେଥିଲାଗି ତିଳେ ହେଲେ ଦୁଃଖ ନ ଥିଲା ଗ୍ଳାନି ନ ଥିଲା । ନ ଥିଲା ଅନୁଶୋଚନା । ମୋର ପରମ ସୌଭାଗ୍ୟ–ତତେ ‘ମା’ ଭାବରେ ପାଇଥିଲି—ମୋର ଚରମ ଦୁର୍ଭାଗ୍ୟ ସେ ତୋତେ ପୁଣି ସ୍ୱଳ୍ପକାଳ ଭିତରେ ହରେଇ ବସିଲି । ଦୁନିଆର ସବୁ କିଛି ହରେଇବାର କ୍ଷତିପୂରଣ ହୋଇପାରେ, କିନ୍ତୁ ମା’କୁ ହରେଇବାର କ୍ଷତି ପୂରଣ ହୋଇପାରେ ନା । ମା’ର ସ୍ଥାନ ସବୁଦିନ ଲାଗି ଅପୂରଣୀୟ ରହିଯାଏ ।

 

ତୋର ଶୂନ୍ୟତା ଓ ଅଭାବବୋଧ ଗୋଟାଏ ଯୁଗ ହେଲା ମୁଁ ଅନୁଭବ କରି ଆସିଛି ପ୍ରତିଟି ମୁହୂର୍ତ୍ତରେ । ସୁଦିନରେ, ଦୁର୍ଦ୍ଦିନରେ, କୌଣସି ଏକ ସଫଳ ମୁହୂର୍ତ୍ତରେ ଆନନ୍ଦରେ ଅଧୀର ହୋଇ କିମ୍ବା ବ୍ୟର୍ଥତା ଓ ବିଫଳତା ଜନିତ ଦୁଃଖରେ କାତର ହୋଇ ମୁଁ ଭାବିଛି—“ତୁ ଥାଆନ୍ତୁ କି-?”

 

ତୁ ଥାଆନ୍ତୁ କି ?”

 

କିନ୍ତୁ ମନର ଭାବନା ସେଇ ମନରେ ରହି ଯାଇଛି । “ତୁ ନାହୁଁ —ତାହାହିଁ ନିରାଟ ସତ୍ୟ-। ଆଉଁ ସବୁ ମିଥ୍ୟା । ଏକାନ୍ତ ନିଃସଙ୍ଗରେ ବସି ସମୁଦ୍ର ବେଳାର ବାଲି ଭିତରେ–ନୀରବ ନିର୍ଜନ ରାତିରେ ଆକାଶର ତାରାଙ୍କ ମେଳରେ, ପୁଣି ଏଇ କୋଳାହଳମୟ ପୃଥିବୀର ଅଗଣିତ ମଣିଷଙ୍କ ଭିତରେ ତୋତେ ଖୋଜିବାର ବ୍ୟର୍ଥ ପ୍ରୟାସ କରିଛି । ସେଇ ବ୍ୟର୍ଥତା, ହତାଶା ଭିତରେ ଗୋଟାଏ ଯୁଗର ଯନ୍ତ୍ରଣା ନେଇ ମୁଁ ବଞ୍ଚିଛି । ବଞ୍ଚିଛି କି ମରିଛି ମୁଁ ଜାଣେନା । କିନ୍ତୁ ବଞ୍ଚିବାର ଅଭିନୟ କରି ଆସୁଛି ଅନ୍ୟମାନଙ୍କ ପାଇଁ । ଏ ସମାଜ ପାଇଁ ।

 

ଭୁଲି ନାହିଁ ତୋ’ କଥା—ମନେ ଅଛି, ମୋ ପ୍ରତି ତୋର ସମସ୍ତ ଆଦେଶ ଓ ଉପଦେଶ-। ସେଇଥିପାଇଁ ତ ମୋର ସବୁକିଛି ଦେଇ ଏ ସମାଜକୁ ମୁଁ ଭଲ ପାଇ ଶିଖିଛି । କାହାରି ପ୍ରତି ବିଦ୍ୱେଷ ରଖି ନାହଁ ହୃଦୟରେ । ସମସ୍ତ ବ୍ୟଥା, ବେଦନା ଓ ଅନ୍ତର୍ଜ୍ୱଳନ ସତ୍ତ୍ୱେ ଭଲ ପାଇବାଟା ଯେମିତି ମୋର ସ୍ଵଭାବିକ ଧର୍ମ ହୋଇଯାଇଛି ।

 

—“ଭଲ ପାଇ ମଣିଷ ମରିବାକୁ ଯାଏ । ଭଲ ପାଇ ମଣିଷ ମରି ଶିଖେ । ଭଲ ନ ପାଇବା ମଣିଷର ପରଦାକୁ ସାହସ ହୁଏ ନାହିଁ । ଭଲ ପାଇଛି ବୋଲି ମରିବାକୁ ନ ଚାହୁଁ କେହି କିନ୍ତୁ ମରିବା ପାଇଁ ହୁଏତ ଭଲ ପାଇବା ଦରକାର ।” (ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ରଙ୍କ "ଜୀଅନ୍ତା ମଣିଷ” ଉପନ୍ୟାସର କେଉଁ ଏକ ପୃଷ୍ଠା ପଢ଼ିଥିଲି ଏଇତକ) କିନ୍ତୁ ଯେଉଁ ଭଲ ପାଇବାକୁ ମୁଁ ମୋ ନିଜର ଧର୍ମ ଭାବରେ ଗ୍ରହଣ କରି ନେଇଛି, ସେଇ ଧର୍ମ ଟିକକ ଏ ସମାଜରୁ ଆଶା କରିବା କ’ଣ ଅନ୍ୟାୟ ? ଅନୁଚିତ ? ମୁଁ ବି ତେଣୁ ଆଶା କରି ଅନ୍ୟମାନଙ୍କଠାରୁ ଟିକେ ନିରୋଳା ସ୍ନେହ–ନିଛକ ପ୍ରୀତି ଓ ପ୍ରେମ । କିନ୍ତୁ ଭଲ ପାଇବା, ସ୍ନେହ ଓ ପ୍ରେମର ସଂଜ୍ଞା ବି ଆଜି ବଦଳି ଯାଇଛି । ସ୍ୱାର୍ଥ ପାଇଁ ଆଜି ଏଠି ସ୍ନେହ । ପ୍ରୟୋଜନ ପାଇଁ ପ୍ରେମ । ଅନ୍ୟଠାରୁ ନିଜର ସ୍ୱାର୍ଥ ଟିକକ ହାସଲ ହୋଇଗଲେ, ପ୍ରୟୋଜନ ଟିକକ ଶେଷ ହୋଇଗଲେ—ସ୍ନେହ, ପ୍ରେମର ରୂପରଙ୍ଗ ବି ବଦଳି ଯାଇଛି ଅତି ଆଶ୍ଚର୍ଯ୍ୟଜନକ ଭାବରେ ।

 

ଅର୍ଥର ପ୍ରଲୋଭନ; କ୍ଷମତାର ଆକର୍ଷଣ, ଈର୍ଷା ପରଶ୍ରୀକାତରତା ଓ ସ୍ୱାର୍ଥପରତାର ସମ୍ମେଳନ ଭିତରେ ମଣିଷର ମଣିଷତ୍ୱ, ଟିକକ ଯେତେବେଳେ ମରି ହଜି ଯାଇଛି, ସେତିକିବେଳେ ମଣିଷ ଖୋଜିବାର ଅଭିଯାନ ମୁଁ ଆରମ୍ଭ କରିଛି । ପୃଥିବୀର ଅଗଣିତ ମଣିଷଙ୍କ ଭିତରେ ମୁଁ ଆଜି “ମଣିଷ”ର ସନ୍ଧାନ କରୁଛି । ଜାଣେନା—କେବେ ଶେଷ ହେବ ମୋର ଏ ସନ୍ଧାନ । ପ୍ରାପ୍ତି ର ପୂର୍ଣ୍ଣତାରେ ମୋ ସନ୍ଧାନର ସମାପ୍ତି ଘଟିବ କି ନା’ ତା ବି ମୁଁ ଜାଣେନା—ତଥାପି ଏଇ ଅନ୍ୱେଷଣର ଉଦ୍ୟମରୁ ମୁଁ ବିରକ୍ତ ହୋଇ ନାହିଁ ମୋ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ।

 

ଏଇ ଅନ୍ୱେଷଣ ହିଁ ବୋଧ ହୁଏ ମୋର ଜୀବନ । “କାଚକଣ୍ଢେଇ”—ମୋର ସେଇ ଜୀବନ-ଯନ୍ତ୍ରଣାର ପ୍ରଥମ ସ୍ୱାକ୍ଷର । ଯାହାକୁ ଆଜି ତୋରି ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଦେଲି ।

 

ସମସ୍ତ ଯନ୍ତ୍ରଣାକୁ ଏକାନ୍ତ ନିଜର କରି ମୋ ଭଲ ପାଇବାର ଧର୍ମପଥରେ ଆଗେଇ ଯିବା ଲାଗି ତୋର ଅଦୃଶ୍ୟ ଇଙ୍ଗତ ଓ ଅର୍ଶୀବାଦ ହିଁ ମୋତେ ପ୍ରେରଣା ଦେଉ—ଏତକ ହିଁ ମୋର ଆଜି କାମନା ।

 

। ଇତି ।

“ଲୋକନି”

★★★

 

ଅଧ୍ୟାପକ ଚିତ୍ତରଞ୍ଜନ ଦାସଙ୍କ କଲମରୁ

“କାଚକଣ୍ଢେଇ” ଉଦ୍ଦେଶ୍ୟରେ

 

“କାଚକଣ୍ଢେଇ ଶ୍ରଦ୍ଧାସ୍ପଦ ବନ୍ଧୁ ବିଶ୍ୱରଞ୍ଜନଙ୍କର ପ୍ରଥମ ପୁସ୍ତକ, ପ୍ରଥମ ପରିଚୟ-ଦାନ । କାଚକଣ୍ଢେଇ ଭାଙ୍ଗିଯିବାକୁ ହୋଇଥାଏ; ମାତ୍ର ବିଶ୍ୱରଞ୍ଜନ ବାବୁ ସେଗୁଡ଼ିକ ଗୋଟିଏ ପୁସ୍ତକ ମଧ୍ୟରେ ସାଇତି ରଖିବାର ଏହି ଉଦ୍ୟମଟି କରିଛନ୍ତି । ନାନା ପତ୍ରପତ୍ରିକାରେ ବାହାରିଥିବା ତାଙ୍କର କେତେ ସାନ ସାନ ଅଥଚ ମନୋରମ ଲେଖାକୁ ସେ ଏକାଠି ସାଉଁଟି ଆଣିଛନ୍ତି ।

 

ଏହି ଲେଖାଗୁଡ଼ିକ ଅବିକଳ ଗପ ପରି ଲେଖା ହୋଇଛି । ତଥାପି ଏଗୁଡ଼ିକୁ ଆମେ ଠିକ୍ ଗପ ବୋଲି କହି ପାରିବା ନାହିଁ । ଖାଲି ଗପ ବୋଲି କହିଲେ ଏଗୁଡ଼ିକ ବିଷୟରେ ଅନେକ କହିବା ବାକି ରହିଯିବ । ଏଗୁଡ଼ିକୁ କ’ଣ ଆମେ ରମ୍ୟ ରଚନା ବୋଲି କହିବା ? କବି ମର୍ମ ରଚନା ବୋଲି କହିବା ? କବି ମର୍ମର ରଚନା କରିବାକୁ ଯାଇ ମର୍ମର ଅନ୍ୱେଷଣ ହିଁ କରୁଥାଏ । ବିଶ୍ୱରଞ୍ଜନବାବୁ ଆଗେ କବିତା ଲେଖୁଥିଲେ, ଅର୍ଥାତ୍ ପଦ୍ୟ ଲେଖୁଥିଲେ । ଏବେ ସେ ଗଦ୍ୟ ଲେଖୁଛନ୍ତି । ଭିତରେ କବିର ଅଣ୍ଟିଟିକୁ ଲୁଚାଇ ରଖି ବାହାରେ ଗଦ୍ୟର ସିଧା ସଜାଡ଼ି ସେ ଜୀବନ ଗହନରେ ବଣିଜ କରି ବାହାରିଛନ୍ତି । ପାରିଧି କରି ବାହାରିଛନ୍ତି । ପ୍ରକୃତରେ ଏହି ବଣିଜ ଆଉ ପାରିଧିକୁ ଏବେ ସାହିତ୍ୟିକ ପରିଭାଷାରେ In Quest of an Identity ବୋଲି କୁହାଯାଉଛି କି ?

 

“କାଚକଣ୍ଢେଇ” ର ରଚନାଗୁଡ଼ିକ ହେଉଛି ମମ ରଚନା, ଏଗୁଡ଼ିକ ମର୍ମାନ୍ୱେଷଣ । ଏଗୁଡ଼ିକ ଆତ୍ମ–ଅବଗୁଣ୍ଠନ ନୁହେଁ । ଅନେକ ଲେଖକ ଯେପରି ଆପଣାର ସୃଷ୍ଟି କୃତି ଅଥବା କିଛି ନ ହେଲେ ଆପଣାର ଶୈଳୀ ପଛରେ ଆତ୍ମଅବଗୁଣ୍ଠିତ ହୋଇ ରହିବାକୁ ସରାଗୀ ହୁଅନ୍ତି ଆତ୍ମଗୋପନ କରି ରହିବାର ପ୍ରୀତିରେ ପଡ଼ିଯାନ୍ତି, ଏଗୁଡ଼ିକ ଆଦୌ ସେପରି ନୁହେଁ । ଆପଣ "କାଚକଣ୍ଢେଇ"ର ଭାଷାକୁ ଲକ୍ଷ୍ୟ କରି ଦେଖିଛନ୍ତି ? ଏ ଭାଷା ଏକାବେଳକେ କାଚ ପରି, କାଚ ପରି ସ୍ଵଚ୍ଛ, କାଚ ପରି ପ୍ରତିବିମ୍ବନକ୍ଷମ । ତେଣୁ ସିଧା ଭିତରକୁ ବା ଦିଶିଯାଉଛି, ସିଧା ଉତ୍ସମୂଳଟି ଯାଏ ସୁରାଖ ମିଳିଯାଉଛି । ଦୁଃଖର ସର୍ବମୂଳ ଅନୁଭୂତି ସେ ଆଦୌ ଦୁଃଖ ନୁହେଁ, ଶୋଚନା ଯେ ଅଙ୍ଗେ ନିଭାଇ ଥିବାର ସର୍ବସ୍ୱ ପ୍ରତ୍ୟବଶେଷ ନୁହେଁ ଏହି ଏକାନ୍ତ ସତ୍ୟଟିର ଆସ୍ୱାଦନ ମିଳୁଛି । ରସୋ ବୈ ସଃ ।

 

“କାଚକଣ୍ଢେଇ” ଆପଣାକୁ ଯୌବନ ବୋଲି କହିଛି । “ମୁଁ ଯୌବନ” ବୋଲି ଘୋଷଣା କରିଛି । ଯେଉଁ ସମୟକୁ ଭୂମି କରି ଯୌବନ ଆତଯାତ ହୋଇଥାଏ, "କାଚକଣ୍ଢେଇ” ତାହାକୁ ଗୋଟିଏ ବେଗଗାମୀ ସ୍ରୋତ ବୋଲି କହିଛି । ଏହି ସ୍ରୋତରେ ଗତି କରି ଲେଖକ ଯେଉଁଠି ଆସି ପହଞ୍ଚିଛନ୍ତି ସେଠାରେ ସେ ରଙ୍ଗ ଧୋଇବାରେ ଲାଗିଛନ୍ତି । “ଏଥର ମୁଁ ରଙ୍ଗ ଧୋଇବାରେ ଲାଗିଛି-?” କିନ୍ତୁ ତା’ପରେ ? ରଙ୍ଗହୀନ ହେବା ତ ଜୀବନ ନୁହେଁ, ତେଣୁ ଏଇଟି ପରେ ସେ ନିଶ୍ଚୟ ଆପଣାର ଏକ ନୂତନତର ଓ ସ୍ୱକୀୟତା ରଙ୍ଗରେ ଉକୁଟି ଉଠିବାର ପର୍ଯ୍ୟାୟ ମଧ୍ୟକୁ ଅତିକ୍ରମ କରିଯିବେ, —ଆରୋହଣ କରିଯିବେ ।

 

“ହୋରିଖେଳର ଦ୍ୱିତୀୟ ପର୍ବ ଶେଷ କରିବାକୁ ଯାଉଛି । ପୁନରାୟ ପ୍ରଥମ ପର୍ବ ଆରମ୍ଭ କରିବା ପାଇଁ ।” –ଏସବୁ ମିଛ କଥା । କାରଣ ଏପରି କେବେ ହୁଏନାହଁ । କୌଣସି ଅନୁଭବୀ ଏକଥା ହୁଏ ବୋଲି କହିବେ ନାହିଁ ।

 

ସ୍ରଷ୍ଟା ହେବାଲାଗି କେହି ସୃଷ୍ଟି କରେନାହିଁ । ଆପଣା ସ୍ରଷ୍ଟାତ୍ୱର ପ୍ରତିପାଦନ କରିବା ଲାଗି ହିଁ ସୃଷ୍ଟି କରିବାକୁ ହୁଏ । ଏହାହିଁ ଧର୍ମ । ବ୍ରହ୍ମାଙ୍କର ଧର୍ମ, ବିଷ୍ଣୁଙ୍କର ଧର୍ମ ଏବଂ ମହେଶ୍ୱରଙ୍କର ଧର୍ମ ।

 

ତେଣୁ, ଅୟଂ ଆରମ୍ଭଃ ଶୁଭାୟ ଭବତୁ ।

 

କଟକ

 

ତା ୨୧ । ୫ । ୭୪

ଚିତ୍ତରଞ୍ଜନ ଦାସ

★★★

 

ସାମାନ୍ୟ କଥନ

 

“କାଚ କଣ୍ଢେଇ” ମୋର ପ୍ରଥମ ପ୍ରକାଶିତ ଗଳ୍ପ ବହି ହୋଇଥିବାରୁ ସେ ସଂପର୍କରେ ମୋର ପାଠକମାନଙ୍କୁ ପଦେ ଅଧେ କହିବାର ଇଚ୍ଛା ଓ ଆଗ୍ରହକୁ ଏଡ଼ାଇ ଦେବା ଉଚିତ୍ ହେବ ନାହିଁ, ସେଥିପାଇଁ ମୋର ଏ ସାମାନ୍ୟ କଥନ—

 

୧୯୬୪ରୁ ୭୪ । ଏଇ ଦଶ ବର୍ଷର ବିକ୍ଷିପ୍ତ ମୁହୂର୍ତ୍ତଗୁଡ଼ିକ ହେଉଛି । “କାଚକଣ୍ଢେଇ”ର ଗଳ୍ପମାନଙ୍କର ଜନ୍ମ । ମୁହୂର୍ତ୍ତ ଗାଳ୍ପିକ ହେବାର ଆଶା ନେଇ ମୁଁ ଏ ଗଳ୍ପଗୁଡ଼ିକ ଲେଖି ନାହିଁ । କିମ୍ବା ଲେଖିବା ପାଇଁ କୌଣସି କୃତ୍ରିମ ଉଦ୍ୟମ ବି କରି ନାହିଁ । ଜୀବନର ଖଣ୍ଡିତ ମୁହୂର୍ତ୍ତର ଯେଉଁ ଅନୁଭୂତିଗୁଡ଼ିକ ମୋର ପ୍ରାଣକୁ ସ୍ପର୍ଶ କରିଛି—ହୃଦରେ ସ୍ପନ୍ଦନ ତୋଳିଛି—ତାକୁ ନେଇ ହୃଦୟର ଭାଷାରେ ମନର ଆବେଗରେ କହିଦେଇଯାଇଛି "କାଚକଣ୍ଢେଇ"ର ପ୍ରତିଟି ପୃଷ୍ଠାରେ । ସେ ସବୁ କହିବା ଉଚିତ୍ କି ନୁହେଁ—କେତେ ଦୂର ଉଚିତ୍, ତାର ବିଚାର ମୁଁ କରି ନାହିଁ । ମୁଁ କହିଛି—କାରଣ ନ କହି ମୁଁ ରହି ପାରି ନ ଥାଆନ୍ତି । ମୁଁ ଲେଖିଛି ମୋ ନିଜ ଲାଭ ଦୃଷ୍ଟିରୁ । କାରଣ ଲେଖି ଦେବା ଦ୍ୱାରା ମୁଁ ଅନେକଟା ଆଶ୍ୱସ୍ତ ହୋଇଛି । କିନ୍ତୁ ମୋ କଥା ପାଠକମାନଙ୍କ ମନକୁ କେତେଦୂର ଛୁଇଁଲା—ନ ଛୁଇଁଲା, ଭଲ ଲାଗିଲା ବା ବିରକ୍ତିକର ବୋଧ ହେଲା—ତାହା ସେମାନେ କହିବେ । ଆଗ୍ରହରେ ସେମାନଙ୍କର ସବୁ ନିନ୍ଦା— ପ୍ରଶଂସା ଶୁଣିବା ପାଇଁ ମୁଁ ପ୍ରସ୍ତୁତ ।

 

ଏଥିରେ ସନ୍ନି ବେଶିତ ଗଳ୍ପଗୁଡ଼ିକ ବିଭିନ୍ନ ସମୟରେ ‘ଝଙ୍କାର’, ‘ସୌରଭ’, ‘ଆସନ୍ତାକାଲି’, ‘ମରୁତୀର୍ଥ’, ‘ପ୍ରଜାତନ୍ତ୍ର’, ‘କଳିଙ୍ଗ’, ‘ସ୍ୱରାଜ୍ୟ’, ‘ଯୁଗଭେରୀ’, ‘ବାଣୀଚିତ୍ର’, ‘ଦାଗ’, ‘ଆବାହନ’, ‘ବେଳା’, ‘ସାମୟିକ ଗଳ୍ପ ସଂକଳନ, ଆଜିର ଗଳ୍ପ, କୋଶଳିକା, ‘ନବରାଗ’, ‘ସଳିତା’, ଅର୍ଘ୍ୟ, ଅଥଚ, ଅନୁରାଗ, ରଶି । ପ୍ରଭୃତି ପତ୍ରପତ୍ରିକାରେ ପ୍ରକାଶିତ ତଥା କେତେଗୁଡ଼ିଏ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହୋଇ ମୋତେ ପ୍ରଶଂସାର ଅଧକାରୀ କରାଇଥିଲା । ତେଣୁ ଏହି ବହିଟିର ପ୍ରକାଶ କାଳରେ ମୁଁ ସେହିସବୁ ପତ୍ରପତ୍ରିକାର ସମ୍ପାଦକ ତଥା ଆକାଶବାଣୀର କର୍ତ୍ତୁପକ୍ଷଙ୍କୁ କୃତଜ୍ଞତାର ସହ ସ୍ମରଣ କରୁଛି ।

 

ବିଭିନ୍ନ ସମୟରେ ପ୍ରକାଶିତ ଓ ପ୍ରଚାରିତ ଏଇ ଗଳ୍ପଗୁଡ଼ିକୁ ଏକାଠି କରି ବହି ଆକାରରେ ଛାପିବା ପାଇଁ ମୋର ବହୁ ଶୁଭକାଂକ୍ଷୀ, ସାହିତ୍ୟିକ ବନ୍ଧୁ ମୋତେ—ବାରମ୍ବାର ଉତ୍ସାହ ଓ ପ୍ରେରଣା ଦେଇ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରତିଷ୍ଠିତ କବି ଡଃ ଜାନକୀବଲ୍ଲଭ ମହାନ୍ତି, ଗାଳ୍ପିକ ଡଃ କୃଷ୍ଣଚରଣ ବେହେରା, କବି ନୀଳାଦ୍ରି ଭୂଷଣ ହରିଚନ୍ଦନ, ଶିଶିର ମହାପାତ୍ର, ଅପୂର୍ବରଞ୍ଜନ, ଧୀରେନ୍ଦ୍ର ବାରିକ ତଥା କୈଳାସ ପଣ୍ଡା ସୁଦୂର କାନାଡ଼ାରେ ମନୋବିଜ୍ଞାନରେ ଗବେଷଣାରତ ଅନ୍ତରଙ୍ଗ ଅଜିତ୍ ମହାନ୍ତି ପ୍ରଭୃତିଙ୍କ କଥା ଭୁଲିହେବ ନାହିଁ ।

 

ଗତ ତିନି ବର୍ଷ ହେଲା ‘ଭଦ୍ରକ’ ରେ ଥିବା ସମୟରୁ ବହିଟିକୁ ପ୍ରକାଶ କରିବାର ବାସନା ଥିଲେହେଁ ତାହା ବାସ୍ତବ ରୂପ ପାଇପାରି ନ ଥିଲା—ମୋର ନିଷ୍କ୍ରିୟତା ଓ ଉଦ୍ୟମର ଶିଥିଳତା ଯୋଗୁଁ । ପ୍ରକଶକ ଶ୍ରୀ କୃଷ୍ଣଚନ୍ଦ୍ର ବେହେରା ଓ ସାହିତ୍ୟକ ବନ୍ଧୁ ଅଧ୍ୟାପକ ବୈଷ୍ଣବଚରଣ ସାମଲଙ୍କର ଆଗ୍ରହ, ଅକ୍ଳାନ୍ତଶ୍ରମ ଓ ଅକୁଣ୍ଠିତ ସାହାଯ୍ୟ—ସହଯୋଗର ସ୍ୱାକ୍ଷରରେ “କାଚକଣ୍ଢେଇ” ଆଜି ଜୀବନ୍ୟାସ ପାଉଚି । ସେମାନଙ୍କୁ ମୋର କୃତଜ୍ଞତା ଜଣାଇବା ଲାଗି ଭାଷା ନାହିଁ । ସେଇମାନଙ୍କୁ ମୋ ନିନ୍ଦା-ପ୍ରଶଂସାର ଅଂଶୀଦାର କରି ନେଉଛି ।

 

ନୂଆ କରି ଠିଆ ହେଲାବେଳେ ଅନ୍ୟ ଏକ ବଳିଷ୍ଠ ହାତର ଆଶ୍ରୟ ନେବାକୁ ହୋଇଥାଏ । ମୋର ପ୍ରଥମ ପୁସ୍ତକର ପ୍ରଥମ ପରିଚୟ ପତ୍ର ପ୍ରଦାନ କରି ଅତ୍ୟନ୍ତ ଆଗ୍ରହ ସହକାରେ ସାହିତ୍ୟ—ଦରବାରରେ ମୋତେ ନେଇ ଠିଆ କରେଇ ଦେବାର ଗୁରୁଦାୟିତ୍ୱ ବହନ କରିବାରୁ ସମ୍ମାନନୀୟ ର ସୁସାହିତ୍ୟିକ ଅଧ୍ୟାପକ ଚିତ୍ତରଞ୍ଜନ ଦାସ ମୋର ଚିରସ୍ମରଣୀୟ ହୋଇ ରହିବେ ।

 

ବହିଟିର ପ୍ରଚ୍ଛଦଶିଳ୍ପୀ ଅଧ୍ୟାପକ ପ୍ରତାପ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣେଇବାର ଆବଶ୍ୟକତା ଅନୁଭବ କରୁନାହିଁ । କାରଣ ସେ ମୋର ଅନ୍ତରଙ୍ଗ ବନ୍ଧୁ ।

 

ମୋ ବହିର ପ୍ରଚ୍ଛଦଚିତ୍ର ଅଙ୍କନ କରି ସେ ତାର ଦାୟିତ୍ୱ ଓ କର୍ତ୍ତବ୍ୟହିଁ ପାଳନ କରିଛି । ପାଣ୍ଡୁଲିପି ପ୍ରସ୍ତୁତ କରି, ବାରମ୍ବାର ପ୍ରେସ୍‍କୁ ଦଉଡ଼ି, ବହିଟିକୁ ପ୍ରକାଶ କରଇବାରେ ଯିଏ ମୋ ଅପେକ୍ଷା ବେଶୀ ସମସ୍ତ ବ୍ୟୟ କରିଛି–ସେ ହେଉଛି ମୋର ଛାତ୍ର ତଥା ଘନିଷ୍ଠ ବନ୍ଧୁ ରବିନାରାୟଣ ସେନାପତି । ଏଇ ଅବସରରେ ମୁଁ ତାକୁ ମୋ ହୃଦୟର ଶ୍ରଦ୍ଧା ଓ ଶୁଭେଚ୍ଛା ଜଣାଉଛି ।

 

ପରିଶେଷରେ ସବୁରି ଅନ୍ତରାଳରେ ରହି ଏଇ ବହିଟିର ଆଶୁ ପ୍ରକାଶନର ଉଦ୍ୟମକୁ ଯିଏ ତ୍ୱରାନ୍ୱିତ କରିଛି—ତାରି ସ୍ମୃତି ମୋର ଚିତ୍ତକୁ ଆନ୍ଦୋଳିତ କରୁଛି—ଏହାର ଜନ୍ମ ବେଳାରେ । ସବୁଦିନି ଲାଗି ଅଜ୍ଞାତ ରହୁ ତାର ନାମ ଓ ପରିଚୟ ।

 

ସରିଲା ମୋ କଥା—

 

ଏଥର ଅନ୍ୟମାନଙ୍କର କହିବାର ପାଳି ।

 

ଶୁଣିବାର ଆଶା ଓ ଆଗ୍ରହ ନେଇ ରହିଲି ।

 

‘ବିଶ୍ୱରଂଜନ’

‘ଉଷାମହଲ’

ତଳମାଳିସାହି

ପୁରୀ–୨

ତା ୩୦।୪। ୭୪

★★★

 

ମୁଁ ଅଧ୍ୟାପକ ବିଶ୍ୱରଞ୍ଜନ

 

ମୁଁ କିଏ ?

 

ଆପଣମାନେ କହିପାରନ୍ତି—ମୁଁ ବିଶ୍ୱରଞ୍ଜନ । ଅଧ୍ୟାପକ ବିଶ୍ୱରଞ୍ଜନ । ସ୍ମିତା ବି ସେଇଆ କହିଲା । କିନ୍ତୁ ସତରେ କଣ ମୁଁ ଅଧ୍ୟାପକ ? ଗୋଟିଏ ଖ୍ୟାତନାମା ବିଶ୍ୱବିଦ୍ୟାଳୟରୁ ହୁଏତ ଏମ. ଏ. ଡିଗ୍ରୀ ଟାଏ ପାଇଛି । ଅଧ୍ୟାପକପାଇଁ ଶିକ୍ଷା ବିଭଗର ନିର୍ଦ୍ଦେଶକଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ହୋଇଛି । କିନ୍ତୁ ବିଶ୍ୱବିଦ୍ୟାଳୟର ଏମ. ଏ. ଡିଗ୍ରି ଧରି ଅଧ୍ୟାପନା କାର୍ଯ୍ୟରେ ନିଯୁକ୍ତି ପାଇଲେ ସମସ୍ତେ କଣ ଅଧ୍ୟାପକ ହୁଅନ୍ତି ?

 

ମୁଁ ଭାବୁଛି ବୋଧେ ନୁହେଁ ।

 

ଅଧ୍ୟାପକ ମୋ ଜୀବିକାର ପରିଚୟ—ଯୋଗ୍ୟତାର ନୁହେଁ ।

 

ଆପଣ ପୁଣି କହିଲେ ମୁଁ ବିଶ୍ୱରଞ୍ଜନ । କିନ୍ତୁ ସତରେ ମୁଁ କଣ ବିଶ୍ଵରଞ୍ଜନ ? ବିଶ୍ଵକୁ ରଞ୍ଜନ କରିବାର ସାମର୍ଥ୍ୟ କଣ ମୋ ଭିତରେ ଅଛି ? ମୋ ସମ୍ପର୍କର ସୀମିତ ବିଶ୍ୱରେ ଯେଉଁମାନଙ୍କ ପରିଚୟରେ ମୁଁ ଆସିଲି—ସେ ସମସ୍ତଙ୍କୁ ତ ମୁଁ ରଞ୍ଜନ କରି ପାରିଲି ନାହିଁ । ସେମାନଙ୍କ ଭିତରୁ ବି ଅନେକ ମୋତେ ଦେଖିଲେ ଈର୍ଷା, ଘୃଣା ଓ କ୍ରୋଧରେ ଜଳି, ଜଳି, ଲାଲ ପଡ଼ିଯାନ୍ତି ।

 

ମୁଁ ତେଣୁ ଭାବୁଛି, ଆପଣମାନେ ପୁଣି ଭୁଲ କହିଛନ୍ତି । ବିଶ୍ଵ କେତେ ବିରାଟ ! ଆଉ ମୁଁ କେତେ କ୍ଷୁଦ୍ର ! ବିଶ୍ଵକୁ ରଞ୍ଜନ କରିବାର ଶକ୍ତି ମୋର କାହିଁ ? ମୁଁ ତେଣୁ ବିଶ୍ୱରଞ୍ଜନ ନୁହେଁ ।

 

ବିଶ୍ଵରଞ୍ଜନ ମୋର ନା ମୋତେ ଆପଣଙ୍କ ଆଗରେ ପରିଚିତ କରେଇବା ପାଇଁ କେବଳ ଗୋଟିଏ ମାଧ୍ୟମ । ଗୋଟିଏ ସଂକେତ । ଠିକ୍ ସେମିତି ଗୋଟିଏ ଅନ୍ଧର ନାଁ ପଦଲୋଚନ-

 

ଏଥର ଆପଣମାନେ ନୀରବ ରହିଲେ । ଆପଣଙ୍କ ନୀରବତାରୁ ମୁଁ ଠିକ୍ ବୁଝି ନେଲି ଯେ, ଆପଣମାନେ ମୋର ବକ୍ତବ୍ୟକୁ ସମର୍ଥନ ଜଣାଇଲେ ।

 

କିନ୍ତୁ ସ୍ମିତା କଣ କହିଲ ଜାଣନ୍ତି—ସେ କହିଲା ମୋ ପାଇଁ, କିନ୍ତୁ ଆପଣଙ୍କର ଗୋଟିଏ ଯୋଗ୍ୟତା ଅଛି । ସେହିଟାକୁ ଆପଣ ଅସ୍ୱୀକାର କରିପାରିବେ ନାହିଁ ।

 

ପ୍ରଶ୍ନିଳ ଦୃଷ୍ଟିରେ ମୁଁ ତାକୁ ଚାହିଁଲି, ହଠାତ୍ ମୋର ଗଳାରେ ତାର ହାତ ଦୁଇଟାକୁ ଛନ୍ଦିଦେଇ, ମୋ ଓଠରେ ଓଠକୁ ତାର ଚାପି ଧରି କହିଲା—ନହୋଇ ପାର ତୁମେ ଅଧ୍ୟାପକ, ନହୁଅ ପଛେ ବିଶ୍ୱରଞ୍ଜନ, ତୁମେ କିନ୍ତୁ ଯୌବନ । ମୁଁ ବି ଯୌବନ । ଆମେ ଦୁହେଁ “ଯୌବନ”। ଯୋଗ୍ୟତା ଆମର “ପ୍ରେମ” ।

 

ସ୍ମିତାକୁ ମୁଁ ଚାହିଁଲି । ମୋର କଣ୍ଠଲଗ୍ନା ହୋଇ ସ୍ମିତା ମୋତେ ମଧୁପାନ କରାଇବାରେ ବ୍ୟସ୍ତ ଥାଏ ।

 

ସ୍ମିତା ମୋର..... ।

 

ନା....ନା.....ସେ ମୋର ପ୍ରେମିକା ।

 

ମୁଁ ଅଧ୍ୟାପକ ବିଶ୍ୱରଞ୍ଜନ ।

 

ନା....ନା..... ମୁଁ ଯୌବନ ।

 

ଖାଲି ଯୌବନ !

 

........ !

★★★

 

ସମୟ ସମୁଦ୍ର ଓ ସ୍ୱର୍ଗଦ୍ୱାର

 

ସମୟ...

 

ଏକ ବେଗଗାମୀ ସ୍ରୋତ । ସବୁବେଳେ ବହି ଚାଲିଛି । କାହାରିକୁ ସେ କେବେ ଅପେକ୍ଷା କରିନାହିଁ ।

 

ସମୁଦ୍ର....

 

ପ୍ରଥମ ସୃଷ୍ଟିର ଜୀବନ୍ତ ପ୍ରତୀକ । ଅନନ୍ତ—ଅସୀମ । ବକ୍ଷରେ ତାର ସତେ ଅଗଣିତ ତରଂଗର ଉଦବେଳନ ।

 

ସ୍ୱର୍ଗଦ୍ୱାର.....

 

ବାଲୁକାମୟ ଏକ ଶ୍ମଶାନ । ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ପ୍ରତୀକ୍ଷା କରି ରହିଛି ମୃତଯାତ୍ରୀର ଆଗମନକୁ ସ୍ୱାଗତ ଜଣାଇବା ପାଇଁ । ହିନ୍ଦୁ ମନର କଳ୍ପନାକୁ ବାସ୍ତବ ରୂପ ଦେଇ ଗଢ଼ି ଉଠିଛି ଏଇ ‘ସ୍ୱର୍ଗଦ୍ୱାର’—ଯେଉଁଠି ଶତାଧିକ ଆତ୍ମା ମାଟିର ଘଟ ତ୍ୟାଗ କରି ସ୍ୱର୍ଗ ଅଭିମୁଖେ ଯାତ୍ରା କରନ୍ତି ।

 

ପୁରୀର ଏଇ ସମୁଦ୍ର—ଏଇ ସ୍ୱର୍ଗଦ୍ୱାର । ମୋର ଅତି ପରିଚିତ ଅତି ଆତ୍ମୀୟ ଅତି ଆପଣାର । ତିନିବର୍ଷ ପରେ ଆଜି ସେଇ ସ୍ୱର୍ଗଦ୍ୱାରର ଅଦୂରରେ । ବିସ୍ତୃତ ବହଳ ବାଲିଶେଯ ଉପରେ ବସି ମୁଁ ପୁଣି ଥରେ ଦେଖୁଥିଲି ମୋ ଜୀବନର ଏହି ଅବିସ୍ମରଣୀୟ ସ୍ଥାନଟିକୁ । ସଂଧା କ୍ରମେ ନଇଁ ଆସୁଥିଲା ।

 

ସମୁଦ୍ରର ଅଗଣିତ ଢେଉ ଭିତରୁ ଗୋଟିଏ ଢେଉ ଆସି ମୋର ପାଦ ଦୁଇଟିକୁ ଛୁଇଁ ଦେଇ ଗଲା । ମନର ବେଳା ଭୂଇଁରେ ହଜି ଯାଇଥିବା କେତେ ସ୍ମୃତିର ଢେଉ ପୁଣି ଥରେ ନାଚି ଉଠିଲେ । ଦି’ହାତରେ ଦି’ମୁଠା ବାଲି ନେଇ ଦେଖୁଥିଲି । ଅଙ୍ଗୁଳିର ସୂକ୍ଷ୍ମ ଛିଦ୍ର ଦେଇ ବାଲି ଗୁଡ଼ାକ ଖସି ପଡ଼ୁଥିଲେ ତଳକୁ । ଖୋଜୁଥିଲି । ପାଉ ନ ଥିଲି ।

 

ସେଇ ରାଶି ରାଶି ବାଲି ଭତରେ ଖୋଜୁଥିଲି ମୋର ବୋଉକୁ-ଦୁଇବର୍ଷ ତଳେ ଯାହାର ସୁନ୍ଦର ଦେହଟା ପାଉଁଶ ହୋଇ ଏଇ ସମୁଦ ଓ ସ୍ୱର୍ଗଦ୍ୱାରର ବାଲି ସହିତ ମିଶି ଏକ ହୋଇଗଲା । କେତେ ଆଶା କରି ନ ଥିଲା ସିଏ । ପୁଅକୁ ତାର ବାହା କରିବ । ଘରକୁ ବୋହୂ ଆସିବ । ନାତି ନାତୁଣୀ । ଆଉ ଭାବି ପାରୁ ନ ଥିଲି । ବୋଉର ମନରେ ଭରି ଯାଇଥିଲା କେତେ ଆଶାର ଫସଲ-। ସବୁ କିନ୍ତୁ ଉଜୁଡ଼ିଗଲା । ପୁଅର ଏକା ଜିଦ୍‍, ଚାକିରି କଲି ସତ, ହେଲେ ବାହା ହେବିନି । ଜନ୍ମ ଦେଇ ଯେଉଁ ମୁହୂର୍ତ୍ତରୁ ମା ହେବାର ଗୌରବ ସେ ଲାଭ କରିଥିବ, ସେଇ ମୁହୂର୍ତ୍ତରୁ ମୋତେ ନେଇ ସେ ହୁଏତ ଏ ସମୁଦ୍ରର ଅସଂଖ୍ୟ ଢେଉ, ଏ ସ୍ୱର୍ଗଦ୍ୱାରର ଅକଳନ ବାଲି ଅପେକ୍ଷା ଆହୁରି ବିରାଟ, ଏକ ଅନନ୍ତ କଳ୍ପନା—ଆକାଶରେ ଘୂରି ବୁଲିଥିବ ଅବ୍ୟକ୍ତ ଅନନ୍ଦରେ ଆତ୍ମା–ବିଭୋରା ହୋଇ ଠିକ୍ ଯେମିତି ନୀଳ ଆକାଶର ସୌନ୍ଦର୍ଯ୍ୟ ଭିତରେ ପହଁରି ପହଁରି ଚାଲିଥାନ୍ତି ଦଳଦଳ ହୋଇ ପକ୍ଷୀଦଳସବୁ । ଆଉ ପୁଅର ବିବାହ ଦେଖି ଅଧିକ ଆନନ୍ଦ ଓ ଗୌରବ ଲାଭ କରିବାର ଯେଉଁ ବାସନା ଟିକକ ତା ମନ ଭିତରେ ମୁଣ୍ଡ ଟେକି ଠିଆ ହୋଇଥିଲା—ତାହା ଯେତେବେଳେ ତା ପୁଅର ଏକ ଅପ୍ରତ୍ୟାଶିତ ମୂଲ୍ୟହୀନ ନିଷ୍ପତ୍ତିରେ ଧକ୍କା ଖାଇ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶିଗଲା–ସେ ବା ଆଉ ଅପେକ୍ଷା କରିଥାନ୍ତା କାହିଁକି ? ସେଇ ଦୁଶ୍ଚିନ୍ତାରେ ସେ ବି ଆଖି ବୁଜିଦେଲା-। ତା ମନର ସ୍ୱପ୍ନ ପରି ତା ମାଟିର ଦେହଟା ଶେଷରେ ମାଟିରେ ମିଶି ଏକ ହୋଇଗଲା-

 

ସାଗର ବକ୍ଷରୁ ଆଉ ଗୋଟିଏ ଢେଉ ଆସି ମୋର ପାଦ ଦୁଇଟିକୁ ସ୍ପର୍ଶ କରି ଦେଇ ଗଲା । ବିଦ୍ୟୁତ୍‍ର ଏକ ତଡ଼ିତ୍ ପ୍ରବାହିତ ହୋଇଗଲେ ମୋ ଦେହରେ । ମୁଁ ଫେରିଗଲି ପଛକୁ—ଖୁବ୍ ପଛକୁ । ସେଇ ପଛକୁ ଫେରି ଚାହିଁ ଦେଖୁଥିଲି ଅପର ପାର୍ଶ୍ୱରୁ ସମୁଦ୍ରର ଢେଉ ଭଳି ନାଚି ନାଚି କାହିଁ କେତେ ଦୂରରୁ ଚାଲି ଆସୁଥିଲା ରୀନା । ଆସୁଥିଲା, ଛୁଇଁ ଦେଇ ଚାଲିଯାଉ ଥିଲା—ମୋ ଦେହର ପ୍ରତି ଶିରା ପ୍ରଶିରାରେ ଗୋଟାଏ ନୂଆ ଚମକ ଖେଳେଇ । ସମୁଦ୍ରର ସଙ୍ଗୀତ ଭଳି ତା କଣ୍ଠସ୍ୱର ମୋ କାନ ଦୁଇଟିର ପ୍ରତି ତନ୍ତୀରେ ଆଘାତ ସୃଷ୍ଟି କରି ତାକୁ ଖିନ୍‍ଭିନ୍‍ କରି ଦେଉଥିଲା-। ତାର ସେଇ ପିଳାଲିଆ ନାଚ, ଗୀତ, ଅସରନ୍ତି ହସ ଭିତରେ ମୁଁ ନିଜକୁ ହଜେଇ ବସିଥିଲି ।

 

X X X

 

“ଆମ ଘରକୁ କାଲି ଆସିବୁ । ନିଶ୍ଚୟ ଆସିବୁ ଆସିବୁଟି !” —ସେଇ କେତୋଟି ଅନୁରୋଧ ମିଶା ଦାବୀ ମୋତେ ଅଥୟ କରିଥିଲା ସାରା ଜୀବନ । ସାରା ଦିନ, ସାରା ଗତି ଗୋଟିଏ ସଦ୍ୟ ନିମନ୍ତ୍ରଣ ପତ୍ର ଭଳି ମୁଁ ଯେପରି ସେହି କଥାଗୁଡ଼ିକୁ ସଜାଡ଼ି ରଖିଥଲି ବୁକୁ ଭିତରେ-। ଆଉ ଆଜି ବି ସ୍ୱର୍ଗଦ୍ୱାରର ବାଲି ଉପରେ ବସି ସମୁଦ୍ର ଢେଉ ସବୁ ଗଣିଲାବେଳେ ମୋର ମନେ ହେଉଥିଲା ସତେ ଯେମିତି ତାର ସେଇ ଅନୁରୋଧ—ତାର ସେଇ କଥା ପଦକ, ଯାହାର ପ୍ରତି ଶବ୍ଦ ଭିତରେ ମୋ ପାଇଁ ପ୍ରଚ୍ଛନ୍ନ ଭାବେ ଲୁଚି ରହିଥିଲା ଏକ ଅନାବିଳ ସ୍ନେହ, ପ୍ରେମ ଓ ଆବେଗର ଉଚ୍ଛ୍ୱାସ—ତାହା ଯେମିତି ଆଜି ବି ସ୍ୱର୍ଗଦ୍ୱାର ନିକଟସ୍ଥ ‘‘ସ୍ୱପ୍ନ-ନିଳୟ” ରୁ ପବନରେ ଇଟା କାନ୍ଥର ପାଚେରୀ ଡେଇଁ ମୋ କାନର ପରଦା ଠେଲି ଭିତରକୁ ପଶି ଯାଉଥିଲା । ମନେ ହେଉଥିଲା ସତେ ଯେମିତି ଏଇ ସ୍ୱର୍ଗଦ୍ୱାର ନିକଟସ୍ଥ ଦେବୀ ମନ୍ଦିର ପାଖରେ ଠିଆ ହୋଇ ସେଦିନ ପରି ଆଜି ବି ସେ ତା ଆଖିର ଡୋଳା ଦି’ଟାକୁ ନଚେଇ ନଚେଇ ଲତା ଭଳି ଲମ୍ବି ଆସିଥିବା ବେଣୀ ଦି’ଟାକୁ ହାତର ଅଙ୍ଗୁଳିରେ ଛନ୍ଦି ଛନ୍ଦି ଜଣେଇ ଚାଲିଛି ତାର ଅନୁରୋଧ—“କାଲି ଆସିବୁ, କାଲି ଆସିବୁ ।”

 

ଅନେକ ଥର ତାର ଅନୁରୋଧ ରଖି ତା ଘରକୁ ଯାଇଛି । ସେ ଖୁସି ହେଇଚି । ତାର ସ୍ଵଭାବ ସୁଲଭ ଭଙ୍ଗୀରେ ନାଚି ନାଚି ଆସି ମୋତେ ସ୍ଵାଗତ ଜଣେଇଛ । କଥା ନ କହି ଅଭିମାନ କରିଛି ଯେତେବେଳେ ତାର ଅନୁରୋଧ ରଖି ନ ପାରି ତା ଘରକୁ ଯାଇ ପାରନ୍ତି । ଏମିତ ହସ-ଖୁସି, ମାନ-ଅଭିମାନର ଲୁଚକାଳି ଖେଳ ଭିତରେ ଆମେ ଦୁହେଁ ଅନେକ ମୁହୂର୍ତ୍ତ ବିତେଇ ଦେଇଥିଲୁ ।

 

ବି. ଏ. ର ପ୍ରଥମ ବର୍ଷ ସେଇଟା । ଆଉ ସେଇ ବର୍ଷ ହିଁ ମୋ ଜୀବନରେ ଏକ ନୂତନ ଅଧ୍ୟାୟର ଆରମ୍ଭ । ଖାଲି ମୋ ଜୀବନ ରେ କାହିଁକି ତା ଜୀବନରେ ବି । ସେ ହେଉଛି ପ୍ରେମର ଅଧ୍ୟାୟ—ଯେଉଁ ଅଧାର ପୃଷ୍ଠା କେତୋଟି ପ୍ରାୟ ପ୍ରତ୍ୟେକଙ୍କ ଜୀବନ-ଯୌବନରେ ଦେଖିବାକୁ ମିଳିଥାଏ । ଜୀବନର ଆଦ୍ୟ ବସନ୍ତରେ ପାଦ ଦେଇ ରୀନା ମୋତେ ଭଲ ପାଇବାକୁ ଆରମ୍ଭ କରିଥିଲା । ଅବଶ୍ୟ ଆମ ଦୁହିଁଙ୍କ ଭିତରେ ପ୍ରଥମେ କୌଣସି କଥାବାର୍ତ୍ତାର ବିନିମୟ ହୋଇ ନ ଥିଲା, ମୋତେ ଦେଖିଲେ ସେ କେବଳ ସାମାନ୍ୟ ହସି ଦେଉଥିଲା—ଆଉ ସେଇ ହସରେ ହିଁ ମୁଁ ତାର ଉତ୍ତର ଦେଇ ଦେଉଥିଲି । ମୁଁ କିନ୍ତୁ ସ୍ପଷ୍ଟ ଅନୁଭବ କରି ପାରୁଥିଲି ଯେ ତା ପ୍ରତି ମୋର ହୃଦୟର କେଉଁ ନିଭୃତ କୋଣରେ ଦୁର୍ବଳତାର ଏକ କ୍ଷୁଦ୍ର ଅଙ୍କୁର ଉଦ୍‍ଗମ ପାଇଁ ଅପେକ୍ଷା କରି ରହିଥିଲା । ସମୟ ଓ ସୁଯୋଗର ଅନୁକୂଳ ବାତାବରଣ ପାଇ ସେଇ କ୍ଷୁଦ୍ର ଅଙ୍କୁରଟି ଧୀରେ ଧୀରେ ଶାଖା ପତ୍ର ମେଲି ବଢ଼ିବାକୁ ଆରମ୍ଭ କଲା ।

 

ସାମନାରେ ଆସି ଠିଆ ହେଲା ଅଜିତ୍ । ମୋ କଲେଜ ଜୀବନର ଅନ୍ତରଙ୍ଗ ବଂଧୁ ଆଇ ଏ.ଏମ୍. ଅଜିତ୍ । ଅଜିତ୍ ଥରେ ମୋତେ ପ୍ରଶ୍ନ କରିଥିଲା— “ତମେ ରୀନାକୁ ଭଲ ପାଅ । କିନ୍ତୁ ଭଲ ପାଇବାର ପରିଣତି ସମ୍ବନ୍ଧରେ କେବେ ଚିନ୍ତା କରିଛ ?”

 

‘ଚିନ୍ତା କରିବାର ଆବଶ୍ୟକତା କ’ଣ ?’ —ମୁଁ ଉତ୍ତର ଦେଇଥିଲି । ‘ଆଚ୍ଛା, ତୁମର ଏ ଭଲ ପାଇବାଟା କେତେଦିନ ରହିବ ?’ ଅଜିତ୍ ପୁଣି ପ୍ରଶ୍ନ କରିଥିଲା । “ଯେତେଦିନ ଆମେ ଅଛୁ ।”

 

କିପରି ଏକ ରହସ୍ୟପୂର୍ଣ୍ଣ ହସହସି ସେ କହୁଥିଲା—“ଭଲ ପାଇବାଟା କେବଳ ବିବାହ ଭିତରେ ହିଁ ବଞ୍ଚିପାରେ ରଞ୍ଜନ–ଅନ୍ୟ କୌଣସି ପ୍ରକାର ନୁହେଁ । ସାମାଜିକ ନୀତି ନିୟମ ଦୃଷ୍ଟିରୁ ରୀନା ସହିତ ତୁମର ବିବାହ ସମ୍ଭବ ନୁହେଁ । କାରଣ ତମେ ଓଡ଼ିଆ ଆଉ ରୀନା ବଂଗୀୟ । ଆଉ ବିବାହ ବିନା ଭଲ ପାଇବାର କୌଣସି ଅର୍ଥ ନାହିଁ ।”

 

ବୋକାଙ୍କ ଭଳି ମୁଁ କେବଳ ଅଜିତକୁ ଚାହିଁ ରହିଥିଲି, ତାର କୌଣସି କଥା ମୋ ମୁଣ୍ଡ ଭିତରେ ପଶିପାରୁ ନଥିଲା । “ସମୟ ଆସିଲେ ସବୁ ବୁଝିପାରିବ” —ଏତିକି କହି ସେ କଥାର ମୋଡ଼ ବୁଲେଇ ଦେଇଥିଲା । ମୁଁ କେବଳ ସେଇଦିନ ପ୍ରଥମ କରି ତାଠୁ ବୁଝିଥିଲି ଯେ କୌଣସି ଏକ ଝିଅକୁ ଭଲ ପାଇବା ଅର୍ଥ ହିଁ କେବଳ ବିବାହ । କିନ୍ତୁ ତାର ସେ ଯୁକ୍ତିକୁ ମୋର ଅବୁଝା ମନ ସେତେବେଳେ ମାନିନେବାକୁ ପ୍ରସ୍ତୁତ ନ ଥିଲା ।

 

ରୀନା ସହିତ ମୋର ଘନିଷ୍ଠତା । ତାର ଦୁଇଟି ବର୍ଷ ପରେ ସମୟର ବେଗଗାମୀ ସ୍ରୋତରେ ଠେଲି ହୋଇ ମୁଁ ଚାଲିଗଲି ଦୂରକୁ—ଅନେକ ଦୂରକୁ । ପୁରୀ ସମୁଦ୍ର କୂଳରୁ ମୁଁ ଯାଇ ପହଞ୍ଚିଲି ଗଙ୍ଗା କୂଳରେ । ଗଙ୍ଗା, ଯମୁନା, ଓ ସରସ୍ୱତୀର ପବିତ୍ର ସଂଗମ ସହର ଆହ୍ଲାବାଦରେ । ବି. ଏ. ପାସ୍ କରି ମୁଁ ସେଠିକି ଯାଇଥିଲି ଅର୍ଥନୀତିରେ ଏମ୍.ଏ. ପଢ଼ିବା ଉଦ୍ଦେଶ୍ୟରେ ।

 

ଆହ୍ଲାବାଦ ଯିବାର କିଛିଦିନ ପୂର୍ବରୁ ରୀନା ଆଉ ମୁଁ ଦିନେ ଏଇ ସ୍ଵର୍ଗଦ୍ୱାର ରାସ୍ତା ଦେଇ ଫେରୁଥାଉ । ଗୋଟିଏ ଶବରେ ସେତେବେଳେ ଅଗ୍ନି ସଂଯୋଗ କରି ଆତ୍ମୀୟମାନେ ତାର ଚାହିଁ ରହିଥାନ୍ତି । ଚିତାଗ୍ନି ଜଳି ଉଠୁଥାଏ । ସେଇ ଦୃଶ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ରୀନା ମୋତେ ପଚାରିଥିଲା–"ଦେଖୁଛୁ ରଞ୍ଜନ, “ମୁଁ କହିଥିଲି–"ମଣିଷ ଜୀବନରେ ଏକ ନିଷ୍ଠୁର ବାସ୍ତବତାର ଛବି ଇଏ ।

 

“ମୋ ଜୀବନରେ ଏହା କିନ୍ତୁ ଶୀଘ୍ର ସତ ହେବାକୁ ଯାଉଛି ।” “ରୀନା !” —ହାତ ଦି’ଟା ମୋର ସେତେବେଳେ ସ୍ଥାନ କାଳ ଭୁଲି ପାଟିକୁ ତାର ଜୋରରେ ଚାପି ଧର ଦେଇଥିଲା । ମୋର ହାତକୁ ତା ପାଟିରୁ ଧୀରେ ଧୀରେ କାଢ଼ି ନେଇ ସେ କହିଲା— “ମୁଁ ମରିଗଲେ ତୋ ମନରେ ଖୁବ୍ ଦୁଃଖହେବ ନା ! କିନ୍ତୁ ଜଣେ ଜ୍ୟୋତିଷ ମୋ ହାତ ଦେଖି କ’ଣ କହିଛନ୍ତି ଜାଣୁ ? ଚବିଶ ବର୍ଷ ବସରେ ମୁଁ ମରିଯିବି ।”

 

‘ଥାଉ, ବନ୍ଦକର । ତୋର କୌଣସି ଭବିଷ୍ୟତ୍—କଥା ମୁଁ ଶୁଣିବାକୁ ଚାହେଁ ନା—ମୁଁ ପାଟିକରି ଉଠିଥିଲି ।

 

X X       X

 

ଏହ୍ଲାବାଦରେ ଥରେ ତାଠୁ ଚିଠି ପାଇଲି ଯେ ମାଆ ତାର ଭାରି ବ୍ୟସ୍ତ ହୋଇ ପଡ଼ିଛନ୍ତି ତାର ବିବାହ ପାଇଁ । ଆଉ ଠିକ୍ ସେଇବର୍ଷ ମୁଁ ତାଠୁ ଆଉ ଗୋଟିଏ ଚିଠି ପାଇଥିଲି ଯେ ତାର ବହୁ ପ୍ରତିବାଦ ଓ ଅନିଚ୍ଛା ସତ୍ତ୍ୱେ ବିବାହ ତାର ସ୍ଥିର ହୋଇଯାଇଛି ପୁରୀ ସହରରେ । ତା ସାଙ୍ଗେ ସାଙ୍ଗେ ରୀନାର ବିବାହ ଉତ୍ସବରେ ଯୋଗ ଦେବାପାଇଁ ଅନୁରୋଧ କରି ବାପା ତାର ମୋ ପାଖକୁ ପଠେଇଥିଲେ ଖଣ୍ଡିଏ ଚିଠି ଓ ନିମନ୍ତ୍ରଣ ପତ୍ର । ପଢ଼ାପଢ଼ି ଚାପରେ ମୁଁ କିନ୍ତୁ ଯାଇପାରି ନଥିଲି । ରୀନାର ନୂଆ ଜୀବନର ଶୁଭ କାମନା କରି ଖଣ୍ଡିଏ ଚିଠି ଓ ଉପହାର ପଠେଇ ଦେଇଥିଲି । ପୁରୀ ଆସି ତା ବିବାହ ଉତ୍ସବରେ ଯୋଗ ଦେଇ ନ ପାରିଥିଲେ ବି ସେଇଠି ରହି ସ୍ୱପ୍ନରେ ତାର ବିବାହ ଦେଖିବାର ସୁଯୋଗ ପାଇଥିଲି । ଶଙ୍ଖ, ହୁଳହୁଳି, ବାଦ୍ୟ ଯନ୍ତ୍ର ଭିତରେ ଅବଗୁଣ୍ଠନ ତଳୁ ରୀନାର ବଧୂବେଶ, ହାତରେ ଶଙ୍ଖା, ମଥାରେ ସିନ୍ଦୂର—ଖୁବ୍ ସୁନ୍ଦର ଦେଖା ଯାଉଛି ସିଏ । “ଆଜି ସତରେ ତୁ ଖୁବ୍ ସୁନ୍ଦର ଦେଖା ଯାଉଛୁ ରୀନା,” ସେଇଠି ରହି ମୁଁ ତାକୁ ମୋ ମନର କଥା ଜଣେଇ ଦେଇଥିଲି ।

 

ଆଉ ଭାବି ପାରୁ ନ ଥିଲି । ସମୁଦ୍ରର ସଂଗୀତ ରୀନାର କଣ୍ଠ ସଂଗୀତ ବଦଳରେ ମୃତ୍ୟୁ–ସଂଗୀତ ପରି ମନେ ହେଇଥିଲା । ରୀନା ବିବାହ କଲା । କିନ୍ତୁ ବିବାହର ଠିକ୍ ଗୋଟିଏ ବର୍ଷ ପରେ ଯେତେବେଳେ ତାଠୁ ପ୍ରଥମ ଚିଠି ପାଇ ଆନନ୍ଦରେ ମୁଁ ଆତ୍ମବିଭୋର ହୋଇ ପଡ଼ିଥିଲି, ସେତେବେଳେ ଜାଣି ନଥିଲି ଯେ ସେଇଟା ଥିଲା ତାର ଶେଷ ଚିଠି । ଲେଖିଥିଲା–“ରଞ୍ଜନ, ଜୀବନରେ ତତେ ମୁଁ ଭଲ ପାଇଥିଲି । କିନ୍ତୁ ବିବାହ ପରେ ସ୍ୱାମୀକୁ ଭଲ ପାଇବାର କଥା । ବହୁତ ଚେଷ୍ଟା କରିଛି ମୁଁ ତାଙ୍କୁ ଭଲ ପାଇବାକୁ । କିନ୍ତୁ ପାରିଲିନି । ହୃଦୟ ଦେଇ ଜଣକୁ ଭଲ ପାଇବା ପରେ ଅନ୍ୟକୁ କ’ଣ ଭଲପାଇ ହୁଏ ? ତେଣୁ ବିବାହ ପରେ ମୁଁ ଭଲ ପାଇଁ ବସିଲି—ମୋର ସ୍ୱାମୀଙ୍କୁ ନୁହେଁ—ମୃତ୍ୟୁକୁ । ମୃତ୍ୟୁର ସଂଗୀତ ମୋତେ ଅସ୍ଥିର କରି ପକାଇଲା । ଆଉ ସେଇ ସଂଗୀତ ଶୁଣିବାର ପ୍ରୟାସୀ ହୋଇ ମୁଁ ଚାଲିଲି ।” ସେଇଠି ରହି ମୁଁ ଶୁଣିବାକୁ ପାଇଥିଲି ଯେ ରୀନା ଆତ୍ମହତ୍ୟା କରିଥିଲା । ତାର କଥା ରଖି ଚବିଶ ବର୍ଷ ବୟସରେ ସେ ଚାଲିଗଲା ।

 

ତା ପରେ ସାରା ଜୀବନ ଅବିବାହିତ ରହିବାର ଶପଥ ନେଲି । ଯେଉଁ ବିବାହ ରୀନାର ଜୀବନରେ ମୃତ୍ୟୁର ସଂଗୀତ ସୃଷ୍ଟି କଲା—ସେ ବିବାହ କ’ଣ ମୋ ଜୀବନରେ ମିଳନର ଫଲ୍ଗୁ ଝରେଇ ପାରିଥାନ୍ତା ? କେବଳ ମୋରି ପାଇଁ ଆଗ ପଛ ହୋଇ ଦୁଇଟା ଜୀବନ ଚାଲିଗଲା । ମୋର ବିବାହ ନ ଦେଖି ବୋଉ ଆଖି ବୁଜିଲା ଆଉ ମୋତେ ବିବାହ ନ କରି ପାରି ରୀନା ବି ଆଖି ବୁଜିଲା । ମୁଁ କିନ୍ତୁ ସେମିତି ଚାହିଁ ରହିଥିଲି । ଅତୀତର ସେ ସ୍ମୃତିର ଢେଉ ଗୁଡ଼ାକ ମୋ ମନର ବେଳା ଭୂଇଁରେ ମଥାପିଟି ବାରମ୍ବାର ଚିତ୍କାର କରୁଥିଲେ ।

 

ଭାବନାର ବାଧା ଦେଇ ଗୋଟିଏ ମୃତଯାତ୍ରୀର ଶୋଭାଯାତ୍ରା ଆସି ପହଞ୍ଚିଲା । ସଧବା ସ୍ତ୍ରୀଟିଏ ମରିଯାଇଛି ବୋଧହୁଏ । ଅହ୍ୟ-ଡେଙ୍ଗୁରା ବାଜୁଥିଲା । ମୁଁ ଭାବୁଥିଲି, ଏଇମିତି ଫଟା ବାଇଦ ବଜେଇ ବୋଉକୁ ଆଣି ବାପା ଓ ମୁଁ ଏଇ ବାଲି ଉପରେ ଶୁଆଇ ଦେଇଥିଲୁ । ଆଉ ସେମିତି ଫଟା ବାଇଦ ବଜେଇ ରୀନା ବି ଆସିଥିବ ମୃତ ଶରୀରରେ ତା ସ୍ଵାମୀ ସହିତ । ସଧବା ସ୍ତ୍ରୀର ମୁହଁରେ ଅଗ୍ନି ସଂଯୋଗ କଲେ ତାର ସ୍ୱାମୀ । ଊର୍ଦ୍ଧ୍ୱକୁ ଶିଖା ତୋଳି ନିଆଁ ଜଳ ଉଠୁଥିଲା । ମୋ ଦୁଇ ଆଖିର ଡୋଳା ଭିତରେ ଜଳୁଥିଲା ଦୁଇଟି ଜୁଇ । ଗୋଟିଏ ମୋ ବୋଉର—ମୋର ଜନ୍ମଦାତ୍ରୀ ଜନନୀର । ଅନ୍ୟଟି ରୀନାର—ମୋ ଜୀବନର ପ୍ରଥମ ଓ ଶେଷ ପ୍ରଣୟିନୀର ।

 

ଓଃ ! ଆଉ ଚାହିଁପାରୁ ନ ଥିଲି । ଚିତାଗିର ଶିଖା ମୋର ଦୃଷ୍ଟିଶକ୍ତି ଯେମିତି ଲୋପ କରି ଦେଇଥିଲା । ଆଖିପତା ଦିଓଟି ମୋର ଆପେ ଆପେ ମୁଦି ହୋଇ ଆସିଲା । ଆଉ ମୋର ମନେ ହେଉଥିଲା ମୁଁ ଯେମିତି ସେ ସମୁଦ୍ରର ବାଲି ଉପରେ ପଡ଼ିଯାଇଛି । ମୋ ଉପରେ ସମୁଦ୍ରର ଢ଼େଉ ସରୁ ଗୋଟିକ ପରେ ଗୋଟିଏ ଆସି ଭୂତଭଳି ମାଡ଼ି ବସୁଛନ୍ତି । ମୁଁ ମୁକ୍ତି ଚାହିଁଥିଲା । “ବୋଉ” — “ରୀନା”...ବୋଲି ମୁଁ ଚିତ୍କାର କରୁଥିଲି । ମୋର ଚିତ୍କାର କିନ୍ତୁ ସମୁଦ୍ର ଢେଉର ଗର୍ଜନ ଭିତରେ ମିଳେଇ ଯାଉଥିଲା । ତା ବଦଳରେ ମୁଁ ଶୁଣି ପାରୁଥିଲି—ବହୁଦୂରରୁ ଗାନ୍ଧି ଘାଟ ନିକଟସ୍ଥ ଝାଉଁବଣର ଆରପଟୁ ଭାସି ଆସୁଥିଲା ଗୋଟିଏ ସ୍ୱର—ସ୍ନେହ ଅନୁରୋଧମିଶା ସ୍ଵର—ତୁ ବିବାହ କରିବୁନି ରଞ୍ଜୁ ? ଅନ୍ୟ ଏକ ପାର୍ଶ୍ୱରୁ ନିକଟସ୍ଥ ସ୍ୱପ୍ନ—ନିଳୟରୁ— “କାଲି ଆସିବୁ”–“କାଲି ଆସିବୁ-।”

 

ଆଖି ଖୋଲି ଦେଖିଲି । ଜଳନ୍ତା ଜୁଇ ଜଳି ଜଳି ନିଭି ଆସୁଥିଲା । ସମୁଦ୍ରର ଢେଉ ସବୁ ସମିତି ଗୋଟିକ ପରେ ଗୋଟିଏ ମାଡ଼ି ଆସୁଥିଲେ । କିନ୍ତୁ ମୋ ଛାତି ଭିତରେ ଜଳୁଥିବା ଜୁଇ ଦୁଇଟାକୁ ନିଭାଇବାକୁ ଚେଷ୍ଟାକରି ମୁଁ ପାରୁ ନ ଥିଲି ।

★★★

 

କସ୍ତୁରୀ ମୃଗ

 

ସମସ୍ତେ କହନ୍ତି–ଈଶ୍ୱର ହିଁ ଏ ସଂସାରର ସ୍ରଷ୍ଟା । ମଣିଷଠାରୁ ଆରମ୍ଭ କରି କୀଟପତଙ୍ଗ ପର୍ଯ୍ୟନ୍ତ ସଂସାରର ସମସ୍ତ ନିର୍ଜୀବ ଓ ସଜୀବ, ଜଡ଼ ଓ ଚେତନ ବସ୍ତୁ ତାଙ୍କର ସୃଷ୍ଟି ।

 

କିନ୍ତୁ ଈଶ୍ୱରଙ୍କୁ ମୁଁ କେବେ ଦେଖିନାହିଁ ।

 

ଆଖି ଖୋଲିବା ଦିନୁ ମୋର ବାପା—ବୋଉଙ୍କୁ ହଁ ମୁଁ ଦେଖିଛୁ ।

 

ମୋ ପାଇଁ ସେମାନେ ଏ ସୃଷ୍ଟିର ଆଲେକ ଦାତା । ଏକ ମନପ୍ରାଣ ବିଶିଷ୍ଟ ଦୁଇଟି କାୟା ବାପା ଓ ବୋଉ । ସୁନ୍ଦର ଯୁଗଳ ମୂର୍ତ୍ତି ।

 

ମୋ ପାଇଁ ସେମାନେ ବ୍ରହ୍ମା—ମୋର ସ୍ରଷ୍ଟା ।

 

ମୋ ପାଇଁ ବି ସେମାନେ ବିଷ୍ଣୁ—ଜୀବନରେ ଅନେକ କଷ୍ଟ ଓ ଯନ୍ତ୍ରଣା ସହ୍ୟ କରି ସେମାନେ ମୋର ଲାଳନ ପାଳନ କରିଛନ୍ତି । ଅନେକ ନିଦ୍ରାବିହୀନ ରାତ୍ରି ସେମାନେ ମୋରି ରୋଗଶଯ୍ୟା ପାଖରେ ଅତିବାହିତ କରିଛନ୍ତି ।

 

ଆଉ ଯେତେବେଳେ ମୋର ଶୈଶବ ଓ କୈଶୋର ବୟସର କୌଣସି ଦୋଷ ଦୃଷ୍କୃତି ସେମାନଙ୍କ ଦୃଷ୍ଟିରେ ପଡ଼ିଛି—ସେତେବେଳେ ସେମାନେ ପୁଣି ମୋ ପାଇଁ ସଂହାରକର୍ତ୍ତା ମହେଶ୍ୱରଙ୍କର ରୁଦ୍ରରୂପ ଧାରଣ କରି ମୋତେ ପ୍ରହାର କରିଛନ୍ତି ।

 

ସେମାନେ ମୋର ସ୍ରଷ୍ଟା–ଜନନୀ ଓ ଜନକ ।

 

ସେମାନେ ମୋର ପାଲନ କର୍ତ୍ତା–ମୋର ରକ୍ଷକ ।

 

ପୁଣି ମୋର ଦୋଷ ଦୁଷ୍କୃତିର ସଂସ୍କାରକ ।

 

ସେମାନେ ମୋର ଈଶ୍ୱର–ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ।

 

ପ୍ରତିଦିନ ସକାଳ—ସନ୍ଧ୍ୟାରେ ମୁଁ ତେଣୁ ସେମାନଙ୍କୁ ସ୍ମରଣ କରେ । ଭକ୍ତିରେ ସେମାନଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ମଥାନତ କରେ ।

 

ଜୀବନର କୈଶୋରର ଅନ୍ତିମ ଭାଗରେ ମୋର ସେଇ ପରମ ଆରାଧ୍ୟ ଯୁଗଳ ମୂର୍ତ୍ତିଧାରୀ ଈଶ୍ଵର ମୋ ଦୃଷ୍ଟିପଥରୁ ଚିରଦିନ ପାଇଁ ଅଦୃଶ୍ୟ ହୋଇଗଲେ ।

 

ତା’ପରେ ମୋର ସ୍ରଷ୍ଟା ହେଲା ସୁଜାତା ।

 

ବାପା ବୋଉ ବିଶ୍ୱରଞ୍ଜନ ନାମଧାରୀ ଯେଉଁ ଶିଶୁଟିକୁ ସୃଷ୍ଟି କରିଥିଲେ, ସେଇ ଶିଶୁଙ୍କୁ ସମାଜରେ କେବଳ ଜଣେ ସାଧାରଣ ମଣିଷ ଭାରେ ବଞ୍ଚିବାକୁ ନ ଦେଇ ନୂତନ ରୂପରେ ସୃଷ୍ଟିକଲା ସୁଜାତା ।

 

ସେ ମୋର କବି ପ୍ରତିଭାର ସ୍ରଷ୍ଟା ।

ବାପା ବୋଉଙ୍କର ବିଦାୟ ପରେ, କୈଶୋରର ଅନ୍ତିମ ଓ ଯୌବନର ଠିକ୍ ପ୍ରାରମ୍ଭରେ ସୁଜାତା ଯଦି ମୋତେ ଭଲ ପାଇ ନଥାନ୍ତା—ଦୀର୍ଘ ପାଞ୍ଚବର୍ଷ କାଳ ଗଭୀର ପ୍ରୀତି ଓ ପ୍ରେମଦେଇ, ଘରଟିଏ ତୋଳିବା ପାଇଁ ଇଞ୍ଜିନିୟର ଶୁଭଙ୍କର ସହିତ ଯଦି ସେ ବିଦେଶ ଯାତ୍ରା କରି ନଥାନ୍ତା—ତେବେ ହୁଏତ କବି ବିଶ୍ୱରଞ୍ଜନର ନୂତନ ପରିଚୟ ନେଇ ସମାଜରେ ପରିଚିତ ହେବାର ସୌଭାଗ୍ୟ କେବେ ମୋ ପକ୍ଷରେ ସମ୍ଭବ ହୋଇ ନଥାନ୍ତା ।

ସୁଜାତା ହେଉଛି ମୋ ପାଇଁ ଶକ୍ତିଦାୟିନୀ ଦେବୀ ସ୍ୱରୂପା । ପାହାଡ଼ ପାହାଡ଼ ଯନ୍ତ୍ରଣାକୁ ଛାତିରେ ଚାପିଧରି କାହାଣୀ ଓ କବିତାର ଝର ସୃଷ୍ଟି କରିବା ପାଇଁ ସେ ମୋତେ ପ୍ରେରଣା ଦେଇଛି-। ମୋ ମନରେ ଶକ୍ତି ଭରି ଦେଇଛି । ମୋ ହୃଦୟର ସେ ହେଉଛି ଅଧିଷ୍ଠାତ୍ରୀ ଦେବୀ ।

ତେଣୁ ଅନେକ ଉଦାସ ମଧ୍ୟାହ୍ନ, ଧୂସର ସାୟାହ୍ନ ଓ ନିର୍ଜନ, ନିସ୍ତବ୍ଧ ରାତ୍ରିରେ ଶ୍ରଦ୍ଧାର ସହିତ ମୁଁ ତାକୁ ସ୍ମରଣ କରେ । ତା ପାଇଁ ହୃଦୟରେ ସଞ୍ଚିତ ସ୍ନେହ, ଶ୍ରଦ୍ଧା ଓ ପ୍ରୀତିର ନୈବେଦ୍ୟ ପ୍ରସ୍ତୁତ କରେ ।

ଈଶ୍ୱରଙ୍କୁ ମୁଁ କେବେ ଦେଖିନାହିଁ ।

ତାଙ୍କର ଅସ୍ତିତ୍ୱ ସମ୍ପର୍କରେ ଚିନ୍ତା କରିବାର ଅବକାଶ ବି କେବେ ପାଇନାହିଁ ।

କିନ୍ତୁ ଏତିକି ବୁଝିଛି, ସେ ତାଙ୍କର ସମସ୍ତ ସୃଷ୍ଟିକୁ ଭଲ ପାଆନ୍ତି । ଈଶ୍ୱର ପ୍ରେମମୟ । ପ୍ରେମର ହିଁ ଈଶ୍ୱରଙ୍କର ସତ୍ତା ନିହିତ । ସେ ହେଉଛନ୍ତି ପ୍ରେମର ଏକ ମୂର୍ତ୍ତିମନ୍ତ ପ୍ରତୀକ ।

ବାପା–ବୋଉ ଓ ସୁଜାତା ।

ସେମାନେ ମୋତେ ଭଲ ପାଇଥିଲେ । ସେମାନେ ମୋର ଦେବଦେବୀ । ସେମାନେ ହିଁ ମୋର ଈଶ୍ୱର ।

ସେହିମାନେ ହିଁ ମୋତେ ପ୍ରଥମେ ଭଲ ପାଇବାର ମନ୍ତ୍ର ଶିଖେଇ ଦେଇ ଯାଇଥିଲେ । ତା ପରେ କେବଳ ବାପା, ବୋଉ କିମ୍ବା ସୁଜାତାକୁ ନୁହେଁ—ବେବୀ, ଛନ୍ଦା, ମମତା, ମୌସୁମୀ—ଭଲ ପାଇବାର ଉଦ୍ଦେଶ୍ୟ ନେଇ ଯେତେବେଳେ ଯେଉଁମାନେ ମୋ ପାଖକୁ ଆସିଛନ୍ତି—ମୁଁ ସମସ୍ତଙ୍କୁ ଭଲ ପାଇଛି ।

କିନ୍ତୁ ହାୟ ! ହତଭାଗ୍ୟ ମୁଁ !

ଯେତେବେଳେ ମୁଁ ଯେଉଁମାନଙ୍କୁ ଭଲ ପାଇବାକୁ ଆରମ୍ଭ କରିଛି—ସେମାନଙ୍କ ହୃଦୟରୁ ଈଶ୍ୱର ଧୀରେ ଧୀରେ ଅଦୃଶ୍ୟ ହେବାକୁ ଆରମ୍ଭ କରିଛନ୍ତି । ମୋର ଅନୁସନ୍ଧାନ ବାରମ୍ବାର ବିଫଳ ହୋଇଛି ।

ଜୀବନଟା ସାରା ବ୍ୟର୍ଥ ସନ୍ଧାନରେ ବ୍ୟସ୍ତ ରହି ଶେଷ ପର୍ଯ୍ୟାୟରେ ଶେଷରେ ମୁଁ ମୋ ନିକଟକୁ ଫେରି ଆସିଛି ।

ନିଜକୁ ଏଥର ମୁଁ ଭଲ ପାଇବାକୁ ଆରମ୍ଭ କରିଛି ଏବଂ ହଠାତ୍ ମୁଁ ଅନୁଭବ କରିଛି—ଅନ୍ୟ କେଉଁଠି ନୁହେଁ—ମୋରି ପାଖରେ; ମୋରି ଭିତରେ ହିଁ ଈଶ୍ୱର ଲୁଚି ରହିଛନ୍ତି । ଈଶ୍ୱର ଅନେକ ନୁହନ୍ତି—ସେ ଏକ୍ ଆଉ ମୁଁ ନିଜେ ହିଁ ସେ ଈଶ୍ୱର ।

 

ମୁଁ ନିଜେ ହିଁ ସେ ଈଶ୍ୱର ।

 

ମୁଁ ନିଜେ ହିଁ ସେ ଈଶ୍ୱର ।

 

—ଏ କଥା ମୁଁ ବାରମ୍ବାର ଯେତେ ଚିନ୍ତା କରିବାରେ ଲାଗିଛି, ଈଶ୍ୱରଙ୍କ ପ୍ରତି ମୋର ବିଶ୍ୱାସ କ୍ରମେ ସେତେ ଦୃଢ଼ୀଭୂତ ହେବାକୁ ଆରମ୍ଭ କରିଛି ଏବଂ ନିଜ ସମ୍ପର୍କରେ ହଠାତ୍ ମୁଁ ଏକ ନୂତନ ସତ୍ୟର ଆବିଷ୍କାର କରି ପାରିଛି ।

 

—ବାପା, ବୋଉ କିମ୍ବା ସୁଜାତା ମୋର ସ୍ରଷ୍ଟା ନୁହଁନ୍ତି ।

 

ମୁଁ ମୋ ନିଜର ସ୍ରଷ୍ଟା ।

 

ମୁଁ ବ୍ରହ୍ମା–ମୁଁ ବିଷ୍ଣୁ–ମୁଁ ମହେଶ୍ଵର ।

 

ମୋର ସୃଷ୍ଟି, ସ୍ଥିତି ଓ ସମାପ୍ତିର ମୁଁ ନିଜେ ହିଁ ସୂତ୍ରଧର ।

 

ଈଶ୍ୱର ଅନ୍ୟ କେହି ନୁହନ୍ତି—ଈଶ୍ୱର ହିଁ ମୁଁ । ମୁଁ ହିଁ ଈଶ୍ୱର ।

 

★★★

 

ଶିଖା

 

ଝର୍କା ଖୋଲି ଶିଖା ଚାହିଁଲା ବାହାରକୁ ।

 

ରାତି ବୋଧହୁଏ ଅନେକ ହେଲାଣି—କିନ୍ତୁ ଏ ପର୍ଯ୍ୟନ୍ତ ବି ରେକର୍ଡ ସଂଗୀତ ବନ୍ଦ ହେଇନି ।

 

ସାରାଦିନର ପରିଶ୍ରମ ପରେ ଯେଉଁମାନେ ଟିକିଏ ଶାନ୍ତିରେ ଶୋଇ ଯାଇଛନ୍ତି, ଅଥବା ଶୋଇ ଶୋଇ ସ୍ଵପ୍ନ ଦେଖୁଛନ୍ତି, ସେମାନଙ୍କର ସ୍ୱପ୍ନ ଭଙ୍ଗ କରି ନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଛି, ଏଇ ମାଇକ୍ରୋଫାନର କଣ୍ଠଫଟା ଚିତ୍କାର । ଶିଖା ଆଖିରେ କିନ୍ତୁ ନିଦ ନାହିଁ । ଶୂନ୍ୟ ଓ ଉଦାସ ଦୃଷ୍ଟିରେ ଝର୍କା ଖୋଲି ଶିଖା ଚାହିଁଛି ବାହାରକୁ—

 

ଏ ରେକର୍ଡର ସଂଗୀତ ଭାସି ଆସୁଛି—ତାଙ୍କ ଘର ସାମନା କୋଠାରୁ । ଆଡ଼ଭୋକେଟ ସନାତନ ମିଶ୍ରଙ୍କ ଝିଅ ଅରୁଣିମା ବାହା ହେଉଛି ।

 

ବରଯାତ୍ରୀଦଳ ଆସିନାହାନ୍ତି—ଆଉ ଟିକକ ପରେ ହୁଏତ ଆସି ପହଞ୍ଚିଯିବେ ।

 

ତା’ପରେ ପାଟିତୁଣ୍ଡ, ଆନନ୍ଦ କୋଳାହଳ, ହସଖୁସିରେ ଏ ସାହିଟା କମ୍ପି ଉଠିବ—କାଲି ସନ୍ଧ୍ୟାବେଳକୁ ହୁଏତ ଆଜି ରାତିର କୋଳାହଳ ଆଉ ନଥିବ । ଏ ସାହି, ଏ ସହର ଛାଡ଼ି ଅରୁଣିମା ଚାଲିଯାଇଥିବ ଅନେକ ଦୂରକୁ—ତାର ଶାଶୁଘରକୁ ।

 

ସାମ୍ନା କୋଠାଘରୁ ଦୃଷ୍ଟି ଫେରାଇ ଆଣିଲା ଶିଖା । ତାଙ୍କର କୋଠାର ପଛପଟେ ଆଉ ୨।୩ଟି ଘର ଛାଡ଼ିଦେଲେ ଆଉ ଗୋଟାଏ ବାହାଘର—ତା ସାନ ଭଉଣୀର ସାଙ୍ଗ “ସୁଖ”ର ବାହାଘର ।

 

ପ୍ୟାଣ୍ଟ ଫ୍ରକ୍ ପିନ୍ଧା ଯେଉଁ ଝିଅଟି ତାଙ୍କର ଘର ସାମ୍ନା ଦେଇ ସାନ ଭଉଣୀ ଶଶୀ ସହିତ ସ୍କୁଲକୁ ଯାଏ, ସେଇ ସୁଖ, ଗାର୍ଲସ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଶାନ୍ତ, ସରଳ ଛୋଟ ଝିଅଟି ଆଜି ବାହା ହେଉଛି । ଫ୍ରକ୍ ଛାଡ଼ି ପୂରା ପଞ୍ଜାବୀ—ପାଇଜାମା ଯିଏ ବ୍ୟବହାର କରି ନଥିଲା, ସେଇ ଆଜି ଶାଢ଼ି ପିନ୍ଧିଥିବ—କୁଙ୍କୁମ ବଦଳରେ ମଥାରେ ସିନ୍ଦୁର ଲଗେଇଥିବ—ଦି’ ହାତରେ ଦି’ପଟ ପ୍ଲାଷ୍ଟିକ କାଚ ବଦଳରେ ଗୋଚ୍ଛାଏ ଲେଖାଏ ପାଣିକାଚ ଆଉ ସୁନାକାଚ ପିନ୍ଧିଥିବ–ମୁଣ୍ଡରେ ଓଢ଼ଣା ଦେଇଥିବ । କାଲି ସକାଳୁ ସେ ତାକୁ ଆଉ ତା’ ସାନଭଉଣୀ ସାଙ୍ଗରେ ସ୍କୁଲକୁ ଯିବାର ଦେଖିବନି । ବୟସରେ ଛୋଟ ହେଲେ ବି ସେ ଆଜି ତା’ଠୁ ଅନେକ ବଡ଼ । ତା’ ଭଳି ସେ ଆଉ ଝିଅ ନୁହେଁ, ସେ ଆଜି ବୋହୂ—ଗୋଟିଏ ଘରର ଘରଣୀ ।

 

ଛାତିର ପିଞ୍ଜରା ଥରାଇ ଏକ ଗଭୀର ଦାର୍ଘଶ୍ୱାସ ବାହାରି ଆସିଲା ଶିଖା ହୃଦୟର କେଉଁ ନିଭୃତ କୋଣରୁ । ତା ଦୃଷ୍ଟି ସାମ୍ନାରେ ଆସି ନାଚିବାକୁ ଲାଗିଲେ ସୁଷମା, ମନିକା, ସୁଧା, ଯମୁନା, ପୁଷ୍ପା, ଚନ୍ଦ୍ରା... ଯେଉଁମାନେ ଦିନେ ତା ସହିତ ସ୍କୁଲ କଲେଜରେ ପଢ଼ୁଥିଲେ ଅବା ତା ସହିତ ପୁରୀର ନୃତ୍ୟ—ସଂଗୀତ ବିଦ୍ୟାଳୟରେ ନାଚ ଶିଖୁଥିଲେ, ସେମାନେ ସମସ୍ତେ ଆଜି ଶାଶୁଘରେ—ସ୍ୱାମୀ ପାଖରେ । ସେମାନଙ୍କ ଭିତରୁ କିଏ ୨।୩ଟି ସନ୍ତାନର ମା’ ହେଲାଣି ତ ଆଉ କିଏ ନିକଟରେ ମା’ ହେବାକୁ ଯାଉଛି । ଗଲା ମାସରେ ତ ମନିକା ଆସିଥିଲା (ତାର ନାଚ ସାଙ୍ଗ) କୋଳରେ ତାର ପୁଅଟିଏ । ଶିଖାର ମନେହେଲା, ସେଇ ଛୋଟ ପୁଅଟି ତାର ନାଲି ଟୁକୁ ଟୁକୁ ଓଠ ଓ କଅଁଳ ହାତ ଦୁଇଟିର ଛୋଟ ଛୋଟ ନଖରେ ତା’ର ବକ୍ଷସ୍ଥଳ ରାମ୍ପ ବିଦାରି ପକାଉଛି ।

 

କ’ଣ ସେ ଭାବିଯାଉଛି ।

 

ସେ ଯେ, ଅବିବାହିତା—ମନିକା ପରି ତା କୋଳରେ ସନ୍ତାନ ଆସିବ କୁଆଡ଼ୁ ? ପଢ଼ାଘର ଟେବୁଲ ଉପରେ କେତେ ରଙ୍ଗ ବେରଙ୍ଗର ସୁନ୍ଦର ଇନଭିଟେସନ କାର୍ଡ ଖେଳେଇ ହୋଇପଡ଼ିଛି—ବିବାହ ନିମନ୍ତ୍ରଣ । ତା ସାଙ୍ଗଙ୍କ ଭିତରୁ ଆଉ ଯେଉଁମାନେ ବାକି ରହିଯାଇଛନ୍ତି, ସେମାନଙ୍କର ବାହାଘର ଏଇ ମାସେ—ଦି’ ମାସ ଭିତରେ । ମାଳିନୀ ଆଜି ଚିଠି ଦେଇଥିଲା— “ମୋ ବାହାଘର ଆସନ୍ତା ଛ’ ତାରିଖରେ—ତୁ ନିଶ୍ଚୟ ଆସିବୁ ଲୋ ଶିଖା, ତତେ ମୋ ରାଣ—”

 

ସମସ୍ତେ ଆଜି ଶିଖାକୁ ଏକୁଟିଆ କରିଦେଇ ଛାଡ଼ି ଚାଲିଯାଉଛନ୍ତି । ନିଜକୁ ଏକାନ୍ତ ନିଃସ୍ୱ ଓ ନିଃସହାୟ ମନେ କଲା ଶିଖା । ତାର ସାଥିମାନଙ୍କ ଉପରେ ତାର ଅଭିମାନ ଆସିଲା । ନା–ସେମାନଙ୍କ ଉପରେ ସେ ଅଭିମାନ କରିବ କାହଁକି ? ନିଜର ବିବାହ ବୟସ କ୍ରମେ ଅତିକ୍ରାନ୍ତ ହେବାକୁ ଆରମ୍ଭ କରିଥିଲେ ବି ସେ ବିବାହ କରିପାରିନି । ବିଶ୍ୱବିଦ୍ୟାଳୟ ଶିକ୍ଷାର ଶେଷ ଓ ସର୍ବୋଚ୍ଚ ସୋପାନ ସଫଳତାର ସହ ସେ ଅତିକ୍ରମ କରିସାରିଛି ବର୍ଷକ ତଳେ । କିନ୍ତୁ ବିବାହ—ବୟସର ସୋପାନରେ ସେ ଅନେକ ଦିନୁ ପାଦ ଦେଇଥିଲେ ବି ସେ ପାହାଚଟିକୁ ସେ ଅତିକ୍ରମ କରିପାରୁନି । କାହିଁକି ? କିଏ ତାକୁ ବାଧା ସୃଷ୍ଟି କରୁଛି ? ତା ବାପା ! ନା—ବାପା କାହିଁକି ହେବେ, ସମ୍ଭବତଃ ତାର ଭାଗ୍ୟ ଓ ଭଗବାନ— “ଭାଗ୍ୟ ଓ ଭଗବାନ’’ଙ୍କ ଉପରେ ଭାରି ବିଶ୍ଵାସ ଶିଖାର ।

 

“ଆଉ କେତେଦିନ ଅମେ ଏମିତି ଅପେକ୍ଷା କରିଥିବା ଶିଖା !”

 

“ଯେତେଦିନ ଯାଏ ଦେବତାଙ୍କର ଆର୍ଶୀବାଦ ଓ ବାପାଙ୍କର ଶୁଭଦୃଷ୍ଟି ପଡ଼ିନି ।” —ଶିଶିର ଭାଇଙ୍କର ପ୍ରଶ୍ନର ଏଇ ଉତ୍ତର ଦେଇଥିଲା ସେ ।

 

“ନା–ଅସମ୍ଭବ । ଆମ ଜୀବନରେ ଆଉ ଅପେକ୍ଷା ଅସମ୍ଭବ”—ଶିଶିର ଭାଇ କହିଥିଲେ-

 

“ତମେ ଧୈର୍ଯ୍ୟର, ଅପେକ୍ଷା କର”—ଶିଖା ବୁଝେଇ ଦେଇଥିଲା ଶିଶିର ଭାଇକୁ । ଶିଶିର ଭାଇ ଧୈର୍ଯ୍ୟ ଧରିଛନ୍ତି । ଅଧୈର୍ଯ୍ୟ ନ ହୋଇ ଅପେକ୍ଷା କରିଛନ୍ତି । କିନ୍ତୁ କେତେଦିନ ସେ ଶିଖା ପାଇଁ ଅପେକ୍ଷା କରିବେ ? ଶିଖା ତାଙ୍କୁ ଅନେକଥର କହିଛି ଅନ୍ୟଠି ବାହା ହୋଇଯିବାକୁ କିନ୍ତୁ କିଛି ଫଳ ହେଇନ । ଶିଶିର ଭାଇଙ୍କ ପାଇଁ ସେ ଯେତେ ବ୍ୟସ୍ତ ହେଉ ନଥିଲା, ବେଶୀ ବ୍ୟସ୍ତ ହେଉଥିଲା ଶିଶିର ଭାଇଙ୍କ ବୋଉଙ୍କ ପାଇଁ । ବଡ଼ପୁଅର ବାହାଘର ଦେଖି ବୋହୂ ହାତର ପରଶା ଖାଇବେ ବୋଲି କେତେକାଳ ସେ ଆଉ ଏମିତି ଅପେକ୍ଷା କରି ବସିଥିବେ ? କେତେଥର ସେ ଶିଖାକୁ ପଚାରିଛନ୍ତି— “ଆଉ କେଉଦିନ ଏ ଘରକୁ ଆସିବୁ ଲୋ ?” ମାଉସୀଙ୍କର ଏ ପ୍ରଶ୍ନରେ ଶିଖା ହସି ଦେଇଛି—ନୀରସ, ଶୁଷ୍କ ହସଟିଏ । କି ଉତ୍ତର ଦେବ ସେ ମାଉସୀଙ୍କୁ ?

 

ଶିଖା ଭାବିପାରୁ ନ ଥିଲା—କି ଭୁଲ୍‍ ସେ କରିଛି ? ଭଲ ପାଇବାଟା କ’ଣ ପାପ ! ଅନ୍ୟାୟ ! ଅପରାଧ !!! ତେବେ ପୁଣ୍ୟ କେଉଁଟା ? ଜଣଙ୍କୁ ଭଲ ପାଇ ଶେଷରେ ତାକୁ ପ୍ରତାରଣା କରିବା ହୋଇପାରେ ପୁଣ୍ୟ—କିନ୍ତୁ ଶିଖାର ମନ ତାହା ଗ୍ରହଣ କରିପାରୁ ନଥିଲା ।

 

ଏଇ ଶିଶିର ଭାଇ—ତା’ର କ୍ଲାସମେଟ୍ ନୁହନ୍ତି କିମ୍ବା କଲେଜ ଜୀବନର ସାଥି ନୁହନ୍ତି । କେଉଁ ଦୂର ସଂପର୍କରେ ସେ ତା’ର ‘ଭାଇ’ ହେବେ । ଅନେକଥର ସେ ତାଙ୍କ ଘରକୁ ଆସିଛନ୍ତି–ଶିଖା ବି ତାଙ୍କ ଘରକୁ ଯାଇଛି । ସେ ଯେତେବେଳେ ପୁରୀ କଲେଜରୁ ବି. ଏସ୍. ସି. ପାଶ୍ କରନ୍ତି–ଶିଖା ସେତେବେଳେ ପୁରୀ ଗାଲସ ହାଇସ୍କୁଲର ଛାତ୍ରୀ । କିନ୍ତୁ ଯୌବନର ଉତ୍ତାଳ ତରଙ୍ଗ ଆସି ଯେତେବେଳେ ତାର ଦେହ ମନକୁ ଛୁଇଁ ଦେଇଗଲା, ସେ ଦେଖିଲା ତା ମନର ବେଳା—ଭୂଇଁରେ ଠିଆ ହୋଇଛନ୍ତି ଶିଶିର ଭାଇ । ଏହି ଶିଶିର ଭାଇଙ୍କ ସହିତ ଶିଖାର ସଂପର୍କ । ତାର ବୋଉ ଜାଣେ–ବାପା ଜାଣନ୍ତି—ଘରର ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ କେହି କିଛି ନ ଜାଣିଲା ଭଳି ଅଭିନୟ କରନ୍ତି । ତାର ବୋଉ ଯେତେବେଳେ ବାପାଙ୍କ ଆଗରେ ଗୋପନରେ ଶିଖାର ବାହାଘର, ଶିଶିର ସହିତ କରିବା ପାଇଁ କଥା ଉଠେଇଛନ୍ତି, ବାପା ସେତେବେଳେ ରାଗରେ ଗର୍ଜି ଉଠିଛନ୍ତି–ସାହସ କରି ଶିଖାର ବାହାଘର ଅନ୍ୟ କୌଣସି ଜାଗାରେ ନ ପକେଇଲେ ବି ଶିଶିର ସହିତ ତାର ବିବାହ ପ୍ରସ୍ତାବକୁ ସେ ମନେ ମନେ ପ୍ରତ୍ୟାଖ୍ୟାନ କରିଛନ୍ତି । କାରଣ ଶିଶିର ଭାଇ ତାର ଡାକ୍ତର ନୁହନ୍ତି, ଇଞ୍ଜିନିୟର ନୁହନ୍ତି, କିମ୍ବା ଆଇ ଏ.ଏସ୍. ଅଫିସର ନୁହନ୍ତି । ବି.ଏସ୍.ସି. ପାଶ କରି ଓଡ଼ିଶାର କେଉଁ ସରକାରୀ କଲେଜରେ ଲାବରୋଟେରୀ ଆସିଷ୍ଟାଣ୍ଟ ରୂପେ କରୁଛନ୍ତି । ଏ ଚାକିରିରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସୂଚନା ନାହିଁ—ଆର୍ଥିକ ସ୍ୱଚ୍ଛଲତା ନାହିଁ—ଲାଞ୍ଚ ନେବାର ସୁଯୋଗ । ନାହିଁ—ଅନ୍ୟାୟରେ, ଅସତ୍ ଉପାୟରେ ଟଙ୍କା ଆଣି ଦୁଇମହଲା କୋଠା ତିଆରି କରିବାର ସୁବିଧା ନାହିଁ । ସେ ନିଜେ କିନ୍ତୁ ବ୍ୟବସାୟୀ । ସହରର ଜଣେ ନାମଜାଦା ଆଇନଜୀବୀ ବ୍ୟବସାୟୀ । ମିଛକୁ ସତ କହି, କଳାକୁ ଧଳା କରି ପଇସା କମେଇଛନ୍ତି । ତାଙ୍କର କୋଠା ଅଛି, ସମ୍ପତ୍ତି ଅଛି, ଧନ ଅଛି, ସମ୍ମାନ ଅଛି, ପ୍ରତିଷ୍ଠା ଅଛି । ସେ ଧନୀ–ମାନୀ, ଆତ୍ମଭିମାନୀ-। ତେଣୁ ଶିଶିର, ଯାହାର ଚାକିରି ଜୀବନ ଆର୍ଥକ ଦିଗରୁ ଶୋଚନୀୟ ନ ହେଲେ ବି ବିଶେଷ ସ୍ଵଚ୍ଛଳ ନୁହେଁ ନିଜ ବୁଦ୍ଧିରେ ଗୋଟାଏ ପଇସାକୁ ଟଙ୍କାଏ କରିବା ଯେ ଶିଖିନି, ସେପରି ବୁଦ୍ଧିହୀନ, ଧନହୀନ, ପଦବୀହୀନ ଶିଶିର ସହିତ ନିଜର ଏକମାତ୍ର ଝିଅକୁ ବିବାହ ଦେବେ ବା କିପରି ?

 

ଶିଖାର ଇଚ୍ଛା ହେଉଥିଲା, ତା ବାପାଙ୍କ ସାମ୍ନାରେ ମୁହଁ ଖୋଲି କହିଦେବାକୁ— “ବାପା, ମନ ସହିତ ମନର ମିଳନ ହୁଏ ଧନର ନୁହେଁ । କିନ୍ତୁ ବାପାଙ୍କର ଯୁକ୍ତି, ତାଙ୍କ ଝିଅକୁ ଯେତେବେଳେ ସେ ବାହାକରିବେ ତା’ ବାହାଘରରେ ତାଙ୍କ ମନ ଖୁସି ହେବା ଦରକାର ସେ ସୁଖୀ ହେବା ଦରକାର-। ଝିଅକୁ ତାଙ୍କର କୌଣସି ଡାକ୍ତର, ଇଞ୍ଜିନିୟର ବା ଉଚ୍ଚ ଅଫିସର ସହିତ ବିବାହ ଦେଇଛନ୍ତି ବୋଲି ଆନନ୍ଦ ଓ ଆତ୍ମାଭିମାନରେ, ଗର୍ବ ଓ ଗୌରବରେ ଫୁଲି ଫୁଲି ସେ ତାଙ୍କ ଆତ୍ମପ୍ରଶସ୍ତି ଗାଇ ବୁଲିଥାନ୍ତେ ତାଙ୍କର ସମଧର୍ମୀ, ସମକର୍ମୀ ଓ ଅନ୍ୟାନ୍ୟ ଓକିଲମାନଙ୍କ ଆଗରେ । ତେଣୁ ଶିଖାର ଖୁସିରେ ତାର ପ୍ରୟୋଜନ କ’ଣ ? ଆବଶ୍ୟକତା ବା କ’ଣ ? ଝିଅକୁ ବିବାହ ଦେବା ତାଙ୍କର କର୍ତ୍ତବ୍ୟ । ସେ କର୍ତ୍ତବ୍ୟ ସେ ଅବଶ୍ୟ ପାଳନ କରିବେ । ଶିଖାକୁ ବିବାହ ଦେବେ ଧନଶାଳୀ, ସମ୍ପତ୍ତି ଶାଳୀ, ରୂପ—ବିଭବରେ ଐଶ୍ୱର୍ଯ୍ୟଶାଳୀ କୌଣସି ଯୁବକ ସହିତ । ଶିଶିର ରୂପବାନ ହୋଇପାରେ, ଗୁଣବାନ୍ ହୋଇପାରେ, କିନ୍ତୁ ଗୋଟାଏ କଲେଜରେ ତୃତୀୟ ଶ୍ରେଣୀର ଅଧସ୍ତନ କର୍ମଚାରୀ ସେ-। ତା ସହିତ ଶିଖର ବିବାହ ଦେଲେ ଲୋକେ କ’ଣ କହିବେ ? ତାଙ୍କରି ସାଙ୍ଗର ପାଞ୍ଚଜଣ ଓକିଲ ଏକାଠି ବସି କି ଆଲୋଚନା କରିବେ ? ପଚାରିବେ—ଝିଅକୁ ଏତେ ପାଠ ପଢ଼େଇ, ନିଜର ଅପର୍ଯ୍ୟାପ୍ତ ଧନସମ୍ପତ୍ତି ଥାଇ ଶେଷରେ ଗୋଟିଏ ବୋଲି ଝିଅକୁ ବିବାହ ଦେଲ, ଗୋଟିଏ ଲାବରୋଟେରୀ ଆସିଷ୍ଟାଣ୍ଟ ସହିତ ? ଆଉ କ’ଣ କେହି ମିଲିଲେନି ? ସେତେବେଳେ ସେ କି ଉତ୍ତର ଦେବେ, ତାଙ୍କରି ସାଥି—ସହଧର୍ମୀମାନଙ୍କୁ ? ଝିଅର ବିବାହ ପରେ ଦାଣ୍ଡରେ ପାଞ୍ଚ ପଚାଶ ଜଣଙ୍କ ସାମ୍ନାରେ ସେ କ’ଣ ବିଜୟଗର୍ବରେ ଚାଲିପାରିବେ ?

 

ତା ହେଲେ ସେ କ’ଣ ତା ବାପାଙ୍କ ପ୍ରସ୍ତାବରେ ସମ୍ମତି ପ୍ରକାଶ କରି ଗୋଟିଏ ରାତ୍ରିର ଦୁଃସ୍ୱପ୍ନ ଭଳି ଶିଶିର ଭାଇଙ୍କ ସହିତ ତାର ସ୍ନେହ ପ୍ରେମର ପବିତ୍ର ସ୍ମୃତିକୁ ଭୁଲିଯିବ ? ଶିଖାର ମନ ଭିତରେ ଭାବନାର ଭଉଁରୀ ଖେଳୁଛି । ତାରି ସାଙ୍ଗ ପୁଷ୍ପା—ସେ ବହା ହୋଇଛି ଡାକ୍ତର ‘ପରିତୋଷକୁ—ଡାକ୍ତରୀ ପଢ଼ିଲା—ବେଳେ ସେ ଯାହାକୁ ଭଲ ପାଇଥିଲା । ପୁଷ୍ପାର ବଡ଼ଭାଇ ଶିରୀଷ ଦା’ ତାର ବିବାହରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରି ନଥିଲେ । ବରଂ ପୁଷ୍ପାର ଏ ପ୍ରସ୍ତାବକୁ ଆଗ୍ରହର ସହିତ ଗ୍ରହଣ କରି ନେଇଥିଲେ । ପୁଷ୍ପା ଆଜି ତାର ସ୍ଵାମୀ ସହିତ କଟକରେ ବେଶ୍ ଖୁସିରେ ଅଛି । ବିବାହ ଜୀବନ ତାର ସୁଖମୟ ହୋଇଛି ।

 

ତାର ବାପା ବୁଝିବା ଦରକାର, ଶିଶିର ଭାଇଙ୍କୁ ବିବାହ କରିବ ସେ ନିଜେ, ତାର ବାପା ନୁହନ୍ତି । ଯେଉଁ ଶିଶିର ଭାଇଙ୍କୁ ସେ ମନ ଭିତରେ ଦେବତାର ଆସନ ଦେଇଛି, ସ୍ଵାମୀ ହିସାବରେ ଗ୍ରହଣ କରିନେଇଛି, ସେ ଶିଶିର ଭାଇଙ୍କର ଧନ ନ ଥାଇପାରେ, ରୂପ ନ ଥାଇପାରେ କିନ୍ତୁ ସେ ତାର ସ୍ୱାମୀ—ତା’ ଜୀବନର ସାଥୀ । ସେ ହସିଲେ ଶିଖା ହସିବ, ସେ କାନ୍ଦିଲେ ଶିଖା କାନ୍ଦିବ । ତାଙ୍କରି ଜୀବନରେ ନିଜର ଜୀବନକୁ ଗୋଟିଏ ସୂତ୍ରରେ ଗୁନ୍ଥି ଦେଇ ସେ ସୁଖୀ ହେବ—ଶାନ୍ତି ପାଇବ । ଗୋଟିଏ ନୌକାରେ ପାଦ ଦେଇ ବାଧାବିଘ୍ନ, ଘାତ ପ୍ରତିଘାତର ପ୍ରବଳ-ବାତ୍ୟାକୁ ଠେଲିଦେଇ ସଂସାର-ସମୁଦ୍ରକୁ ସେମାନେ ପାରି ହେବେ । ସେଇଥିରେ ତାଙ୍କର ତୃପ୍ତି ଓ ଆନନ୍ଦ ।

 

ତାର ବାପା କିନ୍ତୁ ବୁଝୁନାହାନ୍ତି—ନ ବୁଝନ୍ତୁ । ବିବାହ ବିନା ତାର ପବିତ୍ର ପ୍ରେମ ନଷ୍ଟ ହୋଇଯିବ ନାହିଁ, କାରଣ ତାହା ଶାଶ୍ୱତ—ତାହା ଚିରନ୍ତନ । ପତିମା ଓ ପ୍ରଭାତଙ୍କ ପରି ସେ କିନ୍ତୁ ତା ଜୀବନର ପ୍ରଥମ ପୁରୁଷକୁ ପ୍ରତାରଣା କରି ଦ୍ୱିତୀୟ ପୁରୁଷ ସହିତ ବୈବାହିକ ସଂପର୍କ ସ୍ଥାପନ କରିପାରିବ ନାହିଁ—ଜଣଙ୍କ ପାଇଁ ତା ହୃଦୟରେ ଫୁଟିଥିବା ପବିତ୍ର ପ୍ରେମର ପୁଷ୍ପଟିକୁ ନିଜ ହାତରେ ତୋଳି, ଦଳିଦାଳି ନଷ୍ଟ କରିଦେଇ ପାରିବନି କିମ୍ବା ଅନ୍ୟ ପୁରୁଷକୁ ଉପହାର ଦେଇ ପାରିବନି ।

 

ତେବେ କ’ଣ କରିବ ସେ ?

 

ଚନ୍ଦ୍ରା କହୁଥଲା–‘ଆଉ ଅପେକ୍ଷା ନ କରି ରେଜିଷ୍ଟ୍ରୀ ମ୍ୟାରେଜ୍ କରିନେ, ବାପାଙ୍କୁ ବାଟକୁ ଆଣିବାର ସେଇ ହେଉଛି ଶ୍ରେଷ୍ଠ ପନ୍ଥା ।” ଚନ୍ଦ୍ରା ନିଜେ ସେଇଆ କରିଛି ଚନ୍ଦ୍ରାର ବିବାହରେ ବାପା ତାର ପ୍ରତିବନ୍ଧକ ହୋଇ ଠିଆ ହେବାରୁ ସେ କୋର୍ଟରେ ଠିଆ ହୋଇ ମାଜିଷ୍ଟ୍ରେଟ ସାମନାରେ ରେଜିଷ୍ଟ୍ରୀ ମ୍ୟାରେଜ କରିନେଇଛି । ମିସ୍ ଚନ୍ଦ୍ରା ବାନାର୍ଜୀ ଆଜି ମିସେସ୍ ପଟ୍ଟନାୟକ ହୋଇଛି—ମନୋଜ ପଟ୍ଟନାୟକକୁ ବାହା ହୋଇଛି । ବଙ୍ଗୀୟ ପରିବାରରୁ ଆସିଥିବା ଏଇ ଚନ୍ଦ୍ରା ଓଡ଼ିଆ ପରିବାରର ପରିବେଶରେ ନିଜକୁ ବେଶ୍‍ ଖାପ ଖୁଆଇ ଚଳି ପାରୁଛି । ମୁଣ୍ଡରେ ଓଢ଼ଣା ଦେଇ ଓଡ଼ିଆ ଘରର ବୋହୂ ସାଜିଛି । ଓଡ଼ିଆର ରୀତିନୀତି, ଚାଲିଚଲଣ, ସଂସ୍କୃତି ଓ ବିଚାରଧାରା ସହିତ ନିଜକୁ ସେ ବେଶ ଚଳେଇ ନେଇପାରିଛି ।

 

ସେ କ’ଣ ଚନ୍ଦ୍ରା ଭଳି ବାପାଙ୍କୁ ତାର ଭ୍ରୂକ୍ଷେପ ନ କରି ଓକିଲର ସହାୟତାରେ ରେଜିଷ୍ଟ୍ରୀ ମ୍ୟାରେଜ କରିନେବ ? ଶିଶିର ଭାଇ ଅନେକଥର ଏକଥା କହିଛନ୍ତି—କିନ୍ତୁ ଶିଶିର ଭାଇଙ୍କର ଏ ପ୍ରସ୍ତାବକୁ ସେ ଗ୍ରହଣ କରିପାରି ନାହିଁ—ବିବାହ ପାଇଁ କୋର୍ଟର ଆଶ୍ରୟ ନେଇନାହିଁ । ଶିଶିର ଭାଇଙ୍କୁ ପ୍ରତାରଣା କରି ତା ବାପାଙ୍କ ପରିକଳ୍ପିତ କୌଣସି ଡାକ୍ତର, ଇଞ୍ଜିନିୟରଙ୍କୁ ବିବାହ କରି ସେ ବାପାଙ୍କ ସମ୍ମାନ ବୃଦ୍ଧି କରିପାରିନି ସିନା, କିନ୍ତୁ ବାପାଙ୍କ ମୁହଁରେ କାଳି ବୋଳି କୋର୍ଟ ମ୍ୟାରେଜ କରି ସେ ତା ବାପାଙ୍କର ସମ୍ମାନକୁ ପଦଦଳିତ, ଭୂଲୁଣ୍ଠିତ କରିପାରିବନି ।

 

ପୁରାଣ ବର୍ଣ୍ଣିତ ସତୀ-ସାବିତ୍ରୀ ଯୁଗର ଜ୍ୱଳନ୍ତ ପ୍ରତୀକା, ସତୀ ସାବିତ୍ରୀଙ୍କର ପ୍ରତିନିଧି ଏଇ ଶିଖା ଦାସ ଆଧୁନିକ ଶିକ୍ଷା ସଭ୍ୟତାରେ ବଢ଼ି ବି ଆଧୁନିକା ହୋଇପାରିଲାନି । ଏ ସଭ୍ୟତାର ଆଲୋକକୁ ସେ ଗ୍ରହଣ କରିପାରୁନି, ସେ ଭଲପାଇଛି ସତ, ହେଲେ ତାର ଭଲପାଇବା ପଛରେ ପଡ଼ିଯାଇଛି—ଏ ସଭ୍ୟତା, ଏ ଯୁଗଠାରୁ ଅନେକ ଦୂରରେ ରହିଯାଇଛି । ଏ ଯୁଗର ପ୍ରେମିକାଙ୍କ ପରେ ସେ ପ୍ରେମିକର ହାତରେ ହାତଚ୍ଛନ୍ଦି ସନ୍ଧ୍ୟାବେଳେ ସମୁଦ୍ର କୂଳରେ ବୁଲିପାରିବନି କି ନର୍ଜ୍ଜନ ପାର୍କରେ ବସି ନିର୍ଦ୍ୱନ୍ଦରେ, ନିଶ୍ଚିନ୍ତରେ, ଦ୍ୱିଧାହୀନ, ଲଜ୍ଜାହୀନ ଭାବରେ ଗପର ଆସର ଜମେଇ ପାରିବ ନାହିଁ । ଏକାଧିକ ପ୍ରେମିକକୁ ନିଜର ଦୃଷ୍ଟିଶରରେ ଆହତକରି ସେମାନଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଛାଡ଼ିଦେଇ ପାରିବ ନାହିଁ କିମ୍ବା ଜଣଙ୍କୁ ଭଲପାଇ ମଧ ସ୍ୱେଚ୍ଛାକୃତ ଭାବରେ ତାକୁ ଆଜି ବିବାହ କରି ପାରୁନାହିଁ ।

 

ତାରି ଆଗରେ ଚନ୍ଦ୍ରା, ପ୍ରତିଭା ଓ ପ୍ରଭାତ । ସେ କିନ୍ତୁ ରହିଯାଇଛି ଅନେକ ପଛରେ, ଅନେକ ଦୂରରେ । ତା ଚାରିପଟେ ଘୂରିବୁଲୁ ଥିବା ଆଧୁନିକ ଉଗ୍ରସଭ୍ୟତାର ବୃତ୍ତ ଭିତରେ ସେ ଏକ ସ୍ଥିର ବିନ୍ଦୁ । ଏକ ସ୍ଥିର, ନିଶ୍ଚଳ, ନିର୍ଦ୍ଦିଷ୍ଟ କେନ୍ଦ୍ରବିନ୍ଦୁ ।

 

ଝର୍କାଟାକୁ ବନ୍ଦକରି ଲାଇଟ୍‍ଟା ଲିଭେଇଦେଲା ଶିଖା । ସାରା ରୁମ୍‍ଟି ଅନ୍ଧାର । ତା ମନଭିତରେ ବି ଅନ୍ଧାର ନେସି ହୋଇଯାଇଛି । ସେ ନିଜେ କିନ୍ତୁ ଜଳୁଛି । କ୍ଷୁଦ୍ରଦୀପର ଶିଖାଟିଏ ସେ । ବିଦ୍ୟୁତ୍ ଆଲୋକର ଯୁଗରେ ତାର ହୁଏତ କୌଣସି ମୂଲ୍ୟ ନାହିଁ । ତଥାପି ସେ ଜଳୁଛି । ଜଳିବା ତାର ଧର୍ମ୍ମ । ସେଇଥିରେ ତାର ଶାନ୍ତି, ତାର ତୃପ୍ତି । ସେଇଭଳି ଜଳିବାରେ ହିଁ ତା ଜୀବନର ପରିପୂର୍ଣ୍ଣତା—ତା ସୃଷ୍ଟିର ସାର୍ଥକତା ।

★★★

 

ଶେତପଦ୍ମା ଓ ନୀଳଚନ୍ଦନ

 

ନୀଳଚନ୍ଦନ ମୋର ବନ୍ଧୁ—ଅଧ୍ୟାପକ ।

 

ଶ୍ୱେତପଦ୍ମା ମୋର ଛାତ୍ରୀ—ସମ୍ପର୍କୀୟ ।

 

ନୀଳଚଂଦନର ପରିଧେୟ ସର୍ବଦା ଶ୍ଵେତ । ଶ୍ୱେତପଦ୍ମା ଅଧିକାଂଶ ସମୟରେ ନୀଳଶାଢ଼ି ହିଁ ପିନ୍ଧେ । ମଥାରେ ନୀଳରଙ୍ଗର ଟୀକା ଲଗାଏ । ନୀଳଶାଢ଼ିରେ ଶ୍ୱେତପଦ୍ମା ଖୁବ୍ ସୁନ୍ଦର ଦିଶେ ।

 

ନୀଳଚଂଦନର ନାମ ସହିତ ଶ୍ୱେତପଦ୍ମାର ପରିଧେୟ ଓ ଶ୍ୱେତପଦ୍ମାର ନାମ ସହିତ ନୀଳଚନ୍ଦନର ପରିଧେୟ–ଯା ଭିତରେ ଅଦ୍ଭୁତ ସାମଞ୍ଜସ୍ୟ ।

 

ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ମଧ୍ୟ ସେହିଭଳି ଥିଲା ଅଦ୍ଭୁତ ଓ ଆକସ୍ମିକ ।

 

ଆଜି ସେହି ସମ୍ପର୍କର ଶେଷ ପର୍ଯ୍ୟାୟ । ଦୁହିଁଙ୍କ ମଧ୍ୟରେ କ୍ରମ ବର୍ଦ୍ଧମାନ ସମ୍ପର୍କ ଆଜି ପରିଣୟର ରୂପ ନେଉଛି ।

 

ଦୁଇବର୍ଷ ପରେ ପୁଣି ଶ୍ଵେତପଦ୍ମା ସହିତ ଦେଖା ।

 

ନୀଳଚଂଦନର ପରିଣୀତା–ମୋର ବନ୍ଧୁ ପତ୍ନୀ ଶ୍ୱେତପଦ୍ମା; ମୋର ପୂର୍ବତନ ଛାତ୍ରୀ ।

 

ପ୍ରଥମ ଦେଖାରେ ଅଭିଯୋଗ କଲା—ସାର୍ ଜାଣନ୍ତିନା—ପ୍ରୀତିକୁ ନେଇ ଆପଣଙ୍କର ବନ୍ଧୁ ଏବେ କବିତା ଲେଖୁଛନ୍ତି ।

 

ସାମାନ୍ୟ ହସି ମୁଁ ଉତ୍ତର ଦେଲି—କ୍ଷତି କ’ଣ ? ତୁମକୁ ନେଇ ତ ପୁଣି ସେ ଦିନେ କବିତା ଲେଖୁଥିଲା । ଆଉ ଅତି ଆଗ୍ରହରେ ତମେ ତା’ର ସେ କବିତା ପତି ଯତ୍ନରେ ତାକୁ ସାଇତି ରଖୁଥିଲା ।

 

“ସେଇଥିପାଇଁ ତ ଆମେ ବାହା ହେଲୁଁ ।”

 

“ତାହାହେଲେ ତମେ କ’ଣ ଚାହଁ—ବାହାହେବା ପରେ ସେ କବିତା ଲେଖା ଛାଡ଼ିଦେବ-?”

 

କିଛିସମୟ ନିରୁତ୍ତର ରହିବା ପରେ ଶେପଦ୍ମା କହିଲ—ମୋତେ କିନ୍ତୁ ତାଙ୍କର କବିତା ଆଉ ଆଗଭଳି ଭଲ ଲାଗୁ ନାହିଁ । ପୂର୍ବର ସ୍ୱାଭାବିକ ଛନ୍ଦ ହରେଇ ଆଜିକାଲିର କବିତା ତାଙ୍କର କ୍ରମଶଃ ଜଟିଳ ଓ ଦୁର୍ବୋଧ୍ୟ ହୋଇ ପଡ଼ୁଛି । ବରଂ ତା’ ଅପେକ୍ଷା ଆପଣଙ୍କ ଛୋଟ ଛୋଟ ଗଳ୍ପ ପଢ଼ିବାକୁ ମୁଁ ବେଶି ଭଲପାଏ ।

 

ନୀଳଚନ୍ଦନ ପାଖରେ ଶ୍ଵେତପଦ୍ମାର ଅଭିଯୋଗ ଯେତେବେଳେ ଉପସ୍ଥାପିତ କଲି, ସେ କହିଲା–ଶ୍ୱେତପଦ୍ମାକୁ ନେଇ ମୁଁ ଯେତେବେଳେ କବିତା ଲେଖୁଥିଲି, ସେତେବେଳେ ତୁ ମୋ କବିତାର ପ୍ରଶଂସା କଲେ ବି, ମୁଁ ଜାଣେ, ମନେ ମନେ ତୁ ଖୁବ୍, ଆଘାତ ପାଉଥିଲୁ ।

 

ତାକୁ ନେଇ ଆଉ କବିତା ଲେଖିବି ନାହିଁ ବୋଲି ତ ମୁଁ ତାକୁ ବିବାହ କଲି । ପ୍ରଣୟିନୀକୁ ନେଇ ସିନା କବିତା ଲେଖି ହୁଏ । ମୁଁ ତାକୁ ଏବେ ମାତୃତ୍ଵ ଦେଇଛି । ତୁ ତାକୁ ଏଥର ତୋ ଗଳ୍ପ ଓ କାହାଣୀ ଭିତରେ ବଞ୍ଚେଇ ରଖ । ସେ ବେଶି ଖୁସି ହେବ ।

 

ନିର୍ବାକ ହୋଇ ମୁଁ ଖାଲି ଶୁଣୁଥିଲି । ନୀଳଚନ୍ଦନ କହି ଚାଲିଥିଲା—ମୁଁ କବି । ଅନ୍ୟ ଏକ ସମଧର୍ମୀ ବନ୍ଧୁର ମନକଥା ବୁଝିବାର ଶକ୍ତି ମୋର ଅଛି । ଏଥିରେ ତୋର ଭାବିବାର କିଛି ନାହିଁ ରଞ୍ଜନ, ମୋର ପୂର୍ବତନ ପ୍ରଣୟିନୀକୁ ଆଜି ମୋ ପ୍ରିୟତମ ବନ୍ଧୁର ପ୍ରଣୟିନୀ କରିବାରେ ମୋର ତିଳେମାତ୍ର ଦୁଃଖ ନାହିଁ ।

 

ବିସ୍ମୟରେ ମୁଁ ନୀଳଚନ୍ଦନଆଡ଼େ ଚାହିଁ ତା’ ମନର ଭାଷା ପଢ଼ିବାକୁ ଚେଷ୍ଟା କରୁଥିଲି ।

 

ମନେପଡ଼ୁଥଲା–ଶ୍ୱେତପଦ୍ମାର କଥା–

 

“ତାଙ୍କର କବିତା ମୋତେ ଆଉ ଆଗଭଳି ଭଲ ଲାଗୁନାହିଁ । ତା’ ଅପେକ୍ଷା ଆପଣଙ୍କର ଛୋଟ ଛୋଟ ଗଳ୍ପକୁ ମୁଁ ବେଶୀ ଭଲପାଏ ।”

★★★

 

ଭୟ

 

ଷୋଳ ବରଷର ଝିଅ ମିନି ।

 

ପନ୍ଦର ପୂରି ଷୋହଳ ଚାଲିଛି—କିମ୍ବା ଷୋଳ ପୂରି ସତର । ସବୁଜ ସତର ।

 

ଦେହରେ ଭୟ ସବୁଜିମା । ମନରେ ଲଜ୍ଜାର ଅରୁଣିମା ।

 

ସେ କିଛି ବୁଝେନା—କିଛି ଜାଣେନା ।

 

ଏଇ ତା’ର ବୁଝିବାର ବୟସ । ହଜିବାର ବୟସ ।

 

ମୁଁ ତାକୁ ବୁଝିବାକୁ ଚେଷ୍ଟା କରୁଛି ।

 

କିନ୍ତୁ ବଡ଼ ବୋକି ଏଇ ମିନି ଝିଅଟା ।

 

ସେ କିଛି ବୁଝିଛି—ଅବା ବୁଝୁନି । ପାଖକୁ କିନ୍ତୁ ଆସୁନି ।

 

କିଛି କହିଲେ ଖାଲି ହସି ଦେଉଛି । ଧରିବାକୁ ଗଲେ ଖସି ଯାଉଛି ।

 

ଦିନେ ମୁଁ ପଚାରିଲ— “ତୁ ମୋ ଉପରେ ରାଗିଛୁ କି ?”

 

ମୁଣ୍ଡ ହଲେଇ ସେ ନାହିଁ କଲା ।

 

ଭବିଷ୍ୟତ୍ର ସମ୍ଭାବନା ଅର୍ଥରେ ବାକ୍ୟକୁ ପୁଣି ପରିବର୍ତ୍ତନ କଲି— “ତୁ ମୋ ଉପରେ ରାଗିକୁ କି ?”

 

: ନା—ପୁଣି ସେଇ ମୁଣ୍ଡ ହଲା ।

 

: ତାହେଲେ ମୋ ପାଖକୁ ଆସୁନୁ କାହଁକି ?

 

: ଭୟ ଲାଗୁଛି ।

 

: ମୁଁ କ’ଣ ବାଘ ନା ଭାଲୁ ?

 

: ତମେ ମୋତେ ଏତେ ଜୋରରେ ଜାବୁଡ଼ି ଧରୁଛ ଯେ–

 

: ମୁଁ ତତେ ଭଲ ପାଏ ।

 

ସେ କିଛି କହିଲା ନାହିଁ । ତଳକୁ ମୁହଁ ପୋତିଦେଲା ।

 

: ଆଉ ତୁ ? ମୁଁ—ପଚାରିଲି ।

 

: ମୁଁ ତୁମକୁ ଭୟ କରେ ।

 

: ଭଲ ପାଉ ନା ?

 

: .....(ନୀରବ)

 

: ଭଲ ପାଉନା ? ମୋ ପ୍ରଶ୍ନର ପୁନରାବୃତ୍ତି । ଏଥର ସେ ଓଠ ଚିପି ଚିପି ହସିବାକୁ ଲାଗିଲା ।

 

: ଭଲ ପାଉନ। ?

 

—ହସ

 

: ଭଲ ପାଉନା ?

 

—ସେଇ ହସ । ହସ ଖାଲି ହସ ।

 

ମୁଁ କିନ୍ତୁ ଏଥର ଭୟ କରିବାକୁ ଆରମ୍ଭ କରିଛି ।

 

ମୋ ପ୍ରଶ୍ନର ଉତ୍ତର ନ ଦେଇ ସେ ଖାଲି ହସୁଛି କାହଁକି ?

 

ସେ କ’ଣ ମୋ ପ୍ରଶ୍ନକୁ ହସରେ ଉଡ଼େଇ ଦେଉଛି ?

 

ସେ କ’ଣ ମୋର ବ୍ୟକ୍ତିତ୍ୱକୁ ଉପହାସ କରୁଛି ?

 

ସେ କ’ଣ...ସେ କ’ଣ...

 

: ତୁ ଏତେ ହସୁଛୁ କାହିଁକି ?

 

ମୋର ଭୟାତୁର ମୁହଁକୁ ଚାହିଁ ସେ ହଠାତ୍ ନୀରବ ହୋଇଗଲା ।

 

ମୁଁ ହାତ କଢ଼େଇଲି ।

 

ମୋର ହାତ ତା’ ହାତ ଛୁଇଁଲା ।

 

ମୋର ଓଠ ତା’ର ଓଠ....

 

ଏଥର ମୋ ହାତ ମୁଠା ଭିତରେ ତା’ର ଉଷ୍ଣ କୋମଳ ହାତ । ତା’ର ଓଠ ଉପରେ...

 

ଏଁ ! ପୁଣି ସେଇ ହସି ।

 

କିଏ ହସୁଛି ? କାହାର ହସ ଇଏ ?

 

ଚାହିଁ ଦେଖିଲି—ଟୁନିଅପା ମୋ ପଛରେ ଠିଆହୋଇ ହସୁଛନ୍ତି ।

 

ମିନି କେତେବେଳୁ ଚାଲିଯାଇଛି ।

 

ଟୁନିଅପା ସେମିତି ଠିଆହୋଇ ହସୁଛନ୍ତି । ଭୟରେ ମୋ ଶୂନ୍ୟ ହାତଟା ଖାଲି ଥରି ଉଠୁଛି । ଓଠ ବି ଥରୁଛି !

 

: ଟୁନି ଅପା ହସୁଛନ୍ତି । କିନ୍ତୁ କାହିଁକି ?

 

ମିନିର ବଡ଼ ଭଉଣୀ ଟୁନିଅପା । ଆର ମାସରେ ରବିଭାଇଙ୍କ ସହିତ ତାଙ୍କର ବାହାଘର ହେବ ।

 

ଆରେ—ମୋତେ ଦେଖି ସେ ଏମିତି ହସୁଛନ୍ତି କାହିଁକି ?

 

ସେ କ’ଣ ମୋତେ ବୁଝି ପାରିଛନ୍ତି ? —ନା ବୁଝିବାକୁ ଚେଷ୍ଟା କରୁଛନ୍ତି ?

 

“ଭଲ ପାଇବାକୁ ହେଲେ ଭୟ ଛାଡ଼ିବାକୁ ହୁଏ ।” —ଟୁନିଅପାଙ୍କର କଣ୍ଠସ୍ୱର ।

 

ସେ କ’ଣ ତେବେ ସବୁକିଛି ଦେଖି ପାରିଛନ୍ତି ? ମୋ ହାତ ମୁଠା ।

 

ଭିତରେ ମିନିର ହାତ । ମିନିର ଓଠରେ......

 

ମିନି ସହିତ ମୋର କଥାବାର୍ତ୍ତା ସେ କ’ଣ ତେବେ ଶୁଣି ପାରିଛନ୍ତି ? ମୁଁ ମିନିକୁ ପଚାରୁଥବା ସେଇ ପ୍ରଶ୍ନ— “ତୁ ମୋତେ ଭଲ ପାଉ ନା । ତୁ ମୋତେ ଭଲ ପାଉନ। ।”

 

ବୋକାଙ୍କ ଭଳି ଟୁନିଅପାଙ୍କ ମୁହଁକୁ ମୁଁ ଚାହିଁ ରହିଛି । ଟୁନି ଅପା ହସୁଛନ୍ତି ।

 

ମୁଁ ଭୟରେ ଥରିବାକୁ ଆରମ୍ଭ କରିଛି । ସମଗ୍ର ଦେହଟା ମୋର ଭୟରେ ଥରି ଉଠିଛି ।

 

ମୁଁ ଭୟ କରୁଛି । କାରଣ ମୁଁ ମିନିକୁ ଭଲ ପାଇକାକୁ ଆରମ୍ଭ କରିଛି ।

 

ମିନି କହୁଥିଲା—ସେ ମୋତେ ଭୟକରେ । ତେବେ ସେ କ’ଣ ମୋତେ ଭଲପାଏ ?

 

“ଭୟ ଥିଲେ ଭଲପାଇ ହୁଏନା ।”

 

— (ଟୁନିଅପା)

 

ଟୁନିଅପା କଣ କହିବାକୁ ଚାହାନ୍ତି ?

 

—ନିଜକଥା । ସବୁ ଭୟକୁ ବିସର୍ଜନ ଦେଇ ରବିଭାଇଙ୍କୁ ଭଲପାଇ ବାହା ହେଉଥିବାର କଥା ।

 

—ନା ମୋ କଥା ! ମିନି କଥା ! ଆମ ଦୁହିଁଙ୍କ କଥା !!

 

ଟୁନିଅପା ଏଥର ପୁଣି ପୂର୍ବଭଳି ହସିବାକୁ ଆରମ୍ଭ କରିଛନ୍ତି ।

 

ମୋ ଦେହଟା ସେମିତି ଭୟରେ ଥରିବାକୁ ଲାଗିଛି ।

 

ହାତ ମୋର ଥରୁଛି । ଛାତି ଥରୁଛି । ମୁଣ୍ଡଟା ଚକ୍ରଭଳି ଘୂରି ବୁଲୁଛି ।

 

ଅନୁଭବ କଲି, ପାଦତଳର ଚଟାଣଟା ବି ଧୀରେ ଧୀରେ ତଳକୁ ଦବି ଯାଉଛି ।

★★★

 

ହୋରି (୧)

 

ହୋରି ଆସିଛି—ହୋରି ।

ଚାରିଆଡ଼େ ଆନନ୍ଦର ହୁରି ।

ନାଲି ନେଳି ରଙ୍ଗ ପାଣିର ପିଚ୍‍କାରି ।

ବରଷକେ ଥରେ ଏଇମିତି ନାଲିନେଳିର ରଙ୍ଗ ପାଣିରେ ହୋରି ଖେଳିବାକୁ ଭାରି ଭଲ ଲାଗେ ।

ଗତବର୍ଷ ମୁଁ ଫୁଲବାଣୀରେ ହୋରି ଖେଳିଥିଲି । ଏବର୍ଷ ଭଦ୍ରକରେ ଖେଳୁଛି ।

ଜୀବନର ସବୁଦିନ ଗୁଡ଼ାକ ଯଦି ‘ହୋରି’ର ଦିନ ହୁଅନ୍ତା କିମ୍ବା ସାରା ଜୀବନଟା ଗୋଟାଏ ‘ହୋରିଖେଳ ହୋଇଯାଆନ୍ତା ! ତାହାଲେ କ’ଣ ସତରେ ବେଶୀ ମଜା ହୁଅନ୍ତା–ବେଶୀ ଭଲ ଲାଗନ୍ତା ?

ନା—ମୋଟେ ନୁହେଁ । କାରଣ ହୋରି ଖେଳରେ ରଙ୍ଗ ବୋଳି ହେବାରେ ଯେତିକିଟା ଆନନ୍ଦ ଅଛି—ରଙ୍ଗ ଧୋଇବାରେ ଅଛି ତାଠୁ ବେଶୀ କଷ୍ଟ—ବେଶୀ ଯନ୍ତ୍ରଣା ।

ମୁଁ ଏଥର ହୋରି ଖେଳର ସେଇ ଦ୍ୱିତୀୟ ପର୍ବଟା ହିଁ ଆରମ୍ଭ କରିଛି । ପ୍ରଥମ ପର୍ବରେ ରଙ୍ଗ ବୋଳି ହୋଇ ରଙ୍ଗୀନ ହେବାରେ ଯେଉଁ କିଛିଟା ଉତ୍ତେଜନା ଓ ଆନନ୍ଦ ଥିଲା ତାହା ପୂରାପୂରି ମରିଯାଇଛି । ଏଥର ମୁଁ ରଙ୍ଗ ଧୋଇବାରେ ଲାଗିଛି । ମୋର ଅନିଚ୍ଛା ସତ୍ତ୍ୱେ ଯେଉଁମାନେ ଆସି ମୋ ଦେହରେ ରଙ୍ଗ ବୋଳି ଦେଇଗଲେ; ସେତେବେଳେ ସେମାନେ ସବୁ କିଏ କୁଆଡ଼େ ବାଟ ଭାଙ୍ଗି ଚାଲିଗଲେଣି । ନଈକୂଳରେ ଏକୁଟିଆ ବସି ମୁଁ ଏଥର ସାବୁନ୍‍ ପାଣିରେ ସେ ରଙ୍ଗକୁ ଛଡ଼େଇବାରେ ଲାଗିଛି ।

ରଙ୍ଗ ଖେଳିବି ନାହିଁ ବୋଲି ଭିତରୁ କବାଟ କିଳି ଚୁପ୍‍ଚାପ୍‍ ମୁଁ ଘରଟି ଭିତରେ ବସି ରହିଥିଲି । ସେମାନେ କିନ୍ତୁ ବାରମ୍ବାର ଆସି ବାହାର କବାଟରେ ଆଘାତ ଦେବାରେ ଲାଗିଲେ । ସ୍ଥିର ହୋଇ ନିଶ୍ଚିନ୍ତରେ ‘ଘର ଭିତରେ’ ମୁଁ ଆଉ ବସି ପାରିଲି ନାହିଁ । କବାଟଟା ଖୋଲିଦେଲି । ବିଜୟ ଉଲ୍ଲାସରେ ଭିତରକୁ ସେମାନେ ପଶି ଆସିଲେ । ସେମାନେ କୁଆଡ଼େ ମୋତେ ଭଲ ପାଆନ୍ତି—ଖୁଉବ ଭଲ ପାଆନ୍ତି । ସେଥିପାଇଁ ବିଭିନ୍ନ କିସମର ରଙ୍ଗରେ ମୋ ଦେହକୁ ସେମାନେ ଚିତ୍ରିତ କରିଦେଲେ । (ଆଉ ମନ ? ମନ ବି ତ ଏ ଦେହର ଗୋଟାଏ ଅଂଶ)ଦେହର ରଙ୍ଗରେ ମନଟା ବି ଆପଣା ଛାଏଁ ଛାଏଁ ରଙ୍ଗମୟ ହୋଇଗଲା । ଅନେକ ବେଳ ଯାଏଁ ସେମାନଙ୍କ ସହିତ ରଙ୍ଗ ପାଣିରେ ମୁଁ ବୁଡ଼ିଲି ।

କିନ୍ତୁ ଏବେ ?

କି ରଙ୍ଗ ସେମାନେ ଦେଲେ କେଜାଣି, ସେତେ ଚେଷ୍ଟା କଲେ ବି ସାବୁନ୍‍ ପାଣିରେ ଯେତେ ଘଷିଲେ ବି ସେ ରଙ୍ଗକୁ ଆଉ ସହଜରେ ଛଡ଼େଇ ହେଉନି ।

ମୁଁ ସେମାନଙ୍କୁ ଖୋଜୁଛି । କିନ୍ତୁ କାହାନ୍ତି ସେମାନେ ?

 

ମୋ ପାଖରୁ ଯାଇ ସେମାନେ ହୁଏତ ଅନ୍ୟ କାହା ଦେହରେ ରଙ୍ଗ, ବୋଳିବାରେ ବ୍ୟସ୍ତ ଥିବେ । ଅନ୍ୟ କାହା ଦେହରେ ରଙ୍ଗ ବୋଳି ଆଉଦଳେ ଆସିଛନ୍ତି ମୋ ସହିତ ରଙ୍ଗ ଖେଳିବେ ବୋଲି । ମୁଁ ସେମାନଙ୍କୁ ମୋ ରଙ୍ଗ ବେରଙ୍ଗର ଦେହଟାକୁ ଦେଖେଇ ଦେଲି । କହିଲି—ଦେଖ—ରଙ୍ଗ ଧରିବାକୁ, ମୋ ଦେହରେ ଆଉ ଜଗା କାହିଁ ? ତଥାପି ସେମାନେ ମୋତେ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି । କହିଲେ—ନଈକୂଳରେ ବସିଛନ୍ତି । ପାଣି ଭିତରେ ପଶି ଯାଅନ୍ତୁ । ସବୁ ରଙ୍ଗ ଛାଡ଼ିଯିବ । ସାଳନ୍ଦୀ ନଈର ପାଣି, ସବୁ ରଙ୍ଗକୁ ଧୋଇଦେବ । ତା’ପରେ ଆପଣଙ୍କର ସେ ରଙ୍ଗହୀନ ନିର୍ମଳ ଦେହରେ ଆମେ ଆଉ ଗୋଟିଏ ନୂଆ ରଙ୍ଗ ବୋଲି ଦେଇଯିବୁ—ଯେଉଁ ରଙ୍ଗକୁ ଆମର ଏ; ସାଳନ୍ଦୀ ପାଣି ଧୋଇଦେବା ପାଇଁ ନିଶ୍ଚୟ କୁଣ୍ଠାବୋଧ କରିବ ।

 

ସେମାନଙ୍କ କଥା ଶୁଣି ମୁଁ ଏଥର ନଈପାଣିରେ ପଶୁଛି । ହୋରି ଖେଳର ଦ୍ୱିତୀୟ ପର୍ବ ଶେଷ କରିବାକୁ ଯାଉଛି । ପୁନରାୟ ପ୍ରଥମ ପର୍ବ ଆରମ୍ଭ କରିବା ପାଇଁ । ପୁରୁଣା ରଙ୍ଗକୁ ଦେହରୁ ଧୋଇ ସେଥିରେ ପୁଣି ନୂଆ ରଙ୍ଗର ପ୍ରଲେପ ଦେବା ପାଇଁ ।

 

‘ଜୀବନ’ଟା ତାହାଲେ ସତରେ କ’ଣ ଏକ ହୋରିଖେଳ ? ରଙ୍ଗମାରି ତାକୁ ଧୋଇବା, ପୁଣି ରଙ୍ଗ ପାଣିରେ ବୁଡ଼ି ଦେହ ମନକୁ ରଙ୍ଗୀନ କରିବା—ଏମିତି ‘ରଙ୍ଗ ଖେଳ’ର ବୈଚିତ୍ର୍ୟକୁ ନେଇ କ’ଣ ଏ ଜୀବନ ?

 

ଜୀବନ-ଦର୍ଶନ ସଂପର୍କରେ କିଛି ଚିନ୍ତା କରିବା ପୂର୍ବରୁ ନଈ ପାଣିରେ ପୁରୁଣା ରଙ୍ଗକୁ ଧୋଇ ସଫା କରିଦେଇଥିବା ମୋର ନିର୍ମଳ, ରଙ୍ଗହୀନ ଦେହକୁ ସେମାନଙ୍କୁ ଦେଖାଇ ଦେଇଛି । ସେମାନେ ସେଥିରେ ନୂଆ ରଙ୍ଗ ବୋଳିବା ଆରମ୍ଭ କରିଛନ୍ତି ।

★★★

 

ହୋରି (୨)

 

ହୋରି ଆସିଛି–ହୋରି । ଚାରିଆଡ଼େ ଆନନ୍ଦର ହୁରି । ନାଲିନେଳି ରଙ୍ଗପାଣିର ପିଚ୍‍କାରି । ବରଷକେ ଥରେ ଏଇମିତି ନାଲି ନେଳିର ରଙ୍ଗପାଣିରେ ହୋରି ଖେଳିବାକୁ ଭାରି ଭଲ ଲାଗେ ।

 

ଏମିତି ଏକ ହୋରିବେଳେ, ମାସ ଫଗୁଣ, ଋତୁ ବସନ୍ତରେ ମୋ ବାପାଙ୍କର କୁଆଡ଼େ ବାହାଘର ହୋଇଥିଲା । ଜୀବନରେ ପ୍ରଥମ ଥରପାଇ ଯୌବନର ନାଲି ନେଳି ରଙ୍ଗରେ ସେ ହୋରି ଖେଳିଥିଲେ । ଆଉ ଏମିତି ଏକ ହୋରିବେଳେ ଅତି ଆକସ୍ମିକଭାବରେ ଜୀବନରୁ ତାଙ୍କର ସବୁ ରଙ୍ଗ ଧୋଇ ହୋଇଗଲା । ସେଇଦିନୁ ଆଉ ନାଲି ନେଳି ରଙ୍ଗପାଣିରେ ନୁହେଁ, ରଙ୍ଗହୀନ ସଫେଦ ଆଖି ପାଣିରେ ବାପା ପ୍ରତିବର୍ଷ ହୋରି ଖେଳିଲେ ।

 

ଏଥର ମୁଁ ବି ବାପାଙ୍କ ସହିତ ହୋରିଖେଳରେ ଯୋଗ ଦେଇଛି । ବନ୍ଧୁ ଓ ବାନ୍ଧବୀମାନଙ୍କ ସହିତ ମିଶି ନାଲିନେଳିର ରଙ୍ଗପାଣିରେ ହୋରି ଖେଳିବାକୁ ଏଥର ଆଉ ଇଚ୍ଛା ହେଲା ନାହଁ । ଅବଶ୍ୟ ମୁଁ ଦିନେ ନିଜକୁ ହୋରିର ରଙ୍ଗରେ ବୁଡ଼େଇ ଥିଲି । କିନ୍ତୁ ଜୀବନରେ ପ୍ରଥମ କରି ମୋ ଦେହରେ ରଙ୍ଗ ଦେଇ, ମୋ ପାଖରୁ ରଙ୍ଗ ନେଇ ଦୀର୍ଘ ଦୁଇବର୍ଷ ହୋରି ଖେଳିବା ପରେ ଗତବର୍ଷ ହୋରିବେଳେ, ଠିକ୍ ଏଇ ଋତୁ ବସନ୍ତ ଓ ମାସ ଫଗୁଣରେ ଛନ୍ଦା ନିଜେ ଆସି ନିଜେ ଦେଇଥିବା ରଙ୍ଗତକ ମୋ ଦେହରୁ ଧୋଇ ଦେଇଗଲା । ଏ ଗାଁ ଛାଡ଼ି ଚାଲିଗଲା । ଅନେକ ଦୂରକୁ ନୂଆ ଏକ ସହରରେ ତା ସହରିବନ୍ଧୁ, ସହିତ ସାରା ଜୀବନ ରଙ୍ଗ ଖେଳିବ ବୋଲି । ଗଲାବେଳେ ଶେଷଥର ପାଇଁ ମୋର ଦୁଇଆଖିରେ ରଙ୍ଗହୀନ ସଫେଦ ପାଣି କେଇ ଟୋପା ଢାଳି ଦେଇଗଲା–ଯାହାକୁ ସଞ୍ଚୟ କରି ଏଥର ମୁଁ ବାପାଙ୍କ ସହିତ ହୋରି ଖେଳରେ ଯୋଗ ଦେଇଛି ।

 

ବାପାଙ୍କର ଅନେକ ବନ୍ଧୁ, ଆସି ତାଙ୍କୁ ଅନୁରୋଧ କଲେ ପୁଣି ଥରେ ରଙ୍ଗ ପାଣିରେ ହୋରି ଖେଳିବାପାଇଁ। ମୋର ଅନେକ ବାନ୍ଧବୀ ଆସି ମୋତେ ନିମନ୍ତ୍ରଣ ଜଣେଇଲେ—ପୁଣି ଥରେ ଦେହର ରଙ୍ଗ ବୋଳି ଦେହ ମନକୁ ରଙ୍ଗୀନ୍ କରିବାପାଇଁ । ଆମେ କିନ୍ତୁ ମନା କରିଦେଲୁ । ଥରେ ରଙ୍ଗ ବୋଳି ହୋଇ ତାକୁ ଧୋଇବାରେ ଯେଉଁ ଯନ୍ତ୍ରଣା, ସେ ଯନ୍ତ୍ରଣାକୁ ସହ୍ୟ କରିବାର ଶକ୍ତି ଆମର ନ ଥିଲା ।

 

ସେମାନେ କିନ୍ତୁ ହସିଲେ । କହିଲେ—ବାପପୁଅ ଦୁହେଁ ମିଶି ପାଣିର ରଙ୍ଗରେ ହୋରି ଖେଳୁଛନ୍ତି । ହସନ୍ତୁ ସେମାନେ । ଯାହା କହିବାର କଥା କୁହନ୍ତୁ ।

 

ଜୀବନରେ ହୋରିଖେଳରେ ଆମ ଦୁହିଁଙ୍କ ଜୀବନରୁ ସବୁ ରଙ୍ଗତକ ଧୋଇ ଲିଭିଯିବା ପରେ ବାପପୁଅ ଆମେ ଦୁହେଁ ଦୁଇଭାଇ ଦୁଇଟି ସମଧର୍ମୀ ବନ୍ଧୁ ହୋଇ ଯାଇଛୁ । ତେଣୁ ଏକାଠି ବସି ଏଥର ଆମେ ସଫେଦ୍ ଆଖିର ପାଣିରେ ହୋରି ଖେଳୁଛୁ । ନାଲି ନେଳୀର ରଙ୍ଗ ପାଣିରେ ହୋରି ଖେଳିବା ଅପେକ୍ଷା, ଆଖିର ରଙ୍ଗହୀନ, ନିର୍ମଳ ସଫେଦପାଣିରେ ହୋରି ଖେଳିବାରେ ଆମପାଇଁ ଅଛି ଅନେକ ସାନ୍ତ୍ୱନା, ଅନେକ ଆଶା ଓ ଅଶ୍ୱାସନା ।

★★★

 

ଅନ୍ଧାର ଓ ସିନ୍ଦୁର

 

ଅନ୍ଧାର ।

 

ଗଭୀର ରାତିର ଅନ୍ଧାର ।

 

କଳା କିଟି କିଟି ଅନ୍ଧାର ।

 

ଅନିମା ଆଖିର କଳ୍ୱଳ ଭଳି ଯେତିକି ଗାଢ଼, ଅଳକା ମଥାର କବରୀ ଭଳି ସେତିକି ଘନ-

 

ଏ ଅନ୍ଧାରଟା କେଡ଼େ ଭୟଙ୍କର ସତେ ! ଏଇ ଅନ୍ଧାରରେ ଭଲ ମଣିଷ ବାଟ ହୁଡ଼େ । ସ୍ପଷ୍ଟ ଦିବା ଲୋକରେ ଛାତି ଫୁଲେଇ ରାଜ ପଥରେ ଚାଲୁଥିବା ସମାଜର ଭଦ୍ର ଓ ସଭ୍ୟ ଏଇ ଅନ୍ଧାରରେ ଚୋର ହୁଏ । ମଣିଷ ବି ପୁଣି ପଶୁ ପାଲଟେ ଏଇ ଅନ୍ଧାରରେ । ଏଇ ଅନ୍ଧାରକୁ ଭାରି ଭୟ ଅଭୟ ଦାସର ।

 

କିନ୍ତୁ କ’ଣ ହେଲା ଅଭୟ ଦାସର ? ଏଇ ଅନ୍ଧାର ତା’ର ସବୁ ନୀତି, ନିୟମ, ଆଦର୍ଶ ଓ ଆଭିଜାତ୍ୟକୁ ଗୋଟାଏ ରବର ପେଣ୍ଡୁ ଭଳି ଗୋଡ଼ରେ କିକମାରି ଫିଙ୍ଗି ଦେଲା ଦୂରକୁ ଅନେକ ଦୂରକୁ । ଶିକ୍ଷା, ସଭ୍ୟତା, ସଂଯମ ଓ ସମ୍ଭ୍ରମତାର ସୁନ୍ଦର ଆଭରଣ ପିନ୍ଧି ଯେଉଁ ଅଭୟ ଦାସ ଦିନର ଆଲୁଅରେ ଚଳପ୍ରଚଳ ହେଉଥିଲା, ସେଇ ସବୁ ସୁନ୍ଦର ଆଭରଣକୁ ତା’ ଦେହରୁ କାଢ଼ି ଉତ୍ତାରି ଏଇ ରାତିର ଅନ୍ଧାର ତାକୁ ମୁହୂର୍ତ୍ତକ ପାଇଁ ଉଲଗ୍ନ କରି ଦେଲା । ‘ମୁଁ ଅଭୟ ଦାସ’ ବୋଲି ତା’ ମନରେ ଯେଉଁ ଗର୍ବ ଥିଲା, ଯେଉଁ ଆନନ୍ଦ ଥିଲା—ସେ ଗର୍ବ, ସେ ଆନନ୍ଦ ଓ ସେ ଆତ୍ମଗାରିମା ଗଭୀର ରାତିର ଅନ୍ଧାର ସ୍ପର୍ଶରେ ବିଚଳିତ ମହମ । ଭଳି ତରଳି ଗଲା । ଏ ଅନ୍ଧାର ମୁହୂର୍ତ୍ତକ ପାଇଁ ଅଭୟ ଦାସକୁ କରିଦେଲା ଏକ ବନ୍ୟ ପଶୁ । ବନ୍ୟପଶୁଠାରୁ ସେ ହେଲା ଆହୁରି ଇତର । ଆହୁରି ବର୍ବର, ଆହୁରି ଅଶ୍ଳୀଳ ।

 

ଇସ୍ ! ଏ ଅନ୍ଧାରଟା କେତେ କଦର୍ଯ୍ୟ ! କେଡ଼େ ଭୟଙ୍କର ସତରେ ! ଭୟରେ ଆଖି ଦି’ଟା ବୁଜିଦେଲା ଅଭୟ । କେତେବେଳେ ଲାଇଟ୍ ଆସିବ କେଜାଣି ? କିଛି ସମୟ ହେଲା ସାରା ସହରରୁ ଲାଇଟ୍ ଫେଲ୍ କରିଛି । ଚାରିଆଡ଼େ ଖାଲି ଅନ୍ଧାର । କଳା କିଟି କିଟି ଅନ୍ଧାର । ସେଇ ଅନ୍ଧାର ଭିତରେ ଆଖି ବୁଜି ଅଭୟ ଦେଖିଲା—ବିଗତ ଦୁଇ ବର୍ଷ ତଳର ଏକ ଅନ୍ଧାରର ଛବି—ଯେଉଁ ଅନ୍ଧାର ଭିତରେ ସେ ଅନିମା ଅପାକୁ ଆବିଷ୍କାର କରିଥିଲା କେବଳ ଏକ ଦେହମାଂସ ଧାରୀ ସାଧାରଣ ନାରୀ ଭାବରେ ଯେଉଁ ନାରୀ ସବୁବେଳେ ହିଂସ୍ର ପୁରୁଷ ସିଂହର କ୍ଷୁଧା ନିବାରଣ ପାଇଁ ନିଜକୁ ନିରୀହା ହରିଣୀ ଭାବରେ ସମର୍ପଣ କରି ଦେବାରେ ପରମ ତୃପ୍ତି ଲାଭ କରିଛି ।

 

କାଳ ରାତିର ସେଇ କଳା ଅନ୍ଧାର ।

 

ସେଇ ଅନ୍ଧାର ଭିତରେ ଅଭୟର ଅବଚେତନ ମନ ଦେଖିଲା—ତାଙ୍କ ଘର ହଠାତ୍ ଏକ ଘଞ୍ଚ ଅରଣ୍ୟରେ ପରିଣତ ହୋଇଯାଇଛି । ଆଉ ସେଇ ଅରଣ୍ୟ ଭିତରେ ସେ ନିଜେ ପଶୁରାଜ ସିଂହ ସାଜି ଶିକାରରର ସନ୍ଧାନ କରୁଛି । ଶିକାରର ଅନ୍ୱେଷଣ ପାଇଁ ବେଶି ସମୟ ତାକୁ ଘୂରିବାକୁ ପଡ଼ି ନ ଥିଲା । ତା’ର ତୀକ୍ଷ୍‍ଣ ସନ୍ଧାନୀ ଦୃଷ୍ଟି ଅବିଷ୍କାର କରିଥିଲା ଏକ ସୁନ୍ଦର ନିରୀହା ବନହରିଣୀ—ଯେ କ୍ଳାନ୍ତ, ଶ୍ରାନ୍ତ ହୋଇ ସେଇ ଜଙ୍ଗଲ ଭିତରେ ଶୋଇଯାଇଥିଲା ନିଶ୍ଚିନ୍ତରେ । ସାମ୍ନାରେ ହଠାତ୍ ମୃଗ ମାଂସର ସନ୍ଧାନ ପାଇ ପଶୁରାଜର କ୍ଷୁଧା ଅସମ୍ଭବ ଭାବରେ ବଢ଼ି ଯାଇଥିଲା । ଆଉ କିଛି ଚିନ୍ତା କରିବାକୁ ସମୟ ନ ନେଇ ଅବିଳମ୍ବେ ସେ ଝାମ୍ପ ଦେଲା ସେଇ ନିରୀହା ହରିଣୀ ଉପରକୁ । ଆତ୍ମରଣା ପାଇଁ ଅସହାୟ ହରଣୀଟି ଆର୍ତ୍ତ ଚିତ୍କାର କରିଥିଲା । ମାତ୍ର ପ୍ରବଳ ପରାକ୍ରମୀ ପଶୁରାଜର ହିଂସ୍ର ଆକ୍ରମଣ ନିକଟରେ ଅସହାୟା ବନ୍ୟ ହରିଣୀର କ୍ଷୀଣ ପ୍ରତିବାଦର ସ୍ୱର ସେଇ ଅନ୍ଧାର ଭିତରେ ଶୂନ୍ୟରେ କୁଆଡ଼େ ମିଳାଇ ଯାଇଥିଲା ।

 

କିନ୍ତୁ ତା ପରେ ? ତା ପରେ ହଠାତ୍ ଅନ୍ଧାର ଭିତରୁ ଫେରି ଆସି ଅଭୟ ଦେଖିଲା ତାଙ୍କ ଘର ଏକ ହିଂସ୍ର ଜନ୍ତୁ ସଙ୍କୁଳ ଅରଣ୍ୟ ନୁହେଁ । ସେଠି ଏବେ ବି ତା’ ଗୀତା ଅପାର ବିବାହ ଉପଲକ୍ଷେ ପୁରୋହିତର ପବିତ୍ର ବେଦ ମନ୍ତ୍ର ଉଚ୍ଚାରିତ ହେଉଛି । ଆଉ ସେ ନିଜେ ପଶୁରାଜ ସିଂହ ନୁହେଁ । ସେ ହେଉଛି ଅଭୟ ଦାସ । ସମାଜର ସମ୍ମାନିତ, କଲେଜର ରିତିବାଦୀ ଅଧ୍ୟାପକ ଅଭୟ ଦାସ । ଆଉ ସେଇ ନଗଦ ବନହରିଣୀ ? ପଶୁରାଜ ସିଂହ ହୋଇ ସେ ଯାହାର କୋମଳ ମାଂସ ଭକ୍ଷଣ କରି ନିଜର କ୍ଷୁଧା ଉପଶମ କଲା, ସେ ହେଉଛି ଅନିମା ଅପା । ତା’ ଗୀତା ଅପାର ସାଥୀ, ସମବୟସ୍କା, ଜ୍ୟେଷ୍ଠା, ମାନନୀୟା ଅନିମା ଅପା ।

 

ସେଇ ମୁହୂର୍ତ୍ତରେ ସେ ଅନ୍ଧାର ଭିତରେ ଅଭୟ ଦୁଇ ଦିନ ପାଇଁ ଘର ଛାଡ଼ି ଚାଲି ଯାଇଥିଲା । ଏପରିକି ଗୀତା ଅପାର ବିଦାୟ ମୁହୂର୍ତ୍ତରେ ଉପସ୍ଥିତ ରହି ତାକୁ ବିଦାୟ ଜଣାଇବାକୁ ଖୁବ୍ ଭୟ ହେଉଥିଲା ତା’ର ।

 

ଅଭୟ ଭାବୁଥିଲା—ସେ କ’ଣ ଏକା ନା ଦିନରେ ଆତଯାତ ହେଉଥିବା ଏମିତି ସମସ୍ତଙ୍କ ମନର ଅରଣ୍ୟ ଭିତରେ ଗୁଡ଼ାଏ କଦର୍ଯ୍ୟ ଅନ୍ଧାର ଜମା ହୋଇ ରହିଛି । ଯାହାର ଆତ୍ମପ୍ରକାଶ ହେଉଛି କେବଳ ଗଭୀର ରାତିର କଳା ଅନ୍ଧାର—କାଳ ଅନ୍ଧାର ଭିତରେ । ପିଲାଦିନେ ମା’ଠାରୁ ଶୁଣିଥିଲା କଳ୍ପିତ କାହାଣୀର ରଜା ପୁଅକୁ ମାଲ୍ୟାଣୀ ଦିନରେ ମେଣ୍ଢା କରି ରାତିରେ ପୁରୁଷ କଲାଭଳି ଅଭୟ ପରି ସମସ୍ତେ କ’ଣ ଦିନ ଆଲୁଅରେ ନିରୀହ ମେଷର ପରିଚୟ ଦେଇ ରାତିରେ ପୁରୁଷ ସିଂହ ସାଜନ୍ତି ? ବଡ଼ ଅଶ୍ୱସ୍ତି ବୋଧ କରୁଥିଲା ଅଭୟ । ତାର ଚିନ୍ତା ଶକ୍ତି କ୍ରମେ ଲୋପ ପାଇବାକୁ ଆରମ୍ଭ କରିଥିଲା ।

 

ଅଭୟ !

 

‘କିଏ ? —ପ୍ରକୃତିସ୍ଥ ହୋଇ ଆଖି ଖୋଲି ଦେଲା ଅଭୟ । ଦେଖିଲା ଅନ୍ଧାର କେତେବେଳୁ ଚାଲି ଯାଇଛି । ତା’ରୁମ୍‍ର ପାୱାରଫୁଲ ମରକ୍ୟୁରି ଲାଇଟର ଉଜ୍ଜ୍ୱଳ ଆଲୁଅ ସାରା ରୁମ୍‍ଟାରେ ବିଛେଇ ହୋଇ ପଡ଼ିଛି । କିନ୍ତୁ, ଅନ୍ଧାର ଭିତରୁ ଫେରି ଆସି ଆଲୁଅରେ କ’ଣ ଦେଖୁଛି ସେ !

 

ଆଗରେ ତା’ର ଅନିମା ଅପା । ସୀମାନ୍ତରେ ସିନ୍ଦୂରଗାର । ମଥାରେ ବଡ଼ ବରକୋଳି ଭଳି ବିରାଟ ସିନ୍ଦୂର ଟୋପା । ଏ କ’ଣ ସେଇ ଅନିମା ଅପା ଯାହାକୁ ସେ କିଛି ସମୟ ପୂର୍ବରୁ ଦୁଇ ବର୍ଷ ତଳର ଅନ୍ଧାର ଭିତରେ ସ୍ଵପ୍ନ ଦେଖୁଥିଲା । ନିରୀହ ଅବୋଧ ଶିଶୁଟି ଭଳି ଜଳ ଜଳ ହୋଇ ଅନିମା ଅପାର ମୁହଁକୁ ଚାହିଁ ରହିଥିଲା ଅଭୟ ।

 

“କି’ରେ କ’ଣ ଚିହ୍ନି ପାରୁନୁ । ମୁଁ ଏକା ନୁହେଁ–ଅଶୋକ ଭାଇ ବି ଆସିଛନ୍ତି ।” ଅଶୋକ ଭାଇ ଆସିଛନ୍ତି । ବାହାରେ କାର୍‍ଟା ପାର୍କିଂ କରୁଛନ୍ତି । ଅଶୋକ ଭାଇ—ଅନିମା ଅପାର ସ୍ୱାମୀ । ଆଇ.ଏ.ଏସ. ଅଶୋକ ପଟ୍ଟନାୟକ । କିଛି ଦିନ ତଳେ ସେ ଖବର କାଗଜରେ ପଢ଼ିଥିଲା–ନୂଆ ଏସ୍. ଡି. ଏମ୍. ହୋଇ ଅଶୋକ ପଟ୍ଟନାୟକ ଆସୁଛନ୍ତି ତାଙ୍କ ସହରକୁ ।

 

ପଛରେ ଅଶୋକ ଭାଇ । ଆଗରେ ଅନିମା ଅପା ଘରେ ବାହାରେ ସବୁଠି ମରକ୍ୟୁରି ବଲ୍‍ବର ଆଲୁଅ । ତଥାପି ଅଭୟ ଦାସ କି ଦେଖି ପାରୁ ନ ଥିଲା । ପାୱାରଫୁଲ ମରକ୍ୟୁରି ଲାଇଟର ଉଜ୍ଜ୍ୱଳ ଆଲୁଅ ଅନିମା ଅପାର ମଥାରେ ଦପ୍ ଦପ୍ ହୋଇ ଜଳି ଉଠୁଥିବା ବିରାଟ ସିନ୍ଦୂର ଟୋପା ତା’ ଆଖିର ଦୃଷ୍ଟିଶକ୍ତି ଲୋପ କରି ତାକୁ ଧୀରେ ଧୀରେ ଅନ୍ଧ କରି, ଦେଉଥିଲା ।

 

ଭୟରେ ଆଖି ବୁଜି ଦେଲା ଅଭୟ । ଏ ଆଲୁଅ ତା’ ପକ୍ଷରେ ଅସହ୍ୟ । ବଡ଼ ଭଲଥିଲା କିଛି ସମୟ ପୂର୍ବର ସେଇ ଅନ୍ଧାର । କଳା କିଟି କିଟି ଅନ୍ଧାର ।

★★★

 

ମାନସୀର ମୃତ୍ୟୁ

 

ସେ ନାଚୁଥିଲା—ତା ନାଚର ସଠିକ ବର୍ଣ୍ଣନା ଦେବା ମୋ ପକ୍ଷରେ ସମ୍ଭବ ନୁହେଁ । କିନ୍ତୁ ସବୁ ଆଧୁନିକ ବାଦ୍ୟଯନ୍ତ୍ରର ସମ୍ମିଳିତ ସ୍ୱରରେ ତାଳ ଦେଇ ଏକ ଅପୂର୍ବ ଛନ୍ଦରେ, ଅପୂର୍ବ ଭଙ୍ଗୀରେ ସେ ନାଚୁଥିଲା ।

 

‘ସେ’ ଅର୍ଥାତ୍ ‘ମାନସୀ’ ।

 

ସ୍ୱପ୍ନପୁରୀର ‘ସ୍ୱପ୍ନ-ମହଲରେ ନୂତନ ସ୍ୱପ୍ନରେ ବିଭୋର ହୋଇ ମାନସୀ ନାଚୁଥିଲା । ମିସ୍ ମିତାଘୋଷ, ବେବୀ ବାନାର୍ଜୀ, ରୀତା ସରକାର ଓ ବୀଣା ହାଲ୍‍ଦାରଙ୍କ ପରି ‘ମାନସୀ’ ବି ନାଚୁଥିଲା । କିନ୍ତୁ ‘ସ୍ୱପ୍ନ-ମହଲର ଦର୍ଶକଙ୍କ ପାଇଁ ତାର ନୃତ୍ୟ ଥିଲା ଅଧିକ ଉପଭୋଗ୍ୟ ଅଧିକ ଆକର୍ଷଣୀୟ ।

 

ସ୍ୱପ୍ନ-ପୁରୀ । ପୁରୀ ସମୁଦ୍ରକୂଳର ବାଲି ଉପରେ ଅକାଶକୁ ଚାହିଁ ଠିଆ ହୋଇଥିବ ! ଆକାଶୀ ରଙ୍ଗର ସେଇ ବିରାଟ ହୋଟେଲର—‘ସ୍ୱପ୍ନପୁରୀ’ ।

 

ହୋଟେଲ୍ ହେଲେ ବି ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୁଏ ଏଇ ସ୍ୱପ୍ନ-ପୁରୀରେ । ସେଦିନ ପାଳିତ ରବୀନ୍ଦ୍ର-ଜୟନ୍ତୀ ଉତ୍ସବକୁ ବହୁ ଦର୍ଶକର ସମାବେଶରେ ସାଫଲ୍ୟ ମଣ୍ଡିତ କରିବା ପାଇଁ ଆୟୋଜିତ ହୋଇଥିଲା ନୃତ୍ୟ-ନାଟିକା ଚିତ୍ରାଙ୍ଗଦା’-। ସେ ଦିନ ନୂଆ ନୁହେଁ, ସ୍ଵପ୍ନ-ପୁରୀରେ ଆୟୋଜିତ ପ୍ରାୟ ପ୍ରତ୍ୟେକ ଫଙ୍କ୍‍ସନରେ ଯୋଗ ଦେଇ ଆସିଛି ‘ମାନସୀ’ । ନୃତ୍ୟ-ଶିଳ୍ପୀ ହିସାବରେ ସେ ଯେଉଁ ଖ୍ୟାତି ଅର୍ଜୁନ କରିଥିଲା, ସେଇ ଖ୍ୟାତି ଓ ସମ୍ମାନ ଯୋଗୁ ସ୍ୱପ୍ନ-ପୁରୀର ସତ୍ତ୍ୱାଧିକାରୀ ମିଷ୍ଟର ଓ ମିସେସ୍ ମୁଖାର୍ଜୀଙ୍କ ବିଶେଷ ନିମନ୍ତ୍ରଣ କ୍ରମେ ସେ ଯୋଗ ଦେଇଥିଲା ସେଇ ସଂଧ୍ୟାର ରବୀନ୍ଦ୍ର ଉତ୍ସବରେ—ଚିତ୍ରାଙ୍ଗଦା ନୃତ୍ୟନାଟକର ‘ଚିତ୍ରାଙ୍ଗଦା’ ଭୂମିକାରେ ଅଂଶ ଗ୍ରହଣ କରି ।

 

ଦୀର୍ଘ ଦୁଇଘଣ୍ଟା ବ୍ୟାପୀ ରବୀନ୍ଦ୍ର-ସାହିତ୍ୟ ଉପରେ ବିଭିନ୍ନ ଆଲୋଚନା ଚାଲିଲା । ବିଭିନ୍ନ ବକ୍ତାଙ୍କର ବହୁ ତତ୍ତ୍ଵପୂର୍ଣ୍ଣ, ବହୁ ତଥ୍ୟପୂର୍ଣ୍ଣ, ଜଟିଳ, ଦୂର୍ବୋଧ୍ୟ ଭାଷଣ ଶୁଣି ସାରିବା ପରେ ଗଭୀର ଆବେଗ ଓ ଉତ୍କଣ୍ଠାରେ ସମସ୍ତେ ଚାହିଁ ରହିଲେ ମଞ୍ଚ ଆଡ଼େ ବିଭିନ୍ନ ରଙ୍ଗବେରଂଗର ଆଲୋକରେ ଏକ ଇନ୍ଦ୍ରଧନୁ ସୃଷ୍ଟି କରି ସମଗ୍ର ମଞ୍ଚ ଉଦ୍‍ଭାସିତ ହୋଇ ଉଠିଲା ଆଲୋକମାଳାରେ-। ନୃତ୍ୟ ଆରମ୍ଭ ହେଲା—ନୃତ୍ୟ ନାଟିକା ‘ଚିତ୍ରାଙ୍ଗଦା’, ମୋ ମନ ଚଞ୍ଚଳ ହେଲା, ଅସ୍ଥିର ହେଲା–ମୋ ମନର ‘ମାନସୀ’ ମୋର ମାନସ-ପ୍ରତିମା ମାନସୀକୁ ଦେଖିବା ପାଇଁ ଅଧିକ ଉତ୍‍କଣ୍ଠିତ ହୋଇପଡ଼ିଲି ମୁଁ ।

 

ମାନସୀ ଆସିଲା । ନୃତ୍ୟ ଆରମ୍ଭରେ, ସଖୀ-ସହଚରୀଙ୍କ ମେଳରେ ନାଚି ନାଚି ଆସିଲା ମାନସୀ, ପରିବେଷିତ ହେଉଥିବା ନୃତ୍ୟନାଟିକାର ‘ଚିତ୍ରାଙ୍ଗଦା’ । ଶିକାରୀବେଶରେ ଚିତ୍ରାଙ୍ଗଦା—‘ଚିତ୍ରାଙ୍ଗଦା’ ଭୂମିକାରେ ମାନସୀ, କି ସୁନ୍ଦର ଦେଖା ଯାଉଥିଲା ! ଇସ୍, କି ସୁନ୍ଦର ବି ନାଚୁଛି । ମାନସୀ ସହିତ ମୋର ଘନିଷ୍ଠତା ଗୋଟାଏ ବର୍ଷର ହେଲେ ବି ସେଇଥର ନୂଆ କରି ମୁଁ ତାର ନାଚ ଦେଖିବାର ସୁଯୋଗ ପାଇଥିଲି ।

 

ସ୍ୱପ-ମହଲର ଦର୍ଶକମଣ୍ଡଳୀ ଉପରେ ସେ ଆଖି ଦି’ଟା ଥରେ ଥରେ ବୁଲେଇ ଆଣିଲି-। ସ୍ୱପ୍ନ-ମହଲର ଦର୍ଶନ—ସମସ୍ତେ ସ୍ୱପ୍ନାବିଷ୍ଟ । ମାନସୀ ନାଚୁଥିଲା—ଗଭୀର ଉତ୍ସାହରେ ଉତ୍ସାହିତ ହୋଇ । ଅପୂର୍ବ ପୁଲକରେ ପୁଲକିତ ହୋଇ ନୂତନ-ସ୍ୱପ୍ନରେ ନିଜକୁ ଅଭିଭୂତ କରି ସେ ନାଚୁଥିଲା–ଆଉ ସ୍ଵପ ମହଲର ସ୍ଵପ୍ନାଭିଭୂତ ପ୍ରତିଟି ଦର୍ଶକ ନୀରବ, ନିଶ୍ଚଳ ଭାରେ ବସିରହି ଅପଲକ ଦୃଷ୍ଟିରେ ତାର ନୃତ୍ୟ—ଉପଭୋଗ କରୁଥିଲେ ।

 

ମାନସୀ ନାଚୁଥିଲା—କ୍ରମେ କ୍ରମେ ଅଧିକ ଜୋରରେ ନାଚିବାକୁ ଲାଗିଲା—ତାର ପାଦ ଦୁଇଟି ଚଞ୍ଚଳ ହୋଇ ଉଠିଲା—ନୂପୁରର ରାଗିଣୀ, ବଭିନ୍ନ ବାଦ୍ୟଯନ୍ତ୍ରର ସମ୍ମିଳିତ ସଙ୍ଗୀତ ଭିତରେ ହଜିଯାଇଥିଲା ତାର ପାଦ ଦିଓଟି ଆଉ ସେ ନିଜେ । ମଞ୍ଚ ଉପରୁ ଅପସରିଗଲେ ଚିତ୍ରାଙ୍ଗଦା—ଦେଖାଦେଲେ ଅର୍ଜୁନ । ରୂପବାନ, ଗୁଣବାନ୍, ସାସ୍ଥ୍ୟବାନ, ସୁଶ୍ରୀ, ସୁନ୍ଦର, ସୌମ୍ୟା ସୁଦର୍ଶନ ଅର୍ଜୁନ । ଶିକାରୀ ଅର୍ଜୁନଙ୍କର ଶିକାରୀ ସଂଧାନୀ ଦୃଷ୍ଟି ଇତସ୍ତତଃ ଘୂରି ବୁଲିଲା ଶିକାରର ସଂଧାନରେ । ମଞ୍ଚ ଉପରେ ପୁଣି ଦେଖାଦେଲେ ଚିତ୍ରାଙ୍ଗଦା ।

 

ଅର୍ଜୁନଙ୍କ ମନରେ ଅପୂର୍ବ ଆନନ୍ଦ—ସେ ଶିକାର ପାଇଛନ୍ତି ।

 

ଚିତ୍ରାଙ୍ଗଦାଙ୍କ ମନରେ ଅଦମ୍ୟ ଆଗ୍ରହ—ସମ୍ମୁଖରେ ତାଙ୍କର ଶିକାର । କିଏ କାହାର ଶିକାର ? ଅର୍ଜୁନ ଚିତ୍ରାଙ୍ଗଦାଙ୍କର ନା ଚିତ୍ରାଙ୍ଗଦା ଅର୍ଜୁନଙ୍କର ? କିଏ ତେବେ ପ୍ରକୃତ ଶିକାରୀ ? ଚିତ୍ରାଙ୍ଗଦା–ନା ଅର୍ଜ୍ଜୁନ ?

 

ଅର୍ଜ୍ଜୁନଙ୍କ ଆଖିର ଶର ବିଦ୍ଧ କଲା ଚିତ୍ରାଙ୍ଗଦାଙ୍କର କୋମଳ ହୃଦୟକୁ ଚିତ୍ରାଙ୍ଗଦାଙ୍କ ଅଖିର ତିର୍ଯ୍ୟକ୍ ଦୃଷ୍ଟିଶରରେ ଆହତ ହେଲେ ଅର୍ଜ୍ଜୁନ—ଉଭୟେ, ଉଭୟଙ୍କର ଶିକାର ହେଲେ । ଚିତ୍ରାଙ୍ଗଦା ଓ ଅର୍ଜ୍ଜୁନ ଉଭୟେ ପରସ୍ପରକୁ ନିଜ ନିଜର ଦୃଢ଼ ପ୍ରଣୟ–ଫାଶରେ ବନ୍ଦୀ କଲେ । ମୁଁ ଦେଖିଲି, ସମସ୍ତେ ପ୍ରସାରିଲ ଦୃଷ୍ଟିରେ ଚାହିଁ ରହିଛନ୍ତି ମଞ୍ଚଆଡ଼େ ଲକ୍ଷ କରୁଛନ୍ତି ଗୋଟିଏ ଦୃଶ୍ୟ କିନ୍ତୁ ମୋର ମନେ ହେଲା, ମୋ ଦୃଷ୍ଟି ଶକ୍ତି ଯେମିତି କ୍ରମେ କ୍ଷୀଣ ହୋଇ ଆସୁଛି—ମୁଁ ଚାହିଁ ପାରୁନି, ଆଉ ମୁଁ କିଛି ଦେଖିପାରୁନି ।

 

ଗୋଟିଏ ବୃତ୍ତାକାର ବନ୍ଧନ ଭିତରେ ନିମଜ୍ଜମାନ ଦୁଇଟି ଦେହ,

ଜଣେ ନାରୀ, ଅପରଟି ପୁରୁଷ

ଜଣେ ଚିତ୍ରାଙ୍ଗଦା ଅନ୍ୟଟି ଅର୍ଜ୍ଜୁନ

 

ଜଣେ ମାନସୀ ମୋ ମନର ମାନସୀ, ଅନ୍ୟ ଜଣକ ସୁଦର୍ଶନ, ତାର ନୃତ୍ୟ ଶିକ୍ଷକ । ଆଉ ଚାହିଁ ପାରିଲିନି । ମୋର ଦୁଇଆଖିପତା ବନ୍ଦକରି କିଏ ଯେପରି ଦି’ କଣ୍ଟାଫୋଡ଼ି ଦେଲା । ମୋର ହାତ, ପାଦ, ଛାଡ଼ି ସବୁଠି ସେଇ ଲୁହାର କଣ୍ଟା ଲଗେଇ କିଏ ଯେପରି ହାତୁଡ଼ିରେ ପିଟୁଥିଲା ଜୋରରେ—ଖୁବ୍ ଜୋରରେ । ଓଃ ! ଅସହ୍ୟ ଯନ୍ତ୍ରଣା ! ମୁଁ କ୍ରୁଶବିଦ୍ଧ-କ୍ଷତବିକ୍ଷତ-ରକ୍ତାକ୍ତ ।

 

ସିଟ୍ ଛାଡ଼ି ଉଠି ଠିଆ ହେଲି । ସ୍ୱପ୍ନ ପୁରୀର ସେ ‘ସ୍ଵପ୍ନ-ମହଲ’ ପରିତ୍ୟାଗ କରି ଚାଲି ଆସିଲି ବାହାରକୁ । ମଞ୍ଚ ଉପରୁ ସେ ଦୃଶ୍ୟର ପରିବର୍ତ୍ତନ ହୋଇ ସାରିବଣି ଅନେକବେଳୁ; କିନ୍ତୁ ମୋ ମନର ମଞ୍ଚ ଉପରେ ବାରମ୍ୱାର ନାଚି ଉଠୁଥିଲା ସେଇ ଗୋଟିଏ ଦୃଶ୍ୟ—ବୃତ୍ତାକାର ବନ୍ଧନୀ ଭିତରେ ନିମଜ୍ଜମାନ ଦୁଇଟି ଦେହ–ଚିତ୍ରାଙ୍ଗଦା ଓ ଅର୍ଜ୍ଜୁନ ମାନସୀ ଓ ସୁଦର୍ଶନ ।

 

ଅର୍ଜ୍ଜୁନଙ୍କ ଦେହରେ ନିଜ ଦେହକୁ ଛନ୍ଦି, ତାଙ୍କରି ବାହୁ ବନ୍ଧନରେ । ନିଜକୁ ବନ୍ଦୀକର ତାଙ୍କରି ଉନ୍ନତ ପ୍ରଶସ୍ତ ବକ୍ଷରେ ନିଜକୁ ଆଶ୍ରୟ ଦେଇଥିଲା ଯେଉଁ ଚିତ୍ରାଙ୍ଗଦା—ସେ ଚିତ୍ରାଙ୍ଗଦା, ସେ ମାନସୀ-ସେ ତ ମୋ ମାନସୀ ନୁହେଁ । ମୋ ମନର ମାନସୀ, ଶାନ୍ତ ସରଳା ଲଜ୍ଜାଶୀଳା ମାନସୀ ଏପରି ଲଜ୍ଜାହୀନ ଭାବରେ, ଶହଶହ ଦର୍ଶକଙ୍କ ଦୃଷ୍ଟି ସାମ୍ନାରେ ନିଜକୁ ଏପରି ବୃତ୍ତାକାର ବନ୍ଧନୀ ଭିତରେ ଯେ ନିମଜ୍ଜମାନ କରିପାରେ, ତା ଓଠର ହସ, ତା ଆଖିର ଚାହାଣୀ ବୃତ୍ତାକର ବନ୍ଧନୀସ୍ଥିତ ମାନସୀର ହସପରି ଏତେ ଉତ୍ତେଜକ କିମ୍ବା ତାର ଚାହାଣୀ ପରି ଏତେ କାମୋଦ୍ଦୀପକ ହୋଇପାରେ, ଏ ବିଶ୍ୱାସ ମୋ ମନକୁ ଆସୁ ନଥିଲା । ସ୍ୱପ୍ନ-ପୁରୀର ସ୍ଵପ୍ନ-ମହଲରେ ମୁଁ ଯେଉଁ ମାନସୀକୁ ଦେଖିଲି । ସେ ଏକ ଭିନ୍ନ ମାନସ । ଶହଶହ । ନୃତ୍ୟ ପ୍ରିୟ ଦର୍ଶକଙ୍କର ପ୍ରିୟ ମାନସୀ; ନୃତ୍ୟଶିଳ୍ପୀ ମାନସୀ; ମୋ ମନର ମାନସୀ ନୁହେଁ । ମାନସୀକୁ ମୁଁ ଭଲ ପାଇଥିଲି, ତା ପ୍ରତି ଆକୃଷ୍ଟ ହୋଇଥିଲି ନୃତ୍ୟକଳାରେ ମୁଗ୍ଧ ହୋଇ ନୁହେଁ, ତାର ସରଳ, ସୁନ୍ଦର, ମଧୁର ଆଳାପ, ଶାନ୍ତ ସଂଯତ, ବ୍ୟବହାର ଓ ଆଚରଣରେ ।

 

ମାନସୀ, ତୁମେ ମୋତେ ନିମନ୍ତ୍ରଣ କରିଥଲ ତୁମର ନାଚ ଦେଖିବାପାଇଁ ଆସିଥିଲ ଦେଖିଲ ଖୁବ୍ ସୁନ୍ଦର ତମେ ନାଚୁଥିଲ । ସବୁରି ମୁହଁରୁ ତୁମର ପ୍ରଶଂସା ଶୁଣିଲି । ଦେଖିଲି ତୁମର ନାଚ, ହେଲେ ଦେଖି ପାରିଲିନି ସେଇ ଗୋଟିଏ ଦୃଶ୍ୟ–ଅର୍ଜୁନ ଭୂମିକାରେ ଅଭିନୟ କରୁଥିବା ନୃତ୍ୟ ଶିକ୍ଷକ ସୁଦର୍ଶନଙ୍କ ବକ୍ଷରେ ନିଜକୁ ଆଶ୍ରୟ ଦେଇଥିବାର ଦୃଶ୍ୟ । ଅବଶ୍ୟ ନୃତ୍ୟନାଟିକାରେ ସେତେବେଳେ ଯୋଗ ଦେଇଥିଲ, ନିର୍ଦ୍ଦେଶକଙ୍କର ନିର୍ଦ୍ଦେଶନାକୁ ଅମାନ୍ୟ କରିବାର ଶକ୍ତି ତମର ନ ଥିଲା । ମୁଁ କିନ୍ତୁ ପାରିଲିନି—ମୋ ମାନସୀକୁ ଏପରି ଦୃଶ୍ୟରେ ଦେଖିବାପାଇଁ ମୁଁ ନିଜକୁ ପ୍ରସ୍ତୁତ କରି ଆସି ନଥିଲି । ତମେ ହୁଏତ କହିପାର ଯେ ଆଧୁନିକ ପରିବେଶରେ ବଢ଼ିବି ମନଟା ମୋର ପ୍ରାଚୀନ, ଅସଂସ୍କୃତ ହୋଇ ରହି ଯାଇଛି । ଆଧୁନିକ ସଭ୍ୟତାର ଆଲୋକରେ ଆଲୋକିତ ହୋଇ ପାରିନି । ତୁମର ଏ ଯୁକ୍ତିକୁ । ମୁଁ ସ୍ୱୀକାର କରି ନେଉଛି ମାନସୀ ।

 

“ତମେ କିନ୍ତୁ ନାଚ ଛାଡ଼ି ଦେଇ ପାରିବ ମାନସୀ ?” ମୋର ଏ ପ୍ରଶ୍ନରେ ତମେ ମୋତେ ପ୍ରଶ୍ନ କରିଥିଲ–କଳାକୁ ଛାଡ଼ି କଳାକାର କେବେ ବଞ୍ଚିପାରେ ? ନୃତ୍ୟ ଛାଡ଼ି ନୃତ୍ୟ-ଶିଳ୍ପୀ କେବେ ରହିପାରେ ? ତମେ ସେଦିନ ଠିକ୍ କହିଥିଲ ମାନସୀ-ମୋ ପ୍ରଶ୍ନର ଠିକ୍ ଉତ୍ତର ଦେଇଥିଲ ତମେ ତ ନର୍ତ୍ତକୀ ନୁହଁ, ନୃତ୍ୟ ତୁମର ବ୍ୟବସାୟ ନୁହେଁ । ତଥାପି ନୃତ୍ୟ-ଶିଳ୍ପୀ ହିସାବରେ ତୁମର ଯେଉଁ ଖ୍ୟାତି ଅଛି । ସେ ଖ୍ୟାତି ସେ ସୁନାମକୁ ଗୋଟାଏ ସାଧାରଣ ପ୍ରେମ ପାଇଁ ତମେ କାହିଁକି ତ୍ୟାଗ କରିଦେବ ? କିଛିଦିନ ତଳେ ତମେ ମୋତେ କହୁଥିଲ ! ପାର୍ବତୀ ଘୋଷ ପ୍ରଯୋଜିତ୍ ଆଗାମୀ ଓଡ଼ିଆ ଚିତ୍ର ‘ଉର୍ମ୍ମି’ରେ ନାଚ ଦେବାପାଇଁ ତୁମକୁ ନିମନ୍ତ୍ରଣ ମିଳିଛି ଆଉ ତୁମେ ତୁମର ସମ୍ମତି ଜଣେଇ ଦେଇଛି ନୃତ୍ୟକୁ ବ୍ୟବସାୟ ରୂପେ ଗ୍ରହଣ କରି ନେଇଛି । ତମେ ନାଚିବ ଏ ଦେଶର ହଜାର ହଜାର ଚିତ୍ରପ୍ରେମ ଜନତା ତୁମକୁ ଅଭିବାଦନ କରିବେ ଅଭିନନ୍ଦନ ଜଣେଇବେ । ତମେ ନାଚ ନାଚ ଭିତରେ ତମେ ବଞ୍ଚି ରୁହ । ଗୋଟିଏ ମନ ଓ ହୃଦୟ ଭିତରେ ନିଜକୁ ଆବଦ୍ଧ ନକରି ତମେ ମୋରି ଭଳି ବଞ୍ଚି ରହି ଶହ ଶହ ନୃତ୍ୟପ୍ରିୟ ଦର୍ଶକଙ୍କର ହୃଦୟ ଭିତରେ । କେବଳ ଗୋଟିଏ ମାନସର ମାନସୀ ନହୋଇ ତମେ ମୋରି ଭଳି ଶହ ଶହ ମାନସଙ୍କର ମାନସୀ ହୁଅ । ମୁଁ ତୁମକୁ ଭଲପାଏ ମାନସୀ, । ମୁଁ ତୁମର ଉଜ୍ଜ୍ୱଳ ଭବିଷ୍ୟତ୍ କାମନା କରୁଛି । ତମେ ନାଚ, ଆହୁରି ଭଲ ଭାବରେ ନାଚ—ହେଲେ ତମେ ନାଚିଲାବେଲେ ଶହ ଶହ ଦର୍ଶକଙ୍କ ମେଳରେ ବସି ତୁମକୁ ନର୍ତ୍ତକୀ ବେଶରେ ମୁଁ ଦେଖିପାରୁନି । ମୁଁ ଯେଉଁ ମାନସୀକୁ ଭଲ ପାଉଥିଲି ସେ ମାନସୀ ଆଜି ହଜି ଯାଇଛି । ମାନସୀ ! ଯେଉଁ ରୂପରେ ତମେ ଦିନେ ମୋ ମନକୁ ଅଧିକାର କରିଥିଲ, ସେ ରୂପ ତ ମୁଁ ଆଜି ଦେଖିଲିନି, ଦେଖିଲି ତୁମର ଭିନ୍ନ ରୂପ ତୁମର ନୂଆ ରୂପ, ଆଉ ଏକ ନୂଆ ମାନସୀକୁ । କିନ୍ତୁ ତୁମକୁ ଏ ଭିନ୍ନ ରୂପରେ ମୋ ମନ ଭିତରେ ସ୍ଥାନ ଦେଇ ପାରୁନି । ମୋତେ କ୍ଷମା କର ମାନସୀ-ମୋତେ କ୍ଷମା କର ।

 

X X X

 

ନା–ମୁଁ ହୁଏତ ଭୁଲ କରୁଥିଲି । ମୋ ମିନିଅପା ସହିତ ମାନସୀକୁ ତୁଳନା କରି ମୁଁ ଭୁଲ କରୁ ନ ଥିଲି ତ ଆଉ କ’ଣ ? ମୋ ମିନିଅପା କି ସୁନ୍ଦର ସେ ନାଚୁ ନ ଥିଲା ! ଓଡ଼ିଶୀ ନୃତ୍ୟରେ ସାରା ଓଡ଼ିଶାରେ ଦିନେ ସେ ଚହଳ ସୃଷ୍ଟି କରିଥିଲା । କିନ୍ତୁ କ’ଣ କଲା ? ସାମାନ୍ୟ ପ୍ରେମ ପାଇଁ ତାର ଏତେବଡ଼ ସମ୍ମାନ ଓ ସୁନାମକୁ ନିଜ ହାତରେ ନଷ୍ଟ କରି ଦେଲା । ମିହିର ଭାଇଙ୍କ ସେଣ୍ଟିମେଣ୍ଟରେ ଆଘାତ ଦେବ ନାହିଁ ବୋଲି ନାଚ ଛାଡ଼ିଦେଲା ସରକାରୀ ବୃତ୍ତିକୁ ପ୍ରତ୍ୟାଖାନ କରିଦେଲା ବିଶ୍ୱ ବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରୀ ହାସଲ କରି ବି ସେ ଆଧୁନିକା ହୋଇ ପାରିଲାନି । ଆଧୁନିକ ସଭ୍ୟତା ସହିତ ପାଦ ମିଳେଇ ଚାଲି ପାରିଲାନି । ମୋ ମାନସୀ କିନ୍ତୁ ଆଧୁନିକା ସେ ଅପ୍ଟୁଡେଟ୍ । ପୁରାଣବର୍ଣ୍ଣିତ କେଉଁ ସତୀ-ସାବିତ୍ରୀ ଯୁଗର ଏଇ ମିନିଅପା ପରି ସେ ତାର ମାନସ ପାଇଁ ନିଜର ଅସାମାନ୍ୟ ପ୍ରତିଭାକୁ ନଷ୍ଟ କରିଦେବ କାହିଁକି ? ସେ ନାଚୁଛି-ନାଚିବ । ବିଖ୍ୟାତ ନୃତ୍ୟଶିଳ୍ପୀ ହିସାବରେ ଖ୍ୟାତି ଅର୍ଜ୍ଜନ କରିବ । ମୋ ମନ କିନ୍ତୁ ତାକୁ ଗ୍ରହଣ କରିପାରୁ ନ ଥିଲା ମୋ ମନ ଭିତରେ ଜମି ରହିଥିଲା କେଉଁ ପୁରୁଣା କାଳର ଅଳନ୍ଧୁ ।

 

ମୁଁ ଫେରି ଆସିଲି ।

 

ସ୍ୱପ୍ନ ମହଲର ବାହାରକୁ ଆସି ସ୍ୱପ୍ନ ପୁରୀ ସାମନାରେ ଠିଆ ହୋଇ ସମୁଦ୍ରକୁ । ମୁଁ ଚାହିଁ ରହିଥିଲି ଶୂନ୍ୟ ଦୃଷ୍ଟିରେ ।

 

ନୂପୁରର ଶବ୍ଦ ଭିତରେ ମାନସୀର ପଦଧ୍ୱନି ଆସି କାନରେ ବାଜୁଥିଲା ।

 

ବିଭିନ୍ନ ବାଦ୍ୟଯନ୍ତ୍ର ନିଃସୃତ ସଙ୍ଗୀତର ଲହର ଭାସି ଆସୁଥିଲା ଚିତ୍ରାଙ୍ଗଦା ଓ ଅର୍ଜ୍ଜୁନ ଦୁଇ ଶିକାରୀଙ୍କ ପୃଷ୍ଠସ୍ଥିତି ତୂଣୀରୁ ଦୁଇଟି ତୀର ଆସି ମୋ ଛାତିରେ ଗଳି ଯାଉଥିଲା ଆଉ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ମୁଁ ସେ ତୀର ଦୁଇଟିକୁ ମୋ ଛାତିରୁ ଭିଡ଼ି ବାହାର କରିବାର ଚେଷ୍ଟା କରୁଥିଲି ।

★★★

 

ଲୁହର ସଂଳାପ

 

ରଂଜିତା ଚିଠି ଲେଖିଛି ପୁରୀରୁ । ଆଜିର ଡାକରେ ଆସିଥିବା ଏକାଧିକ ଚିଠି ଭିତରେ ହଠାତ୍ ଖଣ୍ଡିଏ ସାଦା ଲଫାଫା ଉପରେ ରଞ୍ଜିତାର ହସ୍ତାକ୍ଷର ଦେଖି ମୁଁ ଅତିମାତ୍ରାରେ ଆଶ୍ଚର୍ଯ୍ୟ ହୋଇଗଲି । ରଞ୍ଜିତାର ହସ୍ତାକ୍ଷର ସହିତ ମୋର ପରିଚୟ ଅତି ନିବିଡ଼ । ବର୍ଷକ ତଳେ ସେ ଥିଲା ମୋର ଛାତ୍ରୀ । ମାତ୍ର ଛାତ୍ରୀ ଥିଲାବେଳେ ଯାହା ପାଖକୁ ବହୁବାର ଚିଠି ଲେଖି, କୌଣସି ଖଣ୍ଡିଏ ହେଲେ ଚିଠିର ଉତ୍ତର ପାଇ ନଥିଲି, ସେଇ ଆତ୍ମାଭିମାନିନୀ ରଞ୍ଜିତା, ତା ବିବାହର ଗୋଟିଏ ବର୍ଷ ନ ପୁରୁଣୁ ମୋ ପାଖକୁ ଚିଠି ଲେଖିଛି । ମନରେ ଯେତିକି ଆନନ୍ଦ, ସେତିକି ବିସ୍ମୟ । ଅହେତୁକ ଆନନ୍ଦ ଓ ଅଜଣା ଆଶଙ୍କା ଭିତରେ ଲଫାଫଟିକୁ ଖୋଲିଲି ।

 

ରଞ୍ଜିତା ଲେଖିଛି । କୌଣସି କଥା ଲୁଚେଇବାକୁ ଚେଷ୍ଟା ନକରି ଅତି ସ୍ପଷ୍ଟ ଭାବରେ ସବୁ କଥା ସେ ଚିଠିରେ ଲେଖି ଦେଇଛି । ଚିଠି ତ ନୁହେଁ—ଲେଖନୀ ମୂନରେ ତା ଆଖିର ଅସରନ୍ତି ଲୁହକୁ ଟୋପା ଟୋପା କରି କେଇ ଖଣ୍ଡ କାଗଜରେ ସେ ସଜେଇ ଥୋଇଦେଇଛି । ସେଇ ଲୁହରୁ କେଇଟୋପା...

 

ଦୂରରୁ ସମୁଦ୍ରର ସୌନ୍ଦର୍ଯ୍ୟ ଦେଖି ମୁଁ ମୁଗ୍‍ଧ ହୋଇଥିଲା । ଆଉ ମନ ସେଇ ସଲ ସମ୍ଭ ଦୁର ଅଭଲ ଗର୍ଭରେ ବୁଡିରହେ ମୁକ୍ତ ସଂଗ୍ରହ ପାଇଁ ମୋ ମନରେ ପ୍ରବଳ ଆଗ୍ରହ ଜନ୍ମିଲା–ଯାହା ଫଳରେ ଦିନେ ହଠାତ୍ ସେଇ ବିଶାଳ ସମୁଦ୍ର ବକ୍ଷରେ ନିଜକୁ ସମ୍ପୂର୍ଣ୍ଣରୂପେ ସମର୍ପି ଦେଲି । କିନ୍ତୁ କାହିଁ ମୋର ଆକାଂକ୍ଷିତ ମୁକ୍ତା ! ମୋର ବହୁ ଆଶା ଓ ସ୍ଵପ୍ନର ରତ୍ନଭଣ୍ଡାର ! ମୁକ୍ତା ସଂଗ୍ରହ କରିବାକୁ ଆସି ପ୍ରତି ମୁହୂର୍ତ୍ତରେ ମୁଁ ଏଠି ଅନୁଭବ କରୁଛି ବିଷାକ୍ତ ସର୍ପର ତୀବ୍ର ଦଂଶନ ! ମୁକ୍ତି କାହିଁ-? ମୁକ୍ତି ବି ତ ମୁଁ କାମନା କରି ନ ଥିଲି । ମୁଁ ଚାହିଁ ଥିଲି ସମୁଦ୍ରର ଦୃଢ଼ ବନ୍ଧନ । ତାର ସ୍ନେହ, ପ୍ରେମ ଓ ଆଲିଙ୍ଗନ । କିନ୍ତୁ ଅନ୍ୟକୁ ନିଜ ବକ୍ଷରେ ସବୁଦିନ ବାନ୍ଧି ରଖିବା ସମୁଦ୍ରର ଧର୍ମ ନୁହେଁ । ମୋତେ ତେଣୁ ନିଜ ବକ୍ଷରୁ ରତ୍ନର ସଂଧାନ ଦେବା ପରିବର୍ତ୍ତେ ମୋ ଜୀବନର ବହୁ ତପସ୍ୟା ସିଦ୍ଧି, ବହୁ କଷ୍ଟ ସଞ୍ଚିତ ରତ୍ନକୁ ଅପହରଣ କର ଏକାନ୍ତ ନିଃସ୍ୱ କର ମୋତେ ନେଇ “କୂଳରେ ଫିଙ୍ଗି ଦେବାପାଇଁ ସମୁଦ୍ର ଆଜି ବ୍ୟସ୍ତ ଓ ବ୍ୟାକୁଳ । ଏଥର ମୁଁ ଶଙ୍କିତ ଚିତ୍ତରେ ସବୁବେଳେ କେବଳ ସେଇ ଦିନର ଅପେକ୍ଷା କରୁଛି, ଯେଉଁଦିନ ଅତି ନିଷ୍ଠୁର ଭାବରେ ସମୁଦ୍ର ନେଇ ମୋତେ କୂଳରେ ଫିଙ୍ଗି ଦେଇ ଆସିବ, ଏବଂ ମୋର ମୃତ ଦେହକୁ ଦେଖିବା ପାଇଁ ସେଇ କୂଳରେ ଅନେକ କୌତୁହଳୀ ଦୃଷ୍ଟିର ଭିଡ଼ ଜମିବ...

 

ଡାକ୍ତର ଶୁଭାଂଜନକୁ ବିବାହ କରି ରଂଜିତା ସୁଖୀ ହୋଇ ପାରିନି । ସେ ଆବିଷ୍କାର କରିଛି—ଶୁଭାଂଜନର, ବିଶାଳ ସମୁଦ୍ର ସମୁଦ୍ର କେବଳ ଗୋଟିଏ ରଂଜିତା ପାଇଁ ନୁହେଁ, ଏହା ପୂର୍ବରୁ ବହୁ ରଂଜିତାଙ୍କ ପାଦ ଚିହ୍ନର, ସ୍ୱାକ୍ଷର ସେ ସମୁଦ୍ରର ବେଳାଭୂଇଁରେ ଅଙ୍କିତ ହୋଇ ରହିଛି ଏବଂ ଏବେ ବି ବହୁ ରଂଜିତାଙ୍କୁ ନିଜ କକ୍ଷରେ ଆଶ୍ରୟ ଦେଇ ପୁଣି ସେମାନଙ୍କୁ କୂଳରେ ଫିଙ୍ଗି ଦେବା ଲାଗି ବିଶାଳ ସମୁଦ୍ର ଅପେକ୍ଷା କରିଛି । ସେଠାରେ ଗୋଟିଏ ରଂଜିତାକୁ ଚିରକାଳ ଆଶ୍ରୟ ଦେବାର ଯୁକ୍ତି ମୂଲ୍ୟହୀନ ଓ ଅବାନ୍ତର ।

 

କିନ୍ତୁ, ଏ ସତ୍ୟତାର ଉଦ୍‍ଘାଟନ ହୋଇଛି ବହୁ ବିଳମ୍ବରେ । ଡାକ୍ତର ସ୍ୱାମୀର ଧନ ଓ ଶୁଭାଂଜନର ଅପରୂପ ରୂପ ଯୌବନ ସେଦିନ କେବଳ ରଞ୍ଜିତା ଆଖିରେ ଯେ ସ୍ୱପ୍ନର ଅଞ୍ଜନ ବୋଳି ଦେଇଥିଲା ତା ନୁହେଁ , ଶୁଭାଂଜନର ପ୍ରତିଷ୍ଠିତ ପରିବାର ସହିତ ସମ୍ପର୍କ ସ୍ଥାପନ କରି ଅଧିକ ପ୍ରତିଷ୍ଠା ଲାଭ କରିବା ପାଇଁ ରଞ୍ଜିତାର ପରିବାର ବର୍ଗ ସେଦିନ ବ୍ୟସ୍ତ ଓ ବ୍ୟାକୁଳ ହୋଇ ପଡ଼ିଥିଲେ-। ରଂଜିତାର ଭବିଷ୍ୟତ୍ ସମ୍ପର୍କରେ ଚିନ୍ତା କରି ମୋ ମନ କିନ୍ତୁ ଅଜଣା ଆଶଙ୍କାରେ ଶିହରି ଉଠିଥିଲା । ମନର ସବୁ ଆଶଙ୍କାକୁ ଅପ୍ରକାଶ୍ୟ ରଖି ମୁଁ କିନ୍ତୁ, ବିବାହ ଉତ୍ସବରେ ଯୋଗ ଦେଇ ବନ୍ଧୁ ଶୁଭାଂଜନକୁ ଶୁଭେଚ୍ଛା ଜଣାଇଥିଲି—ହସି ହସି ଛାତ୍ରୀ ରଂଜିତାର କଲ୍ୟାଣ କାମନା କରିଥିଲି !

 

ରଂଜିତା ମୋର ଛାତ୍ରୀ । ଶୁଭାଂଜନ ମୋର ବନ୍ଧୁ । ତେଣୁ ନିଜର ବନ୍ଧୁ ସମ୍ପର୍କରେ (ସତ୍ୟ ହେଲେ ବି) ପ୍ରତିକୂଳ ମନ୍ତବ୍ୟ ପ୍ରକାଶ କରି ଶୁଭାଂଜନ, ରଂଜିତା କିମ୍ବା ରଂଜିତାର ପରିବାରର କାହାରି ମନରେ ମୋ ପ୍ରତି ଏକ ଭିନ୍ନ ଧାରଣା ସୃଷ୍ଟି କରିବାକୁ ମୁଁ ଚାହିଁ ନ ଥିଲି । ତେଣୁ ମୋ ମନର ସମସ୍ତ ଦୁର୍ବଳତା, ବ୍ୟଥା ଓ ବେଦନାକୁ ସେଇ ମନ ଭିତରେ ଚାପି ରଖିବାର ପ୍ରୟାସ କରି, ଏକରକମ ସଫଳ ହୋଇଥିଲି ।

 

ମାତ୍ର ଆଜି ? ଆଜି ରଂଜିତାର ମାନସିକ ଦୁର୍ଦ୍ଦଶା ପାଇଁ ଦାୟୀ କିଏ ? ରଂଜିତା ? ତାର ପିତାମାତା ? ବନ୍ଧୁ ଶୁଭାଂଜନ ? ନା ମୁଁ ନିଜେ—ରଂଜିତାର ସୁଖ ସମୃଦ୍ଧି କାମନା କରୁଥିବା ତାର ଶୁଭାକାଂକ୍ଷୀ ଶିକ୍ଷକ ??? ମୋତେ ହୁଏତ ସେ ଭୁଲ୍‍ ବୁଝିଥାଆନ୍ତା । ମାତ୍ର ନିଜର ସମ୍ମାନରେ ଆଘାତ ଆସିବ ବୋଲି ପ୍ରକୃତ ‘ସତ୍ୟ’କୁ ଗୋପନ ରଖି ମୁଁ କ’ଣ ରଂଜିତା ପ୍ରତି ପ୍ରକୃତ ଶୁଭକାଂକ୍ଷୀ ଶିକ୍ଷକର କର୍ତ୍ତବ୍ୟ କରିପାରିଛ ? ଆଜି ରଂଜିତା ଆଖିର ଲୁହ ପାଇଁ କ’ଣ ମୁଁ ନିଜେ ଦାୟୀ ନୁହେଁ ?

 

ଖାଲି ଚିଠି ନୁହେଁ। ଚିଠି ସହିତ ଅନେକ କବିତା ଲେଖି ପଠେଇଛି ରଂଜିତା । ଅଶ୍ରୁର କବିତା । ନୂଆ କରି କବିତା ଲେଖିବାବେଳେ ଯେଉଁ ରଂଜିତା ଦିନେ ଯୁକ୍ତି କରିଥିଲା—’କବିତା’କୁ ନେଇ ବଞ୍ଚି ହୁଏନା ସାର୍‍ । କବିତା ଲେଖି କବି ହେବାର ଅଭିଳାଷ ମୋର ନାହିଁ । କବିତା ମୋର ‘ଜୀବନ’ ନୁହେଁ—ମୋ ଜୀବନରେ କବିତା ଲେଖିବା ଏକ ସଉକ, ଏକ ବିଳାସିତା—ସେଇ ରଂଜିତା ତା ଆଜି ‘କବିତା’କୁ ତାର ଜୀବନ କରି ନେଇଛି । ଆଜି କବିତା ତା ପାଇଁ ହୋଇଛି—ହୃଦୟର ଅବ୍ୟକ୍ତ ଦୁଃଖ ଓ ଅସହ୍ୟ ଜ୍ୱାଳା, ଯନ୍ତ୍ରଣାରୁ ମୁକ୍ତି ପାଇବାର ଜୀବନ୍ତ ପ୍ରତୀକ ।

 

ତା ଚିଠିର ଶେଷ ପରିଚ୍ଛେଦ–

 

“ମୋ ସ୍ୱାମୀ ଅପଣଙ୍କର ବନ୍ଧୁ । ମୁଁ ଆପଣଙ୍କର ଛାତ୍ରୀ । ଆପଣ ମୋର ଶିକ୍ଷକ । ସାର୍–ମୋର ପୂର୍ବଜନ୍ମର ପ୍ରତଟି କବିତାକୁ ଆପଣ ହିଁ ପ୍ରଥମେ ସଂଶୋଧନ କରି ଦେଉଥିଲେ । ଆଜି ମୋଇ ଏ ନୂଆ ଜୀବନର ଛନ୍ଦହୀନ କବିତାକୁ ଆପଣ ପୁଣି ଥରେ ସଂଶୋଧନ କରି ତାକୁ ସରସ, ସୁନ୍ଦର ଓ ଉପଭୋଗ୍ୟ କରି ଦେଇ ପାରିବେ ନାହିଁ ?

 

ରଂଜିତା ମୋଠାରୁ ଉତ୍ତର ଚାହିଛି । ତା ପ୍ରଶ୍ନର ଉତ୍ତର ଚିନ୍ତା କରିବା ପୂର୍ବରୁ ଚିଠି ଭିତରୁ ତା ଆଖିର ଲୁହ ମୋ ଆଖିକୁ ସଂକ୍ରମିତ ହୋଇ ମୋତେ ଧୀରେ ଧୀରେ ଅନ୍ଧ କରି ଦେଇଛି-

 

ଏତିକିରେ ବନ୍ଧର ଲେଖନୀ ବନ୍ଦ ହୋଇଯାଇଛି । ମୋର ତ୍ରେମାସିକ ‘ସୁରଭି’ର ବିଶେଷାଙ୍କ ପାଇଁ ଗାଳ୍ପିକ ବନ୍ଧୁ ମାନସଠାରୁ ମୁଁ ଗୋଟିଏ ଗଳ୍ପ ଚାହିଁଥିଲି । ମାତ୍ର ମୋତେ ରଂଜିତା ପ୍ରଶ୍ନର ଉତ୍ତର ଦେଇ ତା ଗଳ୍ପରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଅନୁରୋଧ କରି ମାନସ ତାର ଲେଖନୀ ବନ୍ଦ କରି ଦେଇଛି ।

 

କି ଉତ୍ତର ବା ମୁଁ ଦେବି ? କଣ ବା ହୋଇପାରେ ଏ ଗଳ୍ପର ପରିଣତି ? ସେ ସମ୍ପର୍କରେ କିଛି ଚିନ୍ତା କରିବା ପୂର୍ବରୁ ବନ୍ଧୁ ମାନସ ଓ ତାର ଛାତ୍ରୀ ରଂଜିତା ଆଖିର ଲୁହ ହଠାତ୍ ମୋ ହୃଦରେ ବ୍ୟଥା ଓ ବେଦନାର ଝଙ୍କାର ତୋଳୁଛି । ଲୁହ ବୋଧହୁଏ ଏକ ସଂକ୍ରାମକ ରୋଗ । ବନ୍ଧୁର ଅନୁରୋଧ ରକ୍ଷା କରି ସମ୍ପାଦକର କର୍ତ୍ତବ୍ୟ ସମ୍ପାଦନ କରିବା ପୁର୍ବରୁ ସେଇ ସଂକ୍ରାମକ ରୋଗରେ ପଡ଼ି ଅସହ୍ୟ ଯନ୍ତ୍ରଣାରେ ମୁଁ ଖାଲି ଅସ୍ଥିର ହେଉଛି । ପଥ ଖୋଜୁଛି ।

 

ପଥ କାହିଁ ? ମୁକ୍ତି ଖୋଜୁଛି ? କାହିଁ ଏ ଜ୍ୱଳାର ମୁକ୍ତି ?

★★★

 

ନଦୀ ସାଳଂଦୀ: ମାସ ଶ୍ରାବଣ

 

ଏଇ ଗଲା ଫଗୁଣର ହୋରି ବେଳେ ‘ଭଦ୍ରକ’ ମୋ ଦେହରେ ରଂଗ ବୋଳି ଦେଇଗଲା-। କହିଲା:ଆମ ସାଳଂଦୀ ପାଣିରେ ବି ଏ ରଂଗ ଲିଭିବ ନାହିଁ । ଏ ହେଉଛି ଅସଲି ରଂଗ । ସବୁ ଦିନ ପାଇଁ ଅଲିଭାହୋଇ ରହିଯିବ ।

 

ସେଇ ରଂଗୀନ ଦେହରେ ମୁଁ ଯାଇ ସାଳଂନ୍ଦୀ ବାଲିରେ ବସିଲି । ଉଜ୍ଜ୍ୱଳ ଖରାରେ ସେ ରଂଗ ଆହୁରି ଉଜ୍ଜ୍ୱଳ ଦିଶିଲା । ମନେ ମନେ ମୁଁ ଆତ୍ମସନ୍ତୋଷ ଅନୁଭବ କଲି ।

 

କିଂତୁ ଏ କ’ଣ ! ହଠାତ୍ ଆସିଲା ବର୍ଷା ! ଜଳଶୂନ୍ୟ ସାଳଂନ୍ଦୀ ପୂର୍ଣ୍ଣଗଭା ହୋଇ ତା’ର ଜଳରେ ମୋ ଦେହର ସବୁ ରଂଗକୁ ଧୋଇନେଲା । ହସି ହସି କହିଦେଇ ଗଲା—ନକଲି ରଂଗ ଇଏ । ଏ ରଂଗ ରହିବ ନାହିଁ ।

 

ବିସ୍ମୟରେ ମୁଁ ସାଳଂଦୀକୁ ଚାହିଁଲି । ହସି ହସି ସାଳଂଦୀ କିନ୍ତୁ ବହି ଚାଲିଥିଲା ଆଗକୁ–ଆଗକୁ । ଅନୁଭବ କଲି, ମୋ ଆଖିରେ ଜମିଥିବା ବର୍ଷା ସବୁ ତଳକୁ ଡେଇଁ ସାଳଂଦୀରେ ମିଶି ବହିଯିବା ପାଇଁ ଅସ୍ଥିର ହେଉଛନ୍ତି ।

★★★

 

ଶେଷ ସଙ୍ଗୀତ

 

ନା

ଏଥର ମୁଁ ଆଉ ସାଳନ୍ଦୀ କୂଳରେ ବସିବି ନାହିଁ ।

ସାଳନ୍ଦୀର କଥା ଶୁଣିବି ନାହିଁ ।

ସାଳନ୍ଦୀର କଥା କହିବି ନାହିଁ କି ସାଳନ୍ଦୀର ଗୀତ ଗାଇବି ନାହି ।

ଅବଶ୍ୟ ବାରମ୍ବାର ‘ସାଳନ୍ଦୀ’ର କଥା କହି ମୋର ବନ୍ଧୁମାନଙ୍କ ଦ୍ୱାରା ଉପହାସିତ ଓ ସମାଲୋଚିତା ହେଲି ଏଥିପାଇଁ ନୁହେଁ । କାରଣ ବନ୍ଧୁମାନଙ୍କର ବ୍ୟଙ୍ଗ ବିଦ୍ରୂପ ସତ୍ତ୍ୱେ ବି ମୁଁ ସାଳନ୍ଦୀ କୂଳକୁ ଯାଇଛି । ଲୁଚିଛପି ସାଳନ୍ଦୀ ସହିତ କଥା ହୋଇଛି । ସାଳନ୍ଦୀର ଗୀତ ଶୁଣି ସବୁ କିଛି ଭୁଲିଛି-। କିନ୍ତୁ ଯେଉଁଦିନ ନିଜ ଜନ୍ମର ସାର୍ଥକତା ଓ ଅଧିକ ପ୍ରତିଷ୍ଠା ଆଶାରେ ସାଳନ୍ଦୀ ନିଜକୁ ସମୁଦ୍ରରେ ମିଶେଇ ଦେଲା ସେଦିନ ମୁଁ ଆଖିରୁ କେଇବୁନ୍ଦା ଲୁହ ଢାଳି ବି ଅନେକ ଖୁସି ହୋଇଥିଲି । କାରଣ ମୁଁ ବି ସମୁଦ୍ର କୂଳର ଅଧିବାସୀ । ତେଣୁ ସାଳନ୍ଦୀ ସମୁଦ୍ରରେ ମିଶିଲେ ନିଇତି ସକାଳେ ସନ୍ଧ୍ୟାରେ ସମୁଦ୍ର ବେଳାରେ ବସି ସାଳଂଦୀକୁ ଦେଖିହେବ । ସାଳଂଦୀ ସହିତ କଥା ହେବାର ସୁଯୋଗ ମିଳିବ-

କିନ୍ତୁ ମୋ ‘ଆଖିର ଲୁହ’ ମୋ ପାଇଁ ସତ ହେଲା । ମନର ସବୁ ଆନନ୍ଦ ସମୁଦ୍ରର ଢେଉ ଭଳି ନିମିଷେକ ମନର ବେଳା ଭୂଇଁରେ କୁଆଡ଼େ ମିଳେଇ ଗଲା । ସମୁଦ୍ର ଭିତରେ ସାଳଂଦୀକୁ ମୁଁ ଆଉ ଖୋଜି ପାଇଲି ନାହିଁ । ସମୁଦ୍ର କୂଳରେ ମୋତେ ଦେଖି ସେ ନ ଦେଖିବାର ଅଭନିୟ କଲା । ଦେଖି ବି ଚିହ୍ନିଲା ନାହିଁ ।

ସମୁଦ୍ରକୁ ମୁଁ ମୋ ସାଳଂଦୀର ପରିବର୍ତ୍ତନର କାରଣ ଜିଜ୍ଞାସ କଲି । ରାଗରେ ସମୁଦ୍ର ଗର୍ଜନ କରି ମୋ ଆଡ଼କୁ ମାଡ଼ି ଆସିଲା । ଭୀଷଣ ଭୟ, ଅସହ୍ୟ ଦୁଃଖ, ଅପମାନ ଅଭିମାନର ଆଘାତରେ ସମୁଦ୍ର କୂଳରୁ ମୁଁ ଦଉଡ଼ି ପଳେଇ ଆସିଲି ।

ଫେରିବାବେଳେ ହାତରେ ସମୁଦ୍ରର ପାଣି ଆଞ୍ଜୁଳାଏ ନେଇ ‘ସାଳନ୍ଦୀ’କୁ ପୁଣି କେତେ ଖୋଜିଲି । କିନ୍ତୁ ହାୟ । କେତେ ତିକ୍ତ କେତେ ଲବଣାକ୍ତ ଏ ସମୁଦ୍ରର ଜଳ । ଅଥଚ ସାଳଂଦୀର ପାଣି କେତେ ମଧୁର ।

କେତେ ଚଞ୍ଚଳ ସାଳନ୍ଦୀ ସତରେ ବଦଳିଗଲା । ସମୁଦ୍ର ଭିତରେ ନିଜର ଅସ୍ତିତ୍ୱ ଟିକକ ହଜେଇ ଦେଲା ସାଳଂଦୀର ଗୀତ ଶୁଣିବାକୁ ଯାଇ ମୁଁ ଖାଲି ସମୁଦ୍ର ଢେଉର ଗର୍ଜନ ଶୁଣିଲି । ସାଳଂଦୀର ଜଳର ମଧୁରତା ଆସ୍ୱାଦନ କରିବାକୁ ଯାଇ ସମୁଦ୍ରର ଲୁଣିଜଳ, ପିଇ ମୁଁ ବାନ୍ତି କଲି ।

ତେଣୁ ସାଳନ୍ଦୀର କଥା ଆଉ ଶୁଣିବି ନାହିଁ ।

ସାଳଂନ୍ଦୀର କଥା ଆଉ କହିବି ନାହିଁ ।

ସାଳଂଦୀର ଗୀତ ଗାଇବି ନାହିଁ ।

ଏ ମୋର ଶେଷ କଥା ଶେଷ ସଙ୍ଗୀତ ସାଳଂଦୀ ପାଇଁ ।

★★★

 

ଘର

 

ଘରର ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଯାଇଛି ।

 

ନିକଟସ୍ଥ ମଠରେ ଥିବା ସାଧୁ ସନ୍ନ୍ୟାସୀମାନେ ଆସି ଗୋଟିଏ ରାତ୍ରି ସଂକୀର୍ତ୍ତନ କରିଦେଲେ ଯାଇଛନ୍ତି । ଶାସ୍ତ୍ରୀୟ ବିଧି ବିଧାନ ମତେ ଘରଟି ଶୁଦ୍ଧ ଓ ପବିତ୍ର ହୋଇଯାଇଛି ।

 

ଆଜି ଗୃହ ପ୍ରବେଶ ।

 

କୁଳ ପୁରୋହିତଙ୍କର ପରାମର୍ଶ ଅନୁଯାୟୀ ଉପଯୁକ୍ତ ତିଥି, ବାର ଓ ବେଳା ଦେଖି ନିଶିକାନ୍ତ ଆଜି ତାଙ୍କର ନୂଆ ଘରେ ପାଦ ଦେବାକୁ ଆସିଛନ୍ତି । ଜୀବନର ଅର୍ଦ୍ଧାଧିକ ସମୟ ଭଡ଼ାଘରେ ବିତେଇ ଦେବା ପରେ ଚାକିରି ଜୀବନରୁ ଅବ୍ୟାହତ ନେବାର ମାସ ଦୁଇଟି ବର୍ଷ ପୂର୍ବରୁ ଯାହାହେଉ ସେ ଆଜି ଘରଭଳି ଘର ଖଣ୍ଡିଏ ତୋଳି ପାରିଛନ୍ତି । ଏଥର ତାଙ୍କ ନିଜଘରେ ସେ ରହିବେ । ନିଜର ଇଚ୍ଛା ମୁତାବକ ସେ ଏଠି ଚଳିବେ । ଅନ୍ୟର ମର୍ଜି ଉପରେ ତାଙ୍କୁ ନର୍ଭର କରିବାକୁ ପଡ଼ିବ ନାହିଁ । ମାସ ଶେଷରେ ଭଡ଼ା ଦେବାରେ ଟିକିଏ ବିଲମ୍ୱ ହୋଇଗଲେ ଅଥବା କୌଣସି ଅସୁବିଧା ବଶତଃ ଦୁଇମାସର ଭଡ଼ା ବାକି ରହିଗଲେ ଗୃହ ମାଲିକ ମାଲିକାଣୀଙ୍କଠାରୁ ଯେଭଳି ଅପମାନ ଓ ଅସମ୍ମାନ ଜନକ କଥା ତାଙ୍କୁ ଶୁଣିବାକୁ ହେଉଥିଲା, ଏଠାରେ ତାହା ଆଉ ତା କୁ ଶୁଣିବାକୁ ପଡ଼ିବ ନାହିଁ । ଭଲ ଘର ଖଣ୍ଡିଏ ନାହିଁ ବୋଲି ସାଙ୍ଗସାଥୀଙ୍କ ଆଗରେ ତାଙ୍କ ବଡ଼ପୁଅର ଆଉ ଇନ୍‍ଫିଅରିଟି କଂପେକ୍‍ସ ଆସିବ ନାହିଁ । ଷ୍ଟଡ଼ିରୁମ ନାହିଁ ବୋଲି ବଡ଼ଝିଅ ଓ ସାନପୁଅଙ୍କର ଆପତ୍ତି ଅଭିଯୋଗ ତାଙ୍କ କାନରେ ଆସି ବାଜିବ ନାହିଁ ? ଋଣଗ୍ରସ୍ତ ହେଲେବି ଘର ଖଣ୍ଡିଏ ସେ ଆଜି କରି ପାରିଛନ୍ତି । ଇଚ୍ଛା କରିଥିଲେ ହୁଏତ ଏହାର ବହୁ ପୂର୍ବରୁ ତାଙ୍କ ଚାକିରି ଅନ୍ୟାନ୍ୟ ସହକର୍ମୀ ବନ୍ଧୁମାନଙ୍କ ପରି ସହରର ମଧ୍ୟ ସ୍ଥଳରେ ଦୁଇ ମହଲା କୋଠା ସେ ତିଆରି କରିପାରିଥାଆନ୍ତେ । କିନ୍ତୁ ସେ ତାହା କରି ନାହାନ୍ତି । ପରଧନ ଓ ପାପଧନରେ ବଡ଼ଲୋକ ହେବାର ଅଭିଳାଷ ତାଙ୍କର ନ ଥିଲା । ଏବେ ବି ନାହିଁ ।

 

ଘରର ଫାଟକ ଖୋଲି ଭିତରକୁ ପ୍ରବେଶ କରିବା ପୂର୍ବରୁ ରାସ୍ତା ଉପରେ ଠିଆ ହୋଇ ନିଶିକାନ୍ତ ଥରେ ଚାହିଁ ନେଲେ ନୂଆ ହୋଇ ତିଆର ହୋଇଥିବା ତାଙ୍କର ଏକ କୋଠା ଘରଟିକୁ । ସରୁ ହୋଇ ସାପଲାଙ୍ଗୁଡ଼ ଭଳି ଲମ୍ବି ଯାଇଥିଲା ଯେଉଁ ଅଣଓସାରିଆ ଜାଗା ଖଣ୍ଡିକ ଦିନେ ଏ ସାହିରେ ବାସ କରୁଥିବା ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସବୁ ଶ୍ରେଣୀର ମନୁଷ୍ୟ ଓ ମନୁଷ୍ୟତର ପ୍ରାଣୀମାନଙ୍କ ଦ୍ୱାରା ପରିତ୍ୟକ୍ତ ଆବର୍ଜନାରେ ପୂର୍ଣ୍ଣ ହୋଇ ରହିଥିଲା ଏବଂ ଯେଉଁ ଜାଗାଟିରୁ କିଛି ଅଂଶ ନିଜ ଜାଗା ସହିତ ମିଶେଇ ପଡ଼ୋଶୀ କଂଟ୍ରାକ୍ଟର ରାତାରାତି ସେଠି ପାଚେରୀ ଠିଆକରି ଦେଇଥିଲା, ସେଇଠି ଆଜି ମୁଣ୍ଡଟେକି ଠିଆ ହୋଇଛି—‘ଉଷାମହଲ ।’ ନିଶିକାନ୍ତଙ୍କର ବହୁଦିନର ସ୍ଵପ୍ନ ଓ କଳ୍ପନାର ପ୍ରତୀକ ରୂପେ ।

 

ନିଜର ଘର ଖଣ୍ଡିଏ ପାଇଁ ନିଶିକାନ୍ତ ଯେଉଁ ସ୍ୱପ୍ନ ଦେଖିଥଲେ, ଅନେକ ଦିନପରେ ସେ ସ୍ୱପ୍ନ ତାଙ୍କର ଆଜି ସଫଳ ହୋଇଛି । କିନ୍ତୁ ଏଘରର ଜମିପାଇଁ ନିଜ ଦେହର ସମସ୍ତ ଭୂଷଣ ବିକ୍ରୀକରି ଗୃହ ନିର୍ମାଣ କଳ୍ପନାର ଭିତ୍ତି ପ୍ରସ୍ତର ଯେ ତାଙ୍କ ମନରେ ପ୍ରଥମେ ସ୍ଥାପନ କରିଦେଇ ଗଲ-। ସେଇ ପ୍ରିୟତମା ପତ୍ନୀର ଅଭାବରେ ନିଶିକାନ୍ତଙ୍କ ସ୍ୱପ୍ନର ସଫଳତା କ’ଣ କେବେ ପୂର୍ଣ୍ଣତା ଲାଭ କରିପାରେ ? ‘ଉଷାମହଲ’ ସେ ଗଢ଼ି ଦେଇଛନ୍ତି ସତ କିନ୍ତୁ ଉଷାକୁ ସେ ଧରି ରଖି ପାରିନାହାନ୍ତି-। ମହଲ ନିର୍ମାଣର ବହୁ ପୂର୍ବରୁ ମହଲରୁ ଶୂନ୍ୟ କରିଦେଇ ଉଷା ତାଙ୍କର ଚାଲିଯାଇଛି–ତାଙ୍କ ଉପରେ ଅଭିମାନ କରି । ଏବେବି ସେକଥା ମନେ ପଡ଼ିଲେ ତାଙ୍କୁ ଖୁବ୍ ଆଶ୍ଚର୍ଯ୍ୟ ଲାଗେ । ବର୍ଷେ କିମ୍ବା ଦୁଇବର୍ଷ ନୁହେଁ—ବିବାହିତ ଜୀବନର ସୁଦୀର୍ଘ ଅଠରଟି ଶୀତ ଓ ବସନ୍ତ ପରେ ଉଷା ତାଙ୍କୁ ଭୁଲ୍‍ ବୁଝି ଚାଲିଯାଇ ପାରିଲା । ଯେଉଁ ନିଶାକାନ୍ତଙ୍କର ସାମାନ୍ୟ ଦୁଃଖରେ ଉଷାର ଆଖିରେ ଅଶ୍ରୂର ବନ୍ୟା ଛୁଟୁଥିଲା—ସେ ଚାଲିଯିବା ପରେ ତାଙ୍କର ଅବସ୍ଥା ଯେ କଣ ହେବ, ସେକଥା ବିଚାର କରିବା ଶକ୍ତି ସେ ହରେଇ ବସିଥିଲା ।

 

ଉଷାର ସ୍ୱେଚ୍ଛାକୃତ ବିଦାୟ ପରେ ସମାଜ ଦୃଷ୍ଟିରେ ଦୋଷୀ ବୋଲି ସାବ୍ୟସ୍ତ ହେଲେ ନିଶିକାନ୍ତ । ମଥାରେ ତାଙ୍କର ଚରିତ୍ରହୀନାର ମୁକୁଟ ପିନ୍ଧାଇ ଦିଆଗଲା । ମଧୁସଂଗ୍ରହକାରୀ ମହୁମାଛିଙ୍କ ଅପେକ୍ଷା ନର୍ଦ୍ଦମାରେ ବସୁଥିବା ମାଛିଙ୍କ ସଂଖ୍ୟା ସବୁବେଳେ ଅଧିକ । ତେଣୁ ସମାଜର ସବୁ ଅପବାଦ ଓ କଳଙ୍କକୁ ଚନ୍ଦନ କରି ମଥାରେ ବୋଳିଲେ ନିଶିକାନ୍ତ । ଦୀର୍ଘ, ଅଠର ବର୍ଷର ଦାମ୍ପତ୍ୟ ଜୀବନର ସ୍ମାରକୀ ରୂପେ ଯେଉଁ ଫୁଲ ଚାରୋଟିକୁ ଉଷା ସୃଷ୍ଟି କରି ଦେଇଗଲା—ତା’ର ପ୍ରତିନିଧିତ୍ଵ କରୁଥିବା ସେହି ଫୁଲଚାରୋଟିଙ୍କୁ ସୁନ୍ଦର ଓ ସୁରଭିତ କରି ଏ ସଂସାରର ଉଦ୍ୟାନରେ ସେମାନଙ୍କର ସୌରଭ ଖେଳେଇ ଦେବାପାଇଁ ଅଣ୍ଟା ଭିଡ଼ିଲେ ନିଶିକାନ୍ତ ! ସେଇମାନଙ୍କ ପାଇଁ ସେ ଆଜି ଘର ତୋଳିଛନ୍ତି । ଆଜି ଯଦି ଉଷା ଥାଆନ୍ତେ...

 

‘ପିଲାମାନଙ୍କ ପାଇଁ ଆମ ଜୀବନରେ କ’ଣ ଘର ଖଣ୍ଡି ଏ କରିପାରିବା ନାହିଁ ?’ ଏହାହିଁ ଥିଲା ଉଷାଙ୍କର ଏକମାତ୍ର ଦୁଃଖ ଓ ନିଶିକାନ୍ତଙ୍କ ନିକଟରେ ଏକମାତ୍ର ଅଭିଯୋଗ । ବହୁ ବିଳମ୍ବରେ ହେଲେ ବି ସେ ଅଭିଯୋଗ ସେ ପୂରଣ କରିଛନ୍ତି । ତମେ ଦେଖିଯାଅ ଉଷା–ଋଣଭାରରେ ନଇଁ ପଡ଼ିଲେ ବି ତୁମ ଅଭିଳାଷ ମୁଁ ପୂରଣ କରିପାରିଛି । ତୁମ ପିଲାଙ୍କ ପାଇଁ ମୁଁ ଘର ଖଣ୍ଡିଏ ତୋଳି ଦେଇପାରିଛି । ଏଇ ଘରେ ପୁଷି ତମର ବାହା ହେବ । ଶୁଭେନ୍ଦୁ ତାର ନୂଆ ସଂସାର ଗଢ଼ିବ । ତୁମେ ପରା ମୋତେ କହୁଥିଲ—ପୁଷି ଆଉ ଲୁସିଙ୍କୁ ତୁମେ ତୁମରି ଆଦର୍ଶରେ ସୁଗୃହିଣୀ କରି ଗଢ଼ିବ ବୋଲି । କାହିଁ, ତୁମ କଥାତ ତୁମେ ରଖିପାରିଲ ନାହିଁ । ଶୁଭେନ୍ଦୁ, ସଜଳେନ୍ଦୁ ସିନା ପୁଅ । କିନ୍ତୁ ତୁମ ଅନୁପସ୍ଥିତରେ ପୁଷି ଆଉ ଲୁସିଙ୍କର ଦାୟିତ୍ୱ କିଏ ନେବ—ସେକଥା ତ ଥରେ ଭାବିଲ ନାହିଁ ! ନିର୍ବୋଧ ଲୁସି ଶୋଇଥିବା ବେଳେ, ପୁଷି ତୁମଠାରୁ ଦୂରରେ ଥିଲା ବେଳେ ତମେ ସେମାନଙ୍କୁ ଲୁଚି ନିଶ୍ଚିନ୍ତରେ ଚାଲିଯାଇ ପାରିଲ । ଆଜି ଥରେ ଦେଖିଯାଅ ଉଷା—ତୁମର ଆଦରର ପିଲା ଚାରୋଟିକୁ ତୁମରି ଅନୁପସ୍ଥିରେ ନିଶିକାନ୍ତ କିପରି ମଣିଷ କରିଛି । ସେମାନଙ୍କ ପାଇଁ ଘର ତୋଳି ଦେଇଛି । ଚରିତ୍ରହୀନର ମୁକୁଟ ପିନ୍ଧିଲାବେଳେ ସେ ବିଚଳିତ ହୋଇନାହିଁ । ଭାଙ୍ଗି ପଡ଼ିନାହିଁ । ତା କର୍ତ୍ତବ୍ୟରେ ସେ ହେଳା କରିନାହିଁ ।

 

କିନ୍ତୁ ଉଷା କାହିଁ ? ଉଷାଙ୍କ ବିରୁଦ୍ଧରେ ତାଙ୍କର ସମସ୍ତ ଅଭିଯୋଗ, ହୃଦୟର ପୁଞ୍ଜୀଭୂତ ବ୍ୟଥା ଓ ବେଦନାର ସ୍ଵର ସେ ଅନ୍ତର ଭିତରେ ପ୍ରତିଧ୍ୱନିତ ହୋଇ ମିଳେଇ ଯାଉଥିଲା ।

 

ନିଶିକାନ୍ତଙ୍କ ଅଭିଶପ୍ତ ଜୀବନରେ ଉଷାର ଆଗମନି ଗୀତି ଆଉ ସମ୍ଭବ ନୁହେଁ ।

 

ପୁରୁଣା ଭଡ଼ାଘରକୁ ବିଦାୟ ଜଣେଇ ଘରର ସମସ୍ତ ଆସବାବ ପତ୍ରକୁ ଗାଡ଼ିରେ ଲଦି ଶୁଭେନ୍ଦୁ ଆସିଛି । ପଛରେ ଆସୁଛନ୍ତି ପୁଷି, ଲୁସି ଓ ସଜଲେନ୍ଦୁ । ଯେଉଁମାନେ ଏକ ଉଷ ମହଲର ପ୍ରକୃତ ସଂପଦ । ମନରେ ସେମାନଙ୍କର ଅପୂର୍ବ ପୁଲକ, ଉଦ୍ମାଦନା, ନୂଆ ଘରକୁ ତାଙ୍କର ଆସୁଛନ୍ତି-। ବହୁଦିନର ଇପ୍ସିତ ନୂଆ ଘର । ଆନନ୍ଦରେ ସମସ୍ତେ ଅସ୍ଥିର ।

 

କିନ୍ତୁ ସତରେ କ’ଣ ନିଶିକାନ୍ତ ନୂଆଘର ତୋଳିପାରିଛନ୍ତି ? ଘର ତୋଳିବାର ଆତ୍ମତୃପ୍ତି ଲାଭ କରିପାରିଛନ୍ତି ? ବହୁବର୍ଷ ପରେ ବହୁ ଶ୍ରମ ଓ ଅର୍ଥର ବିନିମୟରେ ସେ ଉଷାମହଲ ସେ ଗଢ଼ିଦେଇ ଗଲେ—ଖରା ବର୍ଷା ଓ ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ତାହା ଏକ ବାସଗୃହ ହୋଇପାରେ । ମାତ୍ର ଘର ନୁହେଁ । ଘର ଭାଙ୍କର ଭାଙ୍ଗି ଯାଇଛି ଅନେକ ଦିନୁ । ଉଷା ନିଜେ ସେ ଘରକୁ ଭାଙ୍ଗିଦେଇ ଯାଇଛି । ସେ ଭଙ୍ଗାଘରକୁ ପୁଣି ଥର ଗଢ଼ିବାର ଉଦ୍ୟମ କରିଥିଲେ ନିଶିକାନ୍ତ । ମାତ୍ର ଶୋଚନୀୟ ଭାବରେ ତାଙ୍କୁ ବିଫଳ ହେବାକୁ ପଡ଼ିଥିଲା । ଯେଉଁ; ଘରର ମୂଳଦୁଆ ଥରେ ଦୋହଲି ଯାଇଛି—ସେ ଘର କଣ ଦୃଢ଼ ଓ ସ୍ଥାୟୀ ହୋଇ ରହିପାରେ ?

 

ପଚିଶହଜାର ଟଙ୍କା ଖର୍ଚ୍ଚ କରି ଯେଉଁ ବାସସ୍ଥଳୀଟିଏ ନିଶିକାନ୍ତ ତିଆରି କରିଦେଇଛନ୍ତି, ସେଇ ବାସସ୍ଥଳୀ ଉଷାମହଲରେ ପ୍ରଥମଘର ତିଆରି କରିବ ଶୁଭେନ୍ଦୁ । ନିଶିକାନ୍ତଙ୍କ ରକ୍ତର ପ୍ରଥମ ପ୍ରତିନିଧି । ତାରି ହାତକୁ ଏଘରର ଚାବି ମୁଠାକ ବଢ଼ାଇ ଦେଲେ ସେ । ଏଘର ତା’ରି । ଗୋଟିଏ ଭଙ୍ଗା ଘରର ଆଶ୍ରୟହୀନ ଶେଷଯାତ୍ରୀ ସେ । ଶୁଭେନ୍ଦୁ, ନୂଆ ଘରେ ଆଶ୍ରୟ ନେଇ ସେ ତାଙ୍କର ଯାତ୍ରା ଶେଷ କରିବେ—ସେଇ ଘରର ଜଣେ ଅତିଥି ଭାବରେ ।

 

ନୀରବରେ ଚାହିଁଥିଲେ ନିଶିକାନ୍ତ । ଗାଡ଼ିରେ ଲଦାହୋଇ ଆସିଥିବା ଘରର ଆସବାବ ପତ୍ରକୁ ଗାଡ଼ିରୁ ଆଣି ଶୁଭେନ୍ଦୁ ଓ ସଜଳେନ୍ଦୁ, ଏ ଶୂନ୍ୟ ଉଷାମହଲରୁ ପୂର୍ଣ୍ଣ କରୁଥିଲେ । ବର୍ତ୍ତମାନ ‘ଉଷାମହଲ’ର ସେ ଜଣେ ସାଧାରଣ ଅତିଥି ମାତ୍ର ।

★★★

 

ଜୀବନର ଅନ୍ୟନାମ

 

‘ପ୍ରେମ—ନାରୀ ପାଇଁ ଅତି ସାଧାରଣ କଥା ହୋଇପାରେ, ମାତ୍ର ପୁରୁଷକୁ ଏଥିପାଇଁ ଅନେକ ମୂଲ୍ୟ ଦେବାକୁ ହୁଏ । ଯେଉଁ ନାରୀମାନେ ମୋ ପାଇଁ ଥରେ ପ୍ରେମର ଶାଢ଼ି ପିନ୍ଧିଥିଲେ, ଶାଢ଼ି ବଦଳେଇ ସେମାନେ ପୁଣି ଦିନେ ନୂଆ ଶାଢ଼ି ପିନ୍ଧିଲେ ।

 

ମୁଁ କିନ୍ତୁ ଜତିଲି । ତିଳ ତିଳ କରି ନିଜକୁ ସେଇ ପ୍ରୀତିର ନିଆଁ ରେ ଜାଳିଲି । ଏମିତି ଜଳିବାରେ ବୋଧହୁଏ, ମୋ ପାଇଁ ଥିଲା ଅନେକ ତୃପ୍ତି ଓ ଆନନ୍ଦ ।

 

ମୋତେ ଜଳୁଥିବାର ଦେଖି ମୋ ଠାରୁ ବୟସରେ ଜ୍ୟେଷ୍ଠ, ସାଂସାରିକ ଅନୁଭୂତିରେ ଅଭିଜ୍ଞ ବନ୍ଧୁ ଜଣେ ଉପଦେଶ ଛଳରେ କହିଲେ କେତେଦିନ ତମେ ଆଉ ଏମିତି ନିଜକୁ ନିଜ କଳ୍ପନାର ନିଆଁ ରେ ଜାଳିବ ? ଜୀବନ ପ୍ରତି ଦୃଷ୍ଟି ଦିଅ । ‘ପ୍ରେମ’କୁ ପାଧେୟ କରି ଜୀବନ ଚାଲେନା । ପ୍ରେମ ହେଉଛି ଆକାଶର ଇନ୍ଦ୍ରଧନୁ ।

 

ମିଛ ସ୍ୱପ୍ନ ବା ଭାବପ୍ରବଣତା ନୁହେଁ, କି ପ୍ରେମ ଆକାଶର ଇନ୍ଦ୍ରଧନୁ ନୁହେଁ । ମୁଁ ଯୁକ୍ତି କଲି । ପ୍ରେମ ହେଉଛି ପୃଥିବୀର ଏକମାତ୍ର ସତ୍ୟ ଓ ସବୁଠାରୁ ବଳି ମୂଲ୍ୟବାନ । ଯେଉଁ ଦିନ ପ୍ରେମ ଟିକକ ଆମେ ଭୁଲିଯିବା—ସେଦିନ ଏ ସାରା ପୃଥିବୀ ଧ୍ୱଂସ ପାଇଯିବ !!

 

“କିନ୍ତୁ ପ୍ରେମକୁ ନଭୁଲି ତମେ ପାଇଲ କ’ଣ ? ପ୍ରେମ ତ ତୁମକୁ ଧ୍ୱଂସ କରିଦେଲା ।”

 

“ପ୍ରେମ ମୋତେ ଧ୍ୱଂସ କରି ନାହିଁ । ବରଂ ଗଢ଼ିଛି । ମୋତେ ସ୍ରଷ୍ଟା କରିଛି । ସୃଷ୍ଟିପାଇଁ ପ୍ରେରଣା ଦେଇଛି । ପ୍ରୀତି ଓ ପ୍ରଣୟର ନିଆଁରେ ନିଜକୁ ମୁଁ ଯେତିକି ଜାଳିଛି, ସାର୍ଥକ ସୃଷ୍ଟି ଭାବରେ ସେତିକି ସମ୍ମାନ ପାଇଛି ପ୍ରତିଷ୍ଠା ପଇଛି ।”

 

ମୋ ପାଇଁ ଯେଉଁମାନେ ଦିନେ ପ୍ରଣୟର ଶାଢ଼ି ପିନ୍ଧି ଆକାଶର ନୀଳପରୀ ଭଳି ନିଜକୁ ସଜେଇଥିଲେ, ସେମାନେ ଆଜି ଏଇ ପୃଥିବୀରେ "ମାଆ" ହୋଇଛନ୍ତି । ସେ ଭଳି ଅନେକ ପୁରୁଷକୁ ପିତୃତ୍ୱ ଦେଇଛନ୍ତି ।

 

ମୋ ମନର ଆକାଶରେ ସେମାନଙ୍କୁ ଦିନେ କଳ୍ପନାର ନୀଳପରୀ ଭାବରେ ଦେଖି ଯେତିକି ଖୁସି ମୁଁ ହୋଇଥିଲି, ଆଜି ସେମାନଙ୍କୁ ଅନେକ ସନ୍ତାନଙ୍କର ମାଆ ହେବାର ଦେଖି ମୁଁ ତାଠାରୁ ତ କିଛି କମ୍ ଖୁସି ହେଉନାହିଁ ?

 

ମୋର ଦୁଃଖ ! କିନ୍ତୁ ପାଇଲି ନାହିଁ ବୋଲି ଯନ୍ତ୍ରଣା ? ନା—ସେ କିଛି ନୁହେଁ ।

 

କାରଣ ଯନ୍ତ୍ରଣାରୁ ହିଁ ସୃଷ୍ଟି ! ଯନ୍ତ୍ରଣାରେ ହିଁ ଜୀବନ ।

 

ଜୀବନର ଅନ୍ୟ ନାମ ତ ଯନ୍ତ୍ରଣା ।

★★★

 

ଗୋଟିଏ କୃଷ୍ଣସର୍ପ; ଦୁଇଟି ନୀଳକଇଁ

 

(ସହପାଠୀ ନୀଳାଦ୍ରି କିମ୍ବା ସହକର୍ମୀ ବନ୍ଧୁ କମଳାକାନ୍ତଙ୍କ ପରି ମୁଁ ଯଦି କବି ହୋଇଥାନ୍ତି, ତାହା ହେଲେ ତାର ସେଇ କଳାବେଣୀ ଓ ନୀଳ ଆଖି ଦୁଇଟିକୁ ଦେଖି କିଛି ନ ହେଲେ ବି ଅନ୍ତତଃ କବିତାଟାଏ ତ ଲେଖି ପାରି ଥାଆନ୍ତି ! ହାୟ ! ମୁଁ କିନ୍ତୁ କବି ନୁହେଁ । କବି ହେବାର ସୌଭାଗ୍ୟ ମୋର ନାହିଁ । ତେଣୁ ମୁଁ ଖାଲି ଦେଖୁଛି । ନିରୀହ ଅବୋଧ ଶିଶୁଟି ଭଳି ତାର ସେଇ ଦୁଇଟି ନୀଳ ନୀଳ ଆଖି ଓ ଲତା ଭଳି ଲମ୍ବି ଆସିଥିବା କଳାବେଣୀକୁ ଦେଖିଛି ।)

ତାର ସେଇ ଦୁଇଟି ନୀଳ ନୀଳ ଆଖି ।

ମୋରି ସାମ୍‍ନାରେ ନୀଳହ୍ରଦରେ ନୀଳ କଇଁ ଦୁଇଟି ଫୁଟିଛି । ପବନର ସ୍ପର୍ଶରେ ସେଇ ନୀଳହ୍ରଦର ନୀଳ ଜଳ ଭିତରେ କଇଁ ଦୁଇଟି ଖେଳୁଛନ୍ତି । ଇଚ୍ଛା ହେଉଛି ପାଣି ଭିତରକୁ ପଶି ଯାଇ ସେଇ ନୀଳକଇଁ ଦୁଇଟିକୁ ତୋଳି ଆଣିବି ଏବଂ ସେ ଦୁଇଟିକୁ ଦୁଇହାତରେ ଧରି ମୁଁ କେବଳ ଏକା ତାର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବି । ସତେ ଯେମିତି ସେ କଇଁ ଦୁଇଟି ମୋରି ପାଇଁ ଫୁଟିଛି । ଆଉ କାହାରି ସେଥିରେ ଅଧିକାର ନାହିଁ । ଆଉ କେହି ତାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ହକ୍‍ଦାର ନୁହନ୍ତି । କିନ୍ତୁ ପାଣି ଭିତରେ ପଶି ପାରୁନି ମୁଁ । ଭୟ ହେଉଛି । ପାଣିରେ ପାଦ ଦେଲେ କୂଳକୁ ଫେରିବାର ସୁଯୋଗ ହୁଏତ ଆଉ ପାଇବନି । ତାର ଭିତରେ ବୁଡ଼ିଯିବ । ତେଣୁ ପାଣି ଭିତରୁ ବାହାରକୁ ଚାଲିଆସିଥିବା ମାଛଟି ପରି ମୁଁ ଖାଲି ସେଇ କୂଳରେ ଠିଆ ହୋଇ ଛଟପଟ ହେଉଛି । ମୋରି ସାମ୍ନାରେ ମୋଠୁ କିଛି ଦୂରରେ ସେଇ ନୀଳକଇଁ ଦୁଇଟି ହାତ ଠାରି ବାରମ୍ବାର ମୋତେ ଡାକୁଛନ୍ତି । ନିମନ୍ତ୍ରଣ କରୁଛନ୍ତି–‘ଆସ, ପାଖକୁ ଆସ । ଆମକୁ ତୋଳି ନେଇଯାଅ । ଆମେ ଫୁଟିଛୁ କେବଳ ତମରି ପାଇଁ । କେବଳ ତମରି ପାଇଁ । ଆଖି ଫେରେଇ ଆଣିଲି ।

ତାର ସେଇ କଳାବେଣୀ ।

ଗୋଟିଏ ବୁଦୁବୁଦୁକିଆ ଲତାପତ୍ରର ଗହଳ । ତାରି ଭିତରୁ ବାହାରି ଆସି ସାପଟିଏ ଖେଳୁଛି ବାହାରେ । ଚିକ୍‍କଣ କଳାରଙ୍ଗର ସାପଟିଏ । ମଝିରେ ମଝିରେ ଫଣା ତୋଳି ସାପଟି ଖେଳୁଛି ଆନନ୍ଦରେ । ଇଚ୍ଛା ହେଉଛି ସେଇ ସାପ ପାଖରେ ବସି ତାର କଳା ଚିକ୍କଣ ମସୃଣ ଦେହକୁ ଆଉଁସି ଆଉଁସି ସାପୁଆ କେଳା ହୋଇ ଗୀତ ଶୁଣେଇ ତାକୁ ଖେଳେଇବି । ମୋର ମୁହଁରୁ କୃଷ୍ଣଙ୍କ କାଳୀୟଦଳନ ଗୀତ ଶୁଣି ସେଇ କୃଷ୍ଣସର୍ପଟି ଖେଳ ବୁଲିବ । କିନ୍ତୁ ଭୟ ହେଉଛି—ସାପ ସିଏ । ଦେହରେ ତାର ହାତ ଦେଲେ ଫଣା ଟେକି ମୋତେ ଯଦି ସେ ଦଂଶନ କରେ । ମୁଁ ତାର ବିଷଜ୍ୱାଳା ସହ୍ୟ କରି ପାରିବି ତ ? ଫେରି ଆସୁଛି–

ମୁଁ ତେଣୁ ଫେରି ଆସୁଛି । ନୀଳ କଇଁ ଦୁଇଟିକୁ ତୋଳିବାର ଅଜସ୍ର ବାସନା ଓ କୃଷ୍ଣସର୍ପ ସହିତ ଖେଳିବାର ଦୂର୍ବାର କାମନାରେ ବନ୍ଧ ବାନ୍ଧି ମୁଁ ଫେରି ଆସୁଛି । ସେଲା ନୀଳକଇଁ । ସେଇ କୃଷ୍ଣ ସର୍ପ...ଯାହାର ସାମାନ୍ୟ ଦର୍ଶନରେ ମୋ ହୃଦୟର ସବୁ କାମନା ଓ ବାସନାତକ ଜମାଟ ବାନ୍ଧି ବରଫ ପାଲଟି ଯାଇଛି । ସାମାନ୍ୟ ସ୍ପର୍ଶରେ ସେ ବରଫ ଖଣ୍ଡିକ ହୁଏତ ତରଳି ଯିବ । ଆଉ ବରଫର ସେଇ ତରଳ ଜଳ ସ୍ରୋତରେ ମୁଁ ହୁଏତ ଲକ୍ଷ୍ୟଭ୍ରଷ୍ଟ ଓ ପଥଭ୍ରଷ୍ଟ ହୋଇ ଭାସିଯିବି ଦୂରକୁ–କାହିଁ କେତେ ଦୂରର ଗଭୀର ଜଳସ୍ରୋତ ଭିତରକୁ । ସୌନ୍ଦର୍ଯ୍ୟର ସାଗର ମନ୍ଥନ କରିବାକୁ ଯାଇ ମୁଁ ଯଦି ବିଷର ସନ୍ଧାନ ପାଏ । ତେବେ ନୀଳକଣ୍ଠଙ୍କ ପରି ସେ ବିଷପାନ କରି ଦେହରେ ପୁଣି ଫେରି ଆସି ପାରିବି ତ ?

ପାରିବିନି ମୁଁ ।

 

ହେ ମୋର ପ୍ରିୟ ନୀଳକଇଁ । ନୀଳହ୍ରଦର ଜଳକନ୍ୟାମାନେ, ମୋତେ ତମେ କ୍ଷମା କର-। ତୁମ ପାଖକୁ ଯାଇ ମୁଁ ମୋ ସ୍ପର୍ଶର ଆନନ୍ଦ ଅନୁଭୂତି ତୁମକୁ ଦେଇ ପାରୁନି । ଭୟ ହେଉଛି-। ମନରେ ଆଶଙ୍କା ଆସୁଛି । ପାଣିରେ ପାଦ ଦେଉ ଦେଉ କାଳେ ପଡ଼ିଯିବ—କିମ୍ବା ବୁଡ଼ିଯିବ-

 

ହେ ମୋର ପ୍ରିୟ କୃଷ୍ଣସର୍ପ ! ତୁମ ସହିତ ଖେଳିବାକୁ ମୋର ଖୁଉବ୍ ଇଚ୍ଛା ହେଉଛି । ଆଗ୍ରହ ହେଉଛି । କିନ୍ତୁ ମୋର ତୁମ ଉପରେ ବିଶ୍ୱାସ ଆସୁନି । ତୁମ ସହିତ ଖେଳିବାକୁ ଯାଇ ମୁଁ ଯଦି ତୁମର ଖେଳସାଥୀ ହୁଏ—ତୁମର ବିଷଜ୍ୱାଳାରେ ସଂଜ୍ଞାହୀନ ହୋଇପଡ଼େ ।

 

ତେଣୁ ହେ ମୋର ନୀଳକଇଁ ! ମୋର ପ୍ରିୟ କୃଷ୍ଣସର୍ପ ! ଏଇ ଦୂରରେ ରହି ମୁଁ ତୁମର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି । ମୁଁ ତୁମକୁ ଭଲପାଏ । ଖୁବ୍ ଭଲପାଏ । ମୁଁ ଚାହେଁ—ତୁମର ଏ ସୌନ୍ଦର୍ଯ୍ୟ ମୋ ପାଇଁ ସବୁବେଳେ ଏମିତି ସୁନ୍ଦର ଓ ଆକର୍ଷଣୀୟ ହୋଇ ରହିଥାଉ । ମୋତେ ତେଣୁ ଆଉ ପାଖକୁ ଯିବାକୁ ନିମନ୍ତ୍ରଣ କରନା । କିମ୍ବା ଅଯଥା ସ୍ପର୍ଶ ପାଇଁ ଅନୁରୋଧ କରନା । ମୋର ସ୍ପର୍ଶ ଦେଇ ଭ୍ରମର ସୌନ୍ଦର୍ଯ୍ୟକୁ ନଷ୍ଟ କରି ଦେବା ମୋର ଇଚ୍ଛା ନୁହେଁ । କାରଣ

 

Beauty is to enjoy, not to touch.

 

“A thing of beauty is a joy for ever”

★★★

 

ଅସାମାଜିକର ଆତ୍ମଲିପି

 

ମୁଁ ଯେତେବେଳେ ଛୋଟ ପିଲା ଥିଲି, ମୋର ମା ସେତେବେଳେ ଭିକ ମାଗୁଥିଲା । ଦୁଆର ଦୁଆର ବୁଲି ଭିକ ମାଗୁଥିଲା, ମୋ ପଟରେ ମୁଠେ ଦାନା ଦେଇ ମୋତେ ବଞ୍ଚେଇ ରଖିବ ବୋଲି । ନିଜେ ବଞ୍ଚିରହିବା ପାଇଁ ତାର ଅବଶ୍ୟ କୌଣସି ଆଗ୍ରହ ନ ଥିଲା ।

 

‘କାରଖାନାର କାମରୁ ଛଟେଇ ହୋଇ ଟିକିଏ ପଥ୍ୟ ଓ ଟୋପାଏ ଔଷଧ ବିନା, ମୋର ବାପା ଯେଉଁଦିନ ଅସହ୍ୟ ଯନ୍ତ୍ରଣାରେ ଆଖି ବୁଜିଲେ’ ସେଇଦିନୁ ମା’ର ତା ଜୀବନ ଉପରୁ ସବୁ ମାୟା ମମତା ତୁଟି ଯାଇଥିଲା ।

 

ହେଲେ ମୋତେ ମଣିଷ ଭଳି ମଣିଷଟିଏ କରି ଗଢ଼ିବା ପାଇଁ ବାପା ଗଲାବେଳେ ଯେଉଁ ସ୍ୱପ୍ନର ବାର୍ତ୍ତା ମୋ ମା’ କାନରେ ଦେଇ ଯାଇଥିଲେ, ସେଇ ସ୍ୱପ୍ନକୁ ବାସ୍ତବ କରିବା ପାଇଁ ମା ଅନେକଙ୍କର ଆଶ୍ରା ଲୋଡ଼ିଲା । ଅନେକଙ୍କର ପାଖରେ ମୁଣ୍ଡ ବିକିଲା ଚାକିରି ପାଇଁ । ହେଲେ ବିନାପ୍ରଶ୍ନ ଓ ବିନାଆପତ୍ତିରେ ଯେଉଁ ସହୃଦୟ ବ୍ୟକ୍ତିମାନେ ମା’କୁ ଚାକିରି ଦେଇ ତା ମନରେ ଆନନ୍ଦର ଢେଉ ଭାଙ୍ଗିଥିଲେ ସେମାନେ ଯେତେବେଳେ ତାଠୁ କାମ ଆଦାୟ କରିବା ପରିବର୍ତ୍ତେ ତାର ବିଧବା ଯୌବନରେ ସିନ୍ଦୂର ଓ ଧୂପ, ଦୀପ ଚନ୍ଦନ ଦେଇ ପୂଜା କରିବା ପାଇଁ ବେଶି ଆଗ୍ରହୀ ହୋଇ ପଡ଼ିଲେ, ବାଧ୍ୟ ହୋଇ ମା’ ସେତେବେଳେ କାମ ଛାଡ଼ିଲା, ହାତରେ ଭିକ୍ଷାର ଝୁଲି ଧରି ବାହାର ଆସିଲା ରାଜରାସ୍ତା ଉପରକୁ । ତା ଛଡ଼ା ତା’ର ଅନ୍ୟ ଉପାୟ ବା ଆଉ କ’ଣ ଥିଲା ?

 

କିନ୍ତୁ ସେତିକିରେ ସେମାନେ ସନ୍ତୁଷ୍ଟ ହେଲେ ନାହିଁ । ଦିନରେ ପିନ୍ଧିଥିବା ଭଦ୍ରତାର ବେଶ ପୋଷାକ ସେମାନଙ୍କୁ ବାଧା ଦେବାରୁ ରାତିରେ ସେମାନେ ଆସିଲେ ଭେକ ବଦଲେଇ ନିଜର କାମନା ଚରିତାର୍ଥ କରିବା ପାଇଁ । ଦିନସାର ବାର ଦୂଆର ବୁଲିବା ପରେ ହାଲିଆ ହୋଇ ରାତିରେ ମୋତେ କୋଳରେ ଜାକି ମୋର ମା’ ଯେତେବେଳେ ଗଛମୂଳରେ ଭୋକ ଉପାସରେ ଶୋଇ ପଡ଼ିଥାଏ, ସେତିକି ବେଳେ ସମାଜର ସେଇ ସଭ୍ୟ, ଶିକ୍ଷିତ ଓ ସାମାଜିକ ପ୍ରାଣୀମାନେ ନିଜର ଭୋକିଲା ଦେହ ମନକୁ ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ମା’ ଉପରେ ଆସି ଆକ୍ରମଣ ଆରମ୍ଭ କରିଦେଲେ । ସାମାଜିକ ସ୍ୱାର୍ଥ ଓ ସମାଜର ସଂଖ୍ୟାଧିକ ଶକ୍ତିଶାଳୀ ଲୋକମାନଙ୍କର ସୁଖ, ସୁବିଧା ପାଇଁ ଗୋଟାଏ ଦୁଃସ୍ଥ, ନିଃସହାୟ ବ୍ୟକ୍ତିର ଆତ୍ମୋତ୍ସର୍ଗ ନିହାତି ମାମୁଲି ଘଟଣା । କିନ୍ତୁ ପ୍ରତି ଦିନ ରାତିରେ ପୁଅର ଆଖି ସାମାନାରେ ଏ ପ୍ରକାର ହିଂସ୍ର ଆକ୍ରମଣକୁ ଗୋଟାଏ ମା’ କେତେ ଦିନ ଧରି ବା ଆଉ ବରଦାସ୍ତ କରି ପାରନ୍ତା ?

 

ଦିନେ ସକାଳୁ ଉଠି ଦେଖେତ, ପିନ୍ଧା ଶାଢ଼ିକୁ ବେକରେ ଦେଇ ନିକଟସ୍ଥ ବରଗଛର ଓହଳରେ ମା’ ମୋର ଦୋଳି ଖେଳୁଛି । ମୋତେ କାଖରେ ଜାକି ଦୋଳି ଖେଲିବା ପାଇଁ ମୁଁ ମା’କୁ ମୋର କେତେ ଡାକିଲି, କେତେ କାନ୍ଦିଲି, ହେଲେ ସେ ଆଉ ଶୁଣିଲା ନାହିଁ ।

 

ତା ପରେ ମୁଁ ଦଉଡ଼ିଗଲି ସମାଜର ସେଇ ଦୟାବାନ ଭଦ୍ର ପୁରୁଷଙ୍କ ପାଖକୁ—ଯେଉଁମାନେ ଦିନେ ମୋର ବାପା ହେବାପାଇଁ ଖୁବ୍ ଆଗ୍ରହ ପ୍ରକାଶ କରିଥିଲେ । ଭାବିଲି ପିତୃତ୍ଵର ସ୍ନେହ ମମତା ଦେଇ ସେମାନେ ଏ ମା–ଛେଉଣ୍ଡ ପିଲାକୁ ଦୁନିଆରେ ଗୋଟାଏ ସାଧାରଣ ମଣିଷ ଭଳି ବଞ୍ଚି ରହିବାର ସୁଯୋଗ ଦେବେ ବୋଲି । ସେମାନେ କିନ୍ତୁ ଆଘାତ ଦେଲେ । ସେଇ ଆଘାତ ଭିତରେ ମୁଁ କ୍ରମେ ଛୋଟରୁ ବଡ଼ ହେଲି । ଏବଂ ବାରମ୍ବାର ସେଇ ଆଘାତ ପାଇ ମୋର ଦେହ ମନ କ୍ରମେ ପଥର ପାଲଟି ଗଲା, ଆଉ ମୋର ଅଜାଣତରେ ଯେଉଁ ଦିନ ମୋର ସେଇ ପଥର ମନ ସମାଜର ସେଇ ସାମାଜିକ ପଶୁମାନଙ୍କର ରକ୍ତପାନ କରିବା ପାଇଁ ତୁଷ୍ଣାର୍ତ୍ତ ହୋଇ ଉଠିଲା । ସେ ଦିନ ମୁଁ ହେଲି ସମାନ ଦୃଷ୍ଟିରେ ଘୃଣ୍ୟ, ସମାଜବିରୋଧୀ—ଅସାମାଜିକ । ସେଇ ସାମାଜିକ ପଶୁମାନଙ୍କର ନିରାପତ୍ତା ରକ୍ଷା କରୁଥିବା ପ୍ରହରୀମାନେ ଆସି ମୋ ହାତରେ ଲୁହାର ଶୃଙ୍ଖଳ ପିନ୍ଧାଇ ଦେଲେ ।

 

ମୁଁ ଆଜି ବନ୍ଦୀ ।

 

କୋର୍ଟରେ ବର୍ତ୍ତମାନ ମୋର ବିଚାର ଚାଲିଛି । ଆଇନର ନଜର ଦେଇ, ଜ୍ଵାଳାମୟୀ ଭାଷାରେ ଓକିଲ ସାହେବ ମୋ ବିରୋଧରେ କେତେ କ’ଣ ବକି ଚାଲିଛନ୍ତି ।

 

ମୋତେ କିନ୍ତୁ ହସ ମାଡ଼ୁଛି ।

 

‘‘ମୁଁ ହସୁଛି ଜୋରରେ । ଖୁବ୍ ଜୋରରେ ମୁଁ ହସୁଛି’’ ।

 

ମୋର ହସ ଦେଖି ସମସ୍ତେ ଭୟ କରୁଛନ୍ତି ।

 

‘କିନ୍ତୁ ଦିନର ସଫେଦ ଆଲୁଅରେ ମୁଁ ଓ ମୋ ମା’ ଭଳି ଶହ ଶହ ନିରୀହ ଲୋକଙ୍କର ଲୁହ ଲହୁକୁ ଶୋଷଣ କରି ଯେଉଁମାନେ ବିଜୟର ହସ ହସୁଛନ୍ତି, ସେମାନଙ୍କର ହସକୁ ଏ ସମାଜ ହସି ହସି ସ୍ୱାଗତ କରୁଛି । ସେମାନଙ୍କର ମୁହରେ ହସଟା କୁଆଡ଼େ ଖୁବ୍ ସୁନ୍ଦର ମାନୁଛି । କାରଣ ସେମାନେ ସାମାଜିକ, ମୁଁ କିନ୍ତୁ ଅସାମାଜିକ । (କାରଣ ମୁଁ ସେଇ ସାମାଜିକ ପଶୁମାନଙ୍କର ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି) ତେଣୁ ମୋର ହସଟା ଭୟଙ୍କର ନ ହୋଇ ଆଉ କ’ଣ ବା ହୁଅନ୍ତା ?

 

ମୋର ହସ ଶୁଣି ସେମାନେ ଯେତେ ଭୟ କରୁଛନ୍ତି, ମୁଁ ସେତେ ଅଧିକ ଜୋର୍‌ରେ ହସିବାକୁ ଆରମ୍ଭ କରିଛି । ସାର କୋର୍ଟ ରୁମ୍‌ଟା ଥରି ଉଠୁଛି ମୋ ହସରେ । ଥରୁଛନ୍ତି ଓକିଲ, ବିଚାରକ, କୋର୍ଟରେ ଉପସ୍ଥିତ ସବୁ ଲୋକ । ଫାଶି ଖୁଣ୍ଟରେ ଝୁଲିବା ପୂର୍ବରୁ ଏ ହସ ହେଉଛି ମୋର ଶେଷ ହସ । ସେଇଥିପାଇଁ ମୁଁ ହସୁଛି ଖୁବ୍ ଜୋର୍‌ରେ ।

 

କିନ୍ତୁ ମୋର ଏ ହସ—ଦୁଃଖର ନା ଆନନ୍ଦର ? ଜୟର ନା ପରାଜୟର ???

★★★

 

Unknown

ସମ୍ପର୍କ

 

ଏଇ ସେ ସାଳନ୍ଦୀ ସହର ।

 

ଏଇଠି ମୋର ବାପା ବାହାହେଲେ । କିନ୍ତୁ ବାପା ଯାହାକୁ ବାହା ହେଲେ, ସେ ମୋର ମା ହେଲା ନାହିଁ—ମାଉସୀ ହେଲା ।

 

ଏଇଠି ପୁଣି ମୁଁ ବାହା ହେଲି । କିନ୍ତୁ ମୁଁ ଯାହାକୁ ବାହା ହେଲି, ସେ ମୋର ପ୍ରିୟା ହେଲା ନାହିଁ—ପ୍ରେମିକା ହେଲା ।

 

ଘରଟିଏ ତୋଳି ବାପା ସେ ଘର ଭିତରେ ରହିପାରିଲେ ନାହିଁ । ଘର ଭିତରେ ରହିବାର ପ୍ରବଳ ଆଗ୍ରହ ସତ୍ତ୍ୱେ ବି ଘରଟିଏ ମୁଁ ତିଆରି କରି ପାରିଲି ନାହିଁ ।

 

ସମୁଦ୍ର କୂଳରେ ବସି ବାପା ଏବେ ତାଙ୍କର ନୂଆ ଘରକୁ ଦେଖୁଛନ୍ତି । ନିଜେ ତୋଳିଥିବା ଘର ଭିତରକୁ ନିଜେ ପଶିବାକୁ ସେ ଭୟ କରୁଛନ୍ତି । ସାଳନ୍ଦୀ ବାଲିରେ ବସି ମୁଁ ଦେଖୁଛି । ଘରଟିଏ ତିଆରି କରିବାର ସବୁ ଉପକରଣ ଥାଇ ବି ଘରଟିଏ ମୁଁ ତିଆରି କରିପାରୁ ନାହିଁ ।

 

ଘର ତିଆରି କରିବାର କଳା ମୁଁ ଶିଖିଲି ନାହିଁ କି ଘର ଭିତରେ ରହିବାର କୌଶଳ ବାପା ଜାଣିଲେ ନାହିଁ ।

 

ସମୁଦ୍ର ବେଳାରେ ବାପା ସମୁଦ୍ରର ଏକ ଅସ୍ଥିର ତରଂଗ ପାଲଟି ଯାଇଛନ୍ତି । ସାଳନ୍ଦୀ କୂଳରେ ମୁଁ ସାଳନ୍ଦୀର ଏକ ତୁଠ ପଥର ହୋଇଯାଇଛି ।

 

ମୁଁ ଆଉ ମୋ ବାପା ।

 

କେତେ ବା ଦୂରତ୍ୱ ସତେ—ଆମ ସଂପର୍କର ।

★★★

 

ମିନିଗପଟିଏ

 

ମୁଁ ଆଉ ମିନିଗଳ୍ପ ଲେଖୁନାହିଁ ।

 

କାରଣ ମୋ ‘ମିନି’ ଏବେ ମା’ ହୋଇଛି ।

 

ମୋ ପୁଅର ମା ।

 

ମୁଁ ଯେତେବେଳେ ମିନିଗଳ୍ପ ଲେଖୁଥିଲି—ସେ ମୋତେ ଚକୋଲେଟ ମାଗୁଥିଲା । ତା ପାଖକୁ ଦିନେ ନ ଗଲେ କଥା ନ କହି ରୁଷୁ ଥିଲା । ମୁହଁ ଲୁଚେଇ କାନ୍ଦୁଥିଲା ।

 

ଏବେ କିନ୍ତୁ ସେ ମୋତେ ‘ଅମୂଲ୍’ ମାଗୁଛି । ବଜାରରୁ ଅମୂଲ୍ ସରି ଯାଇଥିବା କଥା କହିଲେ—ରାଗରେ ମୁହଁ ଫୁଲେଇ ଚାଲିଯାଉଛି—କାରଣ ‘ଅମୂଲ୍’, ନ ଖାଇ ପୁଅ ତା’ର କାନ୍ଦୁଛି ।

 

ମୁଁ ଆଉ ମିନିଗଳ୍ପ ଲେଖୁନାହିଁ ।

 

କାରଣ ମୋ ଗପ ପଢ଼ିବାକୁ ମିନିର ଆଉ ଆଗ୍ରହ ନାହିଁ । ସେ ଏବେ ଖନେଇ ଖନେଇ କଥା କହୁଥିବା ତା ପୁଅର ମିନିକଥା ଶୁଣୁଛି । ଅଝଟ ହେଲେ ଛାତିରେ ଜାକି ଦରଖଣ୍ଡିଆ ଗୀତ ଗାଇ ତାକୁ ଶୁଆଇ ପକାଉଛି ।

 

ମୁଁ ଆଉ ମିନି ଗଳ୍ପ ଲେଖୁନାହିଁ ।

 

କାରଣ ମୁଁ ଏବେ ବାପା ହୋଇଛି ।

 

ମିନି ପୁଅର ବାପା ।

★★★

 

ଟିକିପାଇଁ

 

ଟିକିଗପଟିଏ—ଟିକି ପାଇଁ

 

ମୋ ଟିକିଗପ ଆଉ ଯାହାକୁ ଭଲ ଲାଗୁ ବା ନ ଲାଗୁ ଟିକିକୁ କିନ୍ତୁ ଖୁବ୍‍ ଭଲ ଲାଗେ ।

 

ଟିକି ଦୃଷ୍ଟିରେ ମୁଁ ସବୁବେଳେ ଟିକି, ଖୁବ୍ ଛୋଟ, ପିଲାଲୋକ । ତାର ଇଚ୍ଛା ମୁଁ ଖାଇଲାବେଳେ ମୋ ପାଖରେ ବସି ସେ ମୋତେ ଖୁଆଇ ଦିଅନ୍ତା, ତାକୁ ଦେଖିଲେ ମୋର ବୋଉ କଥା ମନେପଡ଼େ ।

 

ବୋଉ ବି ମୋତେ ଦିନେ ଖୁଆଇ ଦେଉଥିଲା । ନିଜ ହାତରେ ସବୁବେଳେ ଖୁଆଇ ଖୁଆଇ ମୋତେ ମୋଟା କରି ଦେବାପାଇଁ ବୋଉର ଥିଲା ପ୍ରବଳ ଆଗ୍ରହ ।

 

ହେଲେ ମୁଁ ମୋଟା ହେବା ପର୍ଯ୍ୟନ୍ତ ବୋଉ ମୋତେ ଅପେକ୍ଷା କଲାନାହିଁ ।

 

ଆଉ ଟିକି ? ସେ କ’ଣ ସତରେ ଅପେକ୍ଷା କରିବ ?

 

ମୋ ପାଇଁ ବୋଉ ଏବେ ଖାଲି ସ୍ୱପ୍ନ ।

 

ବୋଉ ଟିକିତ ମୋର ଗପ—ଗୀତ ଓ କାହାଣୀ ।

 

କାହାଣୀ, ଗୀତ, ଗପ କ’ଣ କେବେ ସତ ହୁଏ ?

 

ନା ସ୍ୱପ୍ନ କେବେ ସତ ହୁଏ ଦିନର ଆଲୁଅରେ ???

★★★

 

ଆରଣ୍ୟକ

 

ଦୂର ବାଟୋଇ ମୁଁ ।

 

ଅନେକ ବାଟ ବୁଲି ବୁଲି ମୁଁ ଶେଷରେ ଏଇ ଅରଣ୍ୟରେ ପହଂଚିଲି ।

 

ଅରଣ୍ୟର ସବୁଜିମା ମୋତେ ମୃଗ୍‌ଧ କଲା ।

 

ବହୁପଥ ଅତିକ୍ରମ କରି କ୍ଲାନ୍ତ ହୋଇ ପଡ଼ିଥିଲି । ଅଶ୍ରୟ ଖୋଜୁଥିଲି । ଅରଣ୍ୟର ଆଶ୍ରୟ ।

 

କିନ୍ତୁ ଅରଣ୍ୟ କି ଭୟଙ୍କର ସତରେ !

 

ମୋତେ ଦେଖି ଅରଣ୍ୟର ପଶୁପକ୍ଷୀ ସବୁ ଧାଇଁ ଆସିଲେ ।

 

ସେମାନଙ୍କର ନଖ, ଦନ୍ତ ଓ ଚଞ୍ଚୁରେ ମୋ ଦେହର ଆଭରଣ ସବୁ ଗୋଟି ଗୋଟି କରି କାଢ଼ି ଫିଙ୍ଗି ଦେଲେ ।

 

ମୁଁ ଭୟରେ ଚିତ୍‌କାର କଲି । ପ୍ରତିବାଦ କଲି । ମୋ ଚିତ୍‌କାର ଓ ପ୍ରତିବାଦର ଧ୍ୱନୀ କ୍ଷୀଣରୁ କ୍ଷୀଣତର ହୋଇ ଅରଣ୍ୟର ପାଦଦେଶରେ ମିଳେଇ ଗଲା ।

 

ମୁଁ ଏବେ ସେମାନଙ୍କ ମେଳରେ ହଜି ଯାଇଛି । ସେମାନଙ୍କ ମନ ସହିତ ମନ ମୋର ମିଶି ଯାଇଛି । ଦେହ ସହିତ ଦେହ ଜଡ଼ି ଯାଇଛି ।

 

ଏ ମନରେ ଆଉ ଆବରଣ ନାହିଁ ।

 

ଏ ଦେହରେ ଆଉ ଆଭରଣ ନାହିଁ ।

 

ମୁଁ ଏବେ ପ୍ରକୃତିର ସନ୍ତାନ ।

 

ଅମୃତର ସନ୍ତାନ ।

 

ସଂପୂର୍ଣ୍ଣ ସ୍ଵାଧୀନ ।

 

ଏକାଂତ ଆଦିମ ।

 

ଆଃ । ଏ ଅରଣ୍ୟ କି ସୁନ୍ଦର ସତରେ !

★★★

 

ପ୍ରତିଛାୟା

 

ସେମାନେ ମୋତେ ହତ୍ୟା କଲେ ।

 

ଏବେ ମୋର ଶବ ଦେଖି ଭୟ କରୁଛନ୍ତି ।

 

ମୋତେ ହତ୍ୟା କଲା ବେଳେ ଖୁବ୍ ଆନନ୍ଦରେ ସେମାନେ ନାଚୁଥିଲେ । ମୁଁ ସେମାନଙ୍କୁ ଦେଖି ଭୀଷଣ ଭୟ ପାଇ ଯାଇଥିଲି । ହତ୍ୟା ନ କରି ସାମାନ୍ୟ ଦୟା ଦରିବା ପାଇଁ ମୁଁ ସେମାନଙ୍କୁ ବିକଳ ହୋଇ ପ୍ରାର୍ଥନା କରିଛି । ଆକୁଳ କଣ୍ଠରେ କେତେ ଅନୁରୋଧ ଜଣେଇଛି । ମୋର କୌଣସି ପ୍ରାର୍ଥନା ଓ ଅନୁରୋଧ ଶୁଣିବା ପାଇଁ ସେମାନେ ପ୍ରସ୍ତୁତ ନ ଥିଲେ ।

 

ମଧୁପାନ ପାଇଁ ପ୍ରଥମେ ମୋତେ ନିମନ୍ତ୍ରଣ କରିଥିଲେ । କିନ୍ତୁ ମଦ୍ୟପାନ କରେଇ ଅଚେତନ କରି ଦେଲେ । ସଂପୂର୍ଣ୍ଣ ସଂଜ୍ଞାହୀନ ହେବାର ବହୁ ପୂର୍ବରୁ ଅର୍ଦ୍ଧଚେତନ ଅବସ୍ଥାରେ ଅତି ନିଷ୍ଠୁର ଭାବରେ ସେମାନେ ହତ୍ୟା କଲେ ।

 

କିନ୍ତୁ କାହିଁକି ? ମୁଁ ତ ସେମାନଙ୍କର କିଛି କ୍ଷତି କରି ନ ଥିଲି । ଭୁଲ୍‌ରେ ସୁଦ୍ଧା ସେମାନଙ୍କର ଅମଙ୍ଗଳ ଚିନ୍ତା କରି ନ ଥିଲି । ସେମାନେ ମୋର ବନ୍ଧୁ । ସେମାନେ ବି ତ ଅନେକ ଥର କହିଛନ୍ତି—ମୋ ଭଳି ବନ୍ଧୁ ପାଇବା ସେମାନଙ୍କ ଜୀବନରେ କୁଆଡ଼େ ପରମ ସୌଭଗ୍ୟ । ତେବେ ହତ୍ୟା କରି ସେମାନେ କ’ଣ ମୋ ବନ୍ଧୁମ୍ଭର ମୂଲ୍ୟ ଦେବାକୁ ଚାହୁଁ ଥିଲେ ?

 

ବେଶ୍ ଭଲ ହେଲା । ହତ୍ୟା କରି ସେମାନେ ମୋତେ ମୁକ୍ତି ଦେଲେ । ଦୁଃଖ କରିବା ପରିବର୍ତ୍ତେ ମୁଁ ସେଥିପାଇଁ ଅନେକ ଖୁସି । ମୋର ଦୁଃଖ କେବଳ ସେଇମାନଙ୍କ ପାଇଁ । ମୋତେ ହତ୍ୟା କଲାବେଳେ ସେମାନେ ଯେମିତି ଆନନ୍ଦରେ ନାଚୁଥିଲେ ଏବେ ଯଦି ତା ଅପେକ୍ଷା ଦୁଇଗୁଣ ଆନନ୍ଦରେ ନାଚି ପାରନ୍ତେ, ତା ହେଲେ ମୁଁ ବରଂ ବେଶୀ ଖୁସି ହୁଅନ୍ତି । ସେମାନଙ୍କ ନାଚ ଦେଖି ମୋ ଆତ୍ମା ବି ଆନନ୍ଦରେ ନାଚି ଉଠନ୍ତା । କିନ୍ତୁ ଦୁଃଖ—ସେମାନେ ମୋତେ ଦେଖି ଭୟ କରୁଛନ୍ତି ବୋଲି । ଦେଖିବାମାତ୍ରେ ଚିତ୍କାର କରି ଛାଟିପିଟି ହୋଇ ପଳେଇ ଯାଉଛନ୍ତି ବୋଲି । ସେମାନେ ବୋଧହୁଏ ଭାବୁଛନ୍ତି, ଭୂତ ହୋଇ ମୁଁ ସେମାନଙ୍କୁ ଡରେଇବି । ସେମାନଙ୍କ ପଛରେ ଗୋଡ଼େଇ ଗୋଡ଼େଇ ସେମାନଙ୍କୁ ହଇରାଣ କରିବି ।

 

ସେମାନେ କିନ୍ତୁ ଭୁଲ୍ କରୁଛନ୍ତି । ସେମାନେ ଭୁଲି ଯାଉଛନ୍ତି ଯେ, ମୁଁ ଦିନେ ସେମାନଙ୍କୁ ଭଲ ପାଉଥିଲି, ସ୍ନେହ କରୁଥିଲି, ପ୍ରେମ କରୁଥିଲି । ମଧୁପାନ ପାଇଁ ନିମନ୍ତ୍ରଣ କରିବା ପୂର୍ବରୁ ଏବଂ ମଦ୍ୟପାନ କରେଇ ହତ୍ୟା କରିବା ପରେ ସେମାନଙ୍କ ପାଇଁ ମୋ ପ୍ରେମର ସ୍ୱରୂପ ବଦଳିଯାଇ ନାହିଁ କି ବଦଳି ପାରେନା ।

 

ମୋର ଦୁଃଖ–ସେମାନେ ମୋତେ ଚିହ୍ନିଲେ ନାହିଁ । ଏତେ ଦିନର ବଂଧୂତା ପରେ ସେମାନେ ମୋତେ ବୁଝିଲେ ନାହିଁ କି ବୁଝିବାକୁ ସମାନ୍ୟ ଚେଷ୍ଟା ବି କଲେ ନାହିଁ ।

★★★

 

ସ୍କୁଲ ଝିଅ

 

ସ୍କୁଲ ଝିଅକୁ ପ୍ରେମ କରିବା ସେ ସମ୍ପୂର୍ଣ୍ଣ ନିରାପଦ ନୁହେଁ ଏ କଥା ବା ମୁଁ କେମିତି ଜାଣିଥାନ୍ତି ?

 

କଲେଜ ଝିଅଙ୍କ ଦ୍ୱାରା ବାରମ୍ବାର ପ୍ରତାରିତ ହେବା ପରେ ହଠାତ୍ ମୁଁ ଗୋଟିଏ ସ୍କୁଲ ଝିଅର ପ୍ରେମରେ ପଡ଼ିଗଲି ।

 

(ଝିଅଟିର ନାଁ କହିବା ଉଚିତ୍ ମନେ କରୁନାହିଁ ।)

 

ପ୍ରେମର ଅର୍ଥ ସେ ବୁଝି ଥିଲା କି ନାହିଁ ଜାଣେନା—କିନ୍ତୁ ମୋ ସହିତ ଅନେକବେଳଯାଏଁ ଗପିବାକୁ ସେ ଭଲ ପାଉଥିଲା ।

 

ରାତିରେ ଶୋଇଲାବେଳେ କୁଆଡ଼େ ମୋ କଥା ତାର ମନେ ପଡ଼େ ।

 

ଦିନେ ଦିନେ ସ୍ଵପ୍ନ ବି ଦେଖେ । ମୁଁ କୁଆଡ଼େ ରଜାପୁଅ ହୋଇ ତାକୁ ଘୋଡ଼ାରେ ବସେଇ ଅଗ୍ନାଅଗ୍ନି ବନସ୍ତରେ ବୁଲୁଛି ।

 

ସକାଳେ ପଢ଼ି ବସିଲାବେଳେ ବହିର ଛପା ଅକ୍ଷର ଭିତରେ ସେ ମୋ ମୁହଁର ଛାପା ଦେଖେ ।

 

ଦିନେ ଏକାନ୍ତ ନିରୋଳା ଦେଖି ତାକୁ ଧରି ପକେଇଲି ।

 

ଅତି ସହଜରେ ସେ ଧରା ଦେଲା ।

 

ପଚାରିଲି—’ତୁ ମୋତେ ବାହା ହବୁ ?’

 

ମୁଣ୍ଡ ହଲୋଇ ସେ ‘‘ନାହିଁ’’ କଲା ।

 

ତୁ କ’ଣ ମୋତେ ଭଲ ପାଉନା ?

 

: ଅପା କ’ଣ ଗୁନା ଭାଇଙ୍କି ବାହା ହେଲା ? —ମୋତେ ତାର ଓଲଟା ପ୍ରଶ୍ନ ।

 

: ସେ କ’ଣ ତାଙ୍କୁ ଭଲ ପାଉ ଥିଲା ? —ମୁଁ ପଚାରିଲି ।

 

: ପଢ଼ା ଘରେ ବସି ସବୁଦିନ ରାତିରେ ତାଙ୍କ ପାଖକୁ ଲମ୍ବା ଲମ୍ବା ଚିଠି ଲେଖୁଥିଲା । ଫଟକୁ ତାଙ୍କର କେତେ ଯତ୍ନରେ ତା ହାତ–ବାକ୍‌ସ ଭିତରେ । ଲୁଚେଇ ରଖିଥିଲା ।

 

ପ୍ରଥମେ କିଛି ସମୟ ମୁଁ ନିରୁତ୍ତର ରହିଗଲି ।

 

ତା ପରେ କହିଲି—ଅପା ତୋର ଗୁନାଭାଇଙ୍କି ଭଲ ପାଉ ନଥିଲା । ସେ ତାଙ୍କ ସହିତ ଖେଳୁଥିଲା—ମିଛି ମିଛିକା ଭଲ ପାଇବାର ଖେଳ । ଯିଏ ଯାହାକୁ ଭଲପାଏ, ସିଏ ତାକୁ ବାହା ହୁଏ ।

 

: ତୁ ଯଦି ମୋତେ ଭଲ ପାଉ, ତେବେ ବାହା ହବୁ ନିଶ୍ଚୟ ।

 

: ତମେ ତ ମାଷ୍ଟ୍ର ହେଇଛ ।

 

: କ’ଣ ହେଲା ସେଇଠୁ । ମାଷ୍ଟ୍ରମାନେ କ’ଣ ବାହା ହୁଅନ୍ତି ନାହିଁ !

 

: ବାପା କହୁଥିଲେ ସିଏ କୁଆଡ଼େ ମୋର ବାହାଘର ଠିକ୍ ‌କରିଦେଇଛନ୍ତି । ମାଟ୍ରିକ୍ ପାଶ କଲା ପରେ ମୋର ବାହାଘର ହେଇଯିବ । ‘ସିଏ’ ବ—ହୁ—ତ୍‌ ବଡ଼ ଚାକିରି କରିଛନ୍ତି । ମାସକୁ ହଜାରେ ଟଙ୍କା ଦରମା ପାଉଛନ୍ତି । ତାଙ୍କର ପୁଣି ଗାଡ଼ି ଅଛି ।

 

‘ତମେ କ’ଣ ମୋତେ ଗାଡ଼ିରେ ବସେଇ ବୁଲେଇ ପାରିବ ?’

 

: ତୁ ପରା ସ୍ୱପ୍ନ ଦେଖିଥିଲୁ—ରଜାପୁଅ ହୋଇ ମୁଁ ତତେ ଘୋଡ଼ାରେ ବସେଇ ବୁଲଉଛି-

 

—ସେ ଖାଲି ଏଥର ହସିବାରେ ଲାଗିଲା । ହସି ହସି କହିଲା—ସିଏ ତ ଖାଲି ସ୍ଵପ୍ନ । ସ୍ୱପ୍ନ କ’ଣ କେବେ ସତ ହୁଏ ?

 

‘ତମେ ତ ମାଷ୍ଟ୍ର ତମେ କ’ଣ ରଜାପୁଅ ହୋଇପାରିବ ?’

 

—ପାଟିରୁ ମୋର କଥା ସରି ଯାଇଥିଲା । ଆଖିରେ ଆଖିଏ ଲୁହ ଭରି ଯାଇଥିଲା ।

 

ସ୍କୁଲ ଝିଅଟି ଅତି ମାତ୍ରାରେ ଆଶ୍ଚର୍ଯ୍ୟ ହେଲାଭଳି କହିଲା–ଇଇସ୍ ! କି ମାଇଚିଆ ! ମୁଁ ତୁମକୁ ବାହାହେବିନି ବୋଲି ତମେ କାନ୍ଦୁଛ !

 

ଝିଅଟି ଉପରୁ ଦୃଷ୍ଟି ଫେରେଇ ବୁଲିପଡ଼ିଲା ବେଳକୁ ଦେଖେତ—ଝିଅର ମା’ ଠିଆ ହୋଇଛନ୍ତି ।

 

ଆଖି ଦୁଇଟା ତାଙ୍କର ଜଳୁଛି—ଜଳନ୍ତା ନିଆଁ ଭଳି—ଅବିଶ୍ୱାସରେ, ଅସନ୍ତୋଷରେ, ବିରକ୍ତିରେ, କ୍ରୋଧରେ ।

 

ମୋ ଆଖିର ଲୁହ ସେ ନିଆ ଲିଭେଇବାକୁ ସମର୍ଥ ନଥିଲା ।

 

ମା’ ଝିଅଙ୍କୁ ବିଦାୟ ଦେଇ କି ଭଳି ଯେ ମୁଁ ସେଦିନ ଆସି ଘରେ ପହଞ୍ଚିଲି—ସେ କଥା ମୋର ଆଉ ମନେ ନାହିଁ ।

★★★

 

ରଜାଝିଅ କଥା

 

ରଜାଝିଅର କାହାଣୀ ।

 

ବାରହାତ ଲମ୍ବବେଣୀ–ସୁନାନାକି ରଜାଝିଅ । ଅତି ଅଲିଅଳି

 

ମୋ ବାଟରେ ମୁଁ ଚାଲିଥିଲି । ଡାକିଲା ସେ ହାତଠାରି । ଆସ ମୋର ସପନକୁମାର । ରଜାପୁଅ ମୁଁ ନୁହେଁ କି ନୁହେଁବି ମୁଁ ମନ୍ତ୍ରୀପୁଅ । ରଜାପୁଅ, ମନ୍ତ୍ରୀପୁଅମାନେ କିନ୍ତୁ ମୋର ବନ୍ଧୁ—ଅନ୍ତରଙ୍ଗ ବନ୍ଧୁ । ତେଣୁ ରଜାଝିଅର ଡାକରେ ତା ପାଖକୁ ଗଲି । ମୋ କାନରେ ସେ ଆସି ଚୁପି ଚୁପି କହିଲା—କାଲି ମୋର ସ୍ୱୟଂମ୍ବର । ତମେ ଆସିବ । ନିଶ୍ଚୟ ଆସିବ । ତମେ ମୋର ସ୍ଵପ୍ନର କୁମାର ।

 

ବନ୍ଧୁମାନଙ୍କୁ ଆସି କହିଲି । ସ୍ୱୟଂମ୍ବର ସଭାରେ ଯୋଗ ଦେବାପାଇଁ ସେମାନଙ୍କୁ ଡାକିଲି । ଯିବାପାଇଁ ସେମାନେ ରାଜି ହେଲେ । ତିନିବନ୍ଧୁ ଯାଇ ସ୍ଵୟଂମ୍ବର ସଭାରେ ବସିଲୁ ।

 

ରଜାଝିଅ ଆସିଲା । ସଙ୍ଗୀ ସହଚରୀଙ୍କ ମେଳରେ ହାତରେ ବହୁରଙ୍ଗର ଫୁଲମାଳା ଧରି ଆସିଲା ରଜାଝିଅ । ବାରହାତ ଲମ୍ବବେଣୀ—ସୁନାନାକ ରଜାଝିଅ ।

 

ରଜାଝିଅ ହାତରୁ ବରଣମାଲା ଗ୍ରହଣ କରିବାପାଇଁ ମୁଁ ନିଜକୁ ମନେ ମନେ ପ୍ରସ୍ତୁତ କରିନେଲି ।

 

ମନରେ କିନ୍ତୁ ଆଶଙ୍କା ? ସତରେ କ’ଣ ରଜାଝିଅ ତା ହାତର ବରଣମାଳାକୁ ମୋ ଗଳାରେ ଲମ୍ବେଇ ଦେବ ? ମୁଁ ତ ରଜାପୁଅ ନୁହେଁ କି ନୁହେଁ ବି ମୁଁ ମନ୍ତ୍ରୀପୁଅ । କିନ୍ତୁ କ’ଣ ହେଲା ସେଇଠୁ ? ଯୁଦ୍ଧରେ ବାପା ମୋର ରାଜ୍ୟ ହାରି ନଥିଲେ ମୁଁ ବିତ ରଜାପୁଅ ହୋଇଥାଆନ୍ତି । ମନରେ ପୁଣି ଆଶା—ରଜାଝିଅତ ମୋତେ କହିଛି—ମୁଁ ତାର ସପନକୁମାର ।

 

ନା—ନା ଆଶଙ୍କା ମୋର ବୃଥା । ତା ହାତର ବରଣମାଳା ନିଶ୍ଚୟ ମୋ ପାଇଁ ।

 

ଏଇତ ରଜାଝିଅ ଆସୁଛି । ଯନ୍ତ୍ରଚାଳିତ ସଖୀ କଂଢେଇଟିଏ ଭଳି ସଖୀ ସହଚରୀଙ୍କ ମେଳରେ ଅତି ଧୀରେ ଧୀରେ ପଦଚାଳି ଆସୁଛି ରଜାଝିଅ ।

 

ମୋର ଖୁବ୍ ନିକଟକୁ ସେ ଏଥର ଆସିଗଲାଣି । ଶୂନ୍ୟ ଗଳାରେ ହାତଟାକୁ, ମୁଁ ପୁଣି ଥରେ ବୁଲେଇ ଆଣିଲି ।

 

ଏ କ’ଣ ! ହଠାତ୍ ରଜାଝିଅ ହାତରୁ ବରଣମାଳାଟା ଖସି ପଡ଼ିଲା—ମୋ ପାଖରେ ବସିଥିବା ମୋର ବନ୍ଧୁ, ରଜାପୁଅର ବେକରେ ।

 

ରଜାଝିଅର ଏକ ଦୃଷ୍ଟିଭ୍ରମ !

 

ରଜାପୁଅର ଓଠରେ ହସର ଢେଉ । ମୋ ଆଖିରେ ଲୁହର ବନ୍ୟା । ଓଠକୁ ଚିପି ଚିପି ହସୁଛି ରଜାଝିଅ ।

 

ଦୃଷ୍ଟି ଭ୍ରମ ତାର ହୋଇନାହିଁ । ତୃପ୍ତିର ହସ ହସି ମୋ କାନରେ ଆସି ପୂର୍ବଭଳି ସେ ସେମିତି ଚୂପି ଚୂପି କହିଲା—ତମେ ମୋର ସପନକୁମାର । ସ୍ୱପ୍ନର ନାୟକ । ମୁଁ ତମକୁ ଭଲଯାଏ–ଖୁବ୍ ଭଲପାଏ । କିନ୍ତୁ ରଜାପୁଅକୁ ବରଣ କଲି । ସେ ହେବ ମୋ ଜୀବନ ଯୌବନର ନାୟକ-

 

ରଜାଝିଅ ଆଡ଼େ ଚାହିଁଲି । ରଜାପୁଅର ହାତରେ ହାତ ଛନ୍ଦି, ବାରହାତରେ ଲମ୍ବବେଣିକୁ ହଲେଇ ହଲେଇ ରଜାଝିଅ ଏଥର ତା’ର ଯାତ୍ରା ଆରମ୍ଭ କରିଦେଲାଣି ।

★★★

 

ଉଡ଼ିଗଲା ଚଢ଼େଇର ଗୀତ

 

ଛୋଟ ଗପଟିଏ କହୁଛି ।

 

ଶିକାର ଉଦ୍ଦେଶ୍ୟରେ ଦିନେ ବଣରେ ବୁଲୁ ବୁଲୁ ଦେଖିଲି ଗଛ ଡାଳରେ ସୁନ୍ଦର ଚଢ଼େଇଟିଏ ବସି ଗୀତ ଗାଉଛି । କାନ୍ଧରେ ଝୁଲୁଥିବା ବଂଧୁକଟିକୁ ତା’ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିବା ପୂର୍ବରୁ ଆପଣା ଛାଏଁ ଛାଏ ସେ ଆସି ମୋ କାନ୍ଧରେ ବସି ପଡ଼ିଲା । ଭାବିଲି, ହତ୍ୟା ନ କରି ଏଥର ତାକୁ ଘରକୁ ନେଇ ପଞ୍ଜୁରୀରେ ମୋର ସାଇତି ରଖିବି ।

 

ତାକୁ କାନ୍ଧରେ ବସେଇଁ କିଛିବାଟ ଯିବାପରେ ହଠାତ୍ କିନ୍ତୁ ସେ ମୋ ଉପରେ ଆକ୍ରମଣ କଲା । ତାର ଛୋଟ ଥଣ୍ଟଟିରେ ମୁହଁକୁ ମୋର ବାରମ୍ବାର ଆଘାତ କରି ମୋତେ କ୍ଷତବିକ୍ଷତ ଓ ରକ୍ତାକ୍ତ କରି ପକେଇଲା ।

 

ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ମୁଁ ଦେଖିଲି, ମୋ ଦେହର ଗାଢ଼ ଲାଲ୍ ରକ୍ତରେ ତଳର କଳାମାଟି କ୍ରମେ ଲାଲ୍ ହେବାକୁ ଆରମ୍ଭ କରିଛି । ବହୁ ଦୂରରେ ଉପରେ କିନ୍ତୁ ମନ ମତାଣିଆ ଗୀତ ଗାଇ ମନର ଚଢ଼େଇଟି ମୋର ଶୂନ୍ୟ ନୀଳ ଆକାଶରେ ମିଶି ଯାଉଛି ।

★★★

 

ଋତୁ ପରିକ୍ରମା

 

ବସନ୍ତ ସୋ ଦେହରେ ହୋରିର ରଂଗ ଦେଲା ।

 

ଗ୍ରୀଷ୍ମ ସେ ରଂଗକୁ ଆହୁରି ଉଜ୍ଜ୍ୱଳ କରି ମୋ ମନରେ

 

ପ୍ରୀତ ଓ ପ୍ରତ୍ୟୟ ସୃଷ୍ଟି କଲା ।

 

ବର୍ଷା କିନ୍ତୁ ସବୁ ରଂଗକୁ ଧୋଇ ଦେଇ ଦେହ ଓ ମନକୁ

 

ମୋର ବିବର୍ଣ୍ଣ କରି ଦେଲା ।

 

ଏବେ ଖାଲି ଶୀତ । ଓଃ ପ୍ରବଳ ଶୀତ, ବସନ୍ତରେ ଯେଉଁମାନେ ମୋତେ ଘର ଭିତରୁ ବାହାରକୁ ଆଣି ମୋ ଦେହରେ ରଂଗ ଦେଇଥିଲେ ଶୀତର ସଂକେତ ପାଇ ଭିତରକୁ ଯାଇ ସେମାନେ କବାଟ ବନ୍ଦ କରି ଦେଲେଣି, ମୁଁ ଏଥର ଏକୁଟିଆ ହୋଇ ବାହାରେ ବସିଛି । ଅସହ୍ୟ ଦୁଃଖ, ଯନ୍ତ୍ରଣା ଓ ଅନୁଶୋଚନାର ପ୍ରବଳ ଶୀତ ପବନ ମୋର ଫୁଙ୍ଗୁଳା ଦେହ ମନକୁ ଥରାଇ ଦେଉଛ ।

★★★

 

ସୂର୍ଯ୍ୟର କଳଙ୍କ

 

ଫାନ୍ଦର ଆବ୍ରାହମ ଆସିଥିଲେ । ଫେରିଗଲେ ।

 

ମୋ ଉପରେ ବିରକ୍ତ ଓ ଅସନ୍ତୁଷ୍ଟ ହୋଇ ସେ ଫେରିଗଲେ ।

 

ଧର୍ମାନ୍ତର ଗ୍ରହଣ କରି ଇରାକୁ ବିବାହ କରିବାର ଯେଉଁ ପ୍ରସ୍ତାବ ନେଇ ସେ ଆସିଥଲେ, ମୁଁ ତାକୁ ଗ୍ରହଣ କରିପାରିନଥିଲି । କ୍ଷୁବ୍‌ଧ ହୋଇ ସେ ଫେରିଯାଇଥିଲେ ।

 

ଧର୍ମାନ୍ତର ଗ୍ରହଣ କରି ନେବା ସପକ୍ଷରେ ଅନେକ ଯୁକ୍ତି ସେ ବାଢ଼ିଥିଲେ । ତା ପରେ ଇରାର ପବିତ୍ର ପ୍ରେମ ପ୍ରତି ବିଶ୍ୱାସ ଘାତକତା କରିଛି ମୋ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ମୁଁ ମୋ ନିଷ୍ପତ୍ତିରେ ଅଟଳ ଥିଲି । ଇରାକୁ ବିବାହ କରିବାକୁ ମୁଁ ପ୍ରସ୍ତୁତିଥିଲି ଧର୍ମାନ୍ତର ଗ୍ରହଣ କରିବା ପାଇଁ ମୋର ବିବେକ ମୋତେ ବାଧା ଦେଇଥିଲା ।

 

‘‘ଧର୍ମାନ୍ତର ଗ୍ରହଣ କରିବା ପାଇଁ ତୁମର ଯଦି ଏତେ ଆପତ୍ତି ତେବେ ଇରାକୁ ତୁମେ ଭଲ ପାଇ ବସିଲ କାହିଁକି ? ତାକୁ ବିବାହ କରିବାର ପ୍ରତିଶ୍ରୁତି ଦେଲ କାହିଁକି ?’’ ଫାଦାର ପ୍ରଶ୍ନ କରିଥିଲେ ।

 

‘‘ଇରାକୁ ବିବାହ କରିବା ପାଇଁ ମୁଁ ତ କୌଣସି ଆପତ୍ତି କରି ନାହିଁ ।’’ —ମୁଁ ଉତ୍ତର ଦେଇଥିଲି ।

 

“ଭୁଲି ଯାଉଛ କାହିଁକି ସୁବ୍ରତ, ଯେ ଧର୍ମାନ୍ତର ବିନା ଇରା ସହିତ ବିବାହ ଅସମ୍ଭବ । ଇସ୍ ଖ୍ରୀଷ୍ଟିୟାନ । ତାକୁ ବିବାହ କରିବାକୁ ହେଲେ ତୁମକୁ ପ୍ରଥମେ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହେବାକୁ ପଡ଼ିବ ।”

 

‘‘ଇରାକୁ ବିବାହ କଲେ ସେ ହେବ ମୋର ସ୍ତ୍ରୀ—ସହଧର୍ମିଣୀ ବିବାହ ପୂର୍ବରୁ ସ୍ତ୍ରୀର ଧର୍ମ ଯାହା ଥାଉନା କାହିଁକି—ବିବାହ ପରେ ସ୍ୱାମୀର ଧର୍ମ ହୁଏ, ସ୍ତ୍ରୀର ଧର୍ମ । କିନ୍ତୁ ମୋତେ ବିବାହ କରିବା ପରେ ମଧ୍ୟ ଇରା ଯଦି ପ୍ରତି ରବିବାର ଚର୍ଚ୍ଚକୁ ଯାଏ ବା ସକାଳେ ସନ୍ଧ୍ୟାରେ ଯୀଶୁଙ୍କର ଆରାଧନା କରେ, ତେବେ ମୁଁ କେବେ ହେଲେ ଆପତ୍ତି କରିବି ନାହିଁ ଫାଦର । କାରଣ ମୋ ମତରେ ଏଦୁନିଆରେ ଧର୍ମ ହେଉଛି ଗୋଟାଏ ତାହା ହେଉଛି ମାନବ ଧର୍ମ । ହିନ୍ଦୁ ଇସଲାମ, ଖ୍ରୀଷ୍ଟଧର୍ମ ଏହି ଧର୍ମର ବିଭିନ୍ନ ଶ୍ରେଣୀ ବିଭାଗ କଲେ ବି ସବୁ ଧର୍ମର ମୂଳମନ୍ତ୍ର ହେଉଛି ଗୋଟାଏ । ତାହା ହେଉଛି ‘ପ୍ରେମ’ । ଇରାକୁ ମୁଁ ଭଲ ପାଇଛି । ସେ ଭଲ ପାଇବାରେ ଛଳନା ନାହିଁ—ପ୍ରତାରଣା ନାହିଁ । ହୃଦୟର ଗଭୀର ପ୍ରେମ ଦେଇ ମୁଁ ତାକୁ ଭଲ ପାଇଛି । ବିବାହ କରିବାକୁ ମଧ୍ୟ ମୁଁ ପ୍ରସ୍ତୁତ ଅଛି । କିନ୍ତୁ ମିଥ୍ୟା ଧର୍ମାନ୍ତର ଗ୍ରହଣରେ ମୋର ବିଶ୍ୱାସ ନାହିଁ ଫାଦର ।’’

 

ନିରୁତ୍ତର ହୋଇ ଫାଦର ଫେରିଯାଇଥିଲେ । ମୋର ମତ ପରିବର୍ତ୍ତନ ପାଇଁ ତାଙ୍କ ପାଖରେ ଯୁକ୍ତିର ଅଭାବ ପଡ଼ିଥିଲା । ମୋତେ ଭୁଲବୁଝି ମୋ ଉପରେ କ୍ଷୁବ୍‌ଧ ହୋଇ ସେ ଫେରି ଯାଇଥିଲେ ।

 

ଇରା ଆଉ ମୁଁ ।

 

ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତା ଫାଦର ଆବ୍ରାହମଙ୍କର ପାଳିତ କନ୍ୟା ଇରା—ଆଉ ନୈଷ୍ଠିକ ବ୍ରାହ୍ମଣ ପରିବାରର ହିନ୍ଦୁ ସନ୍ତାନ ମୁଁ—ସୁବ୍ରତ ଦାଶ ।

 

ଇରା ସହିତ ମୋର ପରିଚୟ ଆକସ୍ମିକ ବା ଅପ୍ରତ୍ୟାଶିତ ନୁହେଁ । ତା ସହିତ ମୋର ପ୍ରେମ ‘ପ୍ରଥମ ସାକ୍ଷାତରେ, ପ୍ରେମ’ ନୁହେଁ କିମ୍ବା ତାକୁ ବିବାହ କରିବାର ନିଷ୍ପତ୍ତି ମୋର ଭାବ ପ୍ରବଣତାର ଏକ ବିଳାସ ନୁହେଁ ।

 

ମୋର ଅନେକ ବନ୍ଧୁ ତଥା ସହରର ବିଭିନ୍ନ ଶ୍ରେଣୀର ଲୋକଙ୍କଠାରୁ ଇରାର ଚାରିତ୍ରିକ ଦୂର୍ବଳତା ସମ୍ବନ୍ଧରେ ଅନେକ ସତ ମିଛର କାହାଣୀ ଶୁଣିବା ପରେ ମଧ୍ୟ ମୁଁ ତାକୁ ମୋ ସହିତ ମିଶିବାର ସୁଯୋଗ ଦେଇଥିଲି । ଅନେକ ଦିନ ତା ସହିତ ମିଶିବା ପରେ ଭଲ ଭାବରେ ବିଶ୍ଳେଷଣ କରି ତାକୁ ଗ୍ରହଣ କରିବାର ସିଦ୍ଧାନ୍ତରେ ମୁଁ ପହଞ୍ଚିଲି । ଯେଉଁଦିନ ମୋର ଏ ସିଦ୍ଧାନ୍ତ କାନରୁ କାନ ହୋଇ ସହରର ଶହ ଶହ କାନକୁ ବ୍ୟାପିଯାଇଥିଲା, ସେହି ଦିନୁ ବ୍ୟଙ୍ଗ ବିଦ୍ରୁପ, ଥଟ୍ଟା–ପରିହାସ ଓ ସମାଲୋଚନର ଅନେକ ଶାଣିତ ଅସ୍ତ୍ର ମୋର କୋମଳ ପ୍ରାଣରେ ଆଘାତ ଦେଇଛି । ମାତ୍ର ବୁମେରାଂ ଭଳି ସମାଲୋଚନାର ଅସ୍ତ୍ର ସେଇ ସମାଲୋଚକମାନଙ୍କ ନିକଟକୁହଁ ଶେଷରେ ଫେରି ଯାଇଛି । ମୋର କୋମଳ ପ୍ରାଣରେ ଆଘାତର ରକ୍ତ ଲାଗିଛି ସତ୍ୟ, ମାତ୍ର ମୁଁ ସେଥିରେ ବିବ୍ରତ ବା ବ୍ୟଥିତ ହୋଇ ନାହିଁ ।

 

ଦୁଇ ବର୍ଷତଳେ ।

 

ଓଡ଼ିଶା ସରକାରଙ୍କ ପ୍ରଶାସନିକ ଅଫିସର ଭାବରେ ନୂଆ ନିଯୁକ୍ତି ପାଇ ମୁଁ ଆସିଥାଏ ତୟପୁର । ପ୍ରକୃତି କୋଳରେ ଗଢ଼ି ଉଠିଥିବା ନୀଳ ଶୈଳ ଓ ଘନ ବନନୀ ବେଷ୍ଟିତ କୋରପୁଟ ଜିଲ୍ଲାର ଜୟପୁର ସହର । ନିଯୁକ୍ତି ମୋ ପାଇଁ ନୂଆ ହେଲେବି ଜୟପୁର ମୋ ପାଇଁ ନୂଆ ନଥିଲା । ଆଉ ଥରେ ଆସିଥିଲି ବୋଉ ସହିତ—ବାପା ଯେତେବେଳେ ଏଠି ଥିଲେ ବନ୍ଦୋବସ୍ତ ବିଭାଗର ଜଣେ ଅଫିସର । ଚଉଦବର୍ଷ ପରେ ନିଜେ ମୁଁ ନିଜେ ଅଫିସର ଭାବରେ ଆସି ଦେଖୁଥଲି ଏହି ଜୟପୁରକୁ । ଚଉଦ ବର୍ଷ ତଳର ଛୋଟ ଜୟପୁର ମୋରି ଭଳି ଅନେକ ବଡ଼ ହୋଇ ଯାଇଥିଲା । ସରକାରଙ୍କର ବହୁ ଯୋଜନା, ଉନ୍ନୟନ ମୂଳକ ପରିକଳ୍ପନା ଜୟପୁରକୁ ସୁଶ୍ରୀ, ସୁନ୍ଦର, ରୁଦ୍ଧିମନ୍ତ କରି ଗଢ଼ିଥିଲା ।

 

ଇରା ସହିତ ମୋର ପରିଚୟ ହୁଏ ଏହି ଜୟପୁରରେ ।

 

ପରିଚୟ ମାଧ୍ୟମ ଥିଲା ମୋର ଅନ୍ତରଙ୍ଗ ବନ୍ଧୁ ପ୍ରଶାନ୍ତ । ମୁଁ ଏଠିକି ଆସିବାର ଛ’ମାସ ପୂର୍ବରୁ ଇତିହାସର ଅଧ୍ୟାପକ ଭାବରେ ଜୟପୁର କଲେଜରେ ନୂଆ ହୋଇ ଯୋଗ ଦେଇଥାଏ । ମୋ ସ୍କୁଲ ଜୀବନର ସହପାଠୀ ବନ୍ଧୁ ପ୍ରଶାନ୍ତ । ଅନେକ ଦୂରରେ ପୁରୁଣା ଦିନର ବନ୍ଧୁକୁ ପାଇ ମୁଁ ଖୁବ୍ ଖୁସିହୋଇ ଯାଇଥିଲି । ଅଫିସରୁ ଫେରିବା ପରେ ଅଧିକାଂଶ ସମୟ କଟିଯାଉ ଥିଲା ପ୍ରଶାନ୍ତ ଘରେ—ପ୍ରଶାନ୍ତ ଓ ପ୍ରଭାତିଙ୍କ ସହିତ ଗପକରି । ପ୍ରଭାତି ପ୍ରଶାନ୍ତର ସ୍ତ୍ରୀ । ନୂଆ ହୋଇ ବାହାହୋଇଥାଏ ପ୍ରଶାନ୍ତ । ଇରାକୁ ପ୍ରଥମେ ଆବିଷ୍କାର କରିଥିଲି ଏହି ପ୍ରଶାନ୍ତ ଘରେ । ଇତିହାସର ଛାତ୍ରୀ ଭାବରେ ଆସିଥିଲା । ପ୍ରଶାନ୍ତ ପାଖକୁ ପଢ଼ା ବୁଝିବା ପାଇଁ । ତାଛଡ଼ା ବନ୍ଧୁ ପ୍ରଶାନ୍ତ ଥିଲା ଖ୍ରୀଷ୍ଟିୟାନ । ତେଣୁ ପ୍ରତି ରବିବାର ସକାଳେ ପ୍ରଶାନ୍ତ ତା ସହିତ ଗୀଜାକୁ ଗଲାବେଳେ ସେଇଠି ଭେଟୁଥିଲି ଇରାକୁ ।

 

ସତରବର୍ଷର ଝିଅ ଇରା, ଶାନ୍ତ, ସରଳ, ସୁନ୍ଦର । ସବୁବେଳେ ତା ମୁହଁରେ ଲଜ୍ଜ୍ୟାର ଅରୁଣିମା । କିନ୍ତୁ ଲକ୍ଷ୍ୟ କରିଛି, ମୋତେ ଦେଖିଲେ ସବୁବେଳେ ସେ କିପର ଏକ ବିହ୍ୱଳ ଦୃଷ୍ଟିରେ ଚାହିଁ ରହେ । କିଛି କହେନି, ମୋର ଦୂର୍ବଳମନ ମୋତେ ଅନେକ ସମୟରେ ପ୍ରଶ୍ନକରେ—ଇରାକୁ ବାହାହେଲେ କେମିତି ହୁଅନ୍ତା ? ନିଜ ପ୍ରଶ୍ନ ଶୁଣି ନିଜେ ଚମକି ପଡ଼ିଛି, ନିଜକୁ ସଂଯତକରି ନେଇଛି-। କିନ୍ତୁ ଯେଉଁ ଦିନ ଇରା ମୋତେ କିଛି କହିବ ବୋଲି ଡାକିନେଇ କିଛି କହି ନପାରି ମୋ ପାଖରେ ବସି ମୋ ପଦ ଦୁଇଟିକୁ ତା ଆଖିର ଲୁହରେ ଧୋଇ ଦେଇଥିଲା—ଆଉ ଦୀର୍ଘ ଦଶ ପୃଷ୍ଠାର ଗୋଟାଏ ଚିଠି ଭିତରେ ତା ଅତୀତର କରୁଣ, କଳଙ୍କିତ ଗୋପନ ଅଧ୍ୟାୟର ପୃଷ୍ଠା ସବୁ, ଖୋଲିଦେଇ ମୋର ଆଶ୍ରୟ ଭିକ୍ଷା କରିଥିଲା—ସେଦିନ ଦୟା, କରୁଣା, ଅନୁକମ୍ପାର ହିଲ୍ଲୋଳ ମୋର ମୋର କୋଳେ ପ୍ରାଣରେ ଝଡ଼ର କମ୍ପନ ତୋଳିଥିଲା ।

 

ଯୌବନର ଆଦ୍ୟ ପ୍ରଭାତରେ କଲେଜରେ ନୂଆ ପାଦଦେବା ବେଳେ ଇରା ଭେଟିଥିଲା ଇଂରାଜୀ ଅଧ୍ୟାପକ ଶ୍ରୀକୁମାରଙ୍କୁ । କ୍ଲାସରେ ସେଲି ଓ ଓ୍ୱାର୍ଡସ୍‌ଓ୍ୱାର୍ଥଙ୍କର ଇଂରାଜୀ କବିତା ବୁଝାଇବାବେଳେ ତାଙ୍କ ବକ୍ତୃତା ଶୈଳୀରେ ସେ ମୁଗ୍‌ଧ ହୋଇଥିଲା । ରୂପରେ ତାଙ୍କର ଶ୍ରୀ ଥିଲା । ଆଉ ସେ ଥିଲେ କୁମାର । ଇରାକୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶ୍ରୀକୁମାର ମନରେ ତାର ଭଲ ପାଇବାର ନିଶା ଧରେଇ ଦେଇଥିଲେ । ସ୍କୁଲ ଛାଡ଼ି ନୂଆହୋଇ କଲେଜକୁ ଆସିଥିବା ଶାନ୍ତ, ସରଳ, ନିରୀହା ଇରା କଲେଜର ଦାୟିତ୍ଵ ସମ୍ପନ୍ନ ଅଧ୍ୟାପକଙ୍କ କଥାକୁ ଅବିଶ୍ୱାସ ବା ନକରନ୍ତା କିପରି ? ତାର ସେଇ ସରଳ ବିଶ୍ୱାସ ଓ ଭଲ ପାଇବାର ଅପରାଧ ଯୋଗୁଁ ଆଜି ତାକୁ ଆଖିରୁ ଲୁହ ଢ଼ାଳିବାକୁ ପଡ଼ୁଛି । ସ୍କୁଲ ପିଲାଟିଏ ରାସ୍ତାରେ ଦେଖିଲେ ତାଳିମାରି ହସୁଛନ୍ତି । କଲେଜର ସହପାଠୀ ବନ୍ଧୁମାନେ ହୁଇସିଲମାରି ତାରି ଦେହରେ ସାଇକେଲ ଘଷି ଚାଲିଯାଉଛନ୍ତି । କଲେଜର କମନ୍‍ରୁମ, ଲାଇବ୍ରେରୀ ସବୁଠି ତାରି ଚରିତ୍ରକୁ କେନ୍ଦ୍ର କରି ଆଲୋଚନା ବେଶ୍ ସରଗରମ ହୋଇ ଉଠିଛି । ହସି ହସି ଇରା ସବୁ ସହି ନେଇଛି । ସହିବାର ଶକ୍ତି ସେତେବେଳେ ସୀମା ଅତିକ୍ରମ କରିଛି—ଆଖିରୁ ଦିଟୋପା ଲୁହ ଢାଳି ପର ମୁହୂର୍ତ୍ତରେ ତାକୁ ପୋଛି ପକେଇଛି ସିନା କାହାରି କଥାର କୌଣସି ପ୍ରତିବାଦ କରିନାହିଁ ଇରା ।

 

ଇରା ସେହି ଆଦ୍ୟବସନ୍ତର ପ୍ରଣୟ କାହାଣୀ—ଯାହାକୁ ଶୁଣି ସହରର ଚରିତ୍ରବାନ ଲୋକେ ତା ଦେହରେ ଚରିତ୍ରହୀନାର ଅଳଙ୍କାର ପିନ୍ଧାଇ ଦେଇଥିଲେ—ସେଇ ବ୍ୟର୍ଥ ପ୍ରଣୟ କାହାଣୀ ମୋ ମନର ମୃତ୍ତିକାକୁ ସ୍ନେହ ସହାନୁଭୂତିରେ ଆର୍ଦ୍ର କରି ଦେଇଥିଲା । ସେଇ ସ୍ନେହ ସହାନୁଭୂତି ସିକ୍ତ ମନରେ ଜନ୍ମ ନେଇଥିଲା ପ୍ରଥମ ପ୍ରେମର କଳିକା। ‘ପ୍ରଣୟ’ର ସେଇ କ୍ଷୁଦ୍ର କଳିକାଟି ‘ପରିଣୟ’ର ସୁଗନ୍ଧ ସୌରଭମୟ କୁସୁମରେ ପରିଣତ ହୋଇ ଆମ ଦୁହିଁଙ୍କର ଜୀବନକୁ ସୁରଭିତ କରିବା ପୂର୍ବରୁ ଧର୍ମାନ୍ତରର ଦ୍ୱାହି ଦେଇ ଫାଦର ଆବ୍ରାହମ ନିଜେ ସେ କଳିକାଟିକୁ ପାଦରେ ଦଳିଦେଇ ଗଲେ । ଇରାର ମାନସିକ ଅବସ୍ଥା ଚିନ୍ତାକରି ମନରେ ଖୁବ୍ ଦୁଃଖ ହୋଇଥିଲା-। ମାତ୍ର ଉପାୟ ନ ଥିଲା । ଫାଦର ଆବ୍ରାହମଙ୍କ ମିଥ୍ୟା, ଧର୍ମାନ୍ତର ଗ୍ରହଣରେ ମୋର ବିଶ୍ୱାସ ନଥିଲା କି ତାଙ୍କ ମତକୁ ସ୍ଵୀକାର କରିନେବା ପାଇଁ ମୁଁ ପ୍ରସ୍ତୁତ ନ ଥିଲି ।

 

ଦୁଇଟି ମାସ ବିତି ଯାଇଛି । ଏହା ଭିତରେ ଇରା କିମ୍ବା ଫାଦରଙ୍କ ସହିତ ମୋର ଆଉ ସାକ୍ଷାତ ହୋଇ ପାରିନଥିଲା । ଖରାଛୁଟିରେ ପ୍ରଶାନ୍ତ ତା ସ୍ତ୍ରୀକୁ ନେଇ ଗାଁକୁ ଯାଇଥିଲା । ତେଣୁ ଏକୁଟିଆ ଆଉ ଚର୍ଚ୍ଚ ଆଡ଼େ ଯିବାକୁ ମନ ହୋଇନଥିଲା । କିନ୍ତୁ ଶୁଣିବାକୁ ପାଇଲି ଯେ ଫାଦରଙ୍କ ଦେହ କୁଆଡ଼େ ଭୀଷଣ ଅସୁସ୍ଥ ।

 

ସେଦିନ ରବିବାରର ଏକ ଅଳସ ସକାଳ । ବହୁ ଦିନରୁ ଅଧା ରଖିଥିବା ଉପନ୍ୟାସକୁ ଶେଷ କରିବା ଉଦେଶ୍ୟରେ ପୃଷ୍ଠା ଓଲଟାଇବାରେ ଲାଗିଛି । କେହି ଜଣେ ଅପରିଚିତ ଆସି ମୋ ହାତରେ ଖଣ୍ଡେ ଚିଠି ଧରେଇ ଦେଲେ ।

 

ଚିଠିଖୋଲି ଦେଖିଲି ଇରାର ହାତ ଅକ୍ଷର । ଦୁଇଧାଡି ଲେଖା ‘‘ଫାଦର୍‌ ଭୀଷଣ ଅସୁସ୍ଥ-। ଆପଣଙ୍କୁ ସେ ଦେଖିବାକୁ ଚାହାନ୍ତି । ଏକାନ୍ତ ପ୍ରାର୍ଥନା ନିଶ୍ଚୟ ଆସିବେ ।’’ ଲୋକଟିକୁ ବିଦାୟ ଦେଇ ସଙ୍ଗେ ସଙ୍ଗେ ମୁଁ ବାହାରି ପଡ଼ିଲି ଫାଦରଙ୍କ ସହିତ ସାକ୍ଷାତ୍‌ ଉଦ୍ଦେଶ୍ୟରେ ।

 

ଚର୍ଚ୍ଚକୁ ଲାଗି ଫାଦରଙ୍କର ଗୋଟିଏ, ଛୋଟ, ସୁନ୍ଦର ରହିବାଘର । ପହଞ୍ଚି ଦେଖିଲି ଫାଦର ଶୋଇଥିଲେ । ସ୍ଵାସ୍ଥ୍ୟ ତାଙ୍କର ଅତି କ୍ଷୀଣ ହୋଇଯାଇଥିଲା । ପାଖରେ ବସିଥିଲା ଇରା । ଫାଦରଙ୍କୁ ମୋ ଆସିବା ଖବର ଜଣେଇବା ମାତ୍ରେ ଆଖି ଖୋଲି ସେ ଉଠିବାକୁ ଚେଷ୍ଟା କଲେ । ମୁଁ କିନ୍ତୁ ତାଙ୍କୁ ନଉଠି ଶୋଇବାକୁ ଅନୁରୋଧ କଲି ।

 

‘ତମେ ଆସିଛ ସୁବ୍ରତ’ ଥରିଲା କଣ୍ଠରେ ଏତିକି କହି ସେ ନୀରବ ହୋଇଗଲେ । ଆଖିରୁ ଦୁଇଧାର ଲୁହ ଆସି ଶୁକ୍ଳ ଶୁଶ୍ରୁକୁ ତାଙ୍କର ଓଦା କରିଦେଲା । ବହୁ କଷ୍ଟରେ ସେ ଉଠିଲେ । ତକିଆତଳୁ ଲିଫାପାଟିଏ ବାହାର କରି ମୋରି ହାତରେ ଧରେଇ ଦେଲେ । ଅନ୍ୟ ହାତଟି ନେଇ ପାଖରେ ବସିଥିବା ଇରାର ହାତ ସହିତ ଛନ୍ଦିଦେଲେ । ଆଉ ବୋଧହୁଏ କହିବାର କିଛି ନଥିଲା । ଶୋଇଗଲେ ସେ ଏକ ନୀରବ ଦର୍ଶକ ଭାବରେ । ନାଟକର ଶେଷ ଦୃଶ୍ୟଟା ଦେଖି ନେଲି ।

 

ଲଫାଫା ଖୋଲିଲି । ଖଣ୍ଡିଏ ଛୋଟ ଚିଠି । ମୋରି ଉଦ୍ଦେଶ୍ୟରେ ଲେଖିଥିଲେ ଫାଦର–ସୁବ୍ରତ । ଏ ଦୁନିଆଁରୁ ବିଦାୟ ନେବା ପୂର୍ବରୁ ମୋ ଜୀବନର ଏକ ଗୋପନୀୟ ଅଧ୍ୟାୟ (ପାପର ପଙ୍କରେ ଯାହା ପଙ୍କିଳ) ତୁମରି ନିକଟରେ ଖୋଲି ଦେଇ ଯାଉଛି । ତାହାହେଲେ ମୁଁ ଖୁବ୍ ଶାନ୍ତିରେ ମରି ପାରିବି । ତୁମେ ଜାଣିଥିବ ସୁବ୍ରତ ଯେ, ଇରା ମୋର ପାଳିତା କନ୍ୟା । ତମେ କାହିଁକି ସାରା ଦୁନିଆ ସେଇଆହିଁ ଜାଣେ କୌଣସି ଦ୍ୱିଧା ବା ସଙ୍କୋଚ ନକରି ମୁଁ ତୁମକୁ କହି ଦେଇ ଯାଉଛି ଯେ, ଇରା ମୋର ପାଳିତା କନ୍ୟା ନୁହେଁ—ମୋରି ରକ୍ତରେ ଗଢ଼ା ମୋ ନିଜ କନ୍ୟା । ଅବିଶ୍ୱାସ କରୁଛ-? ଆଶ୍ଚର୍ଯ୍ୟ ହେଉଛ ? ଏଥରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ ସୁବ୍ରତ ! କାରଣ ବାହାରର ରୂପ ଦେଖି ମଣିଷକୁ ଚିହ୍ନି ହୁଏନା । ଖ୍ରୀଷ୍ଟ ଧର୍ମର ଜଣେ ଧର୍ମଗୁରୁ ଭାବେରେ ସମସ୍ତଙ୍କର ମୋ ପ୍ରତି ଅଗାଧ ଭକ୍ତି ପ୍ରଗାଢ଼ ଅନୁରକ୍ତି । ମାତ୍ର ଆଜୀବନ ଅବିବାହିତ ରହିବାର ଶପଥ ନେଇଥିବା ସେହି ଧର୍ମଗୁରୁ ଫାଦର ଆବ୍ରାହମ ତ ଜୀବନର ବସନ୍ତରେ ଥରେ ପାଦ ତଳକୁ ଖସେଇ ଥିଲେ-

 

ନୂଆ ହୋଇ ମୁଁ ସେତେବେଳେ ଆସିଥାଏ ଏଇ ଜୟପୁର । ଧର୍ମପ୍ରଚାର କାର୍ଯ୍ୟରେ ବୁଲୁ ବୁଲୁ ଏକ ଅଖ୍ୟାତ ପଲ୍ଲୀରେ ଆବିଷ୍କାର କରିଥିଲି ଏକ ହିନ୍ଦୁ ବିଧବା ଯୁବତୀ କମଳାଙ୍କୁ । ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରି ମୁଁ ତାକୁ ନେଇ ଆସିଲି । ଆଶ୍ରୟ ଦେଲି ମୋରି ଘରେ । ସତ କହୁଛି ସୁବ୍ରତ, ତାକୁ ଆଶ୍ରୟ ଦେବା ପଛରେ କୌଣସି ହୀନ ଉଦ୍ଦେଶ୍ୟ ମୋର ନଥିଲା । କିନ୍ତୁ ଦିନେ ଏକ ଜ୍ୟୋତ୍ସ୍ନାସ୍ନାନ ରାତ୍ରୀରେ ଘର ପଛପାଖେ ବଗିଚାରେ ବୁଲୁ, ବୁଲୁ ଦେଖିଲି କର୍ମକ୍ଲାନ୍ତା କମଳା ଶୋଇ ଯାଇଛି ସେଇ ବଗିଚା ଭିତରେ । ପବନରେ ସେ ପିନ୍ଧିଥିବା ପତଳା ଲୁଗାଟା ତା ଦେହର ଭରା ଯୌବନକୁ ବାନ୍ଧି ରଖିବାକୁ ସମର୍ଥ ନଥିଲା । ତାର ସେଇ ନଗ୍ନ ଯୌବନର ଉଜ୍ଜ୍ୱଳ ଜ୍ୟୋତି ମୋର ବିବେକର ଆଖି ଦୁଇଟାକୁ ହଠାତ୍‌ ଅନ୍ଧ କରିଦେଲେ । ସଂଯମ, ବ୍ରହଚର୍ଯ୍ୟାର ଲୌହ ଶୃଙ୍ଖଳରେ ବାନ୍ଧି ରଖିବା ମୋ କାମନାର ସୁପ୍ତ ସିଂହ ସାମନାରେ ସେଦିନ ହଠାତ୍ ମାଂସର ନ୍ଧାନ ପାଇ କ୍ଷୁଧା ପାଇ କ୍ଷୁଧାରେ ଗର୍ଜି ଉଠିଲା । ଆଉ ସେଇ କ୍ଷୁଧା ଜନିତ ପାପର ପରିଣାମ ସ୍ୱରୂପ ଇରା ଆସିଲା ଏଇ ନୂଆ ଦୁନିଆକୁ । କଳଙ୍କର ବୋଝ ସହି ନପାରି କମଳା ଆତ୍ମହତ୍ୟା କଲା। ପିତାର ସମସ୍ତ ସ୍ନେହ ନେଇ ନୀସହାୟ ଇରା ମୋରହେଲା ପାଳିତା କନ୍ୟା । ସମସ୍ତେ ମୋର ମହାନୁଭବତାର ପ୍ରଶଂସାରେ ଶତମୁଖ ହୋଇ ଉଠିଲେ । ମୋ ମନ କିନ୍ତୁ ସେଇଦିନୁ ଅନୁତାପର ଅନଳରେ ଦଗ୍‌ଧ ହେବାକୁ ଲାଗିଲା ।

 

ତୁମ ନିକଟରେ ସବୁକିଛି ପ୍ରକାଶକରି ଦେଇଗଲି ସୁବ୍ରତ ! ବର୍ତ୍ତମାନ ମୋ ମନର ଗୋପନୀୟ ହୋଇ ଆଉ କିଛିନାହିଁ । ଏଣୁ ଏଥର ଶାନ୍ତିରେ ମୁଁ ମରିପାରିବି । ମୋ ଅତୀତ ଜୀବନର ଏଇ ପାପ ପ୍ରଣୟ କାହାଣୀ ଶୁଣି ତୁମେ ମୋତେ ଘୃଣାକର ଦୁଃଖ ନାହିଁ । କିନ୍ତୁ ଇରାକୁ ମୋର ଆଦରରେ ଗ୍ରହଣ କରିବ । ଏହାହିଁ ହେଉଛି ତୁମ ନିକଟରେ ମୋ ଶେଷ ଜୀବନର ଅନୁରୋଧ । ଇରା ତୁମକୁ ପାଇ ସୁଖୀହେବ ତୁମରି ଉପରେ ତାରିସବୁ ଦାୟିତ୍ଵଦେଇ ମୁଁ ଆଜି ବିଦାୟ ନେଉଛି । ପ୍ରଭୁ ଯୀଶୁ ତୁମ ଦୁହିଁଙ୍କର ଜୀବନକୁ ମଙ୍ଗଳମୟ କରିବେ । ଦୁହେଁ ମିଶି ଏ ପାପୀ ଫାଦରକୁ ତୁମର କ୍ଷମା କରିବ ।’’

 

ହାତରୁ ଚିଠିଟା ଖସି ପଡ଼ିଲା । ଆଖିରେ ଜମି ଯାଇଥିବା ଲୁହ ସବୁ ଚିଠି ଉପରେ ପଡ଼ି ଅକ୍ଷରକୁ ଧୋଇ ଅସ୍ଫଷ୍ଟ କରିଦେଲା । ଆଖିରୁ ଲୁହପୋଛି ଦେଖିଲି—ଫାଦରଙ୍କ ଛାତିରେ ମୁଣ୍ଡଗୁଞ୍ଜି ଇରା କାନ୍ଦୁଛି । କୋହ ସମ୍ଭାଳି ନପାରି କଇଁ କଇଁ ହୋଇ କାନ୍ଦୁଛି ଇରା ।

★★★

 

ପୌରୁଷର ପରାଜୟ

 

ମୋରି ସାମ୍‌ନାରେ ଝିଅର ମା’ ତା ହାତ ବାକ୍‌ସ ଚାବି ନେଇଗଲେ । ପ୍ରଥମେ ଦେବନାହିଁ ବୋଲି ଝିଅ ପ୍ରତିବାଦ କରୁଥିଲା । ମାତ୍ର ମା’ଙ୍କର ଦୃଢ଼ ଜିଦ୍‌ପାଖରେ ଝିଅଟିର କ୍ଷଣ ପ୍ରତିବାଦ ତାର ସତ୍ତା ହରେଇ ବସିଲା ।

 

ମା’ ଚାଲିଯିବା ପରେ ଝିଅକୁ ମୁଁ ପଚାରିଲି—କ’ଣ ହେଲା—ଚାବି ଦେବାପାଇଁ ଏତେ ଆପତ୍ତି କାହଁକି ?

 

‘‘ମୋ ହାତ ବାକ୍‌ସରେ ମୁଁ ଏବେ ଉଠେଇବା ଫଟ ସବୁ ଅଛି—ସେମାନେ ନେଇଯିବେ-। —ଆଖିରେ ଲୁହ ନ ଥିଲେ ବି ଝିଅ ର କଣ୍ଠ ଥରୁଥିଲା ।

 

ହଠାତ୍ ମୋ ମୁହଁରେ କିଏ ଯେମିତି ଗୋଟାଏ ଚାବୁକ୍‌ ବସେଇ ଦେଇଗଲା । ବୁଝିବାକୁ ଆଉ ବାକି ରହିଲା ନାହିଁ—ଝିଅଠାରୁ ମା’ଙ୍କର ଚାବି ନେବାର ରହସ୍ୟ ।

 

ମନେ ହେଲା—ଝିଅଠାରୁ ହାତବାକ୍‌ସ ଚାବି ନେଇ ମା’ ମୋରି ସମ୍‌ନାରେ ଖାଲି ଦର୍ପିତ ଭଙ୍ଗୀରେ ଚାଲିଗଲେ ନାହିଁ ଯେ, ମୋର ପୌରୁଷ ଉପରେ ମୁଠାଏ ଧୂଳି ଫିଙ୍ଗି ଦେଇ ଗଲେ । ନୀରବରେ ସତେ ଯେମିତ ବ୍ୟଙ୍ଗ କରିଦେଇ ଗଲେ-ରେ ବୋକା ମାଷ୍ଟ୍ର, ତୁ ତୋର ସମସ୍ତ ସମୟ ଓ ଶକ୍ତି ବ୍ୟୟ କରି ଝିଅକୁ ମୋର ପଢ଼ଉଥାଏ । –ପରୀକ୍ଷାରେ ସିନା ଖାଲି ପାଶ୍‌ କରିଯାଉ–ତାପରେ ତୁ ଯେମିତି ଆଉ ତା ପାଖ ନ ମାଡ଼ୁ—ପରୀକ୍ଷା ପରେ ତା କଥା ଆଉ ଜଣେ ବୁଝିବ-। ସେ କଥା ବୁଝିବା ପାଇଁ ମୁଁ ଏବେ ନିଲାମ ଧରିଛି । ଖୋଦ୍ ଭାରତ ସରକାରଙ୍କର ମୋଟା ଅଙ୍କର ଦରମାଖିଆ ଚାକର—ତୋ ଭଳି ଦଶଟା ମାଷ୍ଟ୍ରଙ୍କୁ ଯେ ଚାକର ରଖି ପାରିବ—ସେଇ ଭଳି ସର୍ବଶକ୍ତିମାନ ପୁରୁଷ । ସେଇ ସେ ଝିଅ ମନର ଇତିହାସ ଘୋଷିବ ତା ଦେହର ଭୂଗୋଲ ପଡ଼ିବ ।

 

ତାକୁ ଯେତେବେଳେ ସେ ତାର ନୂଆ ଗାଡ଼ିରେ ବସେଇ ଉଡ଼ି ଯାଉଥିବ, ତୁ ଖାଲି ଚାହିଁଥିବୁ ଜଳକା ହୋଇ । ତୋ ଭଙ୍ଗା ସାଇକେଲ୍‌ରେ କେତେବାଟ ବା ଦଉଡ଼ିବୁ ? ଥକି ପଡ଼ିବୁ । ଅଟକି ଯିବୁ ।

 

ନୀରବର ମୋର ପୌରୁଷ ପ୍ରତି ଏକ ଚାଲେଞ୍ଚ୍‌ଦେଇ ମା’ ତାର ଚାଲିଗଲେ ।

 

ଇଚ୍ଛା ହେଲା—ଝିଅକୁ ନେଇ ଉଡ଼ିଯିବିକି ? ଜଳକା ହୋଇ ମା’ ତାର ଚାହିଁ ରହିଥିବେ-। ମୋର ପୁରୁଷତ୍ୱର ପ୍ରତାପ କେତେ—ଥରେ ପରଖି ନେବେ ।

 

ଝିଅକୁ ଚାହିଁଲି । ଶାନ୍ତ ଆଖିରେ ତାର ମୋର ପୌରୁଷ ପ୍ରତି ଆହ୍ୱାନ—ଫଟ ସିନା ସେମାନେ ନେଇଯିବେ । ହେଲେ ମୋତେ ନେଇ ନାହାନ୍ତି । ମୋତେ ତୁମେ ନେଇଯାଅ । ମୁଁ ତ ତୁମ ପାଖରେ ଅଛି । ଖୁବ୍ ପାଖରେ–

 

ହଁ–ହଁ–ମୁଁ ତୁମକୁ ନେଇ ପଲେଇବି । ଦୂରକୁ–ଖୁବ୍ ଦୂରକୁ । ଯେଉଁଠିକି ତୁମ ମା’ର ଛାଇ ଯାଇ ପାରିବ ନାହିଁ କି ମା’ଙ୍କ ନିଲାମ ଧରା ପୁରୁଷ ବରଙ୍କ ନୂଆ ଗାଡ଼ିର ଚକା ବି ପଶିପାରିବ ନାହିଁ ।

 

ପଳେଇଯିବା ପୁର୍ବରୁ ନିଜକୁ ଚାହିଁଲି ।

 

ମୁଁ ଅଧ୍ୟାପକ ଅନୁପମ । ମୁଁ କ’ଣ ଏହା ପାରିବି ?

 

ମୁଁ ସେଇ ଅଧ୍ୟାପକ ଯାହାକୁ କଲେଜର ନିହାତି ଅବାଧ୍ୟ ଛାତ୍ରମାନେ ବି ଦଶହାତ ଦୂରରୁ ଦେଖିଲେ ସାଇକେଲରୁ ଓହ୍ଲେଇ ପଡ଼ନ୍ତି । ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାନ୍ତି । ସହକର୍ମୀ ବନ୍ଧୁମାନେ ଶ୍ରଦ୍ଧା କରନ୍ତି । ସହରର ଲୋକେ ସମ୍ମାନ ଦେଖାନ୍ତି । ମୁଁ ସେଇ ଅଧ୍ୟାପକ ଅନୁପମ । ସବୁରି ପ୍ରିୟ, ସବୁରି ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ପାତ୍ର । ମୁଁ କ’ଣ ଏହା ପାରିବି ? କାଲି ସକାଳୁ ହୁଏତ ମୋରି ନା ସଂବାଦପତ୍ରର ପୃଷ୍ଠା ମଣ୍ଡନ କରିବ ‘‘ଛାତ୍ରୀକୁ ନେଇ ଅଧ୍ୟାପକ ପଳାତକ ।’’

 

ଆଉ ସେଇ ଅଧ୍ୟାପକ ହେଉଛନ୍ତି ଅନୁପମ । ମୋର ପଦବୀ, ପ୍ରତିଷ୍ଠା ଓ ସମ୍ମାନରେ କାଳି ବୋଳି ହୋଇଯିବ । ଏ କଳଙ୍କ କ’ଣ ମୁଁ ସହିପାରିବି ?

 

ନା–ବୋଧେ ନୁହେଁ ।

 

ନା–କେଭେଁ ନୁହେଁ ।

 

ତେବେ କ’ଣ ମୁଁ ଝିଅକୁ ଭଲପାଏ ନା ? ଯେ ଭଲ ପାଏ—ସେ କ’ଣ କଳଙ୍କକୁ ଭୟ କରେ ? ଭଲ ପାଇବା ଆଗରେ ସମ୍ମାନ ଓ ପଦ ମର୍ଯ୍ୟାଦାର ପ୍ରଶ୍ନ ଉଠାଏ ?

 

ମୁଁ ଯାହାକୁ ଭଲ ପାଏ—ତାକୁ ଯଦି ଆପଣାର କରିବାର ଶକ୍ତି ମୋର ନାହିଁ, ସାହସ କି ସାମର୍ଥ୍ୟ ମୋର ନାହିଁ, ତେବେ ସେ ଭଲ ପାଇବାରେ ମୂଲ୍ୟ କ’ଣ ?

 

ଇଚ୍ଛା ହେଉଥିଲା—ତତ୍‍କ୍ଷଣାତ୍ ଦଉଡ଼ିଯାଇ ଝିଅଟିର ମା’ ହାତରୁ ଚାବି ମୁଠାକ ଛଡ଼ାଇ ଆଣିବାକୁ ଝିଅର ଫଟକୁ ତୁମେ କେହି ନେଇ ପାରିବ ନାହିଁ । ସେ ଫଟରେ କେବଳ ମୋର ଅଧିକାର ଅଛି । ହଁ ହଁ କେବଳ ମୋରି । କାରଣ ତୁମ ଝିଅ ତା ମନର ଫଟକୁ ମୋ ହୃଦୟ ଆଲବମ୍ ରେ ଅନେକଦିନୁ ସାଇତି ନେଇଯାଇଛି ।

 

ମୁଁ କଣ ଏହା ପାରିବି ? ପାରିବି ??

 

କ୍ରମେ କ୍ରମେ ମୁଁ ଶକ୍ତିହୀନ ହୋଇ ପଡ଼ିଥିଲି । ନିକିତି ଧରି ତଉଲିବାକୁ ଆରମ୍ଭ କରିଥିଲି କାହାର ଓଜନ କେତେ ? କିଏ ପ୍ରକୃତରେ ବଡ଼ ? ମୋର ବ୍ୟକ୍ତିତ୍ୱ ନ ପୁରୁଷତ୍ୱ ??

 

ପୁରୁଷତ୍ୱ ଧୀରେ ଧୀରେ ହାର ମାନୁଥିଲା ।

 

ମୋ ମୁହଁରୁ ରଙ୍ଗ ଲିଭି ଯାଇଥିଲା ।

 

ଝିଅକୁ ଚାହିଁଲି ।

 

ମୋର ବିବ୍ରତ ଓ ବିବର୍ଣ୍ଣ ମୁହଁର ଛବି ଦେଖି ଝିଅଟି ହସୁଛି । ସେ ହସ ତାଚ୍ଛଲ୍ୟର–ମୋର ପୁରୁଷତ୍ୱ ପ୍ରତି ଧକ୍‌କାର–ତାଚ୍ଛଲ୍ୟର ଭାବ । ସେ ହସ ପୁଣି ବ୍ୟଥାର, ମୋ ଭଳି ଏକ ଶକ୍ତିହୀନ ପୁରୁଷରୁ ଭଲପାଇ ଭୁଲ କରିବାର ବ୍ୟଥା ।

 

ସତକୁ ସତ ମୁଁ କେବଳ ବୋକା ମାଷ୍ଟ୍ରଟିଏ ହୋଇ ବସି ରହିଥିଲି ।

 

ବୁଦ୍ଧି ମୋର ହଜି ଯାଇଥିଲା ।

 

ଶକ୍ତି ମୋର ହଜି ଯାଇଥିଲା ।

 

ସାହସକୁ ଖୋଜି ପାଉ ନଥିଲି ।

 

ଆଉ ଦିନ କେଇଟା ପରେ ଝିଅର ପରୀକ୍ଷା । ମୁଁ ତାର ବେତନଭୋଗୀ ଘରୋଇ ଶିକ୍ଷକ ନ ହେଲେ ବି ତାର ଶୁଭାକାଂକ୍ଷୀ—ଏକାନ୍ତ ପ୍ରିୟ । ତେଣୁ ତାକୁ ପୁଣି ପଢ଼ା ବୁଝେଇବା ଲାଗି ମନକୁ ସଜାଡ଼ି ନେଉଥିଲି ।

 

କିନ୍ତୁ ଆହତ ପୌରୁଷ ମୋର ଡେଣାକଟା ପକ୍ଷୀଟି ଭଳି ଅସହ୍ୟ ଯନ୍ତ୍ରଣାରେ ପଡ଼ି ଛଟପଟ ହେଉଥିଲା ।

 

ଆଉ ସେଇ ଅସହାୟ ପୌରୁଷର ପରାଜୟର ସଙ୍କେତ ସ୍ଵରୁପ ଆଖିର ଲୁହ ସବୁ ମୁକ୍ତିପାଇ ବାଟ ଖୋଜୁଥିଲେ ।

★★★

 

ମୁଁ ମିତା, ଯୀଶୁ ଓ ଜଗନ୍ନାଥ

 

ମିତା ହାତରେ ଗୀତାଟିକୁ ମୁଁ ଧରେଇ ଦେଲି । ହିନ୍ଦୁର ପବିତ୍ର ଗ୍ରନ୍ଥ ଗୀତା । ଆନନ୍ଦରେ ସେ ତାକୁ ଗ୍ରହଣ କଲା । ଭକ୍ତିରେ ନେଇ ମୁଣ୍ଡରେ ମାରିଲା । ମିତା ଧରିଥିବା ବାଇବେଲ୍‌ଟି ମୁଁ ତା ହାତରୁ ନେଇ ଆସିଲି । ଖ୍ରୀଷ୍ଟଧର୍ମର ହୋଲି–ବୁକ୍ ବାଇବେଲ୍‌ ।

 

ମୁଁ ଆଉ ମିତା ।

 

ହିନ୍ଦୁ ଆଉ ଖ୍ରୀଷ୍ଟିୟାନ୍ ।

 

ହିନ୍ଦୁର ସନ୍ତାନ ମୁଁ ମାନସ ମିଶ୍ର ଖ୍ରୀଷ୍ଟିୟାନ୍ ହେଲି ।

 

ଖ୍ରୀଷ୍ଟଧର୍ମୀ ମିତା ହିନ୍ଦୁ ହେଲା ।

 

ମୁଁ ଆଉ ମିତା–ଉଭୟେ ହିନ୍ଦୁ ଆଉ ଖ୍ରୀଷ୍ଟିୟାନ୍ ।

 

ଖ୍ରୀଷ୍ଟିୟାନ୍ ଓ ହିନ୍ଦୁ ହୋଇଗଲୁ । ଆମ ଧର୍ମ ଓ ହୃଦୟ ବିନିମୟ ନୀରବ ଦ୍ରଷ୍ଟା ଥିଲେ ଯୀଶୁ ଓ ଜଗନ୍ନାଥ–ଦୁଇ ଧର୍ମର ପରମ ଆରାଧ୍ୟ ଦେବତା ।

 

କାନ୍ଥରେ ଝୁଲୁଥିବା ଯୀଶୁଙ୍କର ସେଇ ଛୋଟ ମୂର୍ତ୍ତିଟିକୁ ଚାହିଁଲି । କ୍ରୁଶ୍‌ବିଦ୍ଧ ଯୀଶୁ । ହାତ, ପାଦ, ଛାତି ସବୁଠି ତାଙ୍କର ଲୁହାର କଣ୍ଟା ପଟି ଦିଆଯାଇଛି । ଝର ଝର ହୋଇ ଝରି ପଡ଼ୁଛି ରକ୍ତ । ଯୀଶୁଙ୍କ ଉପରୁ ଦୃଷ୍ଟି ଫେରେଇ ଆଣିଲି ମିତା ଉପରକୁ । ପାଖରେ ଠିଆ ହୋଇଥିଲା ମିତା-। ଦେଖିଲି ତା ଦେହରେ ବି ସେଇ ରକ୍ତର ଛିଟା । ତା ଦେହରେ ବି ପିଟା ହୋଇଛି ସେଇ ଲୁହାର କଣ୍ଟା । ନିନ୍ଦା, ଦୁର୍ନାମ ଓ କଳଙ୍କର ଶକ୍ତ ଲୁହାର କଣ୍ଟା । ପ୍ରତିବାଦ କରିବାର ଶକ୍ତି ତାର ନାହିଁ କି ଇଚ୍ଛା ବି ନାହିଁ । ମୁହଁରେ କିନ୍ତୁ ଯନ୍ତ୍ରଣାର ସ୍ୱାକ୍ଷର ସୁସ୍ପଷ୍ଟ ।

 

ସମାଜର ସବୁ ଅନ୍ୟାୟ, ଅତ୍ୟାଚାର ନୀରବ ଦ୍ରଷ୍ଟା ଚଲତ୍‌ ଶକ୍ତିହୀନ ମୂକ ଜଗନ୍ନାଥ । ‘ଜଗନ୍ନାଥଙ୍କ’ ଉପରୁ ଦୃଷ୍ଟି ଫେରେଇ ମୁଁ ମୋ ନିଜକୁ ଚାହିଁଲି । କ୍ରୁଶବିଦ୍ଧ ଯୀଶୁଙ୍କ ମୂର୍ତ୍ତି ପାଖରେ ହସ୍ତପଦବିହୀନ ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି । ଆଉ ସେଇ କ୍ରୁଶବିଦ୍ଧ ରକ୍ତାକ୍ତ ମିତା ପାଖରେ ଠିଆ ହୋଇଛି ମୁଁ—ଏକ ନୀରବ, ମୂକ, ଶକ୍ତିହୀନ ପଙ୍ଗୁ ପୁରୁଷ–ଜଗନ୍ନାଥଙ୍କର ସୁଯୋଗ୍ୟ ପ୍ରତିନିଧି ।

 

ମିତା ଦେହରୁ ରକ୍ତ ପୋଛି ମୋର ବାହୁ ବନ୍ଧନରେ ତାକୁ ଆଶ୍ରୟ ଦେବାର ସାହାସ ମୋର ନାହିଁ । କିମ୍ଵା ଏ ସମାଜ ବିରୁଦ୍ଧରେ ସ୍ୱର ଉତ୍ତୋଲନ କରିବାର ଶକ୍ତି ଓ ସାମର୍ଥ୍ୟ ମଧ୍ୟ ମୁଁ ହରେଇ ବସିଛି । ଆଖି ଆଗରେ ସବୁ ଦେଖି, ସବୁ ଶୁଣିବି କିଛି କହିପାରୁନି—କିଛି କରିପାରୁନି ।

 

ମୁଁ ଦାରୁଭୂତ ମୁରାରି ପାଲଟି ଯାଇଛି । ଖଣ୍ଡିଆ ଜଗନ୍ନାଥଙ୍କ ଭଳି ସେମିତିରେ ପଡ଼ିରହିଛି ନୀରବ, ନିଶ୍ଚଳ, ନିସ୍ପନ୍ଦ ହୋଇ ।

★★★

 

ସାଗର ସଙ୍ଗମ

 

ରଥ ଉପରେ ନିଜର ଦୁଇବାହୁକୁ ପ୍ରସାରିତ କରି ଶ୍ରୀଜଗନ୍ନାଥଙ୍କୁ ଆଲିଙ୍ଗନ ପାଶରେ ଆବଦ୍ଧ କଲେ ଶ୍ରୀଚରଣାଶ୍ରିତ ଶ୍ରୀ ଲକ୍ଷ୍ମୀକାନ୍ତ ।

 

ତା’ପରେ ଧୀରେ ଧୀରେ ରଥ ଉପରୁ ଅବତରଣ କଲେ । ଜନ ସମୁଦ୍ର ଭିତରେ ଅପେକ୍ଷାକୃତ ଏକ ନିଭୃତ ସ୍ଥାନରେ ଠିଆହୋଇ ଚାହିଁ ରହିଲେ ସେଇ ଚକାଡୋଳାକୁ—ଏକ ଭୟରେ, ଏକ ଦୃଷ୍ଟିରେ ।

 

ଅବାରିତ ରାତିରେ ନୟନ ଯୁଗଳରୁ ତାଙ୍କର ଅଶ୍ରୁଧାରା ବହି ଚାଲିଛି । ମନ ଭିତରେ ଭାବନାର ଭଉଁରୀ ଖେଳୁଛି ।

 

ହୃଦୟରେ ଅପୂର୍ବ ଭାବାବେଶ । ପୁଲକ ଓ ବିଷଦର ସମ୍ମିଳିତ ଏକ ଭାବୋଚ୍ଛ୍ୱାସ ।

 

ଆଜିକୁ ଦୀର୍ଘ ଦଶବର୍ଷ ତଳେ ଏଇମିତ ଏଇ ବଡ଼ଦାଣ୍ଡରେ ଠିଆହୋଇ ଲକ୍ଷ୍ମୀକାନ୍ତ ସେଦିନ ଅନେକ ଅଶ୍ରୁ, ବିସର୍ଜନ କରିଥିଲେ ।

 

ନିହାତି ଅସମୟରେ ନିତାନ୍ତ ଅସହାୟ କରି ଲକ୍ଷ୍ମୀ ଯେତେବେଳେ ତାଙ୍କଠାରୁ ବିଦାୟ ନେଇଗଲା, ମନ ଭିତରେ ସେଦିନ ବିଦ୍ରୋହର ନିଆଁ ଜଳି ଉଠିଥିଲା ଜଗନ୍ନାଥଙ୍କ ବିରୁଦ୍ଧରେ ।

 

ଆଜି ତାଙ୍କର କରୁଣାରୁ ସରସ୍ୱତୀଙ୍କର ଶୁଭଦୃଷ୍ଟି ପାଇ ସେ କବି ହୋଇଛନ୍ତି । ଶ୍ରୀ ଜଗନ୍ନାଥ–ମହିମା–ବର୍ଣ୍ଣିତ ତାଙ୍କର ସଦ୍ୟପ୍ରକାଶିତ କାବ୍ୟଟିକୁ ସେ ତାଙ୍କରି ଶ୍ରୀଚରଣ ତଳେ ସମର୍ପି ଦେଇ ଆସିଛନ୍ତି ।

 

ମାତ୍ର ପ୍ରାପ୍ତିର ସେ ପୂର୍ଣ୍ଣ ଆନନ୍ଦ କାହିଁ ? କିଛି ହରେଇ ସେ ପାଇଲେ । ପୁଣି ପାଇହରେଇ ବସିଲେ ।

 

ପ୍ରଭୁହେ ! କାହିଁକି ତୁମର ଏ ଶକ୍ତି ପରୀକ୍ଷା ! କେତେଦିନ ତୁମେ ଆଉ ଏ ଅଧର୍ମର ମନକୁ ପରଖିବ ?

 

ନିତି ସକାଳ–ସନ୍ଧ୍ୟାରେ ତୁମରି ପାଦପଦ୍ମରେ ଦୃଷ୍ଟି ରଖି ତୁମରି ମହିମା ଗାନରେ ବିହୋର ହୋଇ ହାତରେ କଲମ ଧରି ଯେତେବେଳେ ରାତି ରାତି ବସି ରହୁଥିଲି ତୁମରି ମହିମା କିର୍ତ୍ତନ ଲାଗି ଠିକ୍ ସେତିକିବେଳେ ପ୍ରଭୁ–କି ବିଚାର ତୁମର–,ମୋ ଭଙ୍ଗା ସଂସାରକୁ ପୁଣି ଉଜାଡି ଦେଲ ?

 

ଦଶବର୍ଷ ତଳେ ଲକ୍ଷ୍ମୀ ଯେଉଁ ରତ୍ନ ଚାରୋଟିକୁ ଛାଡ଼ି ଦେଇଗଲା, ସେମାନେ ଆଜି ମାଟି ଓ କାଚର କଣ୍ଢେଇ ହୋଇ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ତଳେ ଗଡ଼ୁଛନ୍ତି ।

 

ସାନପୁଅ—ଯାହାକୁ ‘ପୁଅ ନୁହେଁ, ହୀରା ଖଣ୍ଡେ’ କହି ବନ୍ଧୁମାନଙ୍କ ଆଗରେ ଗର୍ବ କରୁଥିଲି, ସେ ଝିଅ ବାହାଘର ଲାଗି ସଞ୍ଚିତ ସମସ୍ତ ଅର୍ଥକୁ ପକେଟସ୍ଥ କରି କିଛିଦିନ ହେଲା ପଳାତକ ।

 

ଆର୍ଥିକ ଅଭାବ ଅନାଟନର ଦ୍ୱାହି ଦେଇ ଚାକିରିଆ ବଡ଼ପୁଅ ତାଙ୍କର ବାହା ନ ହୋଇ ବହୁ ବିବାହିତା–ଅବିବାହିତା ନାରୀଙ୍କ ମେଳରେ ସନ୍ନ୍ୟାସ ବ୍ରତ ପାଳନ କରୁଛି ।

 

ଦୀର୍ଘ ଚବିଶିଟି ଗ୍ରୀଷ୍ମ, ବର୍ଷା, ଶୀତ ଓ ବସନ୍ତର ପାହାଚ ଡେଇଁବା ପରେ କନ୍ୟା ବାସନ୍ତୀ ଏବେ ବି ସୀମନ୍ତରେ ସିନ୍ଦୁର ଦେବାର ସୌଭଗ୍ୟ ଲାଭ କରି ପାରିଲା ନାହିଁ ।

 

ସେଇଥିପାଇଁ ବୋଧହୁଏ ନିଜ ଭବିଷ୍ୟତକୁ ନିଜ ହାତରେ ଗଢ଼ିବ ବୋଲି ସାନ ଝିଅ ଘରୁ ଗୋଡ଼ କାଢ଼ିଛ–ନାଟକ, ଚଳଚିତ୍ରରେ ଅଭିନୟ କରିବା ଲାଗି ।

 

ପ୍ରଭୁ ! ଲକ୍ଷ୍ମୀକୁ ନେଇଥିଲା–ଶେଷରେ ଲକ୍ଷ୍ମୀ ତା’ର ରକ୍ତର ସନ୍ତକ ସ୍ଵରୁପ ଛାଡ଼ି ଦେଇ ଯାଇଥିବା ରତ୍ନ ଚାରୋଟିକୁ ମାଟିର କଣ୍ଢେଇ କରି ଦେଇଗଲ ।

 

ବୁଝି ପାରୁନାହିଁ ପ୍ରଭୁ–ଏକି ବିଚାର ତୁମର ? ‘‘ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ’’–

 

ହୃଦୟର କୋହ ଆଉ ସମ୍ଭାଳି ପାରୁନାହାନ୍ତି ଲକ୍ଷ୍ମୀକାନ୍ତ । ଆଖିର ଲୁହ ବି ବାଧା ବନ୍ଧନ ନ ମାନି ଛୁଟି ଚାଲିଛି ପୂର୍ବଭଳି ଅବାରିତ ଗତିରେ ।

 

ପ୍ରଭୁହେ, ଆଉ କିଛି ମୁଁ ଚାହେନା ।

 

ଅନେକ ଦେଇଛ, ଅନେକ ନେଇଛ ।

 

ଧନ ମାଗୁନାହିଁ, ଜନ ମାଗୁନାହିଁ–

 

କେବଳ ମାଗୁଛି, ତୁମରି ପ୍ରୀତିରୁ କିଛି ।

 

ଜୀବନରେ ଦୁଃଖ, ଦୈନ୍ୟ, ବ୍ୟର୍ଥତା, ଯନ୍ତ୍ରଣାର ବିଷ ମୁଁ ଆକଣ୍ଠ ପାନ କରିଛି ।

 

ହେଲେ ନୀଳକଣ୍ଠ ହୋଇ ପାରିଲି ନାହିଁ ।

 

ବିଷର ଜ୍ଵାଳାରେ ମୁଁ ଜଳୁଛି ।

 

ତୁମରି ପ୍ରୀତିର ପୀୟୂଷ ଦେଇ ମୋତେ ପାଗଳ କରିଦିଅ ପ୍ରଭୁ, ମୋତେ ପାଗଳ କରିଦିଅ । କିଛି ମୁଁ ଚାହେଁ ନା । ଧନ, ଜନ, ଗୋପ, ଲକ୍ଷ୍ମୀ କିଛି ନୁହେଁ—ମୋତେ ପାଗଳ କରିଦିଅ ପ୍ରଭୁ । ପ୍ରଭୁ......

 

କ୍ରମେ କ୍ରମେ ହୃଦୟରେ କୋହ ଦ୍ୱି ଗୁଣିତ ହେଲା ।

 

ଆଖିର ନୀରବ ଅଶ୍ରୁ, ନିନ୍ଦନରେ ରୁପାୟିତ ହେଲା ।

 

ଊର୍ଦ୍ଧ୍ୱକୁ ବାହୁମେଲି ଲକ୍ଷ୍ମୀକାନ୍ତ ହଠାତ୍ ନୃତ୍ୟରତ ହେଲେ ।

 

ପାଗଳ ପରାୟେ ସେ ନାଚୁଛନ୍ତି ।

 

ସେ କାନ୍ଦୁଛନ୍ତି—‘ପ୍ରଭୁ’ ‘ପ୍ରଭୁ’ ବୋଲି ଚିତ୍କାର କରି ଜୋରରେ କାନ୍ଦୁଛନ୍ତି । ଅଗଣିତ ଜନତା ଭିତରୁ କେତୋଟି କୌତୁହଳୀ ଦୃଷ୍ଟି ତାଙ୍କ ଉପରେ ନିବଦ୍ଧ ।

 

ମାତ୍ର ତାଙ୍କର କୌଣସି ଆଡ଼େ ଦୃଷ୍ଟି ନାହିଁ । ଏକମାତ୍ର ଲୟ ହୋଇ ଦୁଇଟି ବିରାଟ କଳା କଳା ଆଖି ଉପରେ ।

 

ଆଉ କିଛି ସେ ଦେଖି ପାରୁ ନାହାନ୍ତି ।

 

ସାମ୍ନାରେ କେବଳ ସେଇ ଚକାଡୋଳା । ସେଇ ଡୋଳା ଭିତରେ ଯେପରି ସେ ସଂପୂର୍ଣ୍ଣ ଲୀନ ହୋଇ ଯାଇଛନ୍ତି । ନିଜର ସ୍ଥିତି ସେ ଭୁଲି ଯାଇଛନ୍ତି ।

 

ଅନେକ କିଛି ହରାଇବା ପରେ ସେ ଯାହା ପାଇଛନ୍ତି, ସେଇ ପ୍ରାପ୍ତିର ଆନନ୍ଦରେ ସେ ବିଭୋର । ପ୍ରୀତିର ପୁଲକରେ ସେ ପାଗଳ ।

 

ପାଗଳ ହୋଇ ଯିବାରେ ଯେଉଁ ଆନନ୍ଦ୍ର, ସେ ଆନନ୍ଦର ଅନୁଭୂତି ଅନ୍ୟ କିଏ ବା ବୁଝିବ-? ଅନେକ କିଛି ହରାଇ ଲକ୍ଷ୍ମୀକାନ୍ତ ଆଜି ଯାହା ପାଇଛନ୍ତି, ସେ ପ୍ରାପ୍ତିର ମୂଲ୍ୟ କିଏ ବା କଳନା କରିବ ?

★★★

 

ଚମ୍ପକଲତା

 

ଆହାଃ…ଚାଲିଯାଉଛି—ଚାଲିଯାଉଛି ଆଜି ଚମ୍ପକଲତା ।

 

ହାତୀଭଳି ଯିଏ ଝୁଲି ଝୁଲି ଚାଲେ ତଳକୁ ନୁଆଇଁ ମଥା ।

 

ସେଇ ଚମ୍ପକଲତା ।

 

କହେ ଚୁପି ଚୁପି କଥା । ମାପିଚୁପି ସବୁ କଥା ।

 

ଯା’ର ଚାଲିରେ ଫୁଟଇ ଲକ୍ଷେ ପଦୁଅଁ—ହସିଲେ ଝରେ ମାଣିକ ଆଉ କାନ୍ଦିଲେ ମୁକୁତା ।

 

ସେଇ ଚମ୍ପକଲତା ।

 

ଚାଲିଯାଉଛି । ସବୁରି ମନରେ ଅନେକ ବେଦନା ସବୁରି ମରମେ ବ୍ୟଥା । ଚମ୍ପକଲତା-

 

ପୁରୀ କଲେଜର ସମତା, (ଯାହାକୁ ତୋଫାନ୍ ମେଲ୍‌ରେ ତୋଫାନି ଉଡ଼େଇ ନେଲା ବମ୍ବେକୁ ଆଉ ସେଇଠି ବାହା ହୋଇ ପଡ଼ିଲା) ରେଭେନ୍‌ସାର ମମତା, ବାରିପଦାର ମଧୁମିତା ଓ ବାଣୀବିହାରର କନକଲତାଙ୍କ ପରି ଭଞ୍ଜନଗରର ଚମ୍ପକଲତା ଥିଲା କଲେଜ କୁଇନ୍ । ତା ପଛରେ କଲେଜ ଟୋକାଙ୍କଠାରୁ ଆରମ୍ଭ । କରି ମାଷ୍ଟର ପର୍ଯ୍ୟନ୍ତ ସମସ୍ତେ ବାନ୍ଧିଥିଲେ ଲାଇନ୍ । କିନ୍ତୁ ସେ କାହାରି ପାଖକୁ ଯାଇନ । ସବୁରି ମନକୁ ଛୁଇଁଛି । ପୁଣି ଛୁଇଁନି । ଧରାଦେବ ଦେବ ବୋଲି କାଦାରିକୁ ସେ ଧରା ଦେଇନି । କିଏ କେତେ କଥା କହିଛି–ମାନ କରିଛ କି ମାନିନୀ, ଆଗୋ ଅଭିମାନିନୀ । ହୃଦୟର ମୋର ରାଣୀ । ତୁମରି କଥା ଭାବି ଭାବି ତିନିରାତି ହେଲା ଆଖିରେ ପଲକ ପଡ଼ିନି । ଆହା ଗୋ ଚମ୍ପକଲତା ! ଥରଟିଏ, କୁହ କଥା । ଚାହଁଟିକେ ଟେକି ମଥା । ତୁମପାଇଁ ସାରା ଦୁନିଆ ତେଜିନି, ତୁମ ବିନା, ସାରା ଦୁନିଆ ପିତା । ତୁମପାଇ ମୁଁ ଯେ କବି ପାଲଟିଛି—ଗାଇବୁଲେ ତୁମ ଗାଥା । ଆସଗୋ ଚମ୍ପକଲତା । ସବୁକଥା ସିଏ ଶୁଣିଛି—କିଛି ଶୁଣିନି । ସବୁକଥା ସିଏ ଜାଣିଛି —କିଛି ଜାଣିନି । ସବୁରି ମନକୁ କିଣିଛି । କାହା ଚିଜ ହୋଇନି ।

 

ଆହାଃ...ସେଇ ଚମ୍ପକଲତା ଆଜି ଚାଲିଯାଉଛି । ଭଞ୍ଜନଗର ଛାଡ଼ି ଚାଲିଯାଉଛି । ଆଜି ଯଦି ଭଞ୍ଜେ ଥାଆନ୍ତେ, ରସିକଶେଖର ପ୍ରେମିକ ପ୍ରବର, କବି ସମ୍ରାଟ ସେ ଉପେନ୍ଦର ଆଜି ଥାଆନ୍ତେ କି କଲେଜରେ ପାଠ ପଢ଼ୁଥାଆନ୍ତେ–ସେ କ’ଣ ଛାଡ଼ିଥାଆନ୍ତେ । ମନର କେତେ ଭାଷା ଛୁଟେଇ, ହୃଦୟର କେତେ ଭାବ ଫୁଟେଇ, ରାତି ରାତି ଉଜାଗର ରହି ଅନବରତ ଲେଖନୀ ଚଲେଇ ଏଇ ଚମ୍ପକଲତାକୁ ନେଇ ଅନ୍ତତଃ କାବ୍ୟ ଖଣ୍ଡେ ତ ସେ ଲେଖିଥାଆନ୍ତେ । ବିଶ୍ୱସାହିତ୍ୟ, ଦରବାରରେ ସବୁ କବି, ପଣ୍ଡିତଙ୍କ ଆଗରେ ତାଙ୍କ କାବ୍ୟ ନାୟିକା ଚମ୍ପକଲତାକୁ ନେଇ ଠିଆ କରେଇଥାଆନ୍ତେ । ସମସ୍ତେ ବାଃ ବାଃ କରିଥାଆନ୍ତେ । ଭଞ୍ଜଙ୍କର ସବୁ କାବ୍ୟକୁ ଚମ୍ପକଲତା ବଳି ଯାଇଥାଆନ୍ତ । ସାହିତ୍ୟିକମାନଙ୍କ ମଧ୍ୟରେ ଚମକ ଖେଲେଇ ଥାଆନ୍ତା—ପ୍ରେମିକ ମହଲରେ ଚହଳ ପକେଇ ଥାଆନ୍ତା । ଭଞ୍ଜଙ୍କର ଏ କାବ୍ୟକୃତିକୁ ନେଇ କେତେ ଆଲୋଚନା ଚକ୍ରର ଆୟୋଜନ ହୋଇଥାଆନ୍ତା । କିଏ କେତେ ପଇସା ଖର୍ଚ୍ଚ କରି ଭଞ୍ଜଙ୍କ ପାଖକୁ ଧାଇଁଥାଆନ୍ତା । କିଏ କେତେ ଚିଠି ଲେଖିଥାଆନ୍ତ । ପଚାରିଥାଆନ୍ତା—ସତ କୁହ ହେ କବି ! ସତରେ କ’ଣ କିଏ ଅଛି ଏଇ ଦେହମାଂସଧାରୀ ଚମ୍ପକଲତା—ନା ଇଏ ଖାଲି ତୁମ କଳ୍ପନାର ଲତା–ଯେତେକ ଖାଲି ଫିସାଦିଆ କଥା । ଆହାଃ—ଭଞ୍ଜ କିନ୍ତୁ କେଉଁଦିନଠୁ ଚାଲିଗଲେଣି–ଚମ୍ପକଲତାକୁ ଦେଖିଲେନି । ତା କଥା କିଛି ଜାଣିଲେନି ତା ଦୁଃଖ ଟିକେ ବୁଝିଲେନି । ତାକୁ ନେଇ କବିତାଟିଏ ଲେଖିପାରିଲେନି-

 

କିନ୍ତୁ କ’ଣ ହେଲା ! କ’ଣଟା ବା ଭାସିଗଲା । ଭଞ୍ଜ ସିନା ନାହାନ୍ତି—ଅନେକ ଟୋକା ଭଞ୍ଜ ଏବେ ବାହାରିଛନ୍ତି । ଟୋକା ଲେଖକ କଲେଜ ବାରଣ୍ଡାରେ ପଇଁତରା ମାରୁଛନ୍ତି । ସେ ସମସ୍ତଙ୍କୁ ଚମ୍ପକଲତା କବି କରିଛି । ତାଙ୍କ ହୃଦୟ ମରୁରେ କବିତାର ଝର ଫିଟାଇଛି । ମନରେ ସଙ୍ଗୀତର ରାଗିଣୀ ଛୁଟେଇଛି । ଅନେକଙ୍କୁ କରିଛି ଗାଳ୍ପିକ । କାହାକୁ ବା ଔପନାସିକ । ଏସବୁ ଲେଖକଙ୍କୁ ଜାଗା ଦେବା ପାଇଁ ନୂଆ ବହି ସବୁ ବଜାରକୁ ଆସିଛି । ଛତୁ ଫୁଟିଲା ଭଳି ପତ୍ରିକା ଫୁଟିଛି । ଆଉ ସେଥର ତାର ଆଖି, କାନ, ନାକ, ବାଳ, ହାତର କହୁଣୀ, ଦି’ ଧାର ହସ ବା ଟିକିଏ ଚାହାଣୀକୁ ନେଇ କିଛି ଲେଖା ପ୍ରକାଶ ପାଇଛି, ସେ ପତ୍ରିକାର କାଟ୍‌ତ ଖୁବ୍ ବଢ଼ିଛି । କଳା, ସାହିତ୍ୟର ପ୍ରସାର ହୋଇଚି । ଓଡ଼ିଆ ପତ୍ରପତ୍ରିକା ସହିତ ସମ୍ପର୍କ ନ ଥିବା ପାଠକ ରାତାରାତି ମାତୃଭାଷାର ସ୍ତାବକ ପାଲଟି ଯାଇଛି । ଚମ୍ପକଲତାକୁ ନେଇ ଲେଖା ହୋଇଥିବା କବିତା କିମ୍ବା କାହାଣୀକୁ ଖରାଦିନେ ପିଲାଏ ଆଇସ୍‍କ୍ରିମ ଶୋଷିଲା ଭଳି ମୁହଁ ଲଗେଇ ଶୋଷି ନେଇଛନ୍ତି ।

 

ଆହାଃ—ସେଇ ଚମ୍ପକଲତା ଚାଲିଯାଉଛି । ଭଞ୍ଜନଗର ଛାଡ଼ି ଚାଲିଯାଉଛି । ବସରେ ବସିଛି ଚମ୍ପକଲତା । କଲେଜ ଟୋକାଙ୍କ ଠାରୁ ଆରମ୍ଭ କରି ମାଷ୍ଟ୍ରଙ୍କ ପର୍ଯ୍ୟନ୍ତ, ଅଫିସର ଟୋକା କିରାଣୀଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ସବୁରି ଗହଳିରେ ପୁରିଯାଇଛି ବସ୍ ଷ୍ଟାଣ୍ଡ୍‌ପାଖ ରାସ୍ତା। ବିକ୍ରୀର ସୁଯୋଗ ଦେଖି କଲମ ବିକାଳୀ ରଡ଼ିଛାଡ଼ିଛି–ଗୋଟାଏ ଟଙ୍କା–ମାତ୍ର ଗୋଟାଏ ଟଙ୍କା ନେଇଯାଅ ବାବୁ କଲମ–ବଡ଼ ଶସ୍ତା–ବଡ଼ ଶସ୍ତା । ପାଟି କରି ବିଚରାଟିର ମଥା ବଥା କଲାଣି, କେହି ଶୁଣୁନାହାନ୍ତି ତା କଥା । ସବୁରି ମରମେ ବ୍ୟଥା । ସବୁରି ମନରେ ଚିନ୍ତା ଚାଲିଯାଉଛି ଆଜି ଚମ୍ପକଲତା ।

 

ବସରେ ବସିଛି ଚମ୍ପକଲତା । ଲାଜରେ ନୁଆଇଁ ମଥା । କିଏ କେତେ ସାଙ୍ଗସାଥି ତା ହାତକୁ ବଢ଼େଇ ଦେଉଛନ୍ତି ଟିପା ଖାତା । ଟିପି ରଖିବେ ତା ପତ୍ତା । ମଝିରେ ମଝିରେ ଦେଉଥିବ ସବୁ ବାରତା । କାହିଁକି ଏ ବସ୍‌ଟା ଛାଡୁନି ! ବଡ଼ ବ୍ୟସ୍ତ ହେଲେଣି ଚନ୍ଦ୍ରାବତୀ, ତାର ମାଆ–ଚନ୍ଦ୍ରବାବୁ ତା’ ପିତା ।

 

ବସ୍ କଣ୍ଡକ୍‌ଟର ପାଖ ଦୋକାନକୁ ଯାଇଛି—ଖାଇବାକୁ ଟିକେ ଚାହା । ଚା’ ଦୋକାନୀ ହେଉଛି ଆହା–ଆହା । ଚା’ ଖାଇ ବା ବାହାନାରେ କଲେଜ ଫେରନ୍ତି ଚମ୍ପକଲତା ଦେଖିବା ପାଇଁ ତା ଦୋକାନରେ ଭିଡ଼ ହେଉଥିଲା ଯାହା, ଆଉ ତା ଦୋକାନକୁ କେହି ଆସିବେନି । ନୂଆ ଚା’ ଖାଇ ଶିଖୁଥିବା ଟୋକା ପନ୍ଥାକ ଆଉ ଚା’ ପାଇଁ ଭିଡ଼ ଜମେଇବେନି କି ଦଶପଇସାର ଚାଲୁ, ଚା’ ମାଗି ଦଶ ମିନିଟ୍‌ରେ ଥରେ ଲେଖାଏଁ ସେଥିରେ ଢ଼ୋକ ଦେଇ, ଦଶଥର ଲେଖାଏ ବାହାର ରାସ୍ତାକୁ ଆଉ ଚାହିଁ ବେନି । ଚାହିଁଲେ ଚୂଚୂନ୍ଦ୍ରାବଦନୀ, ଅଶ୍ୱଶାମିନୀ କାମବତୀ ଓ କାଳିକାନନ୍ଦନୀଙ୍କୁ ଦେଖିବେ ସିନା, ଗଜଗାମିନୀ, ଲଜ୍ଜାବତୀ, ଲାଜକୁଳିଲତା ଚମ୍ପକଲତାକୁ ଆଉ ଦେଖିବେନି । ମୁଣ୍ଡରେ ହାତଦେଲା ଚା’ ଦୋକାନୀ । ଏଥର ପଡ଼ିଲା ତା ଭାଳେଣି ।

 

ଚାଲିଯାଉଛି ଚମ୍ପକଲତା । ବସ୍ ଛାଡ଼ିନି—ଛାଡ଼ିବ । ଏ ବସ୍‌ଟା ହେଲେ ଆଉ ଘଣ୍ଟାଏ ରହିଯାଆନ୍ତା । ଜମା ହେଲେ ନ ଛାଡ଼ନ୍ତା । ତାହାହେଲେ ଅବା ରହିଯାଆନ୍ତା ଚମ୍ପକଲତା । ନା ରହିପାରିବ ନି ସେ । ଏ ବସ୍‌ରେ ନ ଗଲେ ଅନ୍ୟ ବସ୍ ରେ ଯିବ । ଆଜି ନ ଗଲେ କାଲି ଯିବ । କାଲି ନଗଲେ ମାସକ ପରେ ହେଲେ ବି ନିଶ୍ଚୟ ଯିବ ଏଇ ଚମ୍ପକଲତା । ତା ବାପାଙ୍କର ବଦଳି ହୋଇଛି—ଭଞ୍ଜନଗର ଛାଡ଼ି ଖୋରଧାକୁ ଯାଉଛନ୍ତି ଚନ୍ଦ୍ରମାଧବ ବାବୁ–ତାର ପିତା, ଅବଶ୍ୟ ରହି ପାରିଥାଆନ୍ତା ଚମ୍ପକଲତା । ଥିଲା କେବଳ ଗୋଟିଏ ରାସ୍ତା, କୌଣସି ପ୍ରକାରେ ଚନ୍ଦ୍ରମାଧବ ବାବୁଙ୍କ ବଦଳିକୁ ଯଦି ରଦ୍ଦ କରାଯାଇପାରିଥାନ୍ତା । ଖାଲି ଚନ୍ଦ୍ରବାବୁ ରାଜି ହୋଇଥଲେ ହୋଇଥାନ୍ତା । ତାଙ୍କର କିଛି କରିବାର ନଥିଲା । ମନ୍ତ୍ରୀଙ୍କ ସଙ୍ଗରେ ଟୋକାଏ କରିଥାନ୍ତେ ମୁକାବିଲା । କହିଥାନ୍ତେ–ବଦଳି ଅର୍ଡ଼ର ବନ୍ଦ କର । ନହେଲେ ଲଗେଇବୁ ପାଲା । ଆମ ଜାଗାକୁ ତମେ ଆସିପାରିବନି । ଆସିଲେ ଫିଙ୍ଗି ବୁ ଢେଲା । ମନ୍ତ୍ରୀ ନିଶ୍ଚୟ ରଖିଥାନ୍ତେ ତାଙ୍କ କଥା । କାରଣ ଚନ୍ଦ୍ରବାବୁ ହେଉଛନ୍ତି ଚମ୍ପକଲତାର ପିତା । ତେଣୁ ସବୁରି ହୃଦୟର ଆରାଧ୍ୟ ଦେବତା । କିନ୍ତୁ ଚନ୍ଦ୍ରମାଧବ ବାବୁ ରାଜି ହେଲେ ନାହିଁ । କହିଲେ ଏତେ କୁହାକୁହିରେ କିଛି ନାହିଁ । ସରକାର ପାଖରେ ଚାକିରି କରିଛି । ଯେଉଁଠିକି ପଠେଇବ, ସେଇଠିକି ଯିବ ଧାଇଁ । କିନ୍ତୁ କାହାରି ପାଖକୁ ଯିବି ନାହିଁ । ମୋ ପାଇଁ କେହି ନେହୁରା ହେବା ଦରକାର ନାହିଁ । ତାହା ହୋଇଥିଲେ ସେ ଆଜି ନ ଥାନ୍ତେ ଏତେ ତଳେ । ତାଙ୍କ ସାଙ୍ଗ ଭଳି ସେ ବି ଉଠିଥାନ୍ତେ ଉପରକୁ । ଯେଉଁମାନେ ସାତ ପଛରୁ ଆସି ଅନେକ ଆଗକୁ ମାଡ଼ିଗଲ–କଳେ ବଳେ କଉଶଳେ । ଝିଅ ବାହାଘରରେ ପଚିଶ ହଜାର ଖର୍ଚ୍ଚ କରିଗଲେ । ସହର ଭିତରେ କୋଠା ଗୋଟାଏ ଲେଖାଏଁ ବାଡ଼େଇ ଦେଇଗଲେ–ଗାଁ ପାଖରେ ପାଞ୍ଚ ଏକର ଜମି କିଣି ନେଲେ । ଚନ୍ଦ୍ରମାଧବ ବାବୁ ସବୁ ଖାଲି ଦେଖିଲେ । ସବୁ ଖାଲି ଦେଖିଗଲେ । ସବୁ ଖାଲି ଶୁଣିଗଲେ । ସବୁ ଦେଖି ସବୁ ଶୁଣି ଟିକେ ଖାଲି ହସି ଦେଲେ । ବଡ଼ ବୋକା ଏଇ ଚନ୍ଦ୍ରମାଧବ । ବଡ଼ ଏକଜିଦିଆ । ଯାହା ବୁଝିଥିବ ସେଇଆ । ସମସ୍ତେ କହି ହେଲେ ଥେଇଆ । ବଦଳି ବନ୍ଦ କରିଦେବୁ । କିଛି ଶୁଣିଲାନି । କେତେକ କହିଲେ ଏଇଟା ଗୋଟାଏ ବାଇଆ । ବରଷକେ ତିନିଥର ବଦଳି । ତଥାପି ତାର ନାହିଁ କିଛି ଅଳିଅର୍ଦ୍ଦଳି । ଯାଉ, ତାର ଯିବା କଥା—ସିଏ ଯିବ । ଏଥରେ ବା କାହାର କ’ଣ ହେବ ? ଖାଲି ଚାଲିଯାଉଛି ଚମ୍ପକଲତା । ସେଥିପାଇଁ ଏତେ ଚିନ୍ତା, ସେଇଥି ପାଇଁ ଏତେ କଥା ।

 

ଆରେ—ରିକ୍‌ସାରେ ଆସି କିଏ ପହଞ୍ଚିଗଲା ? ସବୁରି ଦୃଷ୍ଟି ଫେରିଲା ରିକ୍‌ସା ଉପରକୁ । ଆରେ—ଏ ଯେ ରାଧା ସୁନ୍ଦରୀ । ମୁହଁଟା ଦିଶୁଛ ଭାରି ଭାରି । ମନଟି ଯାଇଛି ଶୁଖି । ସତେ ବି ସେ ଭାରି ଦୁଃଖି । ଭିତରେ କିନ୍ତୁ ନିଶ୍ଚୟ ହୋଇଥିବ ସୁଖୀ । କାରଣ ଚାଲିଯାଉଛି ଚମ୍ପକଲତା । ଏଥର ସଫା ହୋଇଗଲା ତା ରାସ୍ତା । ତା ବାଟରୁ ହଟିଲା କଣ୍ଟା । ଏଇ ଚମ୍ପକଲତା ସଙ୍ଗରେ, ବାହାରେ ନ ହେଲେ, ଭିତରେ ରାଧାସୁନ୍ଦରୀର ସବୁବେଳେ ପ୍ରତିଦ୍ୱନ୍ଦିତା । ଏଥର ତା ମନରୁ ଗଲା ସବୁ ଚିନ୍ତା । ଏଥର ସେ ହେବ କଲେଜ କୁଇନ୍, ତା ପଛରେ ବି ବାନ୍ଧିବେ ପିଲାଏ ଲାଇନ୍ । ତାକୁ ଏଥର କହିବେ—ଆଗୋ ମାନିନୀ । ଅଭିମାନିନୀ । ଚମ୍ପକଲତାଟା ବୋକିଟା । ତମେ ଆମ ପାଖକୁ ଆସ । ତମେ ଆମ ହୃଦୟର ରାଣୀ । ରାଧା କିନ୍ତୁ କିଛି ଶୁଣିବନି । ଚାଲିଯିବ । ଛାତିକି ଫୁଲେଇ ଫୁଲେଇ, ଗୋଡ଼କୁ ହଲେଇ ହଲେଇ କେତେ ବାଗରେ ଆଖି ଦି’ଟାକୁ ନଚେଇ ନଚେଇ ସେ ଚାଲିଯିବ । ପଛରେ ନାଚୁଥିବ ତାର ବେଣୀ । କଳା ସାପ ଭଳି ଲମ୍ବା ଲମ୍ବା ହୋଇ ଦୁଇଟା ବେଣୀ । ପିଲାଏ ଦଉଡ଼ିଥିବେ । ଚାଲିଚାଲି, ରିକ୍‌ସାରେ । ସାଇକେଲ୍‌ରେ । କହୁଥିବେ—ଆଗେ ରାଧାରାଣୀ ଚାଲିଯାଆ ନି । ଚାଲିଯାଅ ନି ଆମକୁ ନିରାଶ କରନି । ବଡ଼ ଶୋଷ—ଦେଇଯାଅ ମୁନ୍ଦେ ପାଣି । ରାଧାରଣୀ କିଛି ଶୁଣିବନି—କିଛି ଶୁଣିବନି । ବଡ଼ ଅଭିମାନିନୀ ଏଇ ରାଧାରାଣୀ ।

 

ସେଇ ଚମ୍ପକଲତା । ଆଉ ରାଧାସୁନ୍ଦରୀ । ଚୁପି ଚୁପି ହେଉଛନ୍ତି କଥା । ଆଃ ! ରାଧାର ଆଖିରେ ଲୁହ । ଚମ୍ପକଲତାର ବି । ସତେ କି ତାଙ୍କ ଭିତରେ ଅନେକ ଦିନର ଘନିଷ୍ଠତା, ଅନେକ ଦିନର ଆତ୍ମୀୟତା, ଏଇ ବିଦାୟ ବେଳଟା ସତରେ ବଡ଼ କରୁଣ । ଅକାରଣରେ ମନ କରିଦିଏ ଓଜନ । ସେଥିରେ ପୁଣି ଚାଲିଯାଉଛି ଚମ୍ପକଲତା । ସବୁରି ହୃଦୟର ଝରଣା—ସବୁରି ମନର କବିତା ।

 

ଏଥର ବସ୍ ଭିତରେ ତା ସିଟ୍‌ରେ ଯାଇ ଡ୍ରାଇଭର୍‌ ବସିଲା । ବାହାରେ ହାଓ୍ୱା, ଖାଉଥିବା ଯାତ୍ରୀ ସବୁ ବସ୍ ଭିତରକୁ ପଶିଲେ ହୋଇ ଠେଲାପେଲା । ଏଥର ଚମ୍ପକଲତା ଚାଲିଯିବ ଚାଲିଯିବ ବସ୍ । ଖାଲି ଛାଡ଼ି ଦେଇଯିବ ଧୂଆଁ ଭସ୍‌ଭସ୍ । ଚମ୍ପକଲତାକୁ ବିଦାୟ ଦେବାକୁ ଆସିଥିବା ଲୋକେ ହେବେ ନିରାଶ । ତାଙ୍କ ମନରେ ବହିବ ହା–ହତାଶର ବତାସ । ବସ୍ ଭିତରକୁ ପଶି ଆସିଲା କଣ୍ଡକଟର । ଗେଟ୍‌ ବନ୍ଦ କଲାଣି କ୍ଳିନର । ଘଣ୍ଟି ଲଗା ଦଉଡ଼ିକି ଟାଣି ଦେଲା ଦି’ଥର-। ଆଉ କାହାରିକୁ ଅପେକ୍ଷା ନ କରି ବସ୍ ଚାଲିଲା ଏଥର ।

 

ଆହା ! ବସ୍ ଏଥର ଚାଲିଲା । ସବୁରୀ ଆଖିରେ ଲୁହ ଆସି ଜମିଲା । ଚନ୍ଦ୍ର ମାଧବ ବାବୁ ସମସ୍ତଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲେ । ମୁହଁ ଟେକି ଚମ୍ପକଲତା ଏଥର ଟିକେ ଚାହିଁଲେ । ଆଖି ଆଗରେ ବସ୍‌ଟା ଚାଲିଯାଉଛି । ଚାଲିଯାଉଛି ଚମ୍ପକଲତା ସମସ୍ତେ ଖାଲ ଚାହିଁଛନ୍ତି ଜଳକା ହୋଇ । ବସ୍‌ ପଛରେ କେତେକ ଗଲେଣି ଧାଇଁ। କେତେକ ବାଟ ବା ଯିବେ ! ଚମ୍ପକଲତା ଚାଲିଯିବ । ତାକୁ କେହି ଧରିପାରିବେ ନାହିଁ । ଏଥର ବସ୍ ମୋଡ଼ ବୁଲିଲା । ପାରି ହୋଇଗଲା କଚେରୀ ଛକ । ପଛରେ ପଡ଼ି ରହିଲେ ସବୁ ଲୋକ । ଚମ୍ପକଲତାର କେତେକ ପ୍ରେମିକ, କେତେକ ସ୍ତାବକ । ସହରର ସବୁ କବି । ସବୁ ଲେଖକ ।

 

ଆହାଃ...ଚାଲିଗଲା ଆଜି ଚମ୍ପକଲତା । କେତେ କବି ସେଇ ରାସ୍ତାରେ ବାହାର କଲେଣି ତାଙ୍କ କବିତା ଖାତା । ଲେଖିବେ ଏଥର କବିତା । ବିରହ କବିତା । ଗାଇ ବୁଲିବେ ଚମ୍ପକଲତା ପ୍ରଣୟ ଗାଥା—ମରମ କଥା । ଆଉ କେତେକ ମାଇଚିଆ କାନ୍ଦି କାନ୍ଦି ଫୁଲେଇ ଦେଲେଣି ଆଖିପତା । ବଡ଼ ନିଷ୍ଠୁର ଏଇ ସରକାରୀ ଲାଲ୍ ଫତା । ଚନ୍ଦ୍ରବାବୁ ସିନା ବଦଳି ହୋଇଗଲେ, ଚାଲିଗଲା ସେ ଚମ୍ପକଲତା । ଚନ୍ଦ୍ରବାବୁଙ୍କର ବଡ଼ ଅଲିଅଳି ସେ ବଡ଼ ଦୁହିତା । ବୁଝିଲାନି କାହା କଥା—କାହାରି ମରମ ବ୍ୟଥା ।

 

ଆହଃ–ଚାଲିଗଲା । ଚାଲିଗଲା ଆଜି ଚମ୍ପକଲତା । ସବୁରି ହୃଦୟ—ମରୁର ଝରଣା, ସବୁ କବିଙ୍କର ଛନ୍ଦ କବିତା ।

★★★

 

ବାର୍ତ୍ତା; ଦୁଇଟି ହୃଦୟର

 

ସମାଜରେ ମଣିଷ ଜନ୍ମହୁଏ, କିନ୍ତୁ ଯେଉଁ ସମାଜ ଦିନେ ମଣିଷକୁ ବଞ୍ଚିବାର ସୁଯୋଗ ଦେଇଥାଏ, ସେଇ ସମାଜ ଦିନେ ତା ପାଇଁ ମୃତ୍ୟୁର ସମାଧି ତୋଳିଦିଏ । ଯେଉଁ ସମାଜରୁ ମଣିଷ ଭଲ ପାଇ ଶିଖେ, ସ୍ନେହ, ପ୍ରେମ, କରି ଶିଖେ, ସେଇ ସମାଜରେ ଦିନେ ସେ ତାର ସ୍ନେହ, ପ୍ରେମ ଓ ଭଲପାଇବା ଯୋଗୁ ହୁଏ ଘୃଣିତ, ଅବହେଳିତ, ନିର୍ଯ୍ୟାତିତ । ଏହିପରି ଦୁଇଟି ବିରୁଦ୍ଧାତ୍ମକ ନୀତିର ସମ୍ମିଶ୍ରଣହିଁ ଆମ ସମାଜର ବିଶେଷତ୍ଵ ।

 

ଏ ସମାଜକୁ ତମେ ଭୟ କର, ମୁଁ ବି ଭୟ କରେ । କାରଣ ଯେତେହେଲେ ଆମେ ସାମାଜିକ ପ୍ରାଣୀ । ଏଇ ସମାଜରେ ଆମର ସୃଷ୍ଟି ଓ ଏଇଠି ଆମର ସ୍ଥିତି । ତେଣୁ ଏ ସମାଜକୁ ଛାଡ଼ି ଆମର ଅସ୍ତିତ୍ୱ କାହିଁ ? କିନ୍ତୁ ଯେଉଁ ସମାଜରେ କୌଣସି ମନ ସହଜ ମନର ମିଳନ ଘୃଣ୍ୟ, ନିନ୍ଦନୀୟ ବୋଲି ବିବେଚିତ ହୁଏ ଦୁଇଟି ହୃଦୟର ମିଳନ କ୍ଷେତ୍ରରେ ଯେଉଁ ସମାଜ ପ୍ରତିବନ୍ଧକ ହୋଇ ଠିଆହୁଏ, ସେ ସମାଜରେ ଗୋଟାଏ ରୀତିମତ ସଂସ୍କାରଲୋଡ଼ା ମିତା, ସେ ସମାଜରେ ବିଦ୍ରୋହର ଆବଶ୍ୟକତା ଅଛି, ବିପ୍ଳବର ପ୍ରୟୋଜନ ବି ଅଛି ।

 

ତମେ କିନ୍ତୁ ପାରିବନି, କାରଣ ତମେ ଦୁର୍ବଳା । ମୁଁ’ବି ପାରିବିନି, କରଣ ମୁଁ’ବି ସବଳ ନୁହେଁ । ସଭା ସମିତରେ ଠିଆହୋଇ ଘଣ୍ଟା ଘଣ୍ଟା ଧରି ଏ ସମାଜ ବିରୋଧରେ ଜ୍ଵାଳାମୟୀ ଭାଷାରେ ଭାଷଣ ଦେଇପାରେ, ଲେଖନୀ ଚଳେଇପାରେ, କିନ୍ତୁ କାର୍ଯ୍ୟକ୍ଷେତ୍ରରେ ମୁଁ ଦୁର୍ବଳ । ତୁମ ନାରୀ ହୃଦୟଠାରୁ ଆହୁରି ଦୃର୍ବଳ ମୋର ହୃଦୟ । ଏକ ଭୀରୁ, କାପୁରୁଷ ଅପଦାର୍ଥ ମୁଁ ।

 

ମୋର ମନେଅଛି, ତମେ ମତେ ଦିନେ ପଚାରୁଥିଲ ଯେ, କୃଷ୍ଣ–ପ୍ରଣୟିନୀ ମୀରା ବିବାହ ପରେ ମଧ୍ୟ ନିଜର ପ୍ରିଣୟୀ କୃଷ୍ଣଙ୍କ ସାନ୍ନିଧ୍ୟ ପାଇଁ ପାଗଳିନୀ ହୋଇ ପଡ଼ିଥିଲେ, ଦିନ ରାତି ତାଙ୍କରି ପ୍ରେମଗାନ କରୁଥିଲେ । ଅଥଚ ତମେ ମୋତେ ହୃଦୟ ଦେଇ ଭଲପାଉଛି ବୋଲି ଏ ସମାଜ ତୁମ ନାଁରେ ନିନ୍ଦା ଅପବାଦର ଡ଼ିଣ୍ଡିମ ପିଟୁଛି । କାହିଁକି ? ସିନେମାର ରୂପେଲୀ ପର୍ଦାରେ ମୀରାଙ୍କ ବିରହ–ବେଦନାର କରୁଣ ଛବି ଦେଖିତୁମର ଯେଉଁ ମା’ଙ୍କ ଆଖିରେ ବିନ୍ଦୁ ବିନ୍ଦୁ ହୋଇ ଲୁହ ଜମି ଯାଇଥିଲା, ସେଇ ମା’ ତୁମକୁ, ତୁମର ଭଲ ପାଇବାଯୋଗୁ ଘୃଣା କରୁଛନ୍ତି କାହିଁକି ? ଏ ପ୍ରଶ୍ନ, ମୋତେ ନ ପଚାରି ତୁମେ ଯଦି ତୁମର ମା’ଙ୍କୁ ପଚାରି ପାରିଥାନ୍ତ, ତେବେ ଖୁବ୍ ଭଲ ହୋଇଥାନ୍ତା ମିତା ! କିନ୍ତୁ ତମେ ପାରିଲନି । ସେମାନଙ୍କ ସାମ୍ନାରେ ମୁହଁ ଖୋଲି କୃଷ୍ଣ-ପ୍ରେମିକା ଭକ୍ତ ମୀରାଙ୍କ ସହିତ ନିଜର ସମାନ ଆସନ ତମେ ଦାବି କରି ପାରିଲନି ।

 

ତୁମକୁ ଅନେକଥର ମୁଁ ପଚାରିଛି, ମୋତେ କାହିଁକି ତମେ ଭଲପାଇଲ ? ମୋଠାରେ କି ବିଶେଷତ୍ଵ ଦେଖି ତମେ ମୋତେ ଭଲପାଇ ବସିଲ ? ଅସିତ୍ ଭଳି ମୁଁ ବ୍ରିଲିୟାଣ୍ଟ ସ୍କୁଲର ନଥିଲି କିମ୍ବା ସୁପ୍ରଭାତ ଭଳି ସୁନ୍ଦର ଆର୍ଟିଷ୍ଟ ନଥିଲି । ମୋଠାରେ ନଥିଲା ଶାରୀରିକ ରୂପ ସୌନ୍ଦର୍ଯ୍ୟ କିମ୍ବା ଧନ ସଂପଦର ପ୍ରାଚୁର୍ଯ୍ୟ ଭିତରେ ବି ମୁଁ ବଢ଼ି ନଥିଲି । ତମେ ଉତ୍ତର ଦେଇଥିଲ, ରୂପ–ଯୌବନ କ୍ଷଣସ୍ଥାୟୀ ଅଜିତ୍ । ରୂପ ଯୌବନର ମୋହରେ ମୋହାଚ୍ଛନ୍ନ ହୋଇ ଯେଉଁମାନେ ଭଲପାଇ ବସନ୍ତି, ସେମାନଙ୍କର ଭଲପାଇବା ସ୍ଥାୟୀ ହୋଇ ରହିପାରେନି । ସାଗରର ଢେଉ ଭଳି ସେ ଭଲପାଇବା ନିମିଷକ ଭିତରେ ମନର ବେଳାଭୂଇଁରେ କୁଆଡ଼େ ବିଳୀନ ହୋଇଯାଏ ।

 

କିନ୍ତୁ ଅସିତ୍ ସହିତ ତୁମର ବିବାହ ହୋଇଗଲା । ତୁମ ବାପାଙ୍କଠାରୁ ଯେତେବେଳେ ଅସିତ୍ ସହିତ ତୁମର ବିବାହ ପ୍ରସ୍ତାବ ସ୍ଥିର ହୋଇଛି ବୋଲି ଶୁଣିଲ, ଖୁବ୍ ବିବ୍ରତ ହୋଇପଡ଼ିଲି ସେତେବେଳେ । ମୋ ସହିତ ତୁମର ପ୍ରଣୟକୁ ଅକ୍ଷୁଣ୍ଣ ରଖିବା ପାଇଁ ତୁମେ ଆତ୍ମହତ୍ୟା କରିବା ବୋଲି ସ୍ଥିର କଲ । ମୁଁ କିନ୍ତୁ ବୁଝେଇ ଦେଇଥିଲି ଯେ, ଆତ୍ମାର କେବେ ମୃତ୍ୟୁ ହୋଇପାରେନା ମିତା । ପ୍ରେମିକ-ପ୍ରେମିକା ପରସ୍ପରକୁ କେବଳ ସ୍ୱାମୀ-ସ୍ତ୍ରୀ ଭାବରେ ପାଇଲେ ଯେ ପ୍ରେମ ବଞ୍ଚିରହେ, ଏ ଧାରଣା ସଂପୂର୍ଣ୍ଣ ଭୁଲ । ପ୍ରେମର ସ୍ଥାୟୀତ୍ୱ ପାଇଁ ବିବାହ ଏକ ପନ୍ଥା । ହୋଇପାରେ, ମାତ୍ର ଏକମାତ୍ର ପନ୍ଥା ନୁହେଁ ।

 

ଗୋଟିଏ ସ୍ତ୍ରୀର ମୃତ୍ୟୁ ପରେ ଜଣେ ଦ୍ଵିତୀୟଥର ପାଇଁ ବିବାହ କରିପାରେ, କିନ୍ତୁ ‘ପ୍ରେମିକା’ର ମୃତ୍ୟୁ ପରେ ଅନ୍ୟ ଜଣକୁ ନିଜର ‘ପ୍ରେମିକା’ ଆସନରେ ବସେଇ ହୁଏନା । ପ୍ରଣୟ ଓ ପରିଣୟ ଦୁଇଟା ଭିନ୍ନ ଜିନିଷ। ‘ପ୍ରେମ’ ଯଦି କେବଳ ଦୈହିକ ହୋଇଥାନ୍ତା, ତାହାହେଲେ ଦେହର ସୌନ୍ଦର୍ଯ୍ୟ କ୍ଷୟ ସଙ୍ଗେ ସଙ୍ଗେ ପ୍ରେମ ମଧ୍ୟ କ୍ଷୟ ହୋଇ ଯାଇଥାନ୍ତା । କିନ୍ତୁ ଆମେ କୌଣସି ଦୈହିକ ସମ୍ପର୍କ ରକ୍ଷା କରି ନଥିଲୁ । ଆମ ଭଲ ପାଇବାରେ ତ କୌଣସି କାମନା ନଥିଲା, କୌଣସି ଅଭିପ୍‌ସା ନଥିଲା । ତେଣୁ ଏଭଳି ଶାଶ୍ୱତ ପ୍ରେମର ମୃତ୍ୟୁ ଆସିଲା କୁଆଡୁ ? ଦୁଇଟି ଦେହର ମିଳନ ପଥରେ ଏ ସମାଜ କଣ୍ଟା ପୋତିଦେଇ ପାରେ, ଆମ ଦୁହିଁଙ୍କର ବିବାହ ପାଇଁ ସମାଜ ସ୍ଵୀକୃତି ଦେଇ ନପାରେ, କିନ୍ତୁ ତୁମ ହୃଦୟ ସହିତ ମୋ ହୃଦୟର ଯେଉଁ ମିଳନ ହୋଇଯାଇଛି, ମନ ସହିତ ମନର ଯେଉଁ ବିବାହ ହୋଇଯାଇଛି, ସେ ବିବାହମିଳନକୁ ଭାଙ୍ଗିଦେବାକୁ ଏ ସମାଜର ଶକ୍ତି କାହିଁ ?

 

ଅନେକ କଷ୍ଟରେ ତମେ ବୁଝିଥିଲ । ଆତ୍ମହତ୍ୟା, ବାଟରୁ ଓହରିଆସି ବାପାଙ୍କର ନିଷ୍ପତ୍ତିକୁ ମାନିନେଇ ଅସିତ୍‌କୁହିଁ ବିବାହ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟ ହେଉଛି, ବିବାହର ଏକମାସ ପରେ ତୁମେ ପୁନର୍ବାର ସେଇ ଆତ୍ମହତ୍ୟାର ପନ୍ଥା ଖୋଜୁଛ । ଅସିତ୍‍‌କୁ ବିବାହ କରି ତୁମେ ସୁଖୀ ହୋଇପାରିନ । ନାରୀ ଜୀବନ ତୁମର ବ୍ୟର୍ଥ ହୋଇଯାଇଛି । ବିବାହର ଗୋଟିଏ ମାସ ପରେ ଅସିତ୍‌ର ନୈତିକ ଅଧପତନ ଦେଖି ତୁମେ ଆଶ୍ଚର୍ଯ୍ୟ ହୋଇଛ, ଅସିତ୍ ଡ୍ରିଙ୍କ କରୁଛି । ଦିନେ ଦିନେ ରାତିରେ ଘରକୁ ନଫେରି ହସ୍ପିଟାଲର ସିଷ୍ଟର ଓ ନର୍ସଙ୍କ ମେଳରେ ବସି ରାତ୍ରିଯାପନ କରୁଛି । ଆମେରିକା ଫେରନ୍ତା ଡାକ୍ତର ଅସିତ୍ ସହିତ ବିବାହ ଦେଇ ଭବିଷ୍ୟତକୁ ତୁମର ସୁଖମୟ ଓ ସ୍ୱପ୍ନମୟ କରି ଗଢ଼ିବାପାଇଁ ବାପା ତୁମର ଯେଉଁ ସ୍ୱପ୍ନ ଦେଖିଥିଲେ, ସେ ସ୍ୱପ୍ନ ତାଙ୍କର ସଫଳ ହେଲାନାହିଁ ।

 

ଆମେ ଦୁହେଁ ପରସ୍ପରକୁ ଭଲ ପାଉଥିଲୁ ବୋଲି ଯେଉଁ ସମାଜ ଦିନେ ଆମକୁ କେନ୍ଦ୍ରକରି ଅପବାଦ ଓ କଳଙ୍କର ପ୍ରଚାରପତ୍ର ବାଣ୍ଟୁଥିଲା, ସେଇ ସମାଜରେ କେବଳ ଅସିତ୍ କାହିଁକି, ଅସିତ୍ ଭଳି ଯେଉଁମାନ ଆଦର୍ଶ ଓ ଆଭିଜାତ୍ୟର ଆବର୍ତ୍ତ ମଧ୍ୟରେ ଥାଇ ବିବାହିତା ପତ୍ନୀ ଥାଉ ଥାଉ ଅନ୍ୟ ନାରୀର ସତିତ୍ୱ ନଷ୍ଟ କରିବା ପାଇଁ କୁଣ୍ଠାବୋଧ କରନ୍ତିନାହିଁ, ସମାଜ ଦୃଷ୍ଟିରେ ସେମାନେ ନିର୍ଦ୍ଦୋଷ । କାରଣ ସେମାନେ ଭଦ୍ର, ସଭ୍ୟ ଓ ଶିକ୍ଷିତ । ସମାଜରେ ସେମାନଙ୍କର ସ୍ଥାନ ଅତି ଉଚ୍ଚରେ ।

 

ଅସିତ୍‌ର ଏ ଚାରିତ୍ରିକ ଦୁର୍ବଳତାକୁ ସଂଶୋଧନ କରିବାକୁ ଯାଇ ତମେ ବିଫଳ ହୋଇଛ-। ତୁମର ମୂଲ୍ୟବାନ ଉପଦେଶ ପାଇଁ ତୁମେ ଅସିତ୍‌ଠାରୁ ଲାଞ୍ଛନା ପାଉଛ, ଭର୍ତ୍ସନା ଶୁଣିଛ-। ମନ-ହରିଣୀ ତୁମର କାନ୍ଦି ଉଠୁଛି ଖୁବ୍ ବିକଳ ଭାବରେ । ଦୁଃଖ-ଯନ୍ତ୍ରଣା ଓ ନୈରାଶ୍ୟର ଏ ସାହାରରୁ ମୁକ୍ତି ପାଇବା ପାଇଁ ତମେ ଆତ୍ମହତ୍ୟା କରିବ ବୋଲି ସ୍ଥିର କରିନେଇଛ ନା ? କିନ୍ତୁ ଯେଉଁ ‘ଜୀବନ’ଟିକୁ ତମେ ସୃଷ୍ଟି କରିପାରିବ ନାହିଁ, ସେ ‘ଜୀବନ’କୁ ନଷ୍ଟ କରିବାର ଅଧିକାର ତୁମକୁ ଦେଲା କିଏ ? ମୋର ଅନୁରୋଧ ମିତା, ଆତ୍ମହତ୍ୟା କରି ଈଶ୍ୱରଙ୍କର ମୂଲ୍ୟବାନ ସୃଷ୍ଟିକୁ ତମେ ନଷ୍ଟ କରିଦିଅ ନାହିଁ । ନାରୀ ତମେ ସହିବ ହେଉଛି ନାରୀର ଧର୍ମ । ସ୍ୱାମୀର ସବୁ ଦୁର୍ଗୁଣ ଓ ଅତ୍ୟାଚାରିକୁ ହସି ହସି ମଥାପୋତି ସହିନିଅ । ଦେଖିବ, ତୁମ ଜୀବନ ଆକାଶରେ ଯେଉଁ କଳା ମେଘର ସୂଚନା ମିଳିଛି, ତାହା ଦିନେ ଅପସରି ଯିବ । ସୁଖ-ଶାନ୍ତି, ଆନନ୍ଦର ବିମଳ ଜ୍ୟୋତ୍ସ୍ନାରେ ତୁମ ଜୀବନର ନୀଳ–ଆକାଶ ପୁଣି ହସି ଉଠିବ ।

 

ସାମ୍ନାରେ ତୁମର ଚିଠିଟି ଥୁଆ ହୋଇଛି । ତୁମ ଆଖିର ଲୁହରେ ଭିଜି ଯାଇଥିବା ଏ ଚିଠିକୁ ଥରେ ନୁହେଁ, ଅନେକଥର ପଢ଼ିଲିଣି । ତୁମେ ଆଜି ମୋ ଠାରୁ ଅନେକ ଦୂରରେ । ମୋ ବନ୍ଧୁର ସହଧମ୍ମିଣୀ । ଦିନେ ତୁମକୁ ଖୁବ୍ ଭଲ ପାଉଥିଲି । ବନ୍ଧୁ ପତ୍ନୀ ହେଲେବି ଆଜି ମୁଁ ତୁମକୁ ପୂର୍ବପରି ଖୁବ୍ ଭଲପାଏ ମିତା । ତୁମେ ଅସିତ୍‌ର ପତ୍ନୀ ହୋଇପାର, କିନ୍ତୁ ମୋର ଯେ ପ୍ରଣୟିନୀ । କି ସାନ୍ତ୍ୱନା ଦେଇ ତୁମ ଆଖିରୁ ମୁଁ ଆଜି ଲୁହ ପୋଛି ଦେବି ମିତା ? ସେଇ ‘ବିଶ୍ୱପ୍ରେମିକ’ ନିକଟରେ ମୋର ଗୋଟିଏ ମାତ୍ର ପ୍ରାର୍ଥନା । ସେଇ ତୁମ ଆଖିର ଅଶ୍ରୁ ବଦଳରେ ତୁମ ଓଠରେ ହସର ରେଖାଟିଏ ଆଙ୍କି ଦେବ । ମୁଁ’ତ ସାମାନ୍ୟ ପ୍ରେମିକ ମାତ୍ର । ତେଣୁ ତୁମ ଆଖିରେ ଅଜସ୍ର ଅଶ୍ରୁ ବିନ୍ଦୁ ଦେଖି ମୋ ଅନ୍ତରର ଅନ୍ତରତମ ପ୍ରଦେଶରୁ ବାହାରି ଆସୁଛି କେବଳ ଗୋଟିଏ ଗଭୀର ଦୀର୍ଘଶ୍ୱାସ ।

★★★

 

ଚନ୍ଦ୍ର-ସୂର୍ଯ୍ୟ-ତାରା

 

ସାକିନା–

 

ମୋର ସହକର୍ମୀ ବନ୍ଧୁ ସରିଫର ସାନ ଭଉଣୀ ସାକିନ। ।

 

ମୋ ପାଇଁ ସେ ମୁଠାଏ ସ୍ଵପ୍ନ । ନୀଳ ଆକଶର ଚନ୍ଦ୍ରମା ।

 

ସ୍ୱପ୍ନ କେବେ ସତ ହୁଏନା ।

 

ଅନେକ ଆନ୍ତରିକତା ଓ ଉଦ୍ୟମ ସତ୍ୱେ ବି ଚନ୍ଦ୍ରକୁ ନେଇ ମୁଁ ଘରଟିଏ ତିଆରି କରି ପାରୁନାହିଁ । ଘରଟିଏ ତିଆରି କରିବାର ଶକ୍ତି, ସାମର୍ଥ ଓ ସାହାସ ମୋର ନାହିଁ ।

 

ଏଇ ମାଟିର ମଣିଷ ମୁଁ । ଅସହାୟ । ଏକାନ୍ତ ଅସହାୟ ।

 

ଅସହାୟ ଶିଶୁଟି ଭଲ ଦୂରରେ ଠିଆ ହୋଇ ମୁଁ ତେଣୁ ଚଦ୍ରକୁ କେବଳ ଦେଖୁଛି ।

 

ଦେଖୁଛି—ଖାଲି ଦେଖୁଛି । ଆପଣାର କରିପାରୁ ନାହିଁ ।

 

ବାପା—

 

ମୋତେ ଯେ ଜନ୍ମ ଦେଇ ନାହାନ୍ତି—ଅଥଚ ମୋର ଜୀବନ ପାଇଁ ସେ ଦାୟୀ ।

 

ନିଜ ଦେହର ରକ୍ତକୁ ପାଣି କରି ମୋ ଦେହରେ ଯିଏ ରକ୍ତ ଦେଇଛନ୍ତି ।

 

ଶକ୍ତ ମଣିଷ କରି ଏଇ ମାଟିରେ ଯିଏ ମୋତେ ଠିଆ କରେଇ ଦେଇଛନ୍ତି ।

 

ହଠାତ୍ ସେ ମୋ ପାଇଁ ସୂର୍ଯ୍ୟ ହୋଇଯାଇଛନ୍ତି ।

 

ମଧ୍ୟାହ୍ନର ଅଗ୍ନିମାନ ସୂର୍ଯ୍ୟ ।

 

ଯେଉଁଦନ ସେ ଶୁଣିବାକୁ ପାଇଲେ ଯେ ନୀଳ ଆକାଶର ଚନ୍ଦ୍ରକୁ ନେଇ ମୁଁ ହଠାତ୍ ସ୍ୱପ୍ନ ଦେଖିବାକୁ ଆରମ୍ଭ କରିଛି ଏବଂ ସେଇ ଚନ୍ଦ୍ରଦେଶରେ ଯାଇ ଘର କରିବାର ବାସନା ବାନ୍ଧିଛି—ଠିକ ସେଇଦିନୁ ।

 

ସେଇଦିନୁ ବାପା ମୋ ପାଇଁ ସୂର୍ଯ୍ୟ ହୋଇଗଲେ ।

 

ପ୍ରଖର ତେଜୋଦୀପ୍ତ ସୂର୍ଯ୍ୟ ।

 

ମାଟିର ମଣିଷ ମୁଁ । ଶକ୍ତିହୀନ, ଭୟାତୁର ମଣିଷ ।

 

ଶଙ୍କିତ ଦୃଷ୍ଟିରେ ଦୂରରେ ରହି ମୁଁ ତେଣୁ ସୂର୍ଯ୍ୟଙ୍କୁ ଖାଲି ଦେଖୁଛି । ସୂର୍ଯ୍ୟର ବନ୍ଦନା ଗାଉଛି ।

 

ପାଖକୁ କିନ୍ତୁ ଯାଇପାରୁ ନାହିଁ । ଆପଣାର କରିପାରୁ ନାହିଁ ।

 

ଚନ୍ଦ୍ରକୁ ମୋ ଲାଗି ଧରି ଆଣିବା ପାଇଁ ଯାହା ପାଖରେ ମୁଁ ଅଳି କରିଥାନ୍ତି, ସୂର୍ଯ୍ୟର ପ୍ରଖର ଉତ୍ତାପରୁ ରକ୍ଷା ପାଇବା ପାଇଁ ଯାହାର ପଣତ ଛାଇତଳେ ଆଶ୍ରୟ ଲୋଡ଼ିଥାନ୍ତି—ସେ ମୋ ପାଇଁ ଆକାଶର ତାରା ହୋଇ ଯାଇଛି ।

 

ସେ ମୋର ବୋଉ ।

 

ସେଇ ତ ମୋତେ ଦିନେ ହାତଠାରି ନୀଳ ଆକାଶରେ ଚନ୍ଦ୍ରର ସ୍ୱପ୍ନ ଦେଖେଇଥିଲା । ଆକାଶର ତାର ଦେଖେଇ ଥିଲା ।

 

ଦିନେ ଦେଖିଲାବେଳକୁ ସେ ମୋ ପାଖରେ ନାହିଁ ।

 

ବାପଙ୍କୁ ପଚାରିଲି–ବାପା ! –‘ବୋଉ’ ?

 

ବାପା ସେତେବେଳେ ମଧ୍ୟାହ୍ନର ସୂର୍ଯ୍ୟ ନଥିଲେ । ଦିନାନ୍ତର ସୂର୍ଯ୍ୟପରି ସେ ଥିଲେ ଶାନ୍ତ, ସ୍ନିଗ୍‌ଧ ଓ ସୁନ୍ଦର ।

 

ମୋ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବାପା ନୀରବରେ ଆକାଶ ଆଡ଼କୁ ହାତ ଦେଖେଇ ଦେଇଥିଲେ–

 

‘ବୋଉ ତୋର ଆକାଶର ତାରା ହୋଇ ଯାଇଛି ।’

 

ସେଇଦିନୁ ମୁଁ ଶୂନ୍ୟ ଦୃଷ୍ଟିରେ ଆକାଶକୁ ଚାହିଁ ଅଗଣିତ ତାରା ମେଳରେ ବୋଉକୁ ମୋର ଖୋଜିବାକୁ ଚେଷ୍ଟା କରିଛି ।

 

ମାଟିର ମଣିଷ ମୁଁ । ଏକାନ୍ତ ଅସହାୟ ଓ ନିର୍ବୋଧ ମଣିଷ ।

 

ପ୍ରତିଟି ରାତିରେ ଅପଲକ ଦୃଷ୍ଟିରେ ଆକାଶର ତାରାମାନଙ୍କୁ ଚାହିଁ ଚାହିଁ ଶୋଇ ଯାଇଛି ସିନା, ହେଲେ ସେମାନଙ୍କୁ ଆପଣାର କରିପାରି ନାହିଁ ।

 

ମାଟିର ମଣିଷ ମୁଁ ।

 

ସ୍ୱପ୍ନାତୁର ଭୟାତୁର ମଣିଷ ।

 

ଅସହାୟ, ନିର୍ବୋଧ ମଣିଷ ।

 

ନୀଳ ଆକାଶରେ ଚନ୍ଦ୍ରର ସ୍ୱପ୍ନ ଦେଖି ପାଗଳ ହୋଇଛି ।

 

ମଧ୍ୟାହ୍ନର ସୂର୍ଯ୍ୟଙ୍କୁ ଭୟକରି ନିଭୃତ କୋଠରୀରେ ଆତ୍ମଗୋପନ କରିଛି । ଶୂନ୍ୟ ଦୃଷ୍ଟିରେ ଆକାଶରେ ତାରାକୁ ଚାହିଁ ଆଖିରୁ ଲୁହ ଢ଼ାଳିଛି ।

 

କାହାରିକୁ ଆପଣାର କରିପାରି ନାହିଁ ।

 

ଏକାନ୍ତ ଅସହାୟ ମଣିଷ ମୁଁ । ଠିଆ ହୋଇଛି ।

 

ଚାରିପଟେ ମୋର ଚନ୍ଦ୍ର, ତାରା, ସୂର୍ଯ୍ୟ ଘୂରୁଛନ୍ତି ।

 

ନା–ସେମାନେ ସ୍ଥିର । ମୁଁ ଘୂରୁଛି ।

 

ଘୂରୁଛି ମୁଁ–ଚନ୍ଦ୍ରରୁ ସୂର୍ଯ୍ୟକୁ, ସୁର୍ଯ୍ୟରୁ ତାରାକୁ......

 

ପୁଣି ତାରାରୁ ସୂର୍ଯ୍ୟ... ସୂର୍ଯ୍ୟରୁ ଚନ୍ଦ୍ର...

 

ଅବିଶ୍ରାନ୍ତ ଭାବରେ ମୁଁ ଖାଲି ଘୂରିବାରେ ଲାଗିଛି ।

 

ମୋ ଚାରିପଟେ ସୂର୍ଯ୍ୟ–ଚନ୍ଦ୍ର–ତାରା

 

ତାରା–ସୂର୍ଯ୍ୟ–ଚନ୍ଦ୍ର

 

ଚନ୍ଦ୍ର–ସୂର୍ଯ୍ୟ–ତାରା...

 

ମୁଁ ଏଇ ପୃଥିବୀର ମଣିଷ । ଅସହାୟ–ଏକାନ୍ତ ଅସହାୟ ।

★★★

 

ଆହତ ପୌରୁଷ

 

ବିଶେଷ କଥନ :

 

ମୂଳରୁ କହି ରଖୁଛି–ଏ ଗଳ୍ପଟି ମୋ ନିଜର ନୁହେଁ । ମୁଁ ଏହାର ନାମ—କରଣ କରିଛି ମାତ୍ର । ଗଳ୍ପଟି ମୋ ବନ୍ଧୁ ବିଶ୍ୱକଲ୍ୟାଣର ।

 

ମାଟ୍ରିକ୍ ପାସ କରି କଲେଜରେ ପାଦଦେବା ଦିନୁ ବିଶ୍ୱକଲ୍ୟାଣ ଓ ମୁଁ ପରସ୍ପର ଅନ୍ତରଙ୍ଗ ବନ୍ଧୁ ହୋଇ ପଡ଼ିଥିଲୁ । କେବଳ ନାମର କିଛିଟା ସାମଞ୍ଜସ୍ୟ ଦୃଷ୍ଟିରୁ ନୁହେଁ, ଉଭୟଙ୍କର ସ୍ଵଭାବ ଚରିତ୍ରର ଅପୂର୍ବ ମିଳନ ଯୋଗୁଁ ଆମେ ପରସ୍ପରର ନିକଟକୁ ଟାଣି ହୋଇ ଆସିଥିଲୁ ।

 

କଲେଜ ଜୀବନରେ ବନ୍ଧୁ କଲ୍ୟାଣ ଥିଲା ଜଣେ ସଫଳ ତଥା ଅପ୍ରତିଦ୍ୱନ୍ଦୀ ଛାତ୍ରନେତା । ଶିକ୍ଷା ଶେଷ କରି ରାଜନୀତିରେ ଯୋଗ ଦେବାଲାଗି ପ୍ରବଳ ଇଚ୍ଛା ଥିଲେ ବି ତା’ ଘରର ଆର୍ଥିକ ପରିସ୍ଥିତି ଯୋଗୁଁ ତାହା ସମ୍ଭବ ହେଲା ନାହିଁ । ତେଣୁ ରାଜନୀତି ନକରି ସେ ହେଲା ରାଜନୀତି ବିଭାଗର ଅଧ୍ୟାପକ । ମୋର ଛାତ୍ର ଅବସ୍ଥାରୁ ସାହିତ୍ୟ ପ୍ରତି ହିଁ ବିଶେଷ ଅନୁରାଗ ଥିଲା । ତେଣୁ ମୁଁ ହେଲୁ ଓଡ଼ିଆ ସାହିତ୍ୟର ଅଧ୍ୟାପକ । ଆମ ପାଇଁ ଅହୁରି ଏକ ଆଶ୍ଚର୍ଯ୍ୟ ଓ ଆନନ୍ଦ ଦାୟକ ଘଟଣା ଥିଲା ଯେ ଏକା ଦିନକେ ଏକା କଲେଜରେ ଆମେ ଦୁହେଁ ଆପଏଣ୍ଟମେଣ୍ଟ ପାଇଥିଲୁଁ ! ଆମ ବନ୍ଧୁତାର ଅନ୍ୟ ଏକ ଅବିସ୍ମରଣୀୟ ଦିନ ହେଉଛି, ଆମ ବିବାହର ଦିନ । ସେଇ ଏକା ତିଥିରେ ଆମ ଦୁହିଁଙ୍କର ବାହାଘର ହୋଇଥିଲା, କିନ୍ତୁ ତଫାତ୍ କେବଳ ଏତିକି ଯେ, ମୁଁ ବାହାହେଲି ମାଟ୍ରିକ୍ ପାସ୍ କରି ସଦ୍ୟ କଲେଜରେ ନାମ ଲେଖାଇ ଥିବା ଷୋଳବର୍ଷର ଝିଅଟିକୁ । କିନ୍ତୁ ବିଶ୍ୱକଲ୍ୟାଣ ବାହାହେଲା ଜଣେ ଅଧ୍ୟାପିକାଙ୍କୁ ।

 

ବିବାହର ଛଅମାସ ବିତି ଯାଇଛି । ଏଇ ମାତ୍ର ଦୁଇ ଦିନ ତଳେ ବିଶ୍ୱକଲ୍ୟାଣ ମୋ ଘରକୁ ଆସି କହିଲା—ଭାଇ ରଞ୍ଜନ । ମୋର ଗୋଟିଏ ଅନୁରୋଧ ରଖିବୁ । ମୁଁ ଗୋଟିଏ ଗପ ଲେଖିଛି । ତାକୁ ତୋ ନାଁରେ କୌଣସି ଏକ ପତ୍ରିକାରେ ଛପାଇ ଦେଇ ପାରିବୁ ? ମୋର ବିଶ୍ୱାସ, ତୁ ପାରିବୁ ।

 

ବିସ୍ମୟରେ ମୁଁ ବିଶ୍ୱକଲ୍ୟାଣ ମୁହଁକୁ ଚାହିଁଲି । ରାଜନୀତିର ଅଧ୍ୟାପକ ହେଲେ ବି ମୋର ଏଇ ବନ୍ଧୁଟି ଓଡ଼ିଆ ସାହିତ୍ୟର ଏକ ନୀରବ ସାଧକ । ବହୁତ ପଢ଼େ, ଲେଖେ ବି । କିନ୍ତୁ କୌଣସି ପତ୍ର ପତ୍ରିକାକୁ ସେ ତା’ର ଲେଖା କେବେ ପ୍ରକାଶ ପାଇଁ ପଠାଇ ନାହିଁ । ସେଥିଲାଗି ମୋର ବହୁ ଉପଦେଶ ଓ ଅନୁରୋଧ ବ୍ୟର୍ଥ ହୋଇଛି । ସେ କହେ—ପ୍ରକାଶ ପାଇଁ ମୁଁ ଆଗ୍ରହୀ ନୁହେଁ । ମୋ ନିଜର ଆନନ୍ଦ ପାଇଁ ହିଁ ମୋର ସୃଷ୍ଟି ।

 

ସେଇ ବିଶ୍ୱକଲ୍ୟାଣ ଆଜି ତା’ର ଗଳ୍ପଟିଏ ପ୍ରକାଶ ପାଇଁ ମୋତେ ଅନୁରୋଧ କରୁଛି । ଅବଶ୍ୟ ତା ନିଜ ନାରେ ନୁହେଁ, ମୋ ନାରେ । ଗଳ୍ପଟିକୁ ବନ୍ଧୁ, ହାତରୁ ଗ୍ରହଣ କଲି । ତା’ର ଅନୁରୋଧ ଏଡ଼ି ଦେବାର ଶକ୍ତିମୋର ନାହିଁ । ତେଣୁ ଆପଣମାନଙ୍କ ସମ୍ମୁଖରେ, ମୁଁ ମୋ ନିଜ ଅନୁଭୂତିର କୌଣସି ଚରିତ୍ର, ଘଟଣା ବା ମନଗଢ଼ା କାହାଣୀ ନୁହେଁ, ବନ୍ଧୁ ବିଶ୍ୱକଲ୍ୟାଣରେ ଗପ ହିଁ ଉପସ୍ଥାପିତ କରୁଛି । ପୁଣି ଥରେ କହି ରଖୁଛି, ଇଚ୍ଛା କରି ବି ଏ ଗଳ୍ପଟିରେ ମୁଁ ଆଦୌ କଲମ ଚଲେଇ ନାହିଁ । ଅବିକଳ ତା’ର ଭାବ, ତାରି ଭାଷା ଓ ତା’ରି କଲମରୁ ସୃଷ୍ଟି ହୋଇଥିବା ଗଳ୍ପଟିର ଏ ହେଉଛି ଅବିକଳ ନକଲ ।

 

ବିଶ୍ୱକଲ୍ୟାଣର କଥା :

 

କହ୍ନେଇଲାଲର ଦେବୀ, ନିମାଇଁ ଚରଣଙ୍କ ରେଖା, ନୀଳଚନ୍ଦନର ଶ୍ୱେତ ପଦ୍ୱା ଓ ନିତ୍ୟାନନ୍ଦଙ୍କର ପ୍ରୀତି–

 

ମୋର କିଏ ? କିଏ ମୋର ? ମିତା, ମମତା, ମୌସୁମୀ...ସୁଜାତ,

 

ସୁମିତ୍ରା, ସୁରଧୂନୀ.... ???

 

ସମସ୍ତେ ଆସିଛନ୍ତି–ଯାଇଛନ୍ତି ।

 

ଯାଇଛନ୍ତି–ପୁଣି ଆସିଛନ୍ତି ।

 

ଆସିଲାବେଳେ ଖୁସି ହୋଇଛନ୍ତି ଗଲାବେଳେ ଦୁଃଖକରି ନାହାନ୍ତି । ଆସିଲାବେଳେ ଅନୁମତି ନେଇ ନାହାନ୍ତି—ଗଲାବେଳେ ବି ଅନୁମତି ପାଇଁ ଅପେକ୍ଷା କରି ନାହାନ୍ତି ।

 

ଆକସ୍ମିକ ଭାବରେ ମୋ ହୃଦୟର ଚିର-ଉନ୍ମୁକ୍ତ କୋଠରୀ ଭିତରକୁ ସେମାନେ ପଶି ଆସିଛନ୍ତି । ପୁଣି ଅପ୍ରତ୍ୟାଶିତ ଭାବରେ ସେଇ ଉନ୍ମୁକ୍ତ ଦ୍ଵାର ଦେଇ ନିବିଘ୍ନରେ ସେମାନେ ଫେରି ଯାଇଛନ୍ତି ।

 

ସେମାନଙ୍କର ସହସା ଆଗମନ ଓ ପ୍ରତ୍ୟାବର୍ତ୍ତନ ମୋତେ ବିସ୍ମୟ, ବିଷାଦ ଓ ପୁଲକର ଦୋଳାରେ ବସାଇ କିଛି ସମୟ ପାଇଁ ଝୁଲେଇ ଦେଇ ଯାଇଛି । କିଛି ସମୟ ପାଇଁ ମୁଁ ଚଞ୍ଚଳ ହୋଇଛି । ଅସାନ୍ତ ହୋଇଛି ।

 

ତା’ପରେ ସବୁ ସ୍ଥିର । ମୁଁ ପୁଣି ପ୍ରକୃତିସ୍ଥ ହୋଇ ଯାଇଛି ।

 

କେବଳ କେତୋଟି ମୁହୂର୍ତ୍ତର ତିକ୍ତି ମଧୁର ଅନୁଭୂତି ସୃତିର ମାଳାହୋଇ ମୋ ଗଳାରେ ଝୁଲୁଛି । ଆଉ ରୁଦ୍ରାକ୍ଷମାଳା ଜପିଲାଭଳି ପ୍ରତିଦିନ ସକାଳ ସଂନ୍ଧ୍ୟାରେ ସୃତିର ମାଳାକୁ ମୁଁ ଗୋଟି ଗୋଟି କରି ଗଣିବାରେ ଲାଗିଛି ।

 

କୈଶୋର ଓ ଯୌବନର ସନ୍ଧକ୍ଷଣର ପ୍ରଥମସ୍ମୁତି ମିତା ମହାନ୍ତି ।

 

ଏବେ ସେ ଦୁଇଟି ସନ୍ତାନର ଜନନୀ । ଡାକ୍ତର ମୃଶାଳଙ୍କର ସହଧର୍ମିଣୀ । ତାପରେ ମମତା, ମୌସୁମୀ, ସୁଜାତା ସୁମିତ୍ରା, ଓ ସୁରଧନୀ ଧାଡ଼ିବାନ୍ଧି ଗୋଟିକ ପରେ ଗୋଟିଏ କିଏ କେତେବେଳେ କିଭଳି ଭାବରେ ଆସିଛନ୍ତି ଓ ଯାଇଛନ୍ତି ସେ କଥା ଆଉ ମନେପକାଇ ଲାଭ ନାହିଁ ।

 

ସେମାନେ ଆସିଲେ ମୋତେ, ଯୋଗ୍ୟ ପୁରୁଷ, ମନେକରି—ମୋ ଭିତରେ ଏକ ଉଜ୍ଜ୍ୱଳ ଭବିଷ୍ୟତର ବିରାଟ ସମ୍ଭାବନା ଦେଖି । ଫେରିଗଲେ ମୋତେ ଅଯୋଗ୍ୟ, ଅପଦାର୍ଥ ଓ ଅକ୍ଷମ ପୁରୁଷର ଆକ୍ଷା ଦେଇ ।

 

ମୋର ପୁରୁଷ ବନ୍ଧୁମାନେ ବି ହସିଲେ । ତାଳିମାରି ହସିଲେ । କହିଲେ—ମୋ ପାଖରେ ପୁରୁଷୋତ୍ୱର ଢେର ଅଭାବ । ମୁଁ ଗୋଟାଏ ମାଇଚିଆ ।

ସେମାନଙ୍କର ଯୁକ୍ତି—ଫୁଲର ସୌନ୍ଦର୍ଯ୍ୟରେ ଯଦି ମୁଁ ମୁଗ୍‌ଧ ହେଲି, ତେବେ ତାକୁ ବୃନ୍ତଚ୍ୟୁତ କରି ତା’ର ସୁରଭିକୁ ଆଘ୍ରାଣ କଲି ନାହିଁ କାହିଁକ ?

ଫୁଲ ଦେଖୁ ଦେଖୁ ଛିଣ୍ଡାଇବା କୁଆଡ଼େ ପୁରୁଷତ୍ୱର ଲକ୍ଷଣ ।

ସେମାନେ ବୋଧହୁଏ ସତ କହିଥିଲେ ।

ମନେ ପଡ଼ୁଛି–କଲେଜ ଦିନର କଥାଟିଏ ।

ସହପାଠିନୀ ମମତା ସହିତ ତା ଷ୍ଟଡି–ରୁମ୍‌ରେ କଥାବାର୍ତ୍ତା କରୁ କରୁ ହଠାତ୍ ସେଦିନ ଲଇଟ୍‌ଟା ଲିଭିଗଲା । ତା’ପରେ ସେଇ ଅନ୍ଧାରରେ ମୋତେ ଜାମୁଡ଼ି ଧରି ମମତା ତା ଓଠର ଜୋର କରି ଭରିଦେଇଥିଲା । ତା’ର ଦୃଢ଼ ବନ୍ଧନ ଓ ବିଷାକ୍ତ ଦଂଶନ ଭିତରୁ ନିଜକୁ ମୁକ୍ତ କରି ଛାଟି ପିଟି ହୋଇ ସେଦିନ ମୁଁ ଦଉଡ଼ି ପଳାଇ ଆସିଥିଲି । ମନେଅଛି—ଘରେ ପହଁଞ୍ଚିଲା ପର୍ଯ୍ୟନ୍ତ ଅଣନିଃଶ୍ୱାସୀ, ହୋଇ ମୁଁ ଖାଲି ଦଉଡ଼ିଥିଲି । ସତେ ଯେମିତି ନିଶୂନ ଅନ୍ଧାର ରାତିରେ ଆଇମା–ବର୍ଣ୍ଣିତ କୌଣସି ଭୂତ-ପ୍ରେତକୁ ଦେଖି ମୁଁ ଭୀଷଣ ଭୟଭୀତ ହୋଇ ପଡ଼ିଛି ।

ତା’ପରେ ଯେତେବେଳେ ମମତା ସହିତ ମୋର ଦେଖା ହୁଏ, ସେ ମୋତେ ଭର୍ତ୍ସନା କରିଥିଲା—‘ମାଇଚିଆ’ ।

ସେଇ ମାଇଚିଆର ପୁନରାବୃତ୍ତି ହୋଇଛି ବାରମ୍ବାର—ମୌସୁମୀ, ସୁଜାତା, ସୁମିତ୍ରା, ସୁରଧୂନୀ ପ୍ରତ୍ୟେକଙ୍କ ପାଖରେ । ଏହିଭଳି ଭିନ୍ନ ଭିନ୍ନ ପରିସ୍ଥିତି ଓ ପରିବେଶରେ ।

ଦର୍ପଣରେ ଆସି ନିଜ ମୁହଁକୁ ମୁଁ ଭଲଭାବରେ ନିରୀକ୍ଷଣ କରିଛି । ପ୍ରତିଥର ପୁରୁଷତ୍ୱର ସଙ୍କେତସବୁ ମୁହଁରେ ମୋର ସ୍ପଷ୍ଟ ଆବିଷ୍କାର କରିଛି ।

ତଥାପି ବି ମୁଁ ମାଇଚିଆ । କେବଳ ମିତାଠାରୁ ଆରମ୍ଭ କରି ସୁରଧ୍ୱନୀ ନୁହେଁ, ସଙ୍ଗୀତି ଅନେକଥର ଠିକ୍‍ ସେଇକଥା କହିଲାଣି ।

ସଙ୍ଗୀତା ମୋର ସ୍ତ୍ରୀ । ସୁନ୍ଦରୀ, ଶିକ୍ଷିତା, ଉପାର୍ଜନକ୍ଷମ ଯୋଗ୍ୟ ସ୍ତ୍ରୀ ସଙ୍ଗୀତା ମହାପାତ୍ର-

ବାପା ଚାହିଁଥିଲେ ଏକ ଉପାର୍ଜନକ୍ଷମ ବୋହୁ—ଯିଏ ତାଙ୍କ ପୁଅର ସାଥୀ ହେବ—ତାଙ୍କ ନାତି, ନାତୁଣୀଙ୍କର ମା ହେବ—ନିଜର ବୋହୁ ହେବ ଓ ତା’ ସାଙ୍ଗକୁ ସାକ୍ଷାତ ଲକ୍ଷ୍ମୀପରି ମାସ ଶେଷରେ ମୁଠା ମୁଠା ପଇସା ଘରକୁ ବୋହି ଆଣି ପାରିବ ।

ବାପାଙ୍କର ଅଭିଳାଷ ପୂରଣ ହୋଇଛି ।

ସଙ୍ଗୀତାକୁ ନିଜର ବୋହୂ ରୂପେ ନିର୍ବାଚନ କରି ବାପା ଯେତେବେଳେ ମୋର ମତାମତ ଜାଣିବାକୁ ଚାହିଥିଲେ—ବିନା ସାକ୍ଷାତ ଓ ଆଳାପ ଆଲୋଚନାରେ ବାପାଙ୍କ ନିର୍ବାଚନ ପ୍ରତି ମୁଁ ମୋର ନୀରବ ସମର୍ଥନ ଜଣାଇଥିଲି । କାରଣ ସୁଦୀର୍ଘ ସାତବର୍ଷ ଭିତରେ ମିତାଠାରୁ ଆରମ୍ଭ କରି ସୁରଧୂନୀ ପର୍ଯ୍ୟନ୍ତ ପ୍ରତ୍ୟେକଟି ଝିଅଙ୍କୁ ମୁଁ ଦେଖିଥିଲି । ସେମାନଙ୍କର ଘନିଷ୍ଠ ସମ୍ପର୍କରେ ଆସିଥିଲି; ଅଥଚ ଚିହ୍ନି ପାରିଲି ନାହିଁ । ଆଉ ସଙ୍ଗୀତା ଭଳି ମୋର ସମ୍ପୂର୍ଣ୍ଣ ଏକ ଅପରିଚିତା ଝିଅ ସହିତ ମାତ୍ର କେଇ ମୁହୂର୍ତ୍ତର ସାକ୍ଷାତ ଓ ନିହାତି ଗତାନୁଗତିକ ଆଳାପ ପରେ ତାକୁ ଚିହ୍ନିବା କ’ଣ କେବେ ସହଜ ହୋଇଥାନ୍ତା ?

 

ନାରୀର ସୌନ୍ଦର୍ଯ୍ୟ ଦେଖି ପୁରୁଷ ସର୍ବଦା ମୁଗ୍‌ଧ ହୋଇଛି—ପ୍ରଲୁବ୍‌ଧ ହୋଇଛି । କିନ୍ତୁ ତା’ ହୃଦୟର ଅଭେଦ୍ୟ ଦୁର୍ଗକୁ ସଫଳତାର ସହ ପ୍ରବେଶ କରିବାର ଗୌରବ କେଇଜଣ ପୁରୁଷ ବା ଅର୍ଜନ କରିଛନ୍ତି ।

 

ତେଣୁ ବିନା—ଦ୍ୱିଧା, ବିନା ପ୍ରଶ୍ନ ଓ ବିନା ଦୃଷ୍ଟିର ବିନିମୟରେ ମୋର ବାପା ଓ କନିଷ୍ଠମାନଙ୍କର ମନୋନୀତା ସଙ୍ଗୀତାକୁ ସହଧର୍ମିଣୀ ଭାବେରେ ଗ୍ରହଣ କରିନେଲି ।

 

ତା’ର କିଛି ଦିନ ପରେ ସେ ହେଲା ମୋର ସହକର୍ମିଣୀ । ମୁଁ ଅଧ୍ୟାପକ । ସେ ଅଧ୍ୟାପିକା ।

 

ରାଜନୀତି ଅଧାପକ ମୁଁ ଅବଜ୍ଞ ମହାପାନ ।

 

ପ୍ରାଣୀ–ବିଜ୍ଞାନର ଅଧ୍ୟାପିକା ସେ–ସଙ୍ଗୀତା ମହାପାତ୍ର ।

 

ବାପା ଖୁବ୍ ଖୁସି । ବୋହୁ, ତାଙ୍କର ଅଧ୍ୟାପିକା। ପୁଅଭଳି ବୋହୁ, ବି ମାସକୁ କଞ୍ଚା ପଇସା ଆଣୁଛି । ଝିଅ ବାହାଘର ଓ ଘରତୋଳାରେ ଖର୍ଚ୍ଚ କରିଥିବା ଋଣ ଟଙ୍କା ସୁଝା ସରିଲାଣି ।

 

ମୁଁ କ’ଣ ସତରେ ଖୁସି ନୁହେଁ ?

 

ଜୁଲୋଜିରେ ଫାଷ୍ଟକ୍ଲାସ୍‍ ଫାଷ୍ଟ ହେବାପରେ ସଙ୍ଗୀତା ଅଧ୍ୟାପିକା ହୋଇଛି । ମୋ ଭଳି ସେ ଅର୍ଡ଼ିନାରୀ ସେକେଣ୍ଡ୍‌ କ୍ଲାସ୍ ଏମ୍. ଏ. ନୁହେଁ । ଆକାଶବାଣୀର ଗୀତିକାର ହିସାବରେ ବହୁ ପୂର୍ବରୁ ତା’ର ସୁନାମ ଅଛି ।

 

କିନ୍ତୁ ମୋତେ ଜାଣେ କିଏ ? ଚିହ୍ନେ କିଏ ?

 

ଅନ୍ୟାନ୍ୟ ଅଧ୍ୟାପକଙ୍କ ଭଳି ଏକ ଅନାମଧେୟ ଅପାଂକ୍ତେୟ ଅବାଞ୍ଛିତ ଚାକିରିଆଟିଏ ମୁଁ । ଅଧ୍ୟାପକତ୍ୱ ମୋର ଚାକିରୀ ।

 

ସଙ୍ଗୀତାର ପରିଚୟରେ ମୁଁ ପରିଚିତ ।

 

ସଙ୍ଗୀତାର ପ୍ରତିଷ୍ଠାରେ ମୁଁ ପ୍ରତିଷ୍ଠିତ ।

 

ସଙ୍ଗୀତାର ସ୍ୱାମୀ ବୋଲି ବନ୍ଧୁମାନେ ମୋତେ ଈର୍ଷା କରନ୍ତି ।

 

ତା’ ସହିତ ଏକାଠି କଲେଜ ଗଲାବେଳେ ଛାତ୍ରମାନେ ମୋ ଆଡ଼େ ଚାହିଁ ମୁରକି ମୁରୁକି ହସନ୍ତି । ସେମାନଙ୍କର ସୁନ୍ଦରୀ ମାଡ଼ାମ୍‌ଙ୍କ ସହିତ ମୋ ଯୋଡ଼ିଟାକୁ ସେମାନେ ବୋଧହୁଏ ପସନ୍ଦ କରି ପାରନ୍ତି ନାହିଁ । କେତେକ କୁହନ୍ତି ମୁଁ କୁଆଡ଼େ ଭାଗ୍ୟବାନ ପୁରୁଷ ।

 

ସତରେ ମୁଁ ଭାଗ୍ୟବାନ ପୁରୁଷ ନୁହେଁ ତ ଆଉ କ’ଣ ?

କିନ୍ତୁ ଭାଗ୍ୟବାନ ନ ହୋଇ ଖାଲି ମଦି ପୁରୁଷ ହୋଇ ପାରିଥାନ୍ତି ?

ଆଜି ଦିନର ଘଟଣା–

କଲେଜରେ ଆଜି ମୋର କ୍ଲାସ୍ ସରିଯିବା ପରେ ସଙ୍ଗୀତାକୁ ଡାକିବି ବୋଲି ତାଙ୍କ ଡିପାଟ୍‌ମେଣ୍ଟକୁ ଯାଇଥିଲି । ଯେତେବେଳକୁ ସଙ୍ଗୀତା ତାଙ୍କ ଡିପାଟ୍‌ମେଣ୍ଟର ଜଣେ ନବାଗତ ଅଧ୍ୟାପକ ବନ୍ଧୁଙ୍କ ସହିତ ଆଲୋଚନାରେ ବ୍ୟସ୍ତଥିଲା । ନୂଆ ଅଧ୍ୟାପକ ଜଣକ ଆଡ଼ହକ୍‌ରେ କିଛିଦିନ ହେଲା ସେଇ କଲେଜରେ ଜଏନ୍ କରିଥାନ୍ତି । ସଙ୍ଗୀତାର କ’ଣ ପ୍ରାକ୍‌ଟିକାଲ କ୍ଲାସ୍ ନେବାର ଥାଏ; ତେଣୁ ମୋ ସହିତ ସାଙ୍ଗେ ସାଙ୍ଗେ ଘରକୁ ଫେରିବାକୁ ସେ ମନା କରିଦେଲା ।

ଅନେକଗୁଡ଼ିଏ କ୍ଲାସ୍ ନେଇ ମୁଁ ସେଦିନ କାନ୍ତ ହୋଇ ପଡ଼ିଥିଲି । ତେଣୁ ସଂଙ୍ଗୀତା ପାଇଁ ଅପେକ୍ଷା କରି ପାରିଲି ନାହିଁ । ଘରକୁ ଫେରି ଖଟ ଉପରେ ପଡ଼ିଯିବା ମାତ୍ରେ କେତେବେଳେ ସେ ନିଦ ଆସି ଯାଇଛି ଜାଣେନା । ସଙ୍ଗୀତାର ଡାକରେ ନିଦ ଭାଙ୍ଗିଲା । ସନ୍ଧ୍ୟା ହୋଇ ଯାଇଥିଲା । ହାତରେ ଚା’ କପ୍ ଧରି ସଙ୍ଗୀତା ଠିଆ ହୋଇଥିଲା ।

କ୍ଳାନ୍ତି ଦୂର କରିବା ଉଦ୍ଦେଶ୍ୟରେ ମୁହଁ ଧୋଇ ଉଷ୍ମ ଚା’ କପ୍‌ରେ ଓଠର ବ୍ୟାକୁଳ ସ୍ପର୍ଶ ଦେବାଲାଗି ଆଗ୍ରହରେ ମୁଁ ଉଠି ବସିଲି ।

ଆମ ଡିପାଟ୍‌ମେଣ୍ଟରେ ତୁମେ ଆଜି ଯେଉଁ ନୂଆ ସହକର୍ମୀଙ୍କୁ ଦେଖିଲ, ସେ ହେଉଛି ମୋଠୁଁ ବର୍ଷେ ଜୁନିଅର—ଚିନ୍ମୟ ମହାନ୍ତି । ଏ ବର୍ଷର ଫାଷ୍ଟକ୍ଲାସ୍ ଫାଷ୍ଟ୍–ଆଗ୍ରହରେ ସଙ୍ଗୀତା ତା’ ନବାଗତ ବନ୍ଧୁଟିର ପରିଚୟ ଦେବାକୁ ଆରମ୍ଭ କରିଥିଲେ ।

ଚା’ କପ୍‌କୁ ଚୁମିବା ପୂର୍ବରୁ ଖୁସିରେ ମୁଁ କହି ପକେଇଲି–ବାଃ, ବେଶ୍ ‌ଭଲ ତ । ତୁମ ଭଳି ସେ ବି ତୁମ ଡିପାଟ୍‌ମେଣ୍ଟର ଗୋଟିଏ ଜୁଏଲ୍‌ ।

ସଙ୍ଗୀତ ଏଥର ଅସନ୍ତୋଷଭରା କଣ୍ଠରେ ଅଭିଯୋଗ ବାଢ଼ିଲା—ଡିପାଟ୍‌ମେଣ୍ଟକୁ ତୁମେ ଆଜି ଗଲ, ଅଥଚ ମୁହୂର୍ତ୍ତେ ବି ଅପେକ୍ଷା ନକରି ଚାଲି ଆସିଲ । ଭାବୁଥିଲି, ଚିନ୍ମୟ ସାଙ୍ଗରେ ତୁମକୁ ପରିଚୟ କରେଇ ଦେଇଥା’ନ୍ତି । ମୋ ଡାକକୁ କିନ୍ତୁ ତମେ ଶୁଣିଲ ନାହିଁ । ଏମିତି ମାଇଚିଆଙ୍କ ଭଳି ତୁମେ ସେ କାହିଁକି ହୁଅ ।

ହଠାତ୍ ଯେମିତି ଓଠଟା ମୋର ପୋଡ଼ି ଫୋଟକା ହୋଇଗଲା । (ଗରମ ଚା’ କପ୍‌ରେ ମୁଁ ସେତେବେଳକୁ ଓଠର ପ୍ରଥମ ସ୍ପର୍ଶ ଦେବାକୁ ଆରମ୍ଭ କରିଥିଲି)

ସଙ୍ଗୀତା କ’ଣ କହି ଚାଲିଥାଏ, ମୋତେ ଉପଦେଶ ଦେବା ଭଙ୍ଗୀରେ ।

ମୋତେ କିନ୍ତୁ ଆଉ କିଛି ଶୁଭୁ ନଥିଲା । ମୋ କାନରେ କେବଳ ପ୍ରତିଧ୍ୱନିତ ହେଉଥିଲା ସେଇ ଗୋଟିଏ ଶବ୍ଦ–‘ମାଇଚିଆ’ । ମିତାଠାରୁ ଆରମ୍ଭ କରି ସୂରଧ୍ୱନୀ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ କଣ୍ଠରେ ଉଚ୍ଚାରିତ ହୋଇ ହୋଇ ଶେଷରେ ଯାହାର ପୁନରାବୃତ୍ତି ହୋଇଛି ମୋ ସ୍ତ୍ରୀ ସଙ୍ଗୀତାର କଣ୍ଠରେ ।

ମନେହେଲା—ହଠାତ୍ ମୁଁ ଯେମିତି ମୋର ଶ୍ରବଣଶକ୍ତି ହରେଇ ବଧୀର ହୋଇଯାଇଛି-

ପାଟିକରି ସଙ୍ଗୀତାର ମୁହଁକୁ ବନ୍ଦକରି ଦେବାକୁ ଇଛା ହେଉଥିଲା । (କିନ୍ତୁ ସଙ୍ଗୀତା ଯେ ମୋର ଉପାର୍ଜନକ୍ଷମ ସ୍ତ୍ରୀ ।) ହଠାତ୍ ମୁଁ ଅନୁଭବ କଲି, ଯେ ପାଟିରୁ ଯେମିତି ଆଉ କଥା କିଛି ବାହାରୁ ନାହିଁ । ବାକ୍‌ଶକ୍ତି ହରାଇ ମୁଁ ଯେମିତି ସମ୍ପୂର୍ଣ୍ଣ ମୂକ ପାଲଟି ଯାଇଛି ।

 

ମୂକ, ବଧୀର ହେବାପରେ ମୁଁ କିନ୍ତୁ ଦେଖୁଥିଲି—ମିତା ମମତା, ମୌସୁମୀ ସୁଜାତା, ସୁମିତ୍ରା, ସୁରଧୂନୀ ସମସ୍ତେ ଆସୁଛନ୍ତି ଧାଡ଼ିବାନ୍ଧି—ପାରେଡ଼୍‌କରି । ମୋ ପୁରୁଷର ବିରୁଦ୍ଧରେ ସମସ୍ତଙ୍କର ଯେମିତି ଏ ମିଳିତ ଶୋଭାଯାତ୍ରା—ସମସ୍ତଙ୍କର ମିଳିତ କଣ୍ଠରେ ଯେମିତି ସେଇ ଗୋଟିଏ ସ୍ଲୋଗାନ୍—‘ମାଇଚିଆ’, ‘ମାଇଚିଆ’, ‘ମାଇଚିଆ’ ।

ସେମାନଙ୍କୁ ଲିଡ଼୍‌ ଦେଉଛି ସଙ୍ଗୀତା–ମୋର ସହଧର୍ମିଣୀ ସହକର୍ମିଣୀ ।

ହଠାତ୍ ପୁଣି ମୁଁ ମୋର ଦୃଷ୍ଟିଶକ୍ତି ହରାଇ ଅନ୍ଧ ହୋଇଗଲି । ମୂକ, ବଧୀର ଓ ଅନ୍ଧ ହୋଇ ଛଅଟି ସୁନ୍ଦରୀ ତରୁଣୀଙ୍କର ଅଯୋଗ୍ୟ ପ୍ରେମିକ, ଅଧ୍ୟାପିକା ସଙ୍ଗୀତା ମହାପାତ୍ରର ଅପଦାର୍ଥ ସ୍ଵାମୀ ଓ ଅକ୍ଷମ ପୁରୁଷ ମୁଁ, ଅଧ୍ୟାପକ ଅବନୀ ମହାପାତ୍ର, ଅସହାୟ ଭାବରେ ବସି ରହିଥିଲି ।

ପ୍ରତିବାଦ କରିବାର ସମସ୍ତ ଶକ୍ତି ହରେଇ ଏକାନ୍ତ ଅସହାୟ ହୋଇ ମୁଁ କେବଳ ବସି ରହିଥିଲି ।

★★★

 

ଚିଠି

 

୧ । ଚିଠି : ଖରା ଓ ତରାକୁ

 

ରଶ୍ମି,

 

ବସନ୍ତରେ ଯେଉଁମାନେ ମୋତେ ଦେଖା ଦେଇଥିଲେ, ସେଇ ବସନ୍ତରେ ସେମାନେ କୁଆଡ଼େ ଲୁଚି ଗଲେ ।

 

ବର୍ତ୍ତମାନ ଖାଲି ଗ୍ରୀଷ୍ମ । ଚାରିଆଡ଼େ ନିଦାଘର ଜ୍ୱଳନ । ଆଉ ସେଇ ଜ୍ୱଳନ ଭିତରେ ଜଳଶୂନ୍ୟ ସାଳନ୍ଦୀର ଉତ୍ତପ୍ତ ବାଲୁକା ଉପରେ ଏକୁଟିଆ ବସି ମୁଁ ଏଥର ଜଳିବାକୁ ଆରମ୍ଭ କରିଛି ।

 

ଜଳୁଛି ମୋର ଦେହ । ଜଳୁଛି ମୋର ମନ । ଜଳିଯାଉଛି ମୋର ସବୁ ଆଶା, ଆକାଙ୍‌କ୍ଷା ଓ ସ୍ୱପ୍ନ ।

 

ମୋତେ ଜଳିବାର ଦେଖି ସେଇ ସାଳନ୍ଦୀ କୂଳରେ ଠିଆ ହୋଇ ତମେ ମୋ ପ୍ରତି ସମବେଦନା ଜଣାଉଛ । ସହାନୁଭୂତି ଦେଖାଉଛ । କିନ୍ତୁ ପାରିବ ? ସେଇ ବସନ୍ତ ଓ ବାସନ୍ତୀଙ୍କ ସ୍ମୃତିର ନିଆଁ କୁଣ୍ଡରୁ ମୋତେ ଉଦ୍ଧାର କରି ଗ୍ରୀଷ୍ମର ଏ ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ତମେ ମୋ ପାଇଁ ‘‘ବର୍ଷାର ସଙ୍ଗୀତ’’ ହୋଇ ପାରିବ ?

 

“ନିଦାଘର ଜ୍ୱଳନ” ଭିତରେ ମୁଁ ତୁମଠାରୁ କେବଳ ‘‘ବର୍ଷାର ସଙ୍ଗୀତ’’ ହିଁ ଆଶା କରୁଛି ।

 

୨ । ପ୍ରଳାପ ଓ ବିଳାପ

 

ମୋ ଚିଠି ତମେ ସତରେ ପଢ଼ିକି ନାହିଁ—

 

ପଢ଼ିଲେ ସେଥିରୁ କିଛି ବୁଝି କି ନାହିଁ—ମୁଁ ଜାଣେନା । କିନ୍ତୁ ଦେଖିଛି—ହାତରୁ ‘ଚିଠି’ ପାଇଲେ ତମେ ଖୁବ୍ ଖୁସି ହୁଅ । ନ ପାଇଲେ ଅଭିମାନରେ କଥା ନ କହି ଚାଲିଯାଅ ।

 

ସେ ଦିନ କିନ୍ତୁ ବିନା କାରଣରେ ଏତେ ବଡ଼ ଆଘାତଟାଏ ଦେଇଯିବ ବୋଲି ମୁଁ କ’ଣ କେବେ ଭବିଥିଲି ? ମଣିଷର ଭାବନା ଆଉ ଘଟୁଥିବା ଘଟଣା ଭିତରେ କେତେ ଫରକ ସତରେ ?

 

ତୁମର ବନ୍ଧୁ କହୁଥିଲେ—ତୁମର ମୁଣ୍ଡ କୁଆଡ଼େ ସବୁବେଳେ ଠିକ୍ ନଥାଏ । ମଝିରେ ମଝିରେ ସାମାନ୍ୟ ପାଗଳାମି ବାହାରେ ।

 

ବିଶ୍ୱାସ କରିବ ନାହିଁ ବୋଧହୁଏ–ଏଇ ‘‘ପାଗଳାମି’’କୁ ମୁଁ ଭଲପାଏ । ଆଉ ତୁମକୁ ଭଲ ପାଇବା କୁଆଡ଼େ ମୋର ପାଗଲାମି ଛଡ଼ା ଅନ୍ୟ କିଛି ନୁହେଁ ବୋଲି ମୋର ବନ୍ଧୁମାନେ ମତ ଦିଅନ୍ତି-

 

ବଞ୍ଚିବା ପାଇଁ ତ ଆମେ ସମସ୍ତେ ପାଗଳ । ପାଗଳ ବୋଲି ତ ଆମେ ଆଜି ବଞ୍ଚିଛୁ ।

 

ମୋ ‘ଚିଠି—ମୋ ମନର ଲିପି ମୋର ଭଲ ପାଇବାକୁ ପାଗଲର ପ୍ରଳାପ ଭାବି ଉପହାସରେ ଫିଙ୍ଗି ଦେବ ନାହିଁ ତ ?’

 

୩ । ଚିଠି : ମୌସୁମୀକୁ

 

ଏଇ ବିଦାୟୀ ଗ୍ରୀଷ୍ମରେ ତ ତମେ ମୋତେ ପ୍ରତିଶ୍ରୃତି ଦେଇଗଲ–ମୋ ପାଇଁ ‘‘ବର୍ଷାର ସଙ୍ଗୀତ’’ ହେବ ବୋଲି । ରିମିଝିମି ରିମ୍‌ଝିମ୍‌ହୋଇ ଝରି ପଡ଼ିବ ଜଳଶୂନ୍ୟ ମୋ ଗହନ ମନର ଅରଣ୍ୟ ଭିତରେ ।

 

କିନ୍ତୁ ଏ କ’ଣ !

 

ବର୍ଷାର ବେଗ ଯେତିକି ବଢ଼ିବାକୁ ଲାଗିଛ—ତୁମ ଓ ମୋ ଭିତରେ ବ୍ୟବଧାନ ବି ସେତିକି ବଢ଼ି ଚାଲିଛି ।

 

ମୁଁ ତୁମକୁ ଖୋଜୁଛି—କେଉଁଠି ଲୁଚିଲ ତମେ ?

 

ଆକାଶରେ ଖାଲି ମେଘ, ପୃଥିବୀରେ ଖାଲି ବର୍ଷା । ଚାରିଦିଗ ଅନ୍ଧାର ଖାଲି ମେଘ ଆଉ ଅନ୍ଧାର । ଅନ୍ଧାର ଆଉ ମେଘ ।

 

ସେଇ ମେଘ—ଅନ୍ଧାର ଭିତରେ ମୁଁ ତୁମକୁ ଖୋଜୁଛି ।

 

ଏତେ ‘ବର୍ଷା’ରେ ବି ମୁଁ ଖାଲି ଜଳୁଛି । ଅନ୍ଧାର ଭିତରେ ଅନ୍ଧ ହୋଇ ଖୋଜିବାରେ ଲାଗିଛି ।

 

ଖାଲି ଖୋଜୁଛି ଆଉ ଖୋଜୁଛି ।

 

କିନ୍ତୁ ପାଉନାହିଁ । ପାଉନାହଁ...

 

ସତରେ କ’ଣ ତମେ ଆସିବ ନାହିଁ ?

 

ରିମ୍‌ଝିମ୍ ରିମ୍‌ଝିମ୍‌ର ସୁରେ ‘‘ବର୍ଷାର ସଙ୍ଗୀତ’’ ହୋଇ ଝରି ପଡ଼ିବ ନାହିଁ ମୋର ଉତ୍ତପ୍ତ ଗହନ ମନ–ଅରଣ୍ୟରେ ?

 

ଓଃ ! କି ଯନ୍ତ୍ରଣା !

★★★

 

ଗୁଜବ

 

ଗୁଜବ ଶୁଣିବ ନାହିଁ ।

 

ଶୁଣିଲେ ବିଶ୍ୱାସ କରିବ ନାହିଁ ।

 

ବିଶ୍ୱାସ କଲେ ପ୍ରଚାର କରିବ ନାହିଁ ।

 

ଏହାହିଁ ମୋର ନୀତି ।

 

ମୋର ନୀତି ଓ ପ୍ରକୃତି ସହିତ ତୁମେ ଆଦୌ ଅପରିଚିତ ନୁହଁ, ଅଥଚ ତୁମ ପ୍ରତି ମୋର ନିବିଡ଼ ଆନ୍ତରିକତାକୁ କେନ୍ଦ୍ର କରି ଯେଉଁଦନ ଅନେକ ଗୁଜବ ଏ ସହରରରେ ପ୍ରଚାରିତ ହେଲା ସେଦିନ ତୁମ ପରିବାରର ପ୍ରାୟ ସମସ୍ତେ ଏହାକୁ ସତ୍ୟ ବୋଲି ଗ୍ରହଣ କରିନେଲେ । ସେମାନଙ୍କ ସହିତ ତୁମେ ମଧ୍ୟ ବିଶ୍ୱାସ କରିନେଲ ଯେ ଏ ‘ଗୁଜବ’ର ପ୍ରଚାର ଓ ପ୍ରସାର ମୂଳରେ ମୋର ମଧ୍ୟ ଭୂମିକା ରହିଛି । ମୋର ନୀତି ଓ ପ୍ରକୃତି ପ୍ରତି ଅବିଶ୍ୱାସ ଏବଂ ପ୍ରଚାରିତ ଗୁଜବ ପ୍ରତି ତୁମର ବିଶ୍ୱାସ ମୋତେ ଅତିମାତ୍ରାରେ ଆଶ୍ଚର୍ଯ୍ୟ ଓ ଆହତ କଲା ।

 

ଜଳଶୂନ୍ୟ ନଦୀର ଯନ୍ତ୍ରଣା ମୁଁ ଅନୁଭବ କଲି, କିନ୍ତୁ ଏହା ବିରୁଦ୍ଧରେ ସାମାନ୍ୟତମ ପ୍ରତିବାଦ ନ କରି ସମ୍ପୂର୍ଣ୍ଣ ନିରବ ରହିବାକୁ ମୁଁ ଉଚିତ୍ ମନେକଲି । ମୋର ନୀରବତାହିଁ ଗୁଜବକୁ ସତ୍ୟ ବୋଲି ଗ୍ରହଣ କରିନେବା ଦିଗରେ ଅନେକଟା ସାହାଯ୍ୟ କଲା ।

 

ଆଜି ତୁମ ନବଜନ୍ମର ଶୁଭ ତିଥି । ତୁମର ସୁଦର୍ଶନ ସ୍ୱାମୀଙ୍କ ଚରିତ୍ରକୁ କେନ୍ଦ୍ରକରି ଅନେକ ଗୁଜବ ଏ ସହରରେ ବହୁ ପୂର୍ବରୁ ପ୍ରଚାରିତ ହୋଇ ଯାଇଛି । (ଆଶ୍ଚର୍ଯ୍ୟ ହେଲେବି) ଖୁବ୍ ଖୁସି ଲାଗୁଛି ଯେ, ତୁମେ ସେ ସବୁ ବିଶ୍ୱାସ କରିବା ତ ଦୂରର କଥା—ଶୁଣିବା ମଧ୍ୟ ଉଚିତ୍ ମନେ କରନାହିଁ । ମୁଁ ଖୁସି କେବଳ ଏଇଥିପାଇଁ ଯେ, ପ୍ରକୃତରେ ତୁମେ ମୋର ନୀତି ଉପରେ ବିଶ୍ୱାସ ରଖିପାରିଛି ।

 

ବିବାହ ପରେ ସ୍ୱାମୀର ସଂସାରରେ ମୋର ଚରିତ୍ର ସଂପର୍କରେ ପ୍ରଚାରିତ ଗୁଜବକୁ ବିଶ୍ୱାସ କରି ମୋତେ ଭୁଲିଯାଅ—ସୁଖୀ ହେବ । କିନ୍ତୁ ସ୍ୱାମୀଙ୍କ ସଂପର୍କରେ ପ୍ରଚାରିତ ଗୁଜବକୁ ବିଶ୍ୱାସ କରି ତାଙ୍କୁ ସନ୍ଦେହ କଲେ ମୁଁ ଭୀଷଣ ଦୁଃଖ ପାଇବି ।

 

ମୋର ଏକମାତ୍ର କାମନା—ତୁମର ସୁଖ ଓ ସମୃଦ୍ଧି ।

 

ତୁମର ସମସ୍ତ ଦୁଃଖ ଜହ୍ନି ଫୁଲର ଆୟୁଷ ନେଉ । ସୁଖ-ସୌଭଗ୍ୟ ଓ ସାମନ୍ତର ସିନ୍ଦୂର ଏ ଗ୍ରୀଷ୍ମର ସୌରରଶ୍ମି ଭଳି ଚିରଦିନ ଉଜ୍ଜ୍ୱଳତାରେ ଉଦ୍ଭାସିତ ହେଉ ।

 

‘ନବଜନ୍ମ’ ତୁମର ସାର୍ଥକ ଓ ସୁନ୍ଦର ହେଉ ।

★★★

 

ପ୍ରେମ ଓ ପ୍ରତ୍ୟୟ

 

ବିଶ୍ୱାସ କରିବ କାହାକୁ ! କାହାକୁ ବା ଅବିଶ୍ୱାସ କରିବ !

 

ମୁଁ କାହାରିକୁ କେବେ ଅବିଶ୍ୱାସ କରି ନାହିଁ । ବିଶ୍ୱାସ କରି କାହାରିଠାରୁ ସେ ବିଶ୍ୱାସର ମୂଲ୍ୟ ବି କେବେ ପାଇନାହିଁ ।

 

ଅତି ସହଜରେ ମୁଁ ସମସ୍ତଙ୍କୁ ବିଶ୍ୱାସ କରିଛି । ଭଲପାଇଛି । ସେ ବିଶ୍ୱାସ ଓ ଭଲ ପାଇବାର ପରିଣତି ମୋ ପାଇଁ ଯେତେ ଭୟଙ୍କର ଯନ୍ତ୍ରଣାଦାୟକ ହେଲେ ବି ।

 

ଅତି ସହଜରେ ମୁଁ ସେଦିନ ବିଶ୍ୱାସ କରିଥିଲି ମିନୀର କଥାକୁ—ଯେଉଁଦିନ ସେ କହିଥିଲା—ଦେବ ଭାଇ, ତୁମଛଡ଼ା ଆଉ କାହାରିକୁ ମୁଁ ମୋ ଜୀବନରେ ଗ୍ରହଣ କରି ପାରିବି ନାହିଁ-। କାହାରିକୁ ଭଲପାଇ ପାରିବି ନାହିଁ । ତୁମେ ହେଉଛ ମୋ ଜୀବନର ପ୍ରଥମ ଆଉ ତୁମେଇ ଶେଷ-

 

ଠିକ୍ ସେମିତି ବିଶ୍ୱାସ କରିଥିଲି ରଜନୀକୁ; ଯିଏ ମୋ ପାଖରେ ନିଜ କଥାର ପୁନରାବୃତ୍ତି ହିଁ କରିଥିଲେ ।

 

ଆଉ ସୁରଧୁନୀ । ଦିଲ୍ଲୀରେ ଥିଲାବେଳେ ସପ୍ତାହରେ ଅନ୍ତତଃ ତିନିଖଣ୍ଡ ଚିଠି ଲେଖି ସବୁ ଚିଠିରେ ଯିଏ ଗୋଟିଏ କଥା ବାରମ୍ବାର ଲେଖୁଥିଲା—ତୁମେ ଗଲାଦିନୁ ମୋତେ କିଛି ଭଲ ଲାଗୁନି ଦେବକାନ୍ତ । ସବୁବେଳେ ତୁମେ ମନେପଡ଼ୁଛ । ପଢ଼ାପଢ଼ି କିଛି କରି ପାରୁନି । ମୋ ପାଇଁ ନୋଟ୍ ‌କିଛି ପଠାଇବ । ତା’ କଥାକୁ ଅବିଶ୍ୱାସ କରିଥାଆନ୍ତି ବା କିପରି ?

 

ଠିକ୍ ସେମିତି ମୋ ସ୍ୱଭାବସୁଲଭ ଗୁଣରେ ବିଶ୍ୱାସ କରିଥିଲି କାନ୍ତି ଅପାର ସ୍ୱାମୀ ନିହାର ଭାଇକୁ । ଯିଏ ଯେତେବେଳେ ସମାଜ ଦୃଷ୍ଟିରେ କାନ୍ତି ଅପାର ସ୍ୱାମୀହେବାର ଅଧିକାର ପାଇ ନଥିଲେ । ଦୀର୍ଘ ଦଶପୃଷ୍ଠାର ଚିଠିରେ ମୋ ପାଖକୁ କ’ଣ ସେ ଲେଖିଥିଲେ, ତାହା ହୁଏଇ ମୋର ଠକ ମନ ନାହିଁ; କିନ୍ତୁ ସେଥିରେ ମୋପ୍ରତି ତାଙ୍କ ହୃଦୟରେ, ସାଇତା ହୋଇଥିବା ଗଭୀର ସ୍ନେହ ଶ୍ରଦ୍ଧା ଓ ସହାନୁଭୂତିର ଏକ ନିଖୁଣ ଛବି ଆଙ୍କି ଯେ ପଠାଇଥିଲେ ସେ କଥା ମୁଁ ଆଦୌ ଭୁଲି ନାହିଁ ।

 

ମୋତେ ତା’ ଜୀବନର ପ୍ରଥମ ଓ ଶେଷ ବୋଲି କହିବା ମିନୀ ଏବେ ଅଧ୍ୟାପକ ମନୋଜ ମହାନ୍ତିଙ୍କୁ ପ୍ରେମ କରୁଛି । ପ୍ରଥମ ନ ହେଲେ ବି ଅଧ୍ୟାପକ ମହାନ୍ତି ତା’ ଜୀବନର ଶେଷ ବୋଲି ନିର୍ଭୟ ଓ ନିଃସଙ୍କୋଚରେ ସେ ତାଙ୍କ ନିକଟରେ ପ୍ରକାଶ କରିଛି । ତାକୁ ବିବାହ କରିବାର ପ୍ରତଶ୍ରୁତି ଦେଇଛି । ମୋ ଚରିତ୍ର ଉପରେ କଳ୍ପନାର ଅନେକ କାହାଣୀ ଲେଖି ସେ କାହାଣୀକୁ ରଜନୀ ଆଜି ତା’ ବନ୍ଧୁମାନଙ୍କୁ ଶୁଣେଇବାରେ ଲଗିଛି । ଫାଷ୍ଟକ୍ଲାସରେ ଅନର୍ସ ରଖି ପାସ୍‍ କରିବା ପରେ ସୁରଧୁନୀ ଏବେ ମୋତେ ଦେଖିଲେ–

 

‘‘ସାର୍‍ ନମସ୍କାର’’—କହି ହସି ହସି ଚାଲିଯାଉଛି । ନୋଟ୍‍ ଦରକାର ଥିଲା ବୋଲି ମୁଁ ତା’ର ସବୁବେଳେ ମନେ ପଡ଼ିଥିଲି । ଆଉ ନିହାର ଭାଇ ! ତାଙ୍କ ବିଷୟରେ କିଛି ନ କହିବାହିଁ ଭଲ-। କାରଣ କାନ୍ତି ଅପାର ସ୍ୱାମୀ ସେ । ତାଙ୍କ ସମ୍ପର୍କରେ କିଛି କହି କାନ୍ତି ଅପାର ମନରେ ଆଘାତ ସୃଷ୍ଟି କଲେ ମୁଁ ନିଜେ ଆହତ ହେବି ।

 

ମିନୀ, ରଜନୀ, ସୁରଧୁନୀ ଓ ନିହାର ଭାଇ—କାନ୍ତି ଅପାର ସ୍ୱାମୀ । ଅଯାଚିତଭାବରେ ସେମାନେ ମୋତେ ପ୍ରେମ ଦେଇଥିଲେ, ସ୍ନେହ ଓ ମମତା ଦେଇଥିଲେ । ଅତର୍କିତଭାବରେ ସେ ସବୁକୁ ସେମାନେ ପୁଣି ମୋଠାରୁ ଛଡ଼ାଇ ନେଲେ । ପ୍ରଥମ ଦାନର ପ୍ରତିଦାନସ୍ୱରୂପ ମୁଁ ବି ସେମାନଙ୍କୁ ଯଥାଶକ୍ତି ଦେବାର ଉଦ୍ୟମ କରିଛି । ଦେଇଛି ମଧ୍ୟ; କିନ୍ତୁ କିଛି ଫେରାଇ ଆଣି ନାହିଁ କି ପାରିବି ନି ମଧ୍ୟ । କାରଣ ଦେଇଥିବା ଜିନିଷକୁ ଫେରେଇ ଆଣି ମୁଁ ସେମାନଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବାକୁ ଚାହେନା ।

 

ସମସ୍ତଙ୍କୁ ସବୁକିଛି ଦେଇ ଦେଇ ଳିଃସ୍ୱ ହେଲା ପରେ ଏବଂ ସମସ୍ତଙ୍କର ନିମନ୍ତ୍ରଣ ଥରେ ଥରେ ଗ୍ରହଣ କରି ସେମାନଙ୍କ ଦ୍ଵାରା ଅପମାନିତ ଓ ପ୍ରତ୍ୟାଖ୍ୟାତ ହେଲାପରେ ମୁଁ ଦେଖିଲି ନିର୍ଜନରେ ଠିଆ ହୋଇ ସୁସ୍ମିତା ମୋତେ ପୁଣି ନିମନ୍ତ୍ରଣ କରୁଛି–ତାହାର ଆତିଥ୍ୟ ଗ୍ରହଣ କରିବାପାଇଁ ।

 

ଅତୀତର ଅଭିଜ୍ଞତା ଓ ଅନୁଭୂତିରୁ ମଣିଷ ଶିଖେ । ନିଜକୁ ସଜାଡ଼େ । ଅତୀତ ପ୍ରତି ଦୃଷ୍ଟି ନ ଦେଇ ମୁଁ କିନ୍ତୁ ପୁଣି ଥରେ ସୁସ୍ମିତାର ଆତିଥ୍ୟ ଗ୍ରହଣ କରୁଛି ଏବଂ ତାକୁ ମୋର ଅବଶିଷ୍ଟ ସବୁକିଛି ଦେଇଦେବାକୁ ପ୍ରତଶ୍ରୁତି ଦେଉଛି । ଜାଣେ ନା ନିମନ୍ତ୍ରଣ କରି ମିନୀ, ରଜନୀ ଓ ସୁରଧ୍ୱନୀଙ୍କ ପରି ମୋତେ ସେ ପ୍ରତ୍ୟାଖ୍ୟାନ କରିବ ନା ନାହିଁ । ଜାଣେ ନା—ମୋ ଦାନର କି ମୂଲ୍ୟ ସେ ଦେବ ? ‘ପ୍ରତିଦାନ’ର ଆଶା ନ ରଖି, ସେ ସମ୍ପର୍କରେ କିଛି ଚିନ୍ତା କରିବାକୁ ଅବକାଶ ନ ଦେଇ ମୁଁ ପୁଣି ନିଜକୁ ସମର୍ପି ଦେଉଛି । ଦେବାରେ ହିଁ ଆନନ୍ଦ । ଦେଇ ଦେଇ ନିଜକୁ ନିଃସ୍ୱ କରିବାରେ ଯେଉଁ ଆନନ୍ଦ ସେ ଆନନ୍ଦ କେତେଜଣଙ୍କୁ ବା ମିଳେ ?

 

‘‘Love not reasons

but profoundly gives,

gives like a thoughtless prodigal

it’s all, and trembles lest

It has done too little’’.

★★★

 

କାଚକଣ୍ଢେଇ

 

ବୋଉ ମୋତେ ଜନ୍ମ ଦେଇଥିଲା । ମାତ୍ର କର୍ମ ଦେଇ ନ ଥିଲା । ସେଥିପାଇଁ ବାର ବର୍ଷ ବୟସରେ ବୋଉକୁ ମୁଁ ହରେଇ ବସିଲି ।

ପାଠ ପଢ଼ିବା ପାଇଁ ବାପା ମୋ ପିଛା ମୁଠା ମୁଠା ଟଙ୍କା ଖର୍ଚ୍ଚ କରିଥିଲେ । ମୁଣ୍ଡରେ କିନ୍ତୁ ବୁଦ୍ଧି ଦେଇ ନ ଥିଲେ । ସେଇଥିପାଇଁ ଏମ୍. ଏ. ରେ ଫାଷ୍ଟକ୍ଳାସ ପାଇବି ବେକାର ହୋଇ ମୁଁ ଘରେ ବସି ରହିଲି ।

କଲେଜ ସହପାଠିନୀ ସୁଚରିତା ମୋତେ ପ୍ରୀତି ଦେଇଥିଲା । ପ୍ରତିଶ୍ରୁତି ଦେଇ ନ ଥିଲା-। ସେଇଥିପାଇଁ ମୋର ବନ୍ଧୁ, ଆଇ. ଏ. ଏସ୍. ଅଶୋକ ମହାନ୍ତି ସହିତ ତାର ବିବାହ ଉତ୍ସବରେ ଯୋଗ ଦେବାପାଇଁ ନିମନ୍ତ୍ରଣ ପତ୍ର ପାଇଲି ।

କିନ୍ତୁ ମୁଁ ଶେଷରେ କ’ଣ ହେଲି ?

କବି ହେଲି ? ଲେଖକ ହେଲି ?? କଳାକାର ହେଲି ???

କବି, ଲେଖକ ଓ କଳାକାରର ପରିଚୟ ନେଇ ସମାଜରେ କ’ଣ କେହି ମୁଣ୍ଡ ଟେକି ଠିଆ ହୋଇପାରେ !!!

ମୁଁ ହେଲ ଦୁଃସ୍ଥ–ନିଃସ୍ୱ ଏକାଂତ ନିରୀହ । ତେଣୁ ସମାଜରେ ଦୟାର ପାତ୍ର । କିନ୍ତୁ ଦୟା, ଅନୁଗ୍ରହ ଓ ଅନୁକମ୍ପାକୁ ସମ୍ବଲ କରି ମଣିଷ କ’ଣ ବଞ୍ଚିପାରେ ? କେତେଦିନ ବା ବଞ୍ଚିପାରେ-?? କେତେଦିନ ବା ମୁଁ ଆଉ ଏମିତି ନିଜକୁ ଅନ୍ୟର ଦୟା ଉପରେ ନିର୍ଭର କରେଇ ବଞ୍ଚେଇ ରଖିବି ?

 

ମୁଁ କିନ୍ତୁ ସ୍ରଷ୍ଟା । ତେଣୁ ନିଜକୁ ଧ୍ୱଂସ କରିପାରୁ ନାହିଁ । ନିଜକୁ ଧ୍ୱଂସ କରିବା ଅର୍ଥ ଜୀବନର ସଂଗ୍ରାମକୁ ଭୟ କରି ପଳାନପନ୍ଥୀ ସାଜିବା । ଜୀବନର ସଂଗ୍ରାମ କ୍ଷେତ୍ରରୁ ପଳାୟନ କରିବା—ଭୀରୁତା ଓ କାପୁରୁଷତା ଛଡ଼ା ଅନ୍ୟ କିଛି ନୁହେଁ । ନିଜକୁ ମୁଁ ଏତେଟା ଦୁର୍ବଳ, ଭୀରୁ ଓ କାପୁରୁଷ ବୋଲି ମନେ କରି ପାରୁନାହିଁ ।

 

ମୁଁ ସ୍ରଷ୍ଟା । ନିଜର ସୃଷ୍ଟିରେ ମୁଁ ବଞ୍ଚିବାକୁ ଚାହେଁ । ସୃଷ୍ଟି ହିଁ ମୋର ଜୀବନ । କିନ୍ତୁ ଆଶ୍ଚର୍ଯ୍ୟ ! ସ୍ରଷ୍ଟା ହୋଇ ବି ମୁଁ ହେଲି ସମାଜରେ ସୃଷ୍ଟିଛଡ଼ା ।

 

ସୃଷ୍ଟିକୁ ସମସ୍ତେ ଚିହ୍ନିଲେ । ଅଥଚ ସ୍ରଷ୍ଟାକୁ ଭୁଲିଯିବା ପାଇଁ ଉଚିତ୍ ମନେ କଲେ । ସୃଷ୍ଟି ମୋର ଯେତିକି ସମ୍ମାନ ପାଇଲା ସ୍ରଷ୍ଟା ଭାବରେ ମୁଁ ସେତିକି ଅବହେଳିତ ହେଲି। ମୁଁ ହେଲି ଦୁଃସ୍ଥ ।

 

ପିଲାଟି ଦିନୁ ରୁଗଣ ଥିଲି । ଏତେ ପାଠ ପଢ଼େଇ, ମୋ ପିଛା ଏତେ ପଇସା ଖର୍ଚ୍ଚ କରି ବ ବାପା ମୋତେ ସମାଜରେ ସୁସ୍ଥ କରି ପାରିଲେ ନାହିଁ ।

 

ସରକାରୀ ଚାକିରିରୁ ଅବସରପ୍ରାପ୍ତ ବାପାଙ୍କ ପେନ୍‌ସନ୍ ପଇସାକୁ କାଗଜ ଓ କାଳି ଖର୍ଚ୍ଚ କର ମୁଁ ଆଜି ଖାଲି ଗଦା ଗଦା କବିତା ଲେଖୁଛି । ଘରୁ ଖାଇ ମୁଁହରେ ରଙ୍ଗ ବୋଲି ହୋଇ ମଝିରେ ମଝିରେ ରଙ୍ଗମଞ୍ଚରେ ଠିଆ ହୋଇ ନାଚୁଛି ।

 

ଜେଜେ ଥିଲେ ବିଦ୍ରୂପ କରିଥାନ୍ତେ—“ଅତି ବେହିଆ ଯେ ନାଚରେ ଯାଏ” କହିଥାଆନ୍ତେ–ପିଲାଟା ମାଇଚିଆ ହେଇଗଲା ।

 

ବାପାଙ୍କର ସ୍ୱଗତୋକ୍ତି ଶୁଣୁଛି—ପିଲାଟା ମଣିଷ ହେଲା ନାହିଁ ।

 

ବାପାଙ୍କର ବନ୍ଧୁ ମାନେ ବାପାଙ୍କୁ କହୁଛନ୍ତି—ପଢ଼ି ପଢ଼ି ଲେଖି ଲେଖି ପୁଅଟା ତୁମର ପାଗଳ ହୋଇଗଲା ।

 

ମୁଁ ନିଜକୁ ବାରମ୍ବାର ସେଇ ଗୋଟିଏ ପ୍ରଶ୍ନ ପଚାରୁଛି—ସତରେ କ’ଣ ମୁଁ ପାଗଳ ହୋଇଗଲି ? ପାଗଳ କ’ଣ ସତରେ ମଣିଷ ନୁହେଁ ? ସବୁ ମଣିଷ କ’ଣ ନୁହନ୍ତି ??

 

କିଏ ଦେବ ମୋ ପ୍ରଶ୍ନର ଉତ୍ତର ?

 

ବୋଉକୁ ଦେଖିଲେ ପଚାରନ୍ତି—ବୋଉ, ମୋ କର୍ମର ଲିଖନ ଯଦି ତୋ ହାତରେ ନ ଥିଲା—ତେବେ ମୋତେ ଜନ୍ମ ଦେଲୁ କାହିଁକି ?

 

ବାପାଙ୍କୁ ପଚାରୁଛି–—ବାପା, ଆଜିର ସମାଜରେ ମଣିଷ ଭଳି ବଞ୍ଚିବା ଲାଗି ଆବଶ୍ୟକୀୟ ବୁଦ୍ଧି ଯଦି ମୋ ମୁଣ୍ଡରେ ନ ଥିଲା, ତେବେ ମୁଠା ମୁଠା ପଇସା ଖର୍ଚ୍ଚ କରି ମୋତେ ପାଠ ପଢ଼େଇଲ କାହିଁକି ?

 

ସୂଚରିତାକୁ ପଚାରିବି ବୋଲି ଭାବୁଛି—ସୂଚରିତା, ‘କବିତା’ ପାଇଁ ଯଦି ମୋତେ ତମେ “ପ୍ରୀତି” ଦେଲ, ତେବେ “କବି” ବୋଲି ମୋତେ ଗ୍ରହଣ କରିବା ପାଇଁ ପଛେଇଗଲ କାହିଁକି ?

 

କିଏ ବା ଶୁଣୁଛି ମୋତେ ?

 

ବୋଉ ସହିତ ଆଦୌ ଆଉ ଦେଖା ହେଉ ନାହିଁ । ସୁଚରିତାକୁ ଦେଖିଲେ ବି ସେ ଏବେ ଆଉ ମୋର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ । ଆଉ ବାପା ! ସବୁ ଶୁଣିବି ସେ କିଛି ଶୁଣୁନାହାନ୍ତି । ମୋ ଭଳି ଏକ ପାଗଳର ମୂଲ୍ୟହୀନ କଥା ଶୁଣିବାର ଆବଶ୍ୟକତା ସେ ବୋଧ ହୁଏ ଅନୁଭବ କରୁନାହାନ୍ତି । ବାପାଙ୍କ ଦୃଷ୍ଟିରେ ମୁଁ ଏକ ବଦ୍ଧ ପାଗଳ ।

 

ସତରେ କ’ଣ ତେବେ ମୁଁ ପାଗଳ ? ମୁଁ ସେଇ ଗୋଟିଏ କଥା ବାରମ୍ବାର ଚିନ୍ତା କରୁଛି ଏବଂ ସବୁବେଳେ ନିଜକୁ ସେଇ ପ୍ରଶ୍ନ ହିଁ ଦରୁଛି—ପାଗଳ ବୋଲି କ’ଣ ମୁଁ ମଣିଷ ନୁହେଁ ? ସବୁ ମଣିଷ କ’ଣ ପାଗଳ ନୁହନ୍ତି ??

 

ବଞ୍ଚିବା ପାଇଁ ତ ମଣିଷ ଆଜି ପାଗଳ ।

 

ପାଗଳ ବୋଲି ତ ମଣିଷ ଆଜି ବଞ୍ଚିଛି । ମୁଁ କ’ଣ ତେବେ କେବଳ ପାଗଳ ? ମଣିଷ ନୁହେଁ ? କେବଳ ପାଗଳ ???

Image